Unknown

 

 

 

 

 

 

 

 

 

 

ସାମାଜିକ ପ୍ରବନ୍ଧ

(ଦ୍ୱିତୀୟ ଭାଗ)

ବିପିନବିହାରୀ ରାୟ

 

ନିବେଦନ

 

ପ୍ରଥମ ଯୁଗରେ ବିଭିନ୍ନ ଜାତୀୟ ସଂଘବଦ୍ଧ ଶ୍ରେଣୀଗତ ଜୀବନର, ସଂଘ ସଂଘଗତ, ସ୍ତର ସ୍ତରଗତ ସ୍ଥିତିବାନ୍ ସମ୍ବନ୍ଧର ଅଲୋଚନା କରାଯାଇ, କର୍ମବନ୍ତ ବର୍ଦ୍ଧିଷ୍ଣୁ ମାନବ ସମାଜର ଗୋଟିଏ ପ୍ରତିକୃତି ଦିଆହୋଇଅଛି । ଦ୍ୱିତୀୟ ଭାଗରେ ସମାଜଗତ କେତୋଟି ମୁଖ୍ୟ ବିଷୟର ଅବତାରଣା ନିବଦ୍ଧ ଅଛି ।

 

ସମାଜଠାରେ ବ୍ୟକ୍ତିର ଦାବୀ କେଉଁ କେଉଁ ଦ୍ରବ୍ୟ ପ୍ରତି, ଦାବୀ ମାତ୍ରାର ସୀମା କେତେ, ଦାବୀ ଓ କର୍ତ୍ତବ୍ୟ କିପରି ପରସ୍ପରଠାରୁ ଅବିଚ୍ଛିନ୍ନ, ସାମାଜିକ ଜୀବନରେ ଜନନାୟକଙ୍କର ସ୍ଥାନ ପ୍ରୟୋଜନ, ଜନମତର ସଂଗଠନ-ପ୍ରକଟନ-ପ୍ରସାରଣ, ରାଜନୀତି ଭୂମିରେ ଗଣତନ୍ତ୍ରର ମୂଲ୍ୟ ନିର୍ଦ୍ଧାରଣ, ଯଥାର୍ଥ ଗଣତନ୍ତ୍ର ଆଦର୍ଶରେ ରାଜନୀତିକ ଜୀବନର ମାର୍ଜନ ନିଯୁକ୍ତିକରଣ, ସମାଜ ସଂଶୋଧନ, ଇତ୍ୟାଦି ବିଷୟରେ ବିଶଦ୍‍ ବ୍ୟାଖ୍ୟା କରାଯାଇଅଛି ।

 

ପ୍ରଥମ ଓ ଦ୍ୱିତୀୟ ଭାଗର ଅନେକ ପ୍ରବନ୍ଧରେ ଲେଖକଙ୍କର ମତପୋଷକତା ପ୍ରଚ୍ଛନ୍ନଭାବରେ ରହିଅଛି । ଲେଖକଙ୍କର ଦୃଷ୍ଟିରେ ସମ୍ମୁଖ ଜଗତରେ ଶରୀରଗତ-ଆର୍ଥନୀତିକ-ରାଜନୀତିକ ପ୍ରଶ୍ନ ପ୍ରବଳ ସମସ୍ୟା ହୋଇଥିଲେହେଁ ଏହି ଏହି ସ୍ତରଗତ ଜୀବନର ଯଥାଯଥ ବିକାଶ ନିମିତ୍ତ ପଦାର୍ଥ ଯୋଗାଇବା ସଙ୍ଗେ ସଙ୍ଗେ ସେହି ସେହି ସ୍ତରର ମଧ୍ୟ ଦେଇ ଉଚ୍ଚତର ସଂସ୍କୃତିମୂଳକ ଅତ୍ମାଗତ ଜୀବନ ପ୍ରତି ଆମ୍ଭମାନଙ୍କୁ ନିର୍ଦ୍ଦିଷ୍ଟ ରହିବାକୁ ହେବ । ବ୍ୟକ୍ତି ବ୍ୟକ୍ତି ଗୋଷ୍ଠୀ ଗୋଷ୍ଠୀ ଶ୍ରେଣୀ ଶ୍ରେଣୀ ପକ୍ଷରେ ସମନ୍ୱିତ ସମୂହଗତ ପୁଣି ବିଶୁଦ୍ଧ ନୀତିମାର୍ଜିତ ଜୀବନ ଏକମାତ୍ର ପ୍ରଶସ୍ତ ଲକ୍ଷ୍ୟ । ଏଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ତ୍ୟାଗ-ସେବା-ଧର୍ମ ଏକାନ୍ତ ଆବଶ୍ୟକ ।

 

ପୁସ୍ତକର ଆବଶ୍ୟକ‌ତା ଦୃଷ୍ଟିରୁ ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହେଲା ।

 

କଟକ

 

ତା ୯/୧/୪୯

ବିପିନବିହାରୀ ରାୟ

Image

 

ସୂଚୀପତ୍ର

 

୧.

ମୋର ଦାବୀ

୨.

ଜନମତ

୩.

ଗଣତନ୍ତ୍ରର ପରୀକ୍ଷା (୧)

୪.

ଗଣତନ୍ତ୍ରର ପରୀକ୍ଷା (୨)

୫.

ସମାଜର ଭବିଷ୍ୟତ

୬.

ସମାଜ-ସଂଗଠନ

୭.

ସାହିତ୍ୟରେ ଦର୍ଶନ

୮.

ଗୁରୁ ଓ ଶିଷ୍ୟ

Image

 

ମୋର ଦାବୀ

 

ମୋର ପ୍ରାଣ, ଧନସମ୍ପଦ, ବ୍ୟକ୍ତିଗତ ସମ୍ମାନ, ପ୍ରାଥମିକ ଶିକ୍ଷା, ସ୍ୱାଧୀନତା, ସାମାଜିକ ଜୀବନ–ଏ ସମସ୍ତରେ ମୋର ଦାବୀ । ଏ ଦାବୀ ଦେଶବାସୀର; ଏବଂ ଦେଶ ନିକଟରେ ଦେଶବାସୀର ଦାବୀ ଦେଶବାସୀର ହେଲେହେଁ ତହିଁର ସଂରକ୍ଷଣ ଦାବୀଦାରର ତଥା ସମଗ୍ର ଦେଶର କର୍ତ୍ତବ୍ୟ । ଦେଶ ଏବଂ ମୁଁ ପାରସ୍ପରିକ ସମ୍ବନ୍ଧାନ୍ୱିତ । ସମ୍ବନ୍ଧଟି ପ୍ରଧାନତଃ ମାନବିକ ସମ୍ବନ୍ଧ-। ଦେଶର ଜୀବନ ଦେଶବାସୀର ଜୀବନ ଘେନି ସଂଗଠିତ । ମୋର ଏହି ଜୀବନ କୌଣସି ଲୋକ ବା ଲୋକମାନଙ୍କଦ୍ୱାରା ଯେପରି ବିନଷ୍ଟ କି ଆଘାତପ୍ରାପ୍ତ ନ ହୁଏ, ସେ ଭାର ଦେଶ ଉପରେ ନ୍ୟସ୍ତ-। ଏହା ମୋର ପ୍ରଥମ ଦାବୀ ଏବଂ ଦେଶ ତାହା ବହନ କରିଅଛି । ମୋର ପ୍ରାଣ ଉପରେ ପିତାମାତାଙ୍କର, କି ମୋର ପୂର୍ଣ୍ଣ ଅଧିକାର ନାହିଁ । ପିତାମାତା ମୋତେ ଜନ୍ମ ଦେଇଛନ୍ତି, ଲାଳନପାଳନ କରିଛନ୍ତି, ଶୈଶବରୁ ମୋତେ ବଞ୍ଚାଇ ରଖିଛନ୍ତି, କିନ୍ତୁ ଏ ପ୍ରାଣ ନେବାର କ୍ଷମତା ସେମାନଙ୍କର ନାହିଁ; ମୋର ମଧ୍ୟ ନାହିଁ । ମୁଁ ବୟଃପ୍ରାପ୍ତ ହୋଇ, ଜୀବନର କର୍ମରେ ନିଯୁକ୍ତ ରହି, ଶାରୀରିକ ତଥା ମାନସିକ ପରିଶ୍ରମର ସାହାଯ୍ୟ ନେଇ, ମୋର ପ୍ରାଣର ସମୃଦ୍ଧି ଘଟାଇ ଅଛି, କିନ୍ତୁ ଆତ୍ମହତ୍ୟାର ଚେଷ୍ଟାକଲେ କିମ୍ବା ପିତାମାତା ଅଥବା ଅନ୍ୟ କେହି ମୋର ପ୍ରାଣରେ ଆଘାତ ଦେଲେ, ମୋ ପ୍ରାଣ ବିନାଶ ଘଟାଇବାର କାରଣ ହେଲେ, ଦେଶଦ୍ୱାରା ସେମାନେ ଦଣ୍ଡିତ ହୁଅନ୍ତି; ମୁଁ ମଧ୍ୟ ଦଣ୍ଡିତ ହୁଏ ।

 

ଯେଉଁ ଲୋକ ଦେଶବାସୀର ନିର୍ଦ୍ଦୋଷ ଜୀବନ ପ୍ରତି ଆକ୍ରମଣ କରେ ସେ ଲୋକ କେବଳ ଆକ୍ରାନ୍ତ ବ୍ୟକ୍ତି ନିକଟରେ ନୁହେଁ ଦେଶ ନିକଟରେ ମଧ୍ୟ ଦୋଷୀ । କାରଣ ଦେଶବାସୀର ଜୀବନ ଦେଶର ଜୀବନଠାରୁ ପୃଥକ୍ ନୁହେଁ । ପ୍ରତ୍ୟେକ ଦେଶବାସୀର ଜୀବନ ରକ୍ଷଣୀୟ ପଦାର୍ଥ । ଦେଶ ଦୃଷ୍ଟିରେ ଦେଶସ୍ଥ ଏକ ଲୋକର ଜୀବନ ଓ ଅନ୍ୟ ଲୋକର ଜୀବନ ଉଭୟେ ସମାନ ଅଧିକାରର ପାତ୍ର । କେତେକ ଲୋକଙ୍କୁ ବଞ୍ଚାଇ ରଖିବା, ଏଇତକ ଲୋକଙ୍କୁ ଜୀବନ ସଂରକ୍ଷଣରେ ସାହାଯ୍ୟଦେବା କୌଣସି ଦେଶର ଧର୍ମ ନୁହେଁ । ସ୍ଥାନ କର୍ମ ଯୋଗ୍ୟତା ନିର୍ବିଶେଷରେ ପ୍ରତ୍ୟେକ ଦେଶବାସୀର ଅବାଧ ଜୀବନ ସଂରକ୍ଷଣ ଦେଶର ଦାୟିତ୍ୱ ।

 

ସେହିପରି ଦେଶରେ ସାମାଜିକ ପ୍ରୟୋଜନ ପ୍ରତି କର୍ମମାଗ ଯୋଗାଇବା, କର୍ମ ବଳରେ ଧନ ପାଇବା, ଧନ ଅର୍ଜ୍ଜି ତହିଁରେ ଉଚିତ ପ୍ରକାରରେ ଭାଗଦାର ହେବା, ପରିବାରକୁ ସେଥିରେ ଭାଗଦାର କରିବା, ଦେଶବାସୀର ଦ୍ୱିତୀୟ ଦାବୀ । ମୋର ନ୍ୟାୟତଃ ପ୍ରାପ୍ତ ଉପାର୍ଜ୍ଜିତ ଧନ ସମ୍ପଦରେ ମୋର ଦାବୀ । ଦେଶ ଏ ସମ୍ପଦର ରକ୍ଷକ । ଏ ଦାବୀ ଅପହୃତ ହେଲେ, ସ୍ଥାବର ଅସ୍ଥାବର ସମ୍ପତ୍ତିର ଉଚିତ ମାଲିକତ୍ୱରୁ ମୁଁ ଅନ୍ୟାୟ ଭାବରେ ବଞ୍ଚିତ ହେଲେ, ଦେଶ ବଳରେ ମୁଁ ଏଗୁଡ଼ିକ ପୁନଃ ପ୍ରାପ୍ତ ହୁଏ; ଏବଂ ମୋର ଇଜ୍ଜତ ଦେଶର ଇଜ୍ଜତ୍ । ଏଥିରେ ବାଧା ଆସିଲେ, କାହାରିଦ୍ୱାରା ମୁଁ ଲାଞ୍ଛିତ ବା ଅପମାନିତ ହେଲେ, ଦେଶପ୍ରତି ବାଧା ଆସିଥାଏ; ଏବଂ ଦେଶ ନିକଟରେ ମୁଁ ପ୍ରତିକାର ପ୍ରାର୍ଥୀ ହୋଇଥାଏଁ, ଦେଶର ସାହାଯ୍ୟରେ ପ୍ରତିକାର ପାଇଥାଏଁ । ମୋର ଯାହା ଧନସମ୍ମାନ ଅଛି, ଯାହା ଯାହା ଉନ୍ନତି ଘଟୁଅଛି, ସେ ସମସ୍ତ ଦେଶ ଆନୁକୂଲ୍ୟରେ ମୁଁ ଉପାର୍ଜ୍ଜନ କରିବାର ସମର୍ଥ ହୋଇଅଛି ଏବଂ ହେଉଅଛି । ପୁଣି ମୁଁ ଯେଉଁ ଅଧିକାରରେ ଅଧିକାରୀ, ସେ ଅଧିକାରକୁ ସେହିପରି ରଖିବାର ଦାୟିତ୍ୱ ମଧ୍ୟ ଦେଶ ଗ୍ରହଣ କରିଅଛି ।

 

ଏତଦବ୍ୟତୀତ ଦେଶରେ ପ୍ରାଥମିକ ଶିକ୍ଷାରେ ଶିକ୍ଷିତ ହେବା ମୋର ଅନ୍ୟତମ ଦାବୀ । ପ୍ରୟୋଜନୀୟ ଶିକ୍ଷା ହସ୍ତଗତ ହେଲେ, ମୁଁ ସଭ୍ୟ-ଶ୍ରେଣୀରେ ଭୁକ୍ତ ହୁଏ, ସଭ୍ୟ-ସମାଜରେ ନିଜେ ସ୍ଥାନ ପାଇ ନିଜର ସହିତ ଅନ୍ୟମାନଙ୍କର ସମ୍ବନ୍ଧ ବୁଝିପାରେ । ଏହି ହେତୁରୁ ସଭ୍ୟ ଦେଶମାତ୍ରେ ଦେଶବାସୀଙ୍କୁ ଏଇତକ ଶିକ୍ଷା ଯୋଗାଇବାର ଭାର ନେଇଥାଏ, ଯଦ୍ଦ୍ୱାରା ଦେଶବାସୀ ଦେଶଭାଷାକୁ ଲେଖିପଢ଼ି ପାରି ଦେଶର ଘଟଣାବଳୀ ତଥା ପରିସ୍ଥିତି-ପରିବେଷ୍ଟନୀ ସମ୍ପର୍କରେ ଆସି ପାରିବେ । ପ୍ରାଥମିକ ଶିକ୍ଷା ନାଗରିକର ନାଗରିକ ଚକ୍ଷୁ, ତତ୍‌ ସାହାଯ୍ୟରେ ନାଗରିକ ନାଗରିକ-ଦାବୀ କର୍ତ୍ତବ୍ୟର କ୍ଷେତ୍ର ପରିଧି ଅବଗତ ହୋଇ ତଦନୁଯାୟୀ ସମାଜରେ ସମାଜକର୍ମ ସାଧିବାରେ ସମର୍ଥ ହୋଇଥାଏ; ସେ ନିଜର ବ୍ୟବସାୟ-ଜୀବନରେ, ସମୂହ ଜୀବନରେ ମାର୍ଜନା ଆଣି ପାରିଥାଏ । ପ୍ରାଥମିକ ଶିକ୍ଷା ସାହାଯ୍ୟରେ ଦେଶର ଲୋକ ଦେଶବାସୀର ଯୋଗ୍ୟତା ଅର୍ଜି ପାରିଥାଏ । ମୂର୍ଖଲୋକର ଜୀବନ ଅନ୍ଧକାରମୟ । ଏ ଲୋକ ନିଜ ପ୍ରତି, ନିଜର ବର୍ତ୍ତମାନ ତଥା ଭବିଷ୍ୟତ ଜୀବନ ପ୍ରତି, ପୁଣି ପ୍ରତିବେଶୀଗତ ଓ ଦେଶଗତ ଜୀବନର ସବୁ ଅବସ୍ଥା ପ୍ରତି ଉଚିତ ପନ୍ଥାର ନିର୍ଣ୍ଣୟ କରିବାରେ ପନ୍ଥା ପନ୍ଥାର ଔଚିତ୍ୟାନୁଚିତ୍ୟ ଉତ୍ତମରୂପେ ବୁଝିବାରେ ଅସମର୍ଥ ।

 

ଯାହା ଦେଶବାସୀର ଦାବୀ ତାହା ନାଗରିକ ହେବା, ହୋଇ ପାରିବା, ନାଗରିକ ଜୀବନଗତ ତଦନୁକ୍ରମେ କାର୍ଯ୍ୟ କରିବାର ଦାବୀ । ନାଗରିକ ଅଧିକାର ଏକ ଏକ ଲୋକ ମାତ୍ରର ଅଧିକାର ନୁହେଁ; ତାହା ସମୂହ ଜୀବନର ସମୂହଗତ ଅଧିକାର । ଏକ ଲୋକ ହୋଇ ରହିଥାଇ ସେ ନାଗରିକ ହୋଇ ନ ପାରେ ଏବଂ ଯେବେ ଅନେକ ଲୋକ ରହିଥାନ୍ତି; କିନ୍ତୁ ଏମାନେ ପୃଥକୀକୃତ ଜୀବନ କଟାଉଥାନ୍ତି, ତେବେ ସେମାନେ ନାଗରିକ ପଦବୀ ନେଇ ନ ପାରନ୍ତି । ନାଗରିକ ଜୀବନ ସେହିଠାରେ, ଯେଉଁଠାରେ ଏକାଧିକ ଲୋକ, ବହୁତ ଲୋକ ଅବସ୍ଥିତ; ପୁଣି ଏ ଲୋକମାନେ ପାରସ୍ପରିକ ସମ୍ବନ୍ଧାନ୍ୱିତ । ଏକ ନାଗରିକ ଥିଲେ, ଅନ୍ୟ ନାଗରିକ ଅଛି, ଏବଂ ଏ ଦୁହେଁ ଏପରି ଭାବରେ କାର୍ଯ୍ୟ କରନ୍ତି, ଜୀବନ ଗଢ଼ନ୍ତି, ଯଦ୍ଦ୍ୱାର ଉଭୟେ ଅବାଧରେ ନିଜ ନିଜ କାର୍ଯ୍ୟ କରିବାରେ, ଜୀବନ ଗଢ଼ିବାରେ ସମର୍ଥ ହୋଇଥାନ୍ତି । ଏଥିପାଇଁ ଏମାନଙ୍କୁ ଏକ ନିୟମର, ସର୍ବସାଧାରଣ ପନ୍ଥାର ଅନୁବର୍ତ୍ତୀ ରହିବାକୁ ହୋଇଥାଏ । ଗ୍ରାମ୍ୟ ପାଠଶାଳାରେ ପାଠପଢ଼ିବା, ହାଟ ବଜାରରୁ ସଉଦା କିଣିବା, ସମସ୍ତ ନାଗରିକଙ୍କର ଦାବୀ ଏବଂ ପାଠ ପଢ଼ିବାର, ହାଟ ବସିବାର ସମୟ ସମସ୍ତଙ୍କ ପାଇଁ ସମାନ ଭାବରେ ନିର୍ଦ୍ଦିଷ୍ଟ । ଏହିପରି, ସଉଦା କିଣିବାର ମୂଲ୍ୟ ତୁମ୍ଭପାଇଁ ଯାହା ମୋ ପାଇଁ ତାହା । ନାଗରିକ ନାଗରିକ ରହି, ନିଜେ ପାଠ ପଢ଼ିବା ପାଇଁ ପାଠଶାଳାର ସମୟ-ପରିବର୍ତ୍ତନ, ସଉଦା କଣିବାପାଇଁ ହାଟର ପାଳି ପରିବର୍ତ୍ତନ ଦାବୀ କରି ନ ପାରେ, କିମ୍ବା ନିଜ ଘରପାଇଁ ଅଳ୍ପ ମୂଲ୍ୟରେ ସଉଦା ପାଇ ନ ପାରେ । ନାଗରିକ ଅଧିକାର ପ୍ରତ୍ୟେକ ଦେଶବାସୀର ଅଧିକାର ଓ ସମାନ ଅଧିକାର । ନାଗରିକ-ନାଗରିକର ସମ୍ବନ୍ଧ ପ୍ରତିବେଶୀଘଟିତ ସମ୍ବନ୍ଧ । ଘର ତୋଳିବାରେ ତୁମ୍ଭର ଯେପରି ଓ ଯେତେ ଅଧିକାର, ମୋର ମଧ୍ୟ ସେହିପରି ଓ ତେତେ ଅଧିକାର ଅଛି, କେହି ଏ ପ୍ରକାରରେ ଗୃହ ନିର୍ମାଣ କରି ନ ପାରେ, ଯହିଁରେ ପ୍ରତିବେଶୀର ଗୃହପ୍ରତି ବାଧା ଆସିପାରେ । ନାଗରିକ–ନାଗରିକ ଏକ ସମୂହଭୂତ, କାରଣ ଏମାନେ ଏକ ଜୀବନାଗତ ନିୟମରେ ନିୟନ୍ତ୍ରିତ ।

 

ଏପର୍ଯ୍ୟନ୍ତ ଯେଉଁ ଯେଉଁ ଦାବୀର ଉଲ୍ଲେଖ କରାଗଲା, ସେଗୁଡ଼ିକ ଅପେକ୍ଷାକୃତ ସହଜବୋଧ୍ୟ ସହଜସାଧ୍ୟ । ଦେଶ ଏଗୁଡ଼ିକ ସହଜରେ ଗ୍ରହଣ କରି ନେଇଥାଏ, ଆବଶ୍ୟକ ଆଇନ ପ୍ରଣୟନ କରି ଧର୍ମାଧିକରଣ ଓ ଶିକ୍ଷା ଅନୁଷ୍ଠାନ ପ୍ରଭୃତିର ଆଶ୍ରୟ ନେଇ ସେହି ସେହି ଦାବୀ ପ୍ରତି ନିଜର ଉଚିତ କାର୍ଯ୍ୟ ସାଧି ପାରିଥାଏ; ସାଧିବାରେ ନିଯୁକ୍ତ ରହିଥାଏ; ସାଧିବାକୁ ଅନ୍ତତଃ ଚେଷ୍ଟା କରୁଥାଏ । କିନ୍ତୁ ସ୍ୱାଧୀନତା ନାମକ ଦାବୀଟି ସେପରି ସହଜ ବିଷୟ ନୁହେଁ । ସ୍ୱାଧୀନତା ଗୋଟିଏ ବିବାଦମୂଳକ, କଷ୍ଟବୋଧ, କଷ୍ଟସାଧ୍ୟ ବସ୍ତୁ । ଏଣୁ ସେ ବିଷୟରେ ବିସ୍ତୃତ ଯୁକ୍ତିଯୁକ୍ତ ବିଚାର ଆବଶ୍ୟକ ।

 

ଆଲୋଚନାର ଆରମ୍ଭରେ କହିବା ଉଚିତ ଯେ, ଲୋକର ବୁଦ୍ଧି ବିବେକ ଅବଲମ୍ବନରେ ପୁଣି ଲୋକ ଲୋକର ସମ୍ପର୍କ-ଜ୍ଞାନ-ସାହାଯ୍ୟରେ ସ୍ୱାଧୀନତାର ପ୍ରକୃତି ହସ୍ତଗତ ହୋଇଥାଏ । ମୋଟରେ କୁହା ଯାଇପାରେ ଯେ, ସ୍ୱାଧୀନତା ଗୋଟିଏ କ୍ଷମତା ଏବଂ ତାହା ଏପରି କ୍ଷମତା, ଯାହା ଦେଶ ଏକା ଦେଇପାରେ, ଦେଶବାସୀ ଏକା ନେଇପାରେ । ମାତ୍ର ଏହା କି ପ୍ରକାର କ୍ଷମତା, ତାହା ଘେନି ସ୍ଥାନେ ସ୍ଥାନେ ଆମ୍ଭେମାନେ ଭ୍ରମରେ ପଡ଼ିଥାଉଁ । କେହି କେହି କହିଥାଆନ୍ତି, ସ୍ୱାଧୀନତା ଗୋଟିଏ ଜନ୍ମଗତ କ୍ଷମତା; କେହି ପୁଣି ଧରି ନିଅନ୍ତି, ସ୍ୱାଧୀନତା ପାଇବାର ଅର୍ଥ ହେଉଛି, ଯାହା ତାହା କରି ପାରିବା । ବାସ୍ତବରେ କିନ୍ତୁ ତାହା ତାହା ନୁହେଁ । ସ୍ୱାଧୀନତା ହେଉଛି, ଉପାର୍ଜିତ ତଥା ଉତ୍ତମ କ୍ଷମତା । ଯେଣୁ ଦେଶରେ ମୋର ଜନ୍ମ, ତେଣୁ ସ୍ୱାଧୀନତା ପାଇବାପାଇଁ, ଯେଉଁ ସ୍ୱାଧୀନ, ତେଣୁ ଭଲମନ୍ଦ ଉଭୟ କାର୍ଯ୍ୟ କରିବାପାଇଁ ମୁଁ ହକଦାର, ଏବଂବିଧ ଯୁକ୍ତି ଅସିଦ୍ଧ । ଚୋର, ତସ୍କର, ଗଣ୍ଠିକଟା, ତଣ୍ଟିକଟା, ଖଚୁଆ, ମିଛୁଆ, ଜାଲିଆ, ମେଳିଆ, ଏମାନେ ଦେଶରେ ଜନ୍ମ ହେଲେହେଁ ସେହି ସେହି ମାର୍ଗରେ ଚିନ୍ତା କରିବାର, ସେହି ସେହି ବାଟ ଅନୁସରଣ କରିବାର ସ୍ୱାଧୀନତା ସେମାନଙ୍କର ନାହିଁ, କି ଏ ପ୍ରକାର ସ୍ୱାଧୀନତା ଦେବାର କ୍ଷମତା ଦେଶର ମଧ୍ୟ ନାହିଁ । ଜ୍ଞାନଶୂନ୍ୟ ବିବେକଶୂନ୍ୟ ଲୋକ ସ୍ୱାଧୀନତା ପାଇ ନ ପାରେ, ଦାବୀ କରି ନ ପାରେ । ସ୍ୱାଧୀନ ପୁରୁଷ ଯୋଗ୍ୟ ପୁରୁଷ । ସେ ପୁରୁଷ ସ୍ୱାଧୀନତାର ଅର୍ଥ ଜାଣେ, ପୁଣି ବ୍ୟବହାର ଜାଣେ । ଯେବେ ଏ ଯୋଗ୍ୟତା ମୋର ଥାଏ, ତେବେ ସ୍ୱାଧୀନତା ବଳରେ ବିଷୟ ଘେନି ଅବାଧରେ ଚିନ୍ତା କରିବା, ବିଷୟ ବିଷୟକୁ ବିଭିନ୍ନ ପ୍ରକାରରେ ଚିନ୍ତା କରିବା, ବିଭିନ୍ନ ଚିନ୍ତା ମଧ୍ୟରୁ ଉଚିତ ବିବେଚନାରେ ଅନ୍ୟ ଚିନ୍ତାକୁ ବାଦ ଦେଇ, ଏକ ଚିନ୍ତାର ଅନୁଗାମୀ ହେବାର କ୍ଷମତା ମୋର ଅଛି ଏବଂ ସେହି ଚିନ୍ତାର ଅନୁକ୍ରମରେ କାର୍ଯ୍ୟରେ ନିଯୁକ୍ତ ରହିବାର କ୍ଷମତା ମଧ୍ୟ ଅଛି । ଏହିପରି କ୍ଷମତା ପାଇବାର ଅଧିକାର ମୋର, ଦେବାର ଅଧିକାର ଦେଶର । ଏହି ଅଧିକାରର ଆଶ୍ରୟ ନେଇ, ଦେଶବାସୀମାନେ ଦେଶର ପ୍ରଥା, ରୀତିନୀତି, ଶାସନପଦ୍ଧତି ସମ୍ପର୍କରେ ସୁଚିନ୍ତିତ ମତବ୍ୟକ୍ତ କରିବାରେ ସମର୍ଥ ହୋଇଥାନ୍ତି; ଏଗୁଡ଼ିକର ପ୍ରୟୋଜନୀୟ ସଂଶୋଧନ ସାଧିବାରେ, ଦେଶସ୍ଥିତ, ଗୋଷ୍ଠୀଗତ, ସମୂହଗତ ଜୀବନର ବିବର୍ତ୍ତନ ଆଣିବାରେ ନିଜ ନିଜର ଶକ୍ତିସାମର୍ଥ୍ୟ ପ୍ରୟୋଗ କରିଥାଆନ୍ତି । ଦେଶ ମଧ୍ୟରେ ଯେଉଁ ବିଭିନ୍ନ ସାମାଜିକ ଆଦର୍ଶ, ସାମାଜିକ ପନ୍ଥାର ସହଜ ଅବତାରଣା ହେଉଅଛି, ଯେଉଁ ବିଭିନ୍ନ ଚିନ୍ତାର, ବିଭିନ୍ନ ରାଷ୍ଟ୍ରପନ୍ଥୀ, ସମାଜପନ୍ଥୀମାନଙ୍କର ଅବାଧ ପ୍ରକାଶ ଘଟୁଅଛି, ବ୍ୟକ୍ତିଗତ ସ୍ୱାଧୀନତାରୁ ସେ ସବୁର ସୃଷ୍ଟି ।

 

ରାଷ୍ଟ୍ରପତି ସ୍ୱାଧୀନତାର ଅର୍ଥ ଭାବନାରାଜ୍ୟରେ ସ୍ୱାଧୀନତା, ଭାବନା ପ୍ରକାଶରେ ସ୍ୱାଧୀନତା, ଧର୍ମଗତ ଓ ସମାଜଗତ ଜୀବନରେ ସ୍ୱାଧୀନତା, ସଂଘଗଠନରେ ସ୍ୱାଧୀନତା । ଯେଉଁ ଦେଶରେ ସାମାଜିକ ରାଜନୀତିକ ଚିନ୍ତାକୁ, ଗଠନମୂଳକ କାର୍ଯ୍ୟକୁ, ଧର୍ମବିଶ୍ୱାସକୁ ଗୋଟିଏ ଛାଞ୍ଚରେ ପକାଇବାର ଚେଷ୍ଟା କରାଯାଏ, ଅନ୍ୟ ଛାଞ୍ଚକୁ ସ୍ଥାନ ଦିଆଯାଏ ନାହିଁ, ତଦ୍‌ଭିନ୍ନ ଛାଞ୍ଚକୁ ବଳପୂର୍ବକ ଦବାଇ ରଖାଯାଏ, ସେ ଦେଶରେ ସ୍ୱାଧୀନତା ନାହିଁ । ଏଣୁ ମୋର ସ୍ୱାଧୀନତା ନାହିଁ ।

 

ସ୍ୱାଧୀନତା ଗୋଟିଏ ପ୍ରଧାନ ନାଗରିକ ଅଧିକାର । କିନ୍ତୁ ଏ ଅଧିକାର ପାଇବା ନିମିତ୍ତ ଯଥାଯଥ ଜ୍ଞାନ ପୁଣି ଉଚିତ ନିୟୋଜନର କ୍ଷମତା ନାଗରିକଠାରେ ଥିବା ଆବଶ୍ୟକ । ସ୍ୱାଧୀନତା ମାଗିବାମାତ୍ରେ ଆସେ ନାହିଁ, କି କେହି ଏହାକୁ ଦାନ କରିଦିଏ ନାହିଁ । ଯେଉଁ କ୍ଷମତାର ଉପଯୁକ୍ତ ପ୍ରୟୋଗ ନିମିତ୍ତ ମୁଁ ଅନୁପଯୁକ୍ତ, ସେ କ୍ଷମତାକୁ ମୁଁ ଦେଶଠାରୁ ପାଇ ନ ପାରେଁ, ଦାବୀ କରି ନ ପାରେଁ; ଦେଶ ମଧ୍ୟ ଏହା ଦେଇ ନ ପାରେ । ଲୋକମାନଙ୍କ ମଧ୍ୟରୁ ପ୍ରତିନିଧି ବାଛିବାର ଉଦାହରଣ ନିଅ, ବିଷୟଟି ସହଜରେ ବୁଝି ପାରିବ । ମନେକର କୌଣସି ଗୋଟିଏ ସାମାଜିକ ସ୍ଥାନ ପାଇଁ ଏକାଧିକ ଲୋକ ପ୍ରାର୍ଥୀ ହୋଇଅଛନ୍ତି । ପ୍ରାର୍ଥୀମାନଙ୍କ ମଧ୍ୟରୁ ଏକ ବା ଅନ୍ୟର ପକ୍ଷରେ ସ୍ୱାଧୀନଭାବରେ ଭୋଟ ଦେବାର ଅଧିକାର ମୁଁ ପାଇଅଛି । ପାଇଥିଲେହେଁ କାର୍ଯ୍ୟକ୍ଷେତ୍ରରେ ଏ ଅଧିକାର ଯେପରି ବ୍ୟବହାର କରିବା ଉଚିତ, ତାହା ମୁଁ କରିପାରୁ ନାହିଁ । ଯେବେ ପ୍ରାର୍ଥୀ ପ୍ରାର୍ଥୀଙ୍କର ଆପେକ୍ଷିକ ବୃହତ୍ତ୍ୱ ବିଚାରରେ ଆଣିବାର ଯୋଗ୍ୟତା ମୋଠାରେ ନ ଥାଏ, ଅଥବା ଥାଇ ତାହାକୁ ମୁଁ ବେପାର ବସ୍ତୁରୂପେ ବିକ୍ରୟ କରି ଦେବାରେ ସମ୍ମତ ହୁଏ, ତେବେ ପ୍ରତିନିଧି ବାଛିବାର ସ୍ୱାଧୀନତା ନେବା ମୋ ପକ୍ଷରେ ଯେପରି ଅଧର୍ମ, ଦେଶ ପକ୍ଷରେ ତାହା ଦେବା ମଧ୍ୟ ସେହିପରି ଅଧର୍ମ । ଏହିହେତୁରୁ ଭୋଟ ଦେବାର ସ୍ୱାଧୀନତା ଦାବୀ କରିବା ପୂର୍ବରୁ ଆବଶ୍ୟକତାନୁଯାୟୀ ପ୍ରାଥମିକ ଶିକ୍ଷା ଆମ୍ଭେମାନେ ଦାବୀ କରିଥାଉଁ । ଶିକ୍ଷା ପାଇଲେ ତେବେ ଯାଇ ନିର୍ବାଚନ ପ୍ରଥା ଉପସ୍ଥାପିତ କରିଥାଉଁ । ଉପଯୁକ୍ତ ଶିକ୍ଷା ସଂଗୃହୀତ ଜ୍ଞାନର ଆଶ୍ରୟ ନେଇ ପ୍ରତିନିଧିର ବିଶେଷତ୍ୱ ଚିହ୍ନି ପାରିବାରେ ଆମ୍ଭେମାନେ ସମର୍ଥ ହୋଇଥାଉଁ । ଶିକ୍ଷା ପାଇ ମଧ୍ୟ ସଂଯତ ଚରିତ୍ର ଗଢ଼ି ନ ପାରିଲେ ଏ ପ୍ରଥାର ବିପରୀତ ଫଳ ଘଟିଥାଏ । ଅଜ୍ଞ ଅସାଧୁ ଲୋକକୁ ସ୍ୱାଧୀନଭାବରେ ମତବ୍ୟକ୍ତ କରିବାର, କାର୍ଯ୍ୟ କରିବାର ଅଧିକାର ଦେବାଦ୍ୱାରା ସ୍ୱାଧୀନତା ପଣ୍ଡ ହୋଇଯାଏ । ପ୍ରତିନିଧି ନିର୍ବାଚନ କାର୍ଯ୍ୟ ସେହିଠାରେ ପ୍ରବର୍ତ୍ତନୀୟ, ଯେଉଁଠାରେ ସ୍ୱାଧୀନତା, ପୁଣି ଯୋଗ୍ୟତା ଉଭୟ ବର୍ତ୍ତମାନ ।

 

ନାଗରିକ ସ୍ୱାଧୀନତା ଗୋଟିଏ ଅମୂଲ୍ୟ ପଦାର୍ଥ । ତାହା ନାଗରିକର ଶ୍ରେଷ୍ଠ ଦାବୀ, ନାଗରିକ ନିକଟରେ ଆଦରର ବସ୍ତୁ । ସ୍ୱାଧୀନ ମନୁଷ୍ୟ ଏକା ମନୁଷ୍ୟପଦବାଚ୍ୟ । ସ୍ୱାଧୀନତା-ବିବର୍ଜିତ ମନୁଷ୍ୟ ମେଷ ମାତ୍ର । ସେ ଅନ୍ୟର ଦାସ । ସ୍ୱାଧୀନତା ଫଳରେ ମନୁଷ୍ୟ ନିଜ କର୍ମର ନିଜେ କର୍ତ୍ତା ହୋଇଥାଏ, ନିଜେ ନିଜକୁ ଅନୁସରଣ କରିଥାଏ । କିନ୍ତୁ ଲୋକେ ନିଜ ନିଜ ବାଟରେ, ଭିନ୍ନ ଭିନ୍ନ ବାଟରେ ଚାଲୁଥିଲେ ଯେ ସ୍ୱାଧୀନତା କାଏମ ରହିଥାଏ, ଅନ୍ୟକୁ ଅନୁସରଣ କଲେ ଯେ ସ୍ୱାଧୀନତା ବିନଷ୍ଟ ହୋଇଯାଏ, ଏମନ୍ତ ନୁହେଁ । ଅନ୍ୟର ଅନୁଗାମୀ ହୋଇ ମଧ୍ୟ ଆମ୍ଭେମାନେ ସ୍ୱାଧୀନତା ଅକ୍ଷୁଣ୍ଣ ରଖିପାରି ଥାଉଁ । ପୃଥକତ୍ୱ କି ନୂତନତ୍ୱ ପ୍ରକଟନରେ ନୁହେଁ, ଉତ୍ତମତାର ପୋଷକତାରେ ସ୍ୱାଧୀନତା ପ୍ରକାଶ ପାଏ । ନିଜକୁ ଅନୁସରଣ କରିବା ନୁହେଁ, ଉତ୍ତମତାକୁ ଅନୁସରଣ କରିବା ସ୍ୱାଧୀନତାର ଲକ୍ଷ୍ୟ । ଉତ୍ତମତା ମୋଠାରେ ଥାଇପାରେ ଅଥବା ଅନ୍ୟଠାରୁ ମୁଁ ଏହାକୁ ଶିଖିପାରେ । ଉତ୍ତମତା ନିର୍ଣ୍ଣୟ ବୁଦ୍ଧିବିବେଚନା-ସାପେକ୍ଷ । ଯେବେ ଏ ପ୍ରକାର ସଂଗତି ମୋର ନ ଥାଏ, ତେବେ ଅନ୍ୟଠାରୁ ତାହା ପାଇ, ତାହାକୁ ଅନୁଗମନ କରିବାରେ ମୋର ସ୍ୱାଧୀନତା ସେହିପରି ରହିଥାଏ । ଉତ୍ତମ ମାର୍ଗ, ଉତ୍ତମ ଚିନ୍ତା ଏକ ବ୍ୟକ୍ତି ନିର୍ଦ୍ଦେଶ କରିଦେବାରେ, ଅନ୍ୟମାନେ ସେହି ବ୍ୟକ୍ତିର ନିର୍ଦ୍ଦେଶ ଗ୍ରହଣ କରି ନେବାରେ ସମସ୍ତଙ୍କର, ନିର୍ଦ୍ଦେଶକ ଓ ନିର୍ଦ୍ଦେଶିତ ଉଭୟଙ୍କର, ସ୍ୱାଧୀନତା ସମାନଭାବରେ କାର୍ଯ୍ୟକାରୀ ହେଉଥାଏ । ଯେଣୁ ଏହା ଅନ୍ୟର ନିର୍ଦ୍ଦେଶ, ତେଣୁ ତାହା ପରସ୍ୱ, ଏପରି ଯୁକ୍ତି ମିଥ୍ୟା, କାରଣ ଉତ୍ତମପନ୍ଥା ଯେଉଁଠାରେ ମୁଁ ପାଏଁ ନାଁ କାହିଁକି, ପନ୍ଥାର ଉତ୍ତମତା ଉତ୍ତମରୂପେ ବୁଝିପାରି, ତାହାକୁ ଗ୍ରହଣ କରି ନେବାଦ୍ୱାରା ସେ ପନ୍ଥା ମୋର ପନ୍ଥା, ମୋର ନିଜସ୍ୱ ହୋଇପଡ଼େ । ଯେଉଁଠାରେ ଉତ୍ତମ ଲୋକର ପନ୍ଥା ଉତ୍ତମତା ହେତୁରୁ ଅନୁସୃତ ହୁଏ, ସେଠାରେ ପରାଧୀନତା ଥାଏ ନାହିଁ । ପରାଧୀନତା ହୁଏ ସେହିଠାରେ, ଯେଉଁଠାରେ ଏକ ଲୋକ ଅନ୍ୟ ଲୋକର ଆଦେଶ ମାତ୍ର ବହନ କରୁଥାଏ, ଏକ ଅନ୍ୟକୁ ଭୁଲାଇ ନେଉଥାଏ ବା ଘୋଷାରି ନେଉଥାଏ । ଗଜପତି ନିର୍ଦ୍ଧାରିତ କାର୍ଯ୍ୟୋପଯୋଗୀ ଏକମାତ୍ର ପନ୍ଥା ଗଜପତି ଭୂମିରେ ପ୍ରବଳ ରହି ସୁଦ୍ଧା ଲୋକମାନଙ୍କର ସ୍ୱାଧୀନତା ଅକ୍ଷୁଣ୍ଣ ରହିପାରେ । ଗୋଷ୍ଠୀନାୟକଙ୍କୁ ଅନୁଗମନ କରି ମଧ୍ୟ ଆମ୍ଭେମାନେ ସ୍ୱାଧୀନଭାବରେ କାର୍ଯ୍ୟ କରିଥାଉଁ । ଅର୍ଥାତ୍ ଅନେକ ଲୋକ ସ୍ୱାଧୀନତା ପାଇ; ସ୍ୱାଧୀନଭାବରେ କାର୍ଯ୍ୟ କରି, ଏକ ବ୍ୟକ୍ତିର ଅନୁଗାମୀ ହୋଇପାରନ୍ତି, ଏକ ଦିଗରେ ଗତି କରି ପାରନ୍ତି । ବସ୍ତୁତଃ ମାନବସଂସାରେ ମାନବଗଣ ଏହି ପ୍ରକାର ଗତି କରୁଥାଆନ୍ତି । ଏହି ଅର୍ଥରେ ଗଣତନ୍ତ୍ର ଶାସନରେ ଏକତନ୍ତ୍ରର ପ୍ରଭାବ ବରାବର ରହିଅଛି । ଚାଳକ ଓ ଚାଳିତର, ନେତା ଓ ନୀତର ସମ୍ପର୍କ ମଧ୍ୟ ଏହି ଜାତୀୟ । ଉଭୟେ ସ୍ୱାଧୀନତା ପାଇବାର ହକଦାର । ଚାଳକ ସୃଷ୍ଟିକରେ; ଚାଳିତମାନେ ତାହା ଗ୍ରହଣ କରି ନିଅନ୍ତି । ନେତା ସଙ୍କେତ ଦିଏ, ନୀତମାନେ ତାଙ୍କର ଅନୁଗମନ କରନ୍ତି ।

 

ପୁନଶ୍ଚ ସ୍ୱାଧୀନତା ଦାବୀ କରିବା ସମୟରେ ଆମ୍ଭେମାନେ ଅନେକ କ୍ଷେତ୍ରରେ ଆମ୍ଭମାନଙ୍କ ସହିତ ପ୍ରତିବେଶୀର ସମ୍ପର୍କକୁ ଭୁଲି ଯାଇଥାଉଁ । ଯଦ୍ୟପି ଦେଶବାସୀଙ୍କର ସ୍ୱାଧୀନତା ଦାବୀ ଅଛି, ଯେଉଁ କାର୍ଯ୍ୟଦ୍ୱାରା ସହବାସୀଙ୍କର ଅହିତ ଘଟିବ, ସେପରି କାର୍ଯ୍ୟ କରିବାର ସ୍ୱାଧୀନତା କାହାରି ନାହିଁ । ନିଜେ ସ୍ୱାଧୀନତା ପାଇ, ଅନ୍ୟର ସ୍ୱାଧୀନତା ମୁଁ କାଢ଼ି ନେଇ ନପାରେ; ନିଜସ୍ୱ, ପରସ୍ୱ ଉଭୟ ବସ୍ତୁକୁ ମୁଁ ଦାବୀ କରି ନ ପାରେ । ସ୍ୱାଧୀନ କାର୍ଯ୍ୟରେ ନିର୍ଦ୍ଦିଷ୍ଟ କ୍ଷେତ୍ର ଓ ସୀମା ରହିଅଛି । ସ୍ୱାଧୀନ କାର୍ଯ୍ୟ ମନ୍ଦ କାର୍ଯ୍ୟ ନୁହେଁ । ରାଷ୍ଟ୍ରପ୍ରଦେଶ ହେଉ ବା ଧର୍ମ ଜଗତ ହେଉ, ଉତ୍ତମ କାର୍ଯ୍ୟର ପରିସର ଯେତିକି, ସ୍ୱାଧୀନ କାର୍ଯ୍ୟର ପରିସର ତେତିକି । ମୋର ଧର୍ମ ଜୀବନ ମୋର ଅଟେ । ମୁଁ ଆସ୍ତିକ ବା ନାସ୍ତିକ ହୋଇପାରେଁ । ଆସ୍ତିକ ହୋଇ ପରମେଶ୍ୱରଙ୍କୁ ଏକପ୍ରକାରରେ ଭକ୍ତି ଦେଖାଇପାରେଁ, ପୂଜା ଅର୍ଘ୍ୟ ଦେଇପାରେଁ; ମାତ୍ର ଏ ପ୍ରକାର ଧର୍ମ-ଜୀବନଯାପନ କରିବାର, ଭକ୍ତି ପୂଜା ଦେବାର ଅଧିକାର ମୋର ନାହିଁ, ଯଦ୍ଦ୍ୱାରା ଅନ୍ୟମାନଙ୍କର ଧର୍ମ-ଜୀବନରେ ବାଧା ଆସିପାରେ । ଯେଉଁ ଭୂଇଁତକ ମୋର, ସେ ଭୂଇଁକୁ ଉନ୍ନତ ଭାବରେ, ଭିନ୍ନପ୍ରକାରରେ ଚଷିବାର ସ୍ୱାଧୀନତା ମୋର ଅଛି । କିନ୍ତୁ ଅନ୍ୟର ଭୂଇଁ ଉପରେ ମାଡ଼ିଯିବାର, ଅନ୍ୟର ଫସଲ ପ୍ରତି କ୍ଷତି ଆଣିବାର ସ୍ୱାଧୀନତା ମୋର ନାହିଁ । ସ୍ୱାଧୀନ କାର୍ଯ୍ୟ ଏକ ଏକ ଲୋକ ମାତ୍ରର ମଙ୍ଗଳ ଦିଗରୁ ବିଚାର କରାଯାଇ ନପାରେ । ମୋର ମଙ୍ଗଳ ଘଟାଇବାକୁ ଯାଇ ଯଦି ମୁଁ ଅନ୍ୟର ଅମଙ୍ଗଳ ଘଟାଏଁ, ତେବେ ଏପରି ଚିନ୍ତା, ଏପରି କାର୍ଯ୍ୟ ସ୍ୱାଧୀନତା ପଦର ଅଯୋଗ୍ୟ । ଯେଉଁଠାରେ ସ୍ୱାଧୀନ ଚିନ୍ତା ମଙ୍ଗଳମୟ ବିଧାନର ଉଚିତ ସଙ୍କେତ ଦିଏ, ଯେଉଁଠାରେ ସ୍ୱାଧୀନତା ଦେଶବାସୀ-ଦେଶବାସୀ ମଧ୍ୟରେ, ଦେଶ-ଦେଶବାସୀ ମଧ୍ୟରେ ଉତ୍ତମ ସମ୍ବନ୍ଧ ଜନ୍ମାଇଥାଏ, ସେହିଠାରେ ସ୍ୱାଧୀନତାର ଯଥାର୍ଥ ଅର୍ଥ, ଯଥାର୍ଥ ପ୍ରୟୋଗ ।

 

ସ୍ୱାଧୀନ ଲୋକର ଦେଶବାସୀ ସମ୍ପର୍କରେ ପୁଣି ଦେଶ ସମ୍ପର୍କରେ ଉଚିତ ଜ୍ଞାନ ଥାଏ; ସେ ତଦନୁଯାୟୀ ଉଚିତ କାର୍ଯ୍ୟ କରୁଥାଏ । ଦେଶ ବହୁ ଲୋକଙ୍କର ଆବାସଭୂମି । ଦେଶରେ ମୋର ସ୍ୱାଧୀନତା, ମୋର ଦାବୀ ଅଛି, ଅନ୍ୟମାନଙ୍କର ମଧ୍ୟ ଅଛି । ମୋର ଦାବୀ ମୋର ପ୍ରାପ୍ୟ; ସେମାନଙ୍କର ଦାବୀ ସେମାନଙ୍କର ପ୍ରାପ୍ୟ । ଏହିଠାରେ ଦାବୀ ସମ୍ବନ୍ଧରେ କେତେକ ସାଧାରଣ କଥା କୁହାଯାଇପାରେ । ପ୍ରଥମତଃ ଦାବୀ ଏପରି ଏକ ବସ୍ତୁ, ଯାହା ମୋ ପ୍ରତି ପ୍ରଯୋଜ୍ୟ, ପୁଣି ସେହି ଅବସ୍ଥାରେ ଅନ୍ୟମାନଙ୍କ ପ୍ରତି ପ୍ରଯୋଜ୍ୟ । ମୋର ଭୂସମ୍ପଦରେ ଯେପରି ମୋର ଦାବୀ, ଅନ୍ୟର ଭୂସମ୍ପଦରେ ତାହାର ସେହିପରି ଦାବୀ । ବ୍ୟକ୍ତିର ଦାବୀ ବ୍ୟକ୍ତିର ହେଲେହେଁ ଦାବୀର ନିୟମ ସର୍ବସାଧାରଣ ପକ୍ଷରେ କାର୍ଯ୍ୟକାରୀ, ସମାନଭାବରେ କାର୍ଯ୍ୟକାରୀ ଅଟେ ।

 

ଦ୍ୱିତୀୟତଃ, ବ୍ୟକ୍ତିର ଯାହା ଦାବୀ, ତାହା ସୀମାବଦ୍ଧ । ପୁଣି ଏ ଦାବୀ ଉପସ୍ଥାନର ତଥା ଗ୍ରହଣର ଯୋଗ୍ୟବସ୍ତୁ । ମୁଁ ଏକା ଦେଶବାସୀ ହୋଇଥିଲେ, ଯାହା ମୋର ପ୍ରାପ୍ୟ ହୁଅନ୍ତା, ଅନେକ ଦେଶବାସୀ ହେବାରୁ ତାହାର ପରିମାଣ ଅନେକାଂଶରେ କମି ଯାଇଅଛି । ଦେଶର ସମସ୍ତ ଭୂସମ୍ପଦ ପ୍ରତି, ଅନ୍ୟ ଲୋକର ସମ୍ପଦ ପ୍ରତି ମୁଁ ଦାବୀ ଆଣି ନ ପାରେ । ଦେଶ କେବଳ ମୋର ଜୀବନର ରକ୍ଷକ ହୋଇ ରହିଥିବ, କେବଳ ମୋର ବାସଗୃହ ଜଗି ବସିଥିବ, କେବଳ ମୋର ଗୃହୀତ କାର୍ଯ୍ୟପନ୍ଥାକୁ ବିଚାର କରୁଥିବ, ଏପରି ଦାବୀ ଅଗ୍ରାହ୍ୟ । ତୃତୀୟତଃ ଦେଶବାସୀର ଦାବୀ ସମ୍ବନ୍ଧୀୟ ବସ୍ତୁ ଅଟେ । ଯେଉଁ ଲୋକ ଦାବୀର ପ୍ରାର୍ଥୀ, ସେ ଦାବୀଦାର ମାତ୍ର ନୁହେଁ, କର୍ତ୍ତବ୍ୟପାଇଁ ମଧ୍ୟ ସେ ଦାୟୀ । ଯାହା ମୋର ଦାବୀ ତାକୁ ରକ୍ଷା କରିବା ଅନ୍ୟମାନଙ୍କର କର୍ତ୍ତବ୍ୟ; ଯାହା ଅନ୍ୟମାନଙ୍କର ଦାବୀ ତାକୁ ରକ୍ଷା କରିବା ମୋର କର୍ତ୍ତବ୍ୟ । ଅନ୍ୟମାନଙ୍କୁ ସେମାନଙ୍କର ଦାବୀ ଅଧିକାର ଦେଇ ମୋର ଦାବୀ ଅଧିକାର ମୁଁ ସ୍ଥାପନ କରିପାରେ । ଏକ ଏକ ଦେଶବାସୀଙ୍କର ନିଜ ନିଜର ଦାବୀ ଏବଂ ତହିଁ ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପ୍ରତି କର୍ତ୍ତବ୍ୟ ଉଭୟ ରହିଅଛି । ମୁଁ ଯାହା ପାଇବାର ହକ୍‌ଦାର, ସେଥିରେ କେହି ହସ୍ତକ୍ଷେପ କଲେ, ମୁଁ ନିଶ୍ଚୟ ଏହାର ପ୍ରତିକାର ଲୋଡ଼ିବି । ଏ ପ୍ରତିକାର ଦେଶଠାରୁ ମୋର ପ୍ରାପ୍ୟ । ପୁଣି ଅନ୍ୟମାନଙ୍କ ଦାବୀରେ ହସ୍ତକ୍ଷେପ ନ କରିବା ମୋର ମଧ୍ୟ କର୍ତ୍ତବ୍ୟ । ଏ କର୍ତ୍ତବ୍ୟ ମୋଠାରୁ ଦେଶର ପ୍ରାପ୍ୟ । ଏହି ପ୍ରକାରରେ ଦେଶବାସୀ ସହିତ ଦେଶବାସୀର, ଦେଶବାସୀ ସହିତ ସମଗ୍ର ଦେଶର ସମ୍ପର୍କ ପାରସ୍ପରିକ ତଥା ଘନିଷ୍ଠ ଅଟେ । ଦେଶବାସୀର ସ୍ୱାର୍ଥ ଜ୍ଞାନ ଅଛି ଓ ପରାଅ ଜ୍ଞାନ ଅଛି ଏବଂ ଉଭୟବିଧ ଜ୍ଞାନରେ ଚାଳିତ ହୋଇ କାର୍ଯ୍ୟ କରିବାର ଦାୟିତ୍ୱ ମଧ୍ୟ ଅଛି । ଯେଉଁମାନେ ପଦାର୍ଥ ନିଜଠାରେ ମାତ୍ର ଅନୁଭବ କରନ୍ତି, ଯେଉଁମାନଙ୍କର କର୍ମ ଅଧିକାର ସେହି ସେହି କ୍ଷୁଦ୍ର ସୀମାନିବଦ୍ଧ, ସେମାନେ ଦେଶବାସୀ ପଦର ଅଯୋଗ୍ୟ । ଯେଉଁ ଲୋକ ‘ମୁଁ’ ର ପରିଧି ଅତିକ୍ରମ କରିପାରେ ନାହିଁ, ପାରୁଥିଲେ ମଧ୍ୟ କରେ ନାହିଁ, ସେ ଲୋକର ଦେଶରେ ସ୍ଥାନ ନାହିଁ, କାରଣ ଏହା ନିକଟରେ ପ୍ରତିବେଶୀର ସ୍ଥାନ ନାହିଁ ।

 

ଆମ୍ଭେମାନେ ନିଜ ନିଜର ସ୍ୱାଧୀନତା ଓ ପରସ୍ପରର ଦାବୀ ଅକ୍ଷୁଣ୍ଣ ରଖିବା ନିମିତ୍ତ ନିର୍ଦ୍ଦିଷ୍ଟ । ବିଭିନ୍ନ ମତର ପୋଷକତା ସାଧିବାରେ ନିଯୁକ୍ତ । ଦେଶବାସୀଗଣ ସ୍ୱାଧୀନଭାବରେ କାର୍ଯ୍ୟ କରୁଥିଲେ ସୁଦ୍ଧା ଭିନ୍ନ ଭିନ୍ନ ପଦାର୍ଥ ପ୍ରତି ସଂଲଗ୍ନ ରହି, କର୍ମଫଳ ଭୋଗୁଥିଲେ ସୁଦ୍ଧା, ଏମାନେ ଏକଦେଶ ସଂଗଠନ-ସଂରକ୍ଷଣରେ ସମର୍ଥ । ଅନେକ ସ୍ୱାଧୀନ ଲୋକ ସ୍ୱାଧୀନ ପନ୍ଥାର ଆଶ୍ରୟ ନେଇ ମଧ୍ୟ ଏମାନେ ଏକଦେଶଭୁକ୍ତ । ସ୍ୱାଧୀନତା ପ୍ରଯୁକ୍ତ ମାନବର ଧ୍ୟାନ, ମାନବର କର୍ମ ନାନା ଭାବରେ ନାନା ଦିଗରେ ବିକଶିତ ହୋଇଥାଏ । ସ୍ୱାଧୀନ ଜୀବନ ଅନେକତ୍ୱର ଭିତ୍ତି; ତଥାପି ତାହା ଏକ ନିୟମରେ ନିୟନ୍ତ୍ରିତ । ଏ ନିୟମ ଦେଶବାସୀର ଦେଶବାସିତ୍ୱ ନିର୍ଦ୍ଦେଶକ; ତାହା ଉତ୍ତମ ନିୟମ, ସମୂହ ଦେଶବାସୀଙ୍କର ନିୟମ, ଯାହା କି ଦେଶବାସୀମାନଙ୍କୁ ନିଜ ନିଜ ପ୍ରତି ପୁଣି ପରସ୍ପରକୁ ପରସ୍ପର ପ୍ରତି ପୁନଶ୍ଚ ଦେଶ ପ୍ରତି ସବୁକାଳ ପାଇଁ ସମ୍ବନ୍ଧଯୁକ୍ତ କରି ରଖିଅଛି ।

 

ସ୍ୱାଧୀନତାଦ୍ୱାରା ବିଷମୟ ଚିନ୍ତା ସୂଚିତ ହୁଏ ନାହିଁ କି ସ୍ୱାଧୀନତାର ଅର୍ଥ ନୁହେଁ ଯେ, ଯେତେ ଦେଶବାସୀ, ତେତେ ଚିନ୍ତା, ତେତେ କାର୍ଯ୍ୟପନ୍ଥା । ଯେବେ ସ୍ୱାଧୀନତା ନାମରେ ଏକ ଏକ ଲୋକ ଇଚ୍ଛାନୁରୂପ ମାର୍ଗର ଆଶ୍ରୟ ନିଅନ୍ତି, ସମୂହ ନିୟମର ବିପରୀତ ଦିଗରେ ଗତି କରନ୍ତି, ଏକ ଅନ୍ୟର ଜୀବନଯାତ୍ରାରେ ବ୍ୟାଘାତ ଆଣନ୍ତି, ସମାଜରେ ଅଶାନ୍ତି ଘଟାଇଥାନ୍ତି, ତେବେ ତାହା ଉଚ୍ଛୃଙ୍ଖଳତା, ସ୍ୱାଧୀନତା ନୁହେଁ । ଦେଶାତ୍ମବୋଧ ନାଗରିକ ସ୍ୱାଧୀନତାର ନିୟାମକ ଅଟେ । ସ୍ୱାଧୀନଭାବରେ ଚିନ୍ତା କରିବାର, ସ୍ୱାଧୀନଭାବରେ କାର୍ଯ୍ୟ କରିବାର ଅଧିକାର ଦେଶଠାରୁ ମୁଁ ପାଇଅଛି । ଏ ଅଧିକାରରେ କେହି ବାଧା ଦେଲେ, ଦେଶର ଶକ୍ତି ମୋ ସହିତ ଏକଯୋଗ ହୋଇ ଉକ୍ତ ବାଧାକୁ ଦମନ କରିଥାଏ, ସେହି ଲୋକକୁ ଦଣ୍ଡ ଦେଇଥାଏ । ଦେଶ ମୋ ସ୍ୱାଧୀନତାର ରକ୍ଷକ ଓ ପାଳକ ଏବଂ ଯେଉଁ ଦେଶ ବ୍ୟକ୍ତିଗତ ସ୍ୱାଧୀନତା-ସଂସ୍ଥାପନ-ସଂରକ୍ଷଣର ଦାୟିତ୍ୱ ନେଇଥାଏ, ସେହି ଦେଶ ଦେଶ-ସଂସ୍ଥାପନ-ସଂରକ୍ଷଣ ନିମିତ୍ତ କେତେଗୁଡ଼ିଏ ମୌଳିକ ନୀତି ସଂଗଠନ କରିଥାଏ । ଏ ନୀତିମାନ ପାଳନ କରିବା ମୋର କର୍ତ୍ତବ୍ୟ । ସେଗୁଡ଼ିକ ଲଙ୍ଘନ କରିବାର ସ୍ୱାଧୀନତା ମୋର ନାହିଁ । ଜମିର ପ୍ରାପ୍ୟ ଖଜଣା, ଗୃହର ନିଧାର୍ଯ୍ୟ ଟିକସ ଦେବାକୁ ହେବ, ନିୟମିତରୂପେ ଦେବାକୁ ହେବ, ବାସସ୍ଥାନ ପରିଚ୍ଛନ୍ନ ରଖିବାକୁ ହେବ, ନିଜେ ଶାନ୍ତିରେ ରହି ଲୋକ ଲୋକ, ସଂଘ ସଂଘ ମଧ୍ୟରେ ଶାନ୍ତିମୟ ଜୀବନର ସହାୟକ ହେବାକୁ ହେବ, ଏସବୁ ରାଷ୍ଟ୍ରଗତ ନିୟମ । ଏବଂବିଧ ନିୟମ ସମସ୍ତ ଦେଶବାସୀଙ୍କର ବିଧେୟ । ଯେବେ ତାହା ଅନୁସୃତ ନ ହୁଏ, ତେବେ ଦେଶ କ୍ଷତିଗ୍ରସ୍ତ ହୁଏ, ଦେଶର ଶାସନ କାର୍ଯ୍ୟ ଅସମ୍ଭବ ହୋଇପଡ଼େ । ରାଷ୍ଟ୍ରର ନିୟମ ଦେଶବାସୀଙ୍କଦ୍ୱାରା ପ୍ରତିରୁଦ୍ଧ ହେଲେ ସମୂହ ଦେଶବାସୀଙ୍କର ସମୂହତ୍ୱ ବିନଷ୍ଟ ହୋଇଯାଏ । ପ୍ରତ୍ୟେକ ଦେଶ ରାଷ୍ଟ୍ରଗତ ଶୃଙ୍ଖଳାରେ ଶୃଙ୍ଖଳିତ । ଯଦ୍ୟପି ଦେଶର ପ୍ରଚଳିତ ନିୟମର, ଉପସ୍ଥିତ ଅନୁଷ୍ଠାନର ଉତ୍ତମତା-ଅଧମତା ଘେନି ବିଚାର ସାଧିବାରେ, ତତ୍‌ତତ୍ ବିଷୟର ସଂଶୋଧନ କଳ୍ପେ ଉପଯୁକ୍ତ ଭାବନା ଯୋଗାଇବାରେ ସ୍ୱାଧୀନତା ଥିବାର ସ୍ୱୀକାର୍ଯ୍ୟ ଏବଂ ଯଦ୍ୱାରା ଉଚିତ ସଂସ୍କରଣ ଦେଶ ନିକଟରେ ଗୃହୀତ ହୁଏ, ସେ ଦିଗରେ ସଂଗତ ବିଧିବଦ୍ଧ ଚେଷ୍ଟା କରିବା ମଧ୍ୟ ସ୍ୱୀକାର୍ଯ୍ୟ, ତଥାପି ନିୟମ, ନିୟମ ଥିବା ପର୍ଯ୍ୟନ୍ତ ମୁଁ ତାହାର ଅନୁଗାମୀ ହେବାକୁ ବାଧ୍ୟ । ଦେଶଠାରୁ ସ୍ୱାଧୀନତା ପାଇ, ଦେଶ-ନିୟମ ବିରୋଧରେ ଯିବା ଦେଶଦ୍ରୋହିତା । ମୁଁ ସ୍ୱାଧୀନଭାବରେ ଚିନ୍ତା କରିପାରେ, ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରେ; କିନ୍ତୁ ଯେଉଁ ଚିନ୍ତାଦ୍ୱାରା ଦେଶ ଉପରେ ଅରାଜକତା ଆସି ପଡ଼େ, ଯେଉଁ କାର୍ଯ୍ୟଦ୍ୱାରା ଦେଶର ଦେଶତ୍ୱ ବାଧାପ୍ରାପ୍ତ ହୁଏ, ସେପରି ଚିନ୍ତା, ସେପରି କାର୍ଯ୍ୟ କରିବାର ସ୍ୱାଧୀନତା ମୋର ନାହିଁ ।

 

ସ୍ୱାଧୀନତାର ସବିଶେଷ ଆଲୋଚନା କଲେ ଜଣାଯାଏ ଯେ, ସେଥିରେ ଦୁଇ ଜାତୀୟ ନିର୍ଦ୍ଦେଶ ନିର୍ଦ୍ଦିଷ୍ଟ ରହିଅଛି । ଗୋଟିଏ ନାସ୍ତିସୂଚକ, ଅନ୍ୟଟି ଆସ୍ତି-ସୂଚକ । ସ୍ୱାଧୀନତା ପାଇ, ଆମ୍ଭେମାନେ ଏପରି କାର୍ଯ୍ୟ କରି ନ ପାରୁଁ, ଯଦ୍ଦ୍ୱାରା ଦେଶ, କି ଦେଶବାସୀ କ୍ଷତିଗ୍ରସ୍ତ ହୋଇପଡ଼ିବ-। ପୁଣି ଏପରି କାର୍ଯ୍ୟ କରିବାକୁ ହେବ, ଯଦ୍ଦ୍ୱାରା ନିଜର ତଥା ଦେଶର ଉପକାର ହୋଇ ପାରିବ-। ସ୍ୱାଧୀନତା ଗୋଟିଏ ନିଯୁକ୍ତ ବିଷୟ, କେବଳ ପ୍ରାପ୍ତି-ବିଷୟ ନୁହେଁ । ତାହା ବ୍ୟକ୍ତିତ୍ୱ ପରିସ୍ଫୁଟ ନିମିତ୍ତ ଅବାଧ ପନ୍ଥା । ସ୍ୱାଧୀନତା ଥିଲେ, ମୋଠାରେ ଯାହା ପଦାର୍ଥ ଅଛି, ସେହି ପଦାର୍ଥର; ମୋର ଯେଉଁ ବିଷୟରେ, ଯେଉଁ ଦିଗରେ ବିଶେଷତ୍ୱ ଅଛି, ସେହି ବିଷୟର ଯଥାଯଥ ବିକାଶ, ପୂର୍ଣ୍ଣ ବିକାଶ ଘଟିପାରେ । ସ୍ୱାଧୀନତାର ଅଭାବ ଘଟିଲେ, ସେହି ବିଶେଷତ୍ୱ ଅକାର୍ଯ୍ୟ ହୋଇଯାଏ । ଯେବେ ଉତ୍କଳର ସାହିତ୍ୟ-ଜୀବନକୁ ନୂତନ ଭାବରେ ଗଢ଼ିବାର, ବିଶିଷ୍ଟ ମାର୍ଗରେ ଘେନି ଯିବାର କ୍ଷମତା ମୋର ଥାଏ, କିନ୍ତୁ ଈଦୃଶ କ୍ଷମତା ପ୍ରୟୋଗ କରିବାର ସ୍ୱାଧୀନତା ନ ଥାଏ, ତେବେ ତଦ୍ଦ୍ୱାର ମୋର ଉତ୍ତମତାରେ ଏବଂ ସଙ୍ଗେ ସଙ୍ଗେ ଦେଶର ଉତ୍ତମତାରେ ବାଧା ଆସିଥାଏ-। ମୋର ବ୍ୟକ୍ତିତ୍ୱ ଦେଶର ସ୍ୱାଧୀନତା, ଶାନ୍ତି, ଉନ୍ନତିପାଇଁ ଉଦ୍ଦିଷ୍ଟ । ଦେଶର ସ୍ୱାଧୀନତା-ସଂରକ୍ଷଣ ସ୍ୱାଧୀନ ନାଗରିକର ପ୍ରଧାନ କର୍ତ୍ତବ୍ୟ । ନାଗରିକ-ସ୍ୱାଧୀନତା ଅର୍ଜନ କରି, ଉକ୍ତ କ୍ଷମତା-ପ୍ରୟୋଗ ବଳରେ ଦେଶର ସ୍ୱାଧୀନତା ଅକ୍ଷୁଣ୍ଣ ରଖି, ପ୍ରାଦେଶିକ ଶାନ୍ତି-ଶୃଙ୍ଖଳା ସଂସ୍ଥାପନରେ ସାହାଯ୍ୟ ଦେଇ, ନିଜେ ଉନ୍ନତ ହୋଇ, ଦେଶର ଉନ୍ନତି ଘଟାଇ, ମୁଁ ବ୍ୟକ୍ତିତ୍ୱ ପ୍ରସାରଣରେ ନିଯୁକ୍ତ ଥାଏ-। ସ୍ୱାଧୀନତା ପାଇବା ମୋର ଦାବୀ । ଦେଶର ଦେଶତ୍ୱ କାଏମ ରଖିବା, ଶ୍ରୀବୃଦ୍ଧି ସମ୍ପାଦନ କରିବା ଦେଶର ଦାବୀ ।

 

ଯଦ୍ୟପି ଦେଶ ଓ ମୁଁ ପାରସ୍ପରିକ ସମ୍ବନ୍ଧାନୁବଦ୍ଧ, ଯଦ୍ୟପି ଦେଶଠାରେ ମୋର ଦାବୀ, ପୁଣି ମୋଠାରେ ଦେଶର ଦାବୀ ଉଭୟ ସ୍ୱୀକୃତ, ଦେଶର ଦାବୀ ପ୍ରଥମସ୍ଥାନୀୟ । ଦେଶ-ଦେଶବାସୀ-ସମ୍ପର୍କ ନିତ୍ୟ । ମୋ ସହିତ ଦେଶର ସମ୍ପର୍କ ଅନିତ୍ୟ । ଦେଶ ନଥିଲେ ମୁଁ ନାହିଁ, କିନ୍ତୁ ମୁଁ ନ ଥିଲେ ଦେଶ ଅଛି । ଦେଶ ଥିଲେ ଦେଶବାସୀ ନିଶ୍ଚୟ ଅଛି; ମାତ୍ର ମୁଁ ନ ଥାଇ ପାରେଁ । ଅତଏବ ଏକ ଏକ ଲୋକର କର୍ମ ଅଧିକାର ଦେଶ ଦୃଷ୍ଟିରୁ ବିଚାର୍ଯ୍ୟ ବିଷୟ । ଯେବେ କେହି ଦେଶକୁ ନ ଖୋଜି ‘ମୁଁ’ କୁ ଖୋଜି ବୁଲୁଥାଏ, ତେବେ ତାହାର ଜାଣିବା ଉଚିତ ଯେ, ‘ମୁଁ’ କୁ ପାଇବାକୁ ଯାଇ ଦେଶକୁ ହରାଇ ବସିଲେ ‘ମୁଁ’ ର ଦାବୀ ରହେ ନାହିଁ । ଧନ ବା ସମ୍ମାନ, କ୍ଷମତା ବା ଅଧିକାର ଦେଶଠାରୁ ମୁଁ ପାଇ ନାହିଁ, ପାଉ ନାହିଁ, ତେଣୁ ଦେଶ ମୋର ଅପୂଜ୍ୟ, ଏ ପ୍ରକାର ଭାବନା ଦେଶବାସୀ ପକ୍ଷରେ ଘୃଣ୍ୟ ବସ୍ତୁ । ଯେଉଁମାନେ ଦେଶକୁ ‘ମୁଁ’ ବା ‘ମୁଁ ଗୋଷ୍ଠୀ’ ଦିଗରୁ କଳ୍ପନା କରନ୍ତି, ସେମାନେ ଦେଶ-ବୋଧ-ବିବର୍ଜିତ । ଏମାନେ ଦେଶକୁ ଆତ୍ମଭୂତ କରିବା ପାଇଁ ଉପସ୍ଥିତ, ଅଥବା ‘ମୁଁ’ ର ମୋହରେ ପଡ଼ି ଦେଶକୁ ବିକ୍ରୟ କରିଦେବା ପାଇଁ ପ୍ରସ୍ତୁତ । ପୃଥ୍ୱୀରାଜ ଓ ଜୟଚନ୍ଦ୍ରଙ୍କ ମଧ୍ୟରେ ପ୍ରଭେଦ ଏହିଠାରେ । ପୃଥ୍ୱୀରାଜ ଦେଶ ଭକ୍ତ, ଜୟଚନ୍ଦ୍ର ‘ମୁଁ’ ର ଭକ୍ତ । ପୃଥ୍ୱୀରାଜଙ୍କ ଆଦର୍ଶ ଦେଶବାସୀଙ୍କ ପକ୍ଷରେ ଏକମାତ୍ର ଆଦର୍ଶ । ସେହି ଆଦର୍ଶର ଭାଷାରେ କହିବା ଉଚିତ ଯେ, ଦେଶରେ ‘ମୁଁ’ ର ସ୍ଥାନ ଅଛି, ‘ମୁଁ’ ରେ ଦେଶର ସ୍ଥାନ ନାହିଁ । ଦେଶର ଦାବୀ ଗୃହୀତ ହେଲେ, ମୋର ଦାବୀ ଗୃହୀତ । ଦେଶ ସ୍ୱାଧୀନ ଥିଲେ ମୁଁ ସ୍ୱାଧୀନ; ଦେଶରେ ଶାନ୍ତି ରହିଲେ ମୋର ଶାନ୍ତି । ଦେଶର ଗୌରବରେ ମୋର ଗୌରବ; ଦେଶ ଡୁବିଲେ ମୁଁ ଡୁବିଲି ।

Image

 

ଜନମତ

 

ଜନମତ ଜନସାଧାରଣଙ୍କର ମତ । ଏ ପ୍ରକାର ମତ ସମାଜର ଗୋଟିଏ ଅତ୍ୟନ୍ତ ପ୍ରୟୋଜନୀୟ ବସ୍ତୁ । ଏକ ଏକ ଲୋକର ଏକ ଏକ ମତ ସମାଜରେ ଗଣ୍ଡଗୋଳ ସୃଷ୍ଟିକରେ । ଜନମତ ସମାଜକୁ ଏକ ନିୟମରେ ନିୟନ୍ତ୍ରିତ କରି ରଖେ । ସମାଜରେ ଲୋକ ଅନେକ । ଯେବେ ବହୁତ ଲୋକଙ୍କର ବହୁତ ମତ ସମାଜରେ ପ୍ରାଧାନ୍ୟ ପାଏ, ଯେବେ ସମାଜ ପ୍ରତ୍ୟେକ ଲୋକଙ୍କୁ ନିଜ ନିଜ ମତାନୁଯାୟୀ କାର୍ଯ୍ୟ କରିବାର ଅଧିକାର ଦିଏ, ଗୋଠଛଡ଼ା ପ୍ରବୃତ୍ତିର ପୋଷକତା କରେ, ତେବେ ସାମାଜିକ ଜୀବନରେ ଅସାମାଜିକତା ବ୍ୟାପିଯାଏ । ଜନମତର ପ୍ରଭୃତ୍ୱ ସ୍ୱୀକୃତ ହେବା ହେତୁରୁ ଜୀବନର ମୁଖ୍ୟ ବିଷୟ ଘେନି ଲୋକ ଲୋକ ମଧ୍ୟରେ କର୍ମ-ନୀତିର ସାମଞ୍ଜସ୍ୟ ସ୍ଥାପିତ ହୋଇଥାଏ । ବର୍ତ୍ତମାନ ଯାହା ଯାହା ସମାଜର ନିୟମ, ରୀତି ପରମ୍ପରା, ଆଚାରବ୍ୟବହାର, ଶାସନପଦ୍ଧତି ନାମରେ ଅଭିହିତ ସେ ସମସ୍ତ ଏକକାଳରେ ଜନମତରୁ ଉଦ୍ଭୂତ । ଏମାନଙ୍କ ସହିତ ଜନମତର ପ୍ରଚ୍ଛନ୍ନ ସମ୍ପର୍କ ରହିଅଛି । ଜନମତକୁ ଅନୁସରଣ କରିବା ଫଳରେ ଆମ୍ଭେମାନେ ସମାଜରେ ରହି ଐକିକଭାବରେ ଭିନ୍ନ ଭିନ୍ନ ଦିଗରେ ଗତି ନ କରି ଏକ ଦିଗରେ ଗତି କରୁଥାଇଁ, ସମୂହ ଜୀବନର ପରିଚୟ ଦେଉଥାଇଁ ।

 

ପୁଣି ଏ ଯୁଗରେ ଜନମତର ପ୍ରୟୋଜନ ଅନେକ ପରିମାଣରେ ବଢ଼ିଯାଇଅଛି । ମାନବ ସମାଜର ପ୍ରତ୍ୟେକ ଶ୍ରେଣୀରେ ପ୍ରତ୍ୟେକ ସ୍ତରରେ ଏହାର ପ୍ରଚଳନ ବିସ୍ତାର ପାଉଅଛି । ଗୁରୁ, ଶିଷ୍ୟ, ଖାତକ, ମହାଜନ, ମୂଲିଆ, ମାଲିକ, ଶାସକ, ଶାସିତ–ଏମାନେ ସମସ୍ତେ ଜନମତର ଆଶ୍ରୟ ନେଉଅଛନ୍ତି । ପୂର୍ବେ ଲୋକ ଲୋକ ମଧ୍ୟରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଜୀବନ ସମସ୍ୟା ଘେନି ପ୍ରଭେଦ ବିବାଦ ଘଟିଲେ, ରାଜା ବା ଗୁରୁଜନ ଅଥବା ପଞ୍ଚାୟତଙ୍କ ସାହାଯ୍ୟରେ ତହିଁର ମୀମାଂସା ସାଧିତ ହେଉଥିଲା । ଏବେ ସେ ସମ୍ପର୍କୀୟ ବିଷୟଗୁଡ଼ିକର ନିଷ୍ପତ୍ତି ଜନମତ ଅବଲମ୍ବନରେ ସାଧିତ ହେଉଅଛି । ଦେଶରେ ପ୍ରଚଳିତ ସାମାଜିକ ନିୟମର ଶାସନ-ତନ୍ତ୍ରର କୌଣସି ପରିବର୍ତ୍ତନ ଆବଶ୍ୟକ କି ନାଁ ? ଯଦି ହୁଏ, ସେ ପରିବର୍ତ୍ତନ କେଉଁ ପ୍ରକାର ହେବା ଉଚିତ ? କିପରି ଭାବରେ ତାହା ସଂଗଠିତ ହୋଇପାରେ ? ଭିନ୍ନ ଭିନ୍ନ ଗୋଷ୍ଠୀ ଘେନି ଦାବୀ ଅଧିକାରର ପରିମାଣ କେତେ ? ଶାସନ କ୍ଷେତ୍ରରେ ବିଭିନ୍ନ ଗୋଷ୍ଠୀକୁ, ବିଭିନ୍ନ ଧର୍ମ ସମ୍ପ୍ରଦାୟକୁ କି ଉପାୟରେ ନ୍ୟାଯ୍ୟ ସ୍ଥାନ ଦିଆଯାଇପାରେ ? ଇତ୍ୟାଦି ପ୍ରଶ୍ନର ବିଚାର ପାଇଁ ଆମ୍ଭେମାନେ ଜନମତର ସାହାଯ୍ୟ ଲୋଡ଼ିଥାଉଁ ।

 

କୌଣସି ସାମାଜିକ ବିଷୟ ଯଥା ଦେଶର ଶିକ୍ଷା-ପଦ୍ଧତି ସମ୍ପର୍କରେ ପ୍ରଶ୍ନ ଉଠିଲେ, ତୁମ୍ଭେ ଏକପ୍ରକାର ମତ ଦେଇପାରେ, ମୁଁ ଅନ୍ୟପ୍ରକାର ମତ ଦେଇପାରେ । ତୁମ୍ଭେ ଯେଉଁ ମତ ପ୍ରକାଶ କରୁଅଛ, ସେ ମତ ତୁମ୍ଭର; ତୁମ୍ଭ ପକ୍ଷରେ ତାହା ମୂଲ୍ୟବାନ୍ । ମୁଁ ଯେଉଁ ମତ ପ୍ରକାଶ କରୁଅଛି, ସେ ମତ ମୋର; ମୋ ପକ୍ଷରେ ଏହା ମୂଲ୍ୟବାନ୍ । କିନ୍ତୁ ଯେବେ ଅଧିକାଂଶ ଲୋକ ଏହି ମତଦ୍ୱୟରୁ କୌଣସିଟିକୁ ଗ୍ରହଣ ନ କରନ୍ତି, ଯେବେ ସେମାନେ ତୃତୀୟ ମତର ଅବତାରଣା କରି, ତାହାର ପୋଷକତା କରିଥାଆନ୍ତି, ତେବେ ସେହି ମତଟି ସମାଜର ମତରୂପେ ପ୍ରକାଶ ପାଏ ଏବଂ ସମାଜରେ ତାହାହିଁ ମୂଲ୍ୟବାନ୍ ବସ୍ତୁ ହୋଇପଡ଼େ । ଯାହା ବେଶୀ ଲୋକଙ୍କଦ୍ୱାରା ଅନୁମୋଦିତ, ତାହା ଜନମତ ଆଖ୍ୟାରେ ଆଖ୍ୟାତ । ଏହି ମତରେ ଆଧିପତ୍ୟ କ୍ରମେ ସମସ୍ତ ଲୋକଙ୍କ ଉପରେ ବିସ୍ତୃତ ହୋଇଯାଏ । ଲୋକ ଲୋକ ମଧ୍ୟରେ ମତ ମତ ଘେନି ପ୍ରଭେଦ ଥିଲେ ସୁଦ୍ଧା ଜନମତ ସ୍ଥିରୀକୃତ ହେବା ସଙ୍ଗେ ଉକ୍ତ ମତକୁ ନିଜ ନିଜର ମତରୂପେ ସମସ୍ତେ ସ୍ୱୀକାର କରି ରଅନ୍ତି, ତାହାର ଅନୁସରଣ କରିଥାଆନ୍ତି । ଯାହା ତୁମର ବା ମୋହର ମତ, ତାହା ସାଧାରଣ ମତ ନ ହୋଇପାରେ । ଜଣ ଜଣଙ୍କର ମଙ୍ଗଳ ଯେପରି ସାଧାରଣ ମଙ୍ଗଳଠାରୁ ଭିନ୍ନ ଜଣ ଜଣକର ମତ ସାଧାରଣ ମତଠାରୁ ସେହିପରି ଭିନ୍ନ । ଜନମତ ସମାଜରେ ଆଦରର ବସ୍ତୁ । ଜନମତ ହେତୁରୁ ଆମ୍ଭେମାନେ ଏକତ୍ୱଭୁକ୍ତ, ବ୍ୟକ୍ତିଗତ ମତ ଯୋଗୁଁ ମୁଁ ତୁମ୍ଭଠାରୁ ପୃଥକ୍ । ଯଦ୍ୟପି ଆଲୋଚ୍ୟ ବିଷୟ ସମ୍ବନ୍ଧରେ ପ୍ରତ୍ୟେକ ଲୋକର ସ୍ୱାଧୀନ ଭାବରେ ଚିନ୍ତା କରିବାର, ନିଜ ନିଜ ମତ ବ୍ୟକ୍ତ କରିବାର ଅଧିକାର ଅଛି, ନିଜ ମତକୁ ଅନ୍ୟ ଉପରେ ଲଦିଦେବାର, ନିଜମତରେ ଅନ୍ୟମାନଙ୍କୁ ବାଧ୍ୟ କରିବାର ଅଧିକାର କାହାର ନାହିଁ । ଏ ଅଧିକାର କେବଳ ଜନମତର ଅଛି । ତୁମ୍ଭର ମତ କି ମୋ ମତ ନୁହେଁ, ଜନମତ ଏକା ଲୋକ-ସମାଜରେ ଗ୍ରହଣଯୋଗ୍ୟ ବସ୍ତୁ, ଗୃହୀତ ବସ୍ତୁ ମଧ୍ୟ ।

 

ଯଦ୍ୟପି ‘ଜନମତ’ ଶବ୍ଦ ଅନେକଙ୍କଠାରୁ ଆଜିକାଲି ଆମ୍ଭେମାନେ ଶୁଣୁଥାଇଁ, ଅନେକ ସ୍ଥାନରେ ଏହାର ବ୍ୟବହାର ଦେଖୁଥାଇଁ, ଜନମତ ଯେ କିପରି ପଦାର୍ଥ, ଏହା କି ପ୍ରକାରରେ ସଂଗଠିତ, ସେ ସମ୍ବନ୍ଧରେ ଉଚିତ ଜ୍ଞାନ ସମସ୍ତ ଲୋକଙ୍କଠାରେ ରହିଥିବାର ସ୍ୱୀକାର କରାଯାଇ ନ ପାରେ । ଯାହା ବହୁତ ଲୋକଙ୍କର ମତ, ତାହା ଜନମତ ହେଲେହେଁ ଏକ ଏକ ଲୋକର, ଏକ ଏକ ମତକୁ ମିଶାଇ ଦେଲେ ଜନମତ ପ୍ରସ୍ତୁତ ହୁଏ ନାହିଁ; ଅଥବା ଗୁଡ଼ାଏ ଲୋକ ଏକ କାଳରେ ଏକ ସ୍ୱରରେ ହୋ ହୋ କରୁଥିଲେ, ସେଥିରେ ଜନମତ ଆସେ ନାହିଁ । ଗାଆଁ ଗଣ୍ଡାରେ ସମୟ ସମୟରେ ଶୁଣିଥାଉଁ ଯେ, ଗୋଟାଏ କଥା ଜଣକ ତୁଣ୍ଡରୁ ବାହାରି, ତୁଣ୍ଡ ତୁଣ୍ଡ ହୋଇ ଗାଆଁ ତୁଣ୍ଡରେ ପରିଣତ ହୋଇଥାଏ । ତୁଣ୍ଡ ତୁଣ୍ଡ ମିଶି ଗାଆଁ ତୁଣ୍ଡର ପ୍ରସାର ଘଟିଥାଏ । କିନ୍ତୁ ଗାଆଁ ତୁଣ୍ଡକୁ ଜନମତ କୁହାଯାଇ ନ ପାରେ । ଏହିପରି ଲୋକକୋଳାହଳ ମଧ୍ୟ ଜନମତଠାରୁ ଭିନ୍ନ ବିଷୟ । ଜନମତ ମିଶ୍ରିତ ବସ୍ତୁ ନୁହେଁ, ସୃଷ୍ଟ ବସ୍ତୁ ଅଟେ; ଲୋକବିଶେଷର ମତ ନୁହେ, ବିଶିଷ୍ଟ ଲୋକର ମତ ଅଟେ । ଏ ବ୍ୟକ୍ତି ଉପଯୁକ୍ତ ମତର ଅନୁସନ୍ଧାନରେ ନିଯୁକ୍ତ ରହି ବିଭିନ୍ନ ମତର ଆଲୋଚନା କରିଥାନ୍ତି, ମତ ମତର ଆପେକ୍ଷିକ କାର୍ଯ୍ୟକାରିତାକୁ ପର୍ଯ୍ୟବେକ୍ଷଣ–ପରୀକ୍ଷାରେ ଆଣିଥାନ୍ତି, ଏ ସମସ୍ତର ସାହାଯ୍ୟରେ ବାସ୍ତବ ଜନମତରେ ଉପସ୍ଥିତ ହୋଇଥାନ୍ତି । ଜନମତ ଅନେକ ବସ୍ତୁର ଅବଲମ୍ବନରେ ନିର୍ମିତ, ତଥାପି ତାହା ଏକ ମୂଳପଦାର୍ଥ । ସେ ପଦାର୍ଥ ମତବିଶେଷରେ ନାହିଁ, କି ମତ ମତର ଯୋଗ ବିଯୋଗରେ ନାହିଁ ।

 

ଜନମତ ତୁମ୍ଭର ମତ ବା ମୋହର ମତ ନୁହେଁ; ତଥାପି ଏହା ଏକ ବ୍ୟକ୍ତିଙ୍କ ମତ । ଯଦ୍ୟପି ଅନେକ ଲୋକଙ୍କଦ୍ୱାରା ଗୃହୀତ, ଏ ମତ ପ୍ରଥମତଃ ସେହି ବ୍ୟକ୍ତିଙ୍କ ହୃଦୟରେ ଆବିର୍ଭୂତ ହୋଇଥାଏ । ଏ ବ୍ୟକ୍ତି ବା ବକ୍ତା ବା ନେତା, ଲେଖକ ବା ସାମ୍ବାଦିକ; ରାଜନୀତିକ ବା ଦାର୍ଶନିକ ହୋଇପାରନ୍ତି । ହେଲେହେଁ ସେହି ବ୍ୟକ୍ତିଙ୍କୁ କେବଳ ସେହି ସେହି ଶ୍ରେଣୀର ଲୋକରୂପେ ଗ୍ରହଣ କରିବା ଆଦୌ ଠିକ୍ ନୁହେଁ । କାରଣ ସେହି ଶ୍ରେଣୀର ଅନ୍ୟ ଲୋକମାନେ ଅଛନ୍ତି, ଯେଉଁମାନଙ୍କ ସମ୍ମୁଖରେ ସେହି ମାନବିକ ଉପାଦାନ, ସେହି ମାନବିକ ସମାଜ ସେହି କାଳର, ସେହି ଦେଶର ନିୟମ ରହିଅଛି; କିନ୍ତୁ ଏମାନଙ୍କ ପକ୍ଷରେ ଯାହା ଅସାଧ୍ୟ, ତାହା ଉକ୍ତ ବ୍ୟକ୍ତିଙ୍କ ପକ୍ଷରେ ସାଧ୍ୟ ହୋଇଅଛି । ଯେଉଁ ବ୍ୟକ୍ତି ଜନମତର ଉଚିତ ନିର୍ଦ୍ଦେଶ ଦିଅନ୍ତି, ସେ ବିଚକ୍ଷଣ ପୁରୁଷ, ତାହାଙ୍କର ସ୍ଥାନ ସ୍ୱତନ୍ତ୍ର । ଏ ବ୍ୟକ୍ତିଙ୍କର କେତେକ ବିଶିଷ୍ଟ କ୍ଷମତା ଅଛି, ଯାହା ଅନ୍ୟମାନଙ୍କର ନାହିଁ । ଏ ବ୍ୟକ୍ତି ବିଷୟ ବିଷୟ ସମ୍ପର୍କୀୟ ଅତୀତ ତଥା ବର୍ତ୍ତମାନର ମତ ଉତ୍ତମରୂପେ ଅବଗତ; ପୁଣି ଭବିଷ୍ୟତ ପରିକଳ୍ପନା ସାଧିବାରେ ସମର୍ଥ । ତାତ୍‌କାଳିକ ସାମାଜିକ, ରାଜନୀତିକ, ଧର୍ମଗତ ଅବସ୍ଥାର ଆଲୋଚନାରେ ପ୍ରବୃତ୍ତ ରହି, କାହାର ଅଭାବ କଅଣ, ସଂଶୋଧନ କେଉଁଠାରେ, କି ଉପାୟରେ ଏହା ସଂଶୋଧିତ ହୋଇପାରେ, ଏ ସମସ୍ତ ଯଥାର୍ଥରୂପେ ଅନୁଭବ କରି ସେ ବ୍ୟକ୍ତି ଆବଶ୍ୟକ ମତେ ପ୍ରଚଳିତ ମତ ବିରୋଧରେ ଠିଆ ହୋଇଥାଆନ୍ତି; ଏକ ନୂତନ ମତ ଆମ୍ଭମାନଙ୍କ ସମୀପରେ ଉପସ୍ଥାପିତ କରିଥାଆନ୍ତି । ଏ ପୁରୁଷଙ୍କ ବୁଦ୍ଧି ତୀକ୍ଷ୍‌ଣ, ଦୃଷ୍ଟି ବ୍ୟାପକ । ଯେଉଁ ମହାପୁରୁଷ ଜନମତର ସଂଗଠକ, ସେ ସମାଜର ପରୀକ୍ଷକ, ମଧ୍ୟ ଚିକିତ୍ସକ ଅଟନ୍ତି । ସେ ସାଧାରଣ ଲୋକଙ୍କଠାରୁ ପୃଥକ୍, ତାହାଙ୍କର ଶ୍ରେଣୀ ପୃଥକ୍ । ଏ ବ୍ୟକ୍ତି ଦିବ୍ୟ ଶକ୍ତିବଳରେ ମାନବ ହୃଦୟରେ ପ୍ରବିଷ୍ଟ ହୋଇ, ହୃଦୟର ଭାବ ଭାବନାକୁ ଆୟତ୍ତ କରି, ମାନବ-ଦୁଃଖବ୍ୟାଧିର ପୁଙ୍ଖାନୁପୁଙ୍ଖ ପରୀକ୍ଷାରେ ନିଯୁକ୍ତ ରହି, ଉଚିତ ବ୍ୟଥାର ପରିଚୟ ପାଇ ଥାଆନ୍ତି ଏବଂ ତହିଁ ସଙ୍ଗେ ଉପଯୁକ୍ତ ପ୍ରତିକାରର ବ୍ୟବସ୍ଥା ଦେଇ ଥାଆନ୍ତି ।

 

ଉଦଭାବିନୀ ଶକ୍ତିରୁ ଜନମତର ସୃଷ୍ଟି । ବିଜ୍ଞାନ-ପ୍ରଦେଶରେ ଯେପରି ପୁରାତନ ତଥ୍ୟର ସତ୍ୟତା ବା ଅସତ୍ୟତା ପ୍ରତିପାଦିତ ହୁଏ ନୂତନ ତଥ୍ୟ ଆବିଷ୍କୃତ ହୁଏ, ମାନବ-ଜଗତରେ ମତ-ମତ ଘେନି ସେହିପରି ଘଟନା ସେହି ପ୍ରକାରରେ ସଂଘଟିତ ହୋଇଥାଏ । ଜନମତ ଆକାଶରୁ ଖସିପଡ଼େ ନାହିଁ, ଯାହାକୁ କି ଆମ୍ଭେମାନେ ସାଉଁଟି ନେଇପାରୁ । ଜନମତ ବାୟୁମଣ୍ଡଳରେ ଭାସୁ ନ ଥାଏ, ଯାହା ସଂସ୍ପର୍ଶରେ କି ଆମ୍ଭେମାନେ ଯେଉଁଠି ଇଚ୍ଛା ସେଠି ଆସିପାରୁ । ଜନମତ ସମାଜ ଗର୍ଭରୁ ଉତ୍ପନ୍ନ; କିନ୍ତୁ ତାହା ଶ୍ରେଷ୍ଠବ୍ୟକ୍ତିଙ୍କ ପଦାର୍ଥ । ଜନମତ ପାଇଁ ସାଧକ ଓ ସାଧନା ଆବଶ୍ୟକ । ଜନମତ ଏପରି ସେପରି ଲୋକର ମତ ନୁହେ, କି ସମସ୍ତଙ୍କ ଦ୍ୱାରା ଉତ୍ପାଦିତ ହୁଏ ନାହିଁ । ଜନମତ ଜନନାୟକଙ୍କ ସୃଷ୍ଟି । ଜନ-ନାୟକ ମତ-ମତ ସହିତ, ମତ-ଜଗତ ସହିତ ପରିଚିତ । ଏହି ଜାତୀୟ ମାନବିକ କ୍ରିୟା ସମ୍ବନ୍ଧରେ ପୂର୍ବେ ମତ କଅଣ ଥିଲା ଏବେ ମତ କଅଣ ଅଛି, କିପରି ଅବସ୍ଥାରେ, କେଉଁ କେଉଁ ମାର୍ଗଦେଇ ମତର ପରିବର୍ତ୍ତନ ଘଟିଅଛି ଏବଂ ଘଟୁଅଛି, ଏ ସମସ୍ତ ତାହାଙ୍କୁ ଉତ୍ତମରୂପେ ଜଣା ଅଛି । କିନ୍ତୁ ଏତିକି ମାତ୍ର ଥିଲେ, ଜନମତର ସୂଚନା ଆସେ ନାହିଁ । ବୋଧହୁଏ ଇତିହାସ ସାହାଯ୍ୟରେ, ସମ୍ବାଦପତ୍ର ଅବଲମ୍ବନରେ ଏତାଦୃଶ ଜ୍ଞାନ ଆମ୍ଭମାନଙ୍କ ମଧ୍ୟରୁ ଅନେକେ ପାଇ ପାରନ୍ତି, ପାଇ ଥାଆନ୍ତି । ମାତ୍ର ଏ ସମସ୍ତଙ୍କର ଜନମତ ଗଢ଼ିବାର କାହିଁ ତ ଦେଖୁ ନାହୁଁ । ଏହାର କାରଣ ଏହି କି, ପଦାର୍ଥରୁ ଅର୍ଥ ବାହାର କରିବାର, ଅର୍ଥର ବ୍ୟାବହାରିକ ମୂଲ୍ୟ କଷିବାର କ୍ଷମତା ସୂକ୍ଷ୍ମଦୃଷ୍ଟି-ଦୂରଦୃଷ୍ଟି-ସମ୍ଭୂତ-କ୍ଷମତା ଏମାନଙ୍କର ନାହିଁ । ପାଚିଲା ଆତ ଗଛରୁ ଭୂମିରେ ଖସି ପଡ଼ୁଥିବା ଘଟଣା ସମସ୍ତେ ଅନେକ ଥର ଦେଖିଥିଲେ ସୁଦ୍ଧା, ନିଉଟନଙ୍କ ପ୍ରତିଭା କେବଳ ଉକ୍ତ ଘଟନାରୁ ମାଧ୍ୟାକର୍ଷଣ ନିୟମ ଅବିଷ୍କାର କରିପାରେ । ଜନ-ନାୟକ ନିଉଟନ ଜାତୀୟ ପ୍ରତିଭାରେ ଭୂଷିତ । ସେ ମତାମତର ବିଶ୍ଳେଷଣ ସଂଶ୍ଳେଷଣ କରି ପ୍ରଚଳିତ ମତର, ପ୍ରଚଳିତ ମୂଲ୍ୟର ଭବିଷ୍ୟତ ପ୍ରୟୋଗ, ସମୂହ ପ୍ରୟୋଗ ବିଚାର କରିଥାନ୍ତି । ପୁଣି କେଉଁ ମତ ବହୁ ଲୋକ-ଗ୍ରହଣଯୋଗ୍ୟ, ତାହା କଳ୍ପନା କରିବାରେ ସମର୍ଥ ହୋଇଥାନ୍ତି । ଅଲୌକିକ କଳ୍ପନା ଦୃଷ୍ଟିରେ ଉତ୍ତମ ମତର ସାକ୍ଷାତ୍‌କାର ପାଇ, ଅଜ୍ଞାନତା ଅନ୍ଧକାର ଅତିକ୍ରମ କରି ଜନନାୟକଙ୍କ କାଳଭେଦୀ, ହୃଦୟଭେଦୀ ଶକ୍ତି ମାନବ ହୃଦୟର ଲକ୍ଷ୍ୟ ସ୍ଥାନରେ ଉପଗତ ହୁଏ । ଏହି ବିଶିଷ୍ଟ ଶକ୍ତିରୁ ଜନମତର ଆବିର୍ଭାବ ।

 

କିନ୍ତୁ ସମସ୍ତ ଜନନାୟକ ଏକ ଶ୍ରେଣୀର ଲୋକ ନୁହନ୍ତି । ବିଦ୍ୟମାନ ସମାଜରେ ତିନିଶ୍ରେଣୀର ଜନନାୟକ ରହିଥିବାର ଦେଖାଯାଏ । କେତେକ ତଥାକଥିତ, କେତେକ ଯଥାର୍ଥ । କେତେକ ନିଜର ସ୍ୱାର୍ଥପାଇଁ ବ୍ୟାକୁଳ; ପୁଣି କେତେକଙ୍କ ନିକଟରେ ନାୟକ ସ୍ଥାନପ୍ରାପ୍ତି ପ୍ରାଥମିକ ବିଷୟ, ଜନହିତ-ସାଧନ ଦ୍ୱିତୀୟ ସ୍ଥାନୀୟ । କେହି କେହି ଜନନାୟକ ସ୍ୱହିତକୁ ଜନହିତରେ ଘୋଡ଼ାଇଥାଆନ୍ତି । ଜନହିତ କାହିଁରେ ଅଛି, ସମୟ ସମୟରେ ଏମାନେ ଅବଗତ ଥାଇ ପାରନ୍ତି; ଅବଗତ ଥାଇ ମଧ୍ୟ ତାହାକୁ ଛପାଇ ରଖି, ନିଜ ମତର ବ୍ୟାପକତା ଆଣିବାରେ ଲାଗିପଡ଼ି, ଲୋକଙ୍କ ସମ୍ମୁଖରେ ତାହାର ଏପରି ବ୍ୟାଖ୍ୟାନ କରନ୍ତି, ଯଦ୍ଦ୍ୱାରା ଲୋକମାନେ ତାଙ୍କର ଆୟତ୍ତ ହୋଇ ପଡ଼ନ୍ତି । ଧନିକ ଲୋକର ଧନ ବିଞ୍ଚିବାଦ୍ୱାରା, କୌଶଳୀ ଲୋକର କୌଶଳ ଖଟାଇବାଦ୍ୱାରା, କ୍ଷମତାବାନ୍ ଲୋକର କ୍ଷମତାର ଅପବ୍ୟବହାରଦ୍ୱାରା ଯେଉଁ ମତ ଜନସମାଜରେ ସ୍ଥାନ ପାଇଥାଏ, ସେ ମତ ଜନମତ ନୁହେଁ, ସେହି ସେହି ଲୋକଙ୍କର ମତ ମାତ୍ର । ଯେଉଁ ଲୋକମାନେ ଲୋକମତକୁ ଆୟତ୍ତ କରି ତଦ୍ଦ୍ୱାରା ନିଜର ଉପକାର କେତେ ପରିମାଣରେ ସାଧିପାରି ଥାଆନ୍ତି, ସେମାନେ ପ୍ରବଞ୍ଚକ; ଜନନାୟକ ନୁହନ୍ତି । ଜନନାୟକ ଜନମନ ହରଣ କରିବାରେ ସମର୍ଥ; କିନ୍ତୁ ଜନମନ ହରଣ କରି ପାରିଲେ ଯେ ଯେ କୌଣସି ଲୋକ ଜନ-ନାୟକ-ପଦବୀ ପାଇଯିବ ଏମନ୍ତ ନୁହେଁ । ଯେଉଁ ଲୋକ କୃତ୍ରିମ ପ୍ରକାରରେ ଜନମତକୁ ବଶୀଭୂତ କରେ, ସେ ଜନମନର ଚୋର; ଜନମନର ଗ୍ରାହକ ନୁହେଁ; ଏବଂ ଯେଉଁ ମତ ପ୍ରବଳ ରହିଲେ, ଅଧିକ ଲୋକଙ୍କର ମଙ୍ଗଳ ଆସେ ନାହିଁ, ଲୋକ-ବିଶେଷର ବା ଗୋଷ୍ଠୀବିଶେଷ ମାତ୍ରର ଉପକାର ଆସିଥାଏ, ସେ ମତ ଜନମତ ନୁହେଁ, କି ଉତ୍ତମ ମତ ନୁହେଁ ।

 

ଆଉ ଏକ ଶ୍ରେଣୀର ଜନନାୟକ ଅଛନ୍ତି, ଯେଉଁମାନେ ଅଳ୍ପ ସୁଖର ଅନୁଭବୀ । ଏମାନଙ୍କ ଦୃଷ୍ଟି ଲୋକମାନଙ୍କ ନିକଟ–ସ୍ୱାର୍ଥରେ ଆବଦ୍ଧ । ଏମାନେ ସ୍ୱାଧୀନ ଭାବରେ ଚିନ୍ତା କରୁଥିଲେ ସୁଦ୍ଧା ଏମାନଙ୍କର ଯଥେଷ୍ଟ ଯୋଗ୍ୟତା ନ ଥିବାରୁ ଅଥବା ନାୟକ-ନାମ-ମୋହରେ ପଡ଼ିଯିବାରୁ, ଜନମତ ନିର୍ଣ୍ଣୟ କରିବାରେ ଅସମର୍ଥ ହୋଇ ଥାଆନ୍ତି ଏବଂ ଲୋକମାନଙ୍କୁ ସହଜରେ ସନ୍ତୁଷ୍ଟ ରଖିବାପାଇଁ ତଦ୍ରୂପ ଲୋକମତର ଅବତାରଣା କରିଥାଆନ୍ତି । ମନେକର ମୂଲିଆ ମଜୁରିଦାରମାନଙ୍କର ପିଲାମାନେ ପାଠ ପଢ଼ିବା ଉଚିତ କି ନା, ଏ ବିଷୟରେ ଜନମତ ଲୋଡ଼ା । ଯଦି ମୁଁ ପ୍ରଚାର କରି ବୁଲେଁ ଯେ, ଏମାନଙ୍କର ପାଠ ପଢ଼ିବା ଉଚିତ ନୁହେଁ, କାରଣ ପାଠ ପଢ଼ିବାରେ ସମୟ ନ ଦେଇ ନିଜ ବ୍ୟବସାୟରେ ନିଯୁକ୍ତ ରହିଲେ ଏମାନଙ୍କର ପଇସା ରୋଜଗାର ହେବ; ପାଠ ପଢ଼ିବାରେ ସମୟ ଦେବାଦ୍ୱାରା ମୂଲ୍ୟହାନି ଘଟିବ ଓ ମୂଲିଆ ପରିବାରର ଆୟ କମିଯିବ; ଏବଂ ଏ ପ୍ରକାର ମତର ପ୍ରଚାର ଫଳରେ ଯେବେ ବହୁତ ଲୋକ ମୋ ଆଡ଼କୁ ଆଉଜି ଆସନ୍ତି, ତେବେ ଏ ପ୍ରକାର ଜନମତ ଭ୍ରାନ୍ତ । ଏ ମତ ଭ୍ରାନ୍ତ, କାରଣ ଅଳ୍ପ ମାତ୍ର ମୁଦ୍ରାପାଇଁ ମୂଲିଆକୁ ଚରିଜୀବନ ମୂର୍ଖ ହୋଇ ରହିବାକୁ ହେବ । ପୁନଶ୍ଚ ପାଠପଢ଼ା ଓ ପଇସା ରୋଜଗାର, ଏ ଦୁଇ କାର୍ଯ୍ୟ ଏକ ଦିନରେ ଏକଲୋକ କରିପାରେ । ଦିବସର କେତେକ ସମୟ ବିଦ୍ୟାଲାଭ ପାଇଁ, ଅନ୍ୟ କେତେକ ସମୟ ବ୍ୟବସାୟ ପାଇଁ, ଅଥବା ଦିବସରେ ବ୍ୟବସାୟ ନିଯୁକ୍ତି, ସନ୍ଧ୍ୟାରେ ବିଦ୍ୟାଭ୍ୟାସ ଏହିପରି କାର୍ଯ୍ୟ ନିର୍ଘଣ୍ଟ ଅନାୟାସରେ କରାଯାଇପାରେ । ଯେବେ ଉପସ୍ଥାପିତ ଜନମତର ଅବଲମ୍ବନରେ ସ୍ଥାନେ ସ୍ଥାନେ ଅଳ୍ପ ଉପକାର ମାତ୍ର ଆସିଥାଏ, ବହୁତ୍ ମଙ୍ଗଳ ଆସେ ନାହିଁ, ତେବେ ଏ ମତ ଉଚିତ ମତ ନୁହେଁ; ଏବଂ ଯେଉଁ ଲୋକଠାରୁ ଏ ପ୍ରକାର ଜନମତର ଉତ୍ପତ୍ତି, ଯେଉଁ ଲୋକ ଦେଶବାସୀଙ୍କୁ ନିକଟ-ବସ୍ତୁରେ ଆବଦ୍ଧ ରଖିଥାଏ, ସାମୟିକ ପ୍ରଲୋଭନ ଦେଖାଇ, ଚିରନ୍ତନ କଲ୍ୟାଣରେ ବାଧା ଦେଇଥାଏ, ସେ ଲୋକ ଜନନାୟକ ପଦବୀର ଅପାତ୍ର; ସେ ଲୋକସର୍ଦ୍ଦାର ନାମ ନେଇପାରେ ।

 

ଯାହା ଉତ୍ତମ ମତ, ତାହା ଜନମତ । କିନ୍ତୁ ଜାଣିବା କିପରି, କେଉଁ ମାର୍ଗ ଉତ୍ତମ, କେଉଁ ମାର୍ଗ ଅଧମ ? ଏଥିରେ ଉତ୍ତରରେ କୁହାଯାଇଥାଏ ଯେ, ଯେଉଁ ମାର୍ଗ ଅଧିକ ଲୋକଙ୍କର ପସନ୍ଦ ହୁଏ, ସେହି ମାର୍ଗ ଉତ୍ତମ; ଯାହା ଅଳ୍ପ ଲୋକେ ପସନ୍ଦ କରିଥାନ୍ତି, ତାହା ଅଧମ । ଏ ପ୍ରକାର ଯୁକ୍ତି ଅନେକ ପରିମାଣରେ ସତ୍ୟ ହେଲେ ହେଁ ପୂରାପୂରି ସତ୍ୟ ନୁହେଁ; କାରଣ କେତେବେଳେ ଅଶିକ୍ଷା, କୁଶିକ୍ଷା ପାଇଁ, କେତେବେଳେ ବା ପ୍ରବର୍ତ୍ତନ–ପ୍ରଲୋଭନରେ ପଡ଼ି, ଭାବ-ତରଙ୍ଗରେ ଆଲୋଡ଼ିତ ହୋଇ ଲୋକମାନେ ବହୁସଂଖ୍ୟାରେ ସମୟ ସମୟରେ ମନ୍ଦ ମତର ପୋଷକତା କରିଥାନ୍ତି । ଯେବେ ସମସ୍ତ ଲୋକ ଉପଯୁକ୍ତ ଶିକ୍ଷା ପାଇ ପାରନ୍ତେ, ସମସ୍ତେ ସମାନ ଭାବରେ ସତ୍ୟ ନିମିତ୍ତ ଚେଷ୍ଟା କରୁଥାଆନ୍ତେ, ଯେବେ ମାନସିକ କ୍ଷମତା, ନୈତିକ ଦୃଢ଼ତା ସମସ୍ତଙ୍କର ଏକ ହୋଇ ଥାଆନ୍ତା, ତେବେ ସେମାନେ ସମସ୍ତେ ଏକ ସମୟରେ ସତ୍ୟ ଉପଲବ୍‌ଧ କରିବାରେ, ଏକଯୋଗରେ ତାହା ପ୍ରକାଶ କରିବାରେ ସମର୍ଥ ହୁଅନ୍ତେ ।

 

କିନ୍ତୁ ଜନସମାଜରେ ଏପରି କ୍ଷେତ୍ର ଆମ୍ଭେମାନେ ପାଉ ନାହିଁ । ଆମ୍ଭେମାନେ ଦେଖୁଥାଇଁ, କିପରି ଗତଥର ଗୋଟିଏ ଲୋକକୁ ଆମ୍ଭେମାନେ ପ୍ରତିନିଧିରୂପେ ବାଛିଥିଲୁ, ଏଥର ଅନ୍ୟ ଲୋକକୁ ବାଛିଅଛୁ । ପୁଣି ଦେଖୁଥାଇଁ, ଏ ପ୍ରକାର ପରିବର୍ତ୍ତନ କେତେବେଳେ କାରଣ ଥାଇ, କେତେବେଳେ ମଧ୍ୟ ଅକାରଣରେ ଘଟିଥାଏ । ପୂର୍ବେ ଯେଉଁ ଲୋକଟି ନିର୍ବାଚିତ ହୋଇଥିଲା, ସେ ଲୋକ ନିର୍ବାଚିତ ପାହିଆରେ ବସି ରହି, ନିଜ ସ୍ୱାର୍ଥ ସାଧିବାରେ ଲାଗି ରହିଲା । ଏ କ୍ଷେତ୍ରରେ ପ୍ରତିନିଧି-ପରିବର୍ତ୍ତନର ଯଥେଷ୍ଟ କାରଣ ଅଛି ଏବଂ ଏ ପରିବର୍ତ୍ତନ ବାଞ୍ଛନୀୟ । କିନ୍ତୁ ଯେବେ ଲୋକଟି ପ୍ରତିନିଧିର କାର୍ଯ୍ୟରେ ନିଯୁକ୍ତ ରହେ, ମାତ୍ର ନିର୍ବାଚକମାନଙ୍କର ଦ୍ୱାରସ୍ଥ ହେବାପାଇଁ ସବୁ ସମୟରେ ଅବସର ପାଏ ନାହିଁ, ଯେବେ ସେ ବ୍ୟକ୍ତି ସାଧାରଣ କାର୍ଯ୍ୟ କରିବାରେ ସାଧାରଣ ମଙ୍ଗଳ ସାଧିବାରେ ଲାଗି ରହିଥାଏ, ମାତ୍ର ଯାହା ଲୋକବିଶେଷର କାର୍ଯ୍ୟ ହୋଇଥାଇ ବେଶୀ ଲୋକଙ୍କ ପକ୍ଷରେ ଅହିତକର ତାହାପ୍ରତି ଦୃଷ୍ଟି ଦିଏ ନାହିଁ, ତେବେ ଶେଷୋକ୍ତ ତ୍ରୁଟିର ଦ୍ୱାହିଦେଇ ତାହାଙ୍କୁ ସ୍ଥାନଚ୍ୟୁତ କରିବା ଯେପରି ଅହେତୁକ, ସେହିପରି ଅବାଞ୍ଛନୀୟ । ଏହି ଘଟଣାରୁ ଆମ୍ଭେମାନେ ବୁଝିପାରୁଁ ଯେ, ଜନମତ କିପରି ସମୟ ସମୟରେ କ୍ଷୁଦ୍ର ବିଷୟ, ଅବାନ୍ତର, ଅସଙ୍ଗତ ବିଷୟଦ୍ୱାରା ଚଳିତ ହୋଇଥାଏ । ଆଉ ଗୋଟିଏ ଉଦାହରଣ ନିଅ, ବୁଝିପାରିବ, କିପରି ସମୟ ସମୟରେ ଆମ୍ଭେମାନେ ଦେଶଭକ୍ତିର ନିଦର୍ଶନ ସ୍ୱରୂପ ସମୂହ-ବିଦେଶୀ ବର୍ଜନ-ପନ୍ଥା ନିର୍ଦ୍ଦେଶ କରିଦେଇ ଥାଉଁ ଏବଂ ଏହା ପକ୍ଷରେ ଜନମତକୁ ସହଜରେ ପ୍ରବଳ କରି ପାରିଥାଉଁ । ହେଲେହେଁ ଏବଂବିଧ ଜନମତ କର୍ମଜୀବନ ପ୍ରତି ଆରୋପଯୋଗ୍ୟ ନୁହେଁ, କାରଣ ଏହାର ଫଳରେ ଦେଶବିଦେଶ ମଧ୍ୟରେ ବେପାର ବଣିଜର ଅବାଧ ଗତି ନିରୁଦ୍ଧ ହୋଇଯାଇ ଆମ୍ଭମାନଙ୍କର ଦେଶ ବାଣିଜ୍ୟଜଗତରେ କୂପ-ମଣ୍ଡୁକ ହୋଇପଡ଼େ ।

 

ଭଲମତ ଜନମତ ନାମର ଯୋଗ୍ୟ ହେଲେହେଁ ଲୋକସଂଖ୍ୟାର ଅବଲମ୍ବନରେ ଜନମତର ସାକ୍ଷାତ୍ ଘଟେ ନାହିଁ । ସମୟ ସମୟରେ ଲୋକମାନେ ନିଜନିଜର ଅଭଲ ମତକୁ ଅଭଲ ଉପାୟ ପ୍ରୟୋଗ କରି ଡିଣ୍ଡିମ ବଜାଇ, (Drum-beating), ଗଳାବାଜି (Propaganda) ତୁରୀ ମହୁରୀ (Trumpeting)ର ଆଶ୍ରୟନେଇ, ଜନମତ ସ୍ଥାନରେ ବସାଇବାର ଚେଷ୍ଟା କରି ଥାଆନ୍ତି, ସ୍ଥାନେ ସ୍ଥାନେ ମଧ୍ୟ କୃତକାର୍ଯ୍ୟ ହୋଇଥାଆନ୍ତି । ଜନମତ ସର୍ବଦା ଉଚିତ ମାର୍ଗରେ ଗତି କରେ ନାହିଁ । ଜନମତ ଓ ଶୁଦ୍ଧମତ ଏକାର୍ଥ-ସୂଚକ ନୁହେଁ । ଜନମତକୁ ସର୍ବଦା ଧ୍ରୁବ ସତ୍ୟରୂପେ ଗ୍ରହଣ କରାଯାଇ ନ ପାରେ । ପ୍ରତ୍ୟେକ ମତର ଯେପରି, ଜନମତର ସେହିପରି ପରୀକ୍ଷା, ଆଲୋଚନା ଆବଶ୍ୟକ । ମତର ପରୀକ୍ଷା କାର୍ଯ୍ୟକ୍ଷେତ୍ରରେ । ଯେଉଁ ମତକୁ କାର୍ଯ୍ୟରେ ଲଗାଯାଇପାରେ ଏବଂ ଯାହାକୁ ଲଗାଇବାଦ୍ୱାରା ବହୁ ଲୋକଙ୍କର ଉତ୍ତମତର ଅବସ୍ଥା ଆନୀତ ହୁଏ, ସେ ମତ ସତ୍ୟ । ଏ ଜାତୀୟ ମତ ଅବିଳମ୍ବେ ସମାଜରେ ବ୍ୟାପିଯାଏ ଏବଂ ଜନମତ ରୂପେ ପ୍ରକାଶ ପାଏ । ଯେଉଁ ମତ ମତ ମାତ୍ରର ଯୋଗ୍ୟ, କାର୍ଯ୍ୟର ଅଯୋଗ୍ୟ, ଅଥବା ଯେଉଁମତ ଅଳ୍ପପରିସରରେ ନିଯୁକ୍ତ ରହେ, କାର୍ଯ୍ୟରେ ଅଳ୍ପ ମାତ୍ର ଫଳ ଘଟାଇ ଥାଏ, ସେ ମତକୁ ଅନେକ ବ୍ୟକ୍ତି ସ୍ୱୀକାର କଲେ ମଧ୍ୟ ଲୋକମତ କୁହାଯାଇ ନ ପାରେ । ଦେଶର ତାବତୀୟ ଲୋକ ଲଙ୍ଗଳ ଧରିବେ, ହଳ ବୁଲାଉଥିବେ ଅଥବା ଧନିକଶ୍ରେଣୀ ମାତ୍ରର ଧନବୃଦ୍ଧି ଘଟାଉଥିବେ, ଏ ପ୍ରକାର ମତ ବହୁତ ଲୋକ କହି ବୁଲୁଥିଲେ ମଧ୍ୟ ତାହାକୁ ଜନମତରୂପେ ବା ଉତ୍ତମମତ ରୂପେ ଗ୍ରହଣ କରାଯାଇ ନ ପାରେ ।

 

ତେବେ ଶୁଦ୍ଧମତ ଆସେ କେଉଁଠାରୁ ? କି ପ୍ରକାରରେ ତାହା ଜନମତରେ ପ୍ରତିଷ୍ଠିତ ହୁଏ ? କେହି କେହି କହି ପାରନ୍ତି, ସମ୍ବାଦପତ୍ରରୁ, ବକ୍ତୃତା-ମଞ୍ଚରୁ ଜନମତର ଜନ୍ମ । ବାସ୍ତବରେ କିନ୍ତୁ ସମ୍ବାଦପତ୍ର, କି ବକ୍ତୃତା-ମଞ୍ଚ ଜନମତକୁ ସୃଷ୍ଟିକରେ ନାହିଁ, ପ୍ରଚାର କରେ ମାତ୍ର । ସୃଷ୍ଟିକ୍ରିୟା ସାମ୍ବାଦିକ-ସଂପାଦକଦ୍ୱାରା ହୋଇପାରେ । ଆମ୍ଭେମାନେ ସ୍ୱୀକାର କରୁଁ, ଯାହା ବହୁମୁଖରେ ପ୍ରକାଶ ପାଏ, ତାହା ଭଗବାନଙ୍କ ବଚନ; (ପଞ୍ଚମୁଖେ ହରି) ଏବଂ ଏହା ମଧ୍ୟ ସ୍ୱୀକାର କରୁ ଯେ, ଭଗବାନଙ୍କ ବଚନ ସତ୍ୟବଚନ ଅଟେ । କିନ୍ତୁ ଭଗବାନଙ୍କ ବଚନ ପାଉଁ କିପରି ? ଭଗବାନ କ’ଣ ଆମ୍ଭମାନଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ତାହାଙ୍କ ବଚନ ସମସ୍ତଙ୍କୁ ଶୁଣାଇ ଦେଇ ଥାଆନ୍ତି ? ନାଁ, ଯାହା ବାସ୍ତବରେ ଘଟିଥାଏ, ତାହା ଏହିକି, ଯାହାକୁ ଆମ୍ଭେମାନେ ଭଗବାନଙ୍କ ବଚନ ବୋଲି କହୁଁ, ତାହା ବିଜ୍ଞ ଓ ଉତ୍ତମ ପୁରୁଷଙ୍କର ବଚନ । ବିଜ୍ଞ ଲୋକହିଁ ପ୍ରଥମତଃ ସତ୍ୟ ଉପଲବ୍‌ଧି କରିଥାଆନ୍ତି-। ମତବୈଷମ୍ୟ ମଧ୍ୟରୁ ଯେଉଁ ମତଟି ସତ୍ୟ, ତାହା ପଣ୍ଡିତଙ୍କଦ୍ୱାରା ସର୍ବାଦୌ ଉପଲବ୍‌ଧ ହୋଇଥାଏ । ତତ୍‌ପରେ ଉକ୍ତ ମତର ଯଥାର୍ଥତା ଅନୁଭବ କରି, ତାହାକୁ ଲୋକମାନେ କ୍ରମେ କ୍ରମେ ସମର୍ଥନ କରିବା ଦ୍ୱାରା ସେ ମତ ଜନମତରେ ବିସ୍ତାରିତ ହୋଇଯାଏ । ପଣ୍ଡିତଙ୍କ ମନୋରାଜ୍ୟରେ ଥିବାତକ ମତଟି ପଣ୍ଡିତଙ୍କର ନିଜର ସମ୍ପତ୍ତି ହୋଇ ରହିଥାଏ । ଯେତେବେଳେ ଏ ମତ ପ୍ରକାଶିତ ହୁଏ, ଲୋକମାନଙ୍କର ମନୋଯୋଗ ସେହି ଦିଗରେ ଆକର୍ଷିତ ହୋଇଥାଏ-। ବିଶେଷ ବିଶେଷ ଲୋକମାନେ, ସାଧାରଣ ସଭାସମିତି ଓ ସମ୍ବାଦପତ୍ରଗୁଡ଼ିକ ଏ ମତକୁ ସମସ୍ତଙ୍କ ଦୃଷ୍ଟିରେ ଆଣିଥାନ୍ତି, ବିଭିନ୍ନ ଦିଗରୁ ଏହାର ଆଲୋଚନା କରିଥାଆନ୍ତି । ଆଲୋଚନା ସମାଲୋଚନା ଫଳରେ, ମତ ପକ୍ଷରେ ଯଥେଷ୍ଟ କାରଣ ଉପଲବ୍‌ଧ ହେବାଦ୍ୱାରା ମତଟି ସମାଜରେ ଗୃହୀତ ହୋଇଥାଏ । ଗୃହୀତ ହେଲେ ପୂର୍ଣ୍ଣଭାବରେ ଅଥବା ଆଂଶିକ ଭାବରେ ଗୃହୀତ ହୋଇପାରେ; ମୂଳ ପ୍ରକାରରେ ବା ସଂଶୋଧିତ ପ୍ରକାରରେ ଗୃହୀତ ହୋଇପାରେ । ପ୍ରଥମତଃ କେତେକ ଲୋକ ଏହାକୁ ଗ୍ରହଣ କରି ନିଅନ୍ତି; ତତ୍‌ପରେ ବହୁ ଲୋକଙ୍କଦ୍ୱାରା ଆଦୃତ ହୋଇ, ଏ ମତ ଜନମତର ଆସନ ଅଧିକାର କରିଥାଏ । ଯେବେ ଏପରି ମତ ପ୍ରଚଳିତ ମତର ବିରୁଦ୍ଧ ହୁଏ, ସମାଜରେ ଆଦର ପାଇବା ନିମିତ୍ତ ଏ ନୂତନ ମତ ଯୁକ୍ତି ବଳରେ ପୂର୍ବ ମତର ଖଣ୍ଡନ କରିଥାଏ । ଏ ଯୁକ୍ତି-ସଂଗ୍ରାମ ସଙ୍ଗେ ସଙ୍ଗେ ଶେଷ ହୁଏ ନାହିଁ । ଯୁକ୍ତିରେ ପରାସ୍ତ ହେଲେ ସୁଦ୍ଧା ପରାସ୍ତ ମତ ତତ୍‌କ୍ଷଣାତ୍ ସମାଜରୁ ବିତାଡ଼ିତ ହୁଏ ନାହିଁ । କିଛିକାଳ ନୂତନ ପୁରାତନ ମତଦ୍ୱୟ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିରହେ, ଶେଷରେ ବ୍ୟାବହାରିକ ଜୀବନ-ପରିସ୍ଥିତିରେ ନୂତନ ମତର ପ୍ରତିଷ୍ଠା ଘଟିଲେ, ପୁରାତନ ମତର ସ୍ୱାଭାବିକ ମୃତ୍ୟୁ ଘଟେ । ଧର୍ମକ୍ଷେତ୍ରରେ ଶୈବ, ଶାକ୍ତ, ବୈଷ୍ଣବମତ ଏବଂ ରାଜନୀତି କ୍ଷେତ୍ରରେ ଗଣତନ୍ତ୍ରବାଦ, ସମାଜବାଦ, ଏହିପରି ପ୍ରସାର ପାଇଥାଏ ।

 

ଉପଯୁକ୍ତ ବିଦ୍ୟାବୁଦ୍ଧି ଅଥବା ଚେଷ୍ଟା ପ୍ରଯତ୍ନର ଅଭାବ ହେତୁରୁ ସମସ୍ତ ଲୋକେ ସମାଜରେ ସ୍ୱାଧୀନ ଭାବରେ, ଉତ୍ତମ ମାର୍ଗରେ ନିଜେ ନିଜେ ଚିନ୍ତା କରନ୍ତି ନାହିଁ, ଚିନ୍ତା କରି ପାରନ୍ତି ନାହିଁ । ଫଳତଃ ଲୋକମାନେ ସେମାନଙ୍କ ମଧ୍ୟରୁ ଏକ ବ୍ୟକ୍ତିଙ୍କ ଚିନ୍ତାଧାରା ଚାଳିତ ହୁଅନ୍ତି ଏବଂ ଏହି ବ୍ୟକ୍ତିଙ୍କ ମତକୁ ନିଜର ମତରୂପେ ପ୍ରକାଶ କରନ୍ତି । ସେହି ବ୍ୟକ୍ତିଙ୍କୁ ଆମ୍ଭେମାନେ ଜନନାୟକ ନାମରେ ଅଭିହିତ କରିଥାଉଁ । ଯେବେ ଏ ବ୍ୟକ୍ତି ଯୋଗ୍ୟ ପୁରୁଷ ହୁଅନ୍ତି, ତେବେ ଜନମତ ଉତ୍ତମ ହୋଇଥାଏ, ଯେବେ ସେ ଲୋକ ଅଯୋଗ୍ୟ, ତେବେ ମତଟା ମନ୍ଦ ହୋଇଥାଏ । ଯାହା ଜନମତ, ତାହା ଜନ-ନାୟକଙ୍କର ମତ । ଯଦ୍ୟପି ଅନେକ ଲୋକଙ୍କଦ୍ୱାରା ଗୃହୀତ, ଯଦ୍ୟପି ସହଚର ଅନୁଚରଙ୍କଦ୍ୱାରା ସମାଦୃତ, ତଥାପି ଜନମତର ସୃଷ୍ଟି ଲୋକମାନଙ୍କଠାରୁ ନୁହେଁ, ଲୋକବର୍ଗର ନାୟକଙ୍କଠାରୁ, ଶ୍ରେଷ୍ଠ ବ୍ୟକ୍ତିଙ୍କଠାରୁ । ଶୁଦ୍ଧ ଜନନାୟକ ଶୁଦ୍ଧ-ସତ୍ୟର ଅନୁସରଣ କରନ୍ତି । ସତ୍ୟାନୁଧାବନ, ଯଥାର୍ଥ ହିତସଂଘଟନ, ବହୁଲୋକହିତସାଧନ ଶୁଦ୍ଧ-ଜନନାୟକଙ୍କ କାର୍ଯ୍ୟ ।

 

ଯଥାର୍ଥ ଜନମତ ଶୁଦ୍ଧମତ । ପୁଣି ତାହା ପରିବର୍ତ୍ତନଶୀଳ । ଦେଶକାଳର ପରିସ୍ଥିତି, ଜଳବାୟୁ, ପାରିପାର୍ଶ୍ୱିକ ଘଟନାବଳୀର ପରିବର୍ତ୍ତନ ଅନୁଯାୟୀ ଜନମତର ପରିବର୍ତ୍ତନ ଆବଶ୍ୟକ ହୋଇଥାଏ । ଯେଉଁ ମତ ଏକ ଅବସ୍ଥା ପ୍ରତି ଉପଯୋଗୀ, ତାହା ତଦ୍‌ଭିନ୍ନ ଅବସ୍ଥା ପ୍ରତି ଅନୁପଯୋଗୀ ହୋଇପାରେ । ଜନମତ ନୂତନ ପ୍ରକାରରେ ଗଢ଼ିବା ନିମିତ୍ତ ନୂତନ ଜନନାୟକଙ୍କ ଆବିର୍ଭାବ ମଧ୍ୟ ଘଟିଥାଏ । ଏକ କାଳରେ ସୁରେନ୍ଦ୍ରନାଥଙ୍କର ମତ ଥିଲା ବଙ୍ଗଦେଶର, ବୋଧହୁଏ ସମଗ୍ର ଭାରତର ମତ । ପରବର୍ତ୍ତୀ କାଳରେ ଚିତ୍ତରଞ୍ଜନଙ୍କ ମତ ଜନମତରୂପେ ଗୃହୀତ ହୋଇଥିଲା । ଆନ୍ତର୍ଜାତିକ ସମସ୍ୟାରୁ ମଧ୍ୟ ଉଦାହରଣ ଦିଆଯାଇପାରେ । ସମୟ ଥିଲା ଯେତେବେଳେ ଦେଶ ଦେଶକୁ ବିଭିନ୍ନ ଗୋଷ୍ଠୀରେ ଗଣ୍ଠି ବାନ୍ଧି, ବିଭିନ୍ନ ଦେଶ ଗୋଷ୍ଠୀ ମଧ୍ୟରେ ସାମରିକ ଶକ୍ତିର ମେଣ୍ଟ (Balance of Powers) ରଖି, ରଣଭୂମିରେ ଶକ୍ତି ଶକ୍ତିର ପରୀକ୍ଷା ନେଇ, ଦେଶ ଦେଶ ସଂପର୍କୀୟ କଳହ-ବିବାଦ ଆମ୍ଭେମାନେ ମେଣ୍ଟାଉଥିଲୁଁ । ଏ ହେଲା ପୂର୍ବକାଳର ମତ; ଏବକାର ମତ ହେଉଛି, ଦେଶସମୂହର ସଂଗଠନ ସହଯୋଗ (League of Nations) ତଥା ଦେଶ ଦେଶଗତ ଯୁକ୍ତି ବିଚାରର ଅବଲମ୍ବନରେ, ଶାନ୍ତିମୟ ପନ୍ଥାର ଅନୁକ୍ରମରେ, ଏବଂବିଧ ଦେଶ-ଦେଶ ଦୁର୍ଦ୍ଦଶାର ସମାଧାନ କରିବା ।

 

ପ୍ରଚଳିତ ଜନମତରେ ଦୋଷ ଅଭାବ ଅନୁଭୂତ ହେଲେ, ତାହାର ପରିବର୍ତ୍ତନ ଘଟିଥାଏ-। ଶୁଦ୍ଧ ମତ ଅଶୁଦ୍ଧ ମତର ସ୍ଥାନ ନେଇଥାଏ । ହେଲେହେଁ ଅଶୁଦ୍ଧ ମତର ଯେ ଜନମତ ସଂପର୍କରେ କିଛି ପ୍ରୟୋଜନ ନାହିଁ, ଏପରି କୁହାଯାଇ ନ ପାରେ । ଅନେକ ସମୟରେ ଅଶୁଦ୍ଧ ମତର ମାର୍ଗ ଦେଇ ଜନମତ ଶୁଦ୍ଧମତରେ ପ୍ରକଟିତ ହୋଇଥାଏ । ଯୋଗ୍ୟ ଜନନାୟକଙ୍କ ଅଭାବ ହେତୁରୁ ହେଉ, ଅଥବା ସେ ଆଉ ଥାଉ ତାହାଙ୍କ ପ୍ରତି ଆମ୍ଭମାନଙ୍କର କର୍ତ୍ତବ୍ୟ-ତ୍ରୁଟି ହେତୁରୁ ହେଉ, ଶୁଦ୍ଧମତ ସ୍ଥାନେ ସ୍ଥାନେ ପ୍ରକାଶ ପାଇବାର ସୁଯୋଗ ପାଏ ନାହିଁ । ପୁଣି ମନୁଷ୍ୟତୁଲ୍ୟ ନିର୍ଦ୍ଦିଷ୍ଟ କ୍ଷମତା-ବିଶିଷ୍ଟ ପ୍ରାଣୀ ପକ୍ଷରେ ଶୁଦ୍ଧମତ ସର୍ବଦା ହୃଦବୋଧ ହୁଏ ନାହିଁ । ଏ ଅବସ୍ଥାରେ ଅଶୁଦ୍ଧମତ ଜନସମାଜରେ ସ୍ଥାନ ପାଇଥାଏ । ଏପରି ମତ କ୍ଷଣକାଳ ପାଇଁ ସମାଜରେ ସ୍ଥାନ ପାଇଯିବାଦ୍ୱାରା ଯଦିବା ସମାଜର ଏଠି ସେଠି କିଛି କ୍ଷତି ଘଟିଥାଏ, ତାହା ସଙ୍ଗେ ମଙ୍ଗଳର ଦ୍ୱାର ମଧ୍ୟ ଉନ୍ମୁକ୍ତ ହୋଇଯାଏ; କାରଣ କର୍ମ-ଜୀବନରେ ଉକ୍ତ ମତକୁ ଖଟାଇବାବେଳେ, ଖଟାଇବା ଫଳରେ ଆମ୍ଭେମାନେ ବୁଝିପାରୁ ତାହାର ଅଭାବ କେଉଁଠାରେ, କିପରି ସଂଶୋଧନ ଆବଶ୍ୟକ । ଅଶୁଦ୍ଧମତ ଶୁଦ୍ଧମତର ଦିକ-ପ୍ରଦର୍ଶକ । ଯେଉଁଠାରେ କୌଣସି କାରଣରୁ ଶୁଦ୍ଧମତ ଆମ୍ଭମାନଙ୍କର ଅଗୋଚର ସେଠାରେ ଜନମତ ଏକାବେଳକେ ନ ଥିବା ଅପେକ୍ଷା, ଅଶୁଦ୍ଧମତ ଥିବା ବାଞ୍ଛନୀୟ; କାରଣ ମତଶୂନ୍ୟତା ଚିନ୍ତାଶୂନ୍ୟତାର ସୂଚନା ଦିଏ । ଅଶୁଦ୍ଧମତର ବିଦ୍ୟମାନତାରେ ଚିନ୍ତାଜଗତ ଜାଗ୍ରତ ରହିଥାଏ, ତତଶୁଦ୍ଧିକଳ୍ପେ ଆଲୋଡ଼ିତ ହେଉଥାଏ; ସେହି ମାର୍ଗ ପ୍ରତି ଗତି କରୁଥାଏ ।

 

ମନେକର, ବନ୍ୟା-ବିପତ୍ତିରୁ ରକ୍ଷା ପାଇବା ନିମିତ୍ତ ଜନମତ ଆବଶ୍ୟକ ହୋଇଅଛି । ଏ ସମ୍ବନ୍ଧରେ ଏକାଧିକ ମତ ଏକସମୟରେ ପ୍ରକାଶ ପାଇଅଛି । ଗୋଟିଏ ମତ, ବନ୍ଧବାଡ଼ ସବୁ ଉଠାଇ ଦିଅ, ଦ୍ୱିତୀୟ ମତ– ଏସବୁ ରଖ, ମଜଭୂତ କରି ରଖ; ତୃତୀୟ ମତ–ବନ୍ଧରଖି ପାଣିର ଯିବା ଆସିବା ବାଟ ଖୋଲିଦିଅ; ଚତୁର୍ଥ ମତ–କେତେଗୁଡ଼ିଏ ବନ୍ଧ ରଖ, ଅନ୍ୟଗୁଡ଼ାକ ଭାଙ୍ଗିଦିଅ । ଏ ମତମାନଙ୍କ ମଧ୍ୟରେ କେଉଁଟି ଶୁଦ୍ଧ, କିଏ ଅଶୁଦ୍ଧ, ତାହା ଆଦ୍ୟରୁ ନିର୍ଣ୍ଣୟ କରିବା ଅତ୍ୟନ୍ତ କଠିନ-। ଏପରି ଅବସ୍ଥାରେ କଅଣ ଚୁପଚାପ ରହିବା ଉଚିତ ? ତଦ୍ଦ୍ୱାରା ବନ୍ୟା-ବିପତ୍ତି ଏଡ଼ି ହୋଇଯିବ କି-? ଶୁଦ୍ଧମତ ଆମ୍ଭମାନଙ୍କର ଅଗୋଚର, ଏହା ସତ୍ୟ; କିନ୍ତୁ ଏହା ବୋଲି ଅଜ୍ଞାନତା-ଛାୟାର ଆଶ୍ରୟ ନେଇ ପାଷାଣତୁଲ୍ୟ ସ୍ଥାଣୁ ରହିଯିବା ବୁଦ୍ଧିମତ୍ତାର ପରିଚୟ ନୁହେଁ, ଜଡ଼ବୁଦ୍ଧିର ପରିଚୟ ଅଟେ-। ଉପସ୍ଥିତ ଚାରି ମତର ବିଚାର କରି ଯେଉଁ ମତ ସ୍ଥିରବୁଦ୍ଧିରେ ବିଦ୍ୟମାନ ଅବସ୍ଥା ପ୍ରତି ଅପେକ୍ଷାକୃତ ଫଳପ୍ରଦ ତହିଁର ଅବଲମ୍ବନରେ କାର୍ଯ୍ୟ ସାଧିବା ଦ୍ୱାରା ଉତ୍ତମ ପ୍ରଣାଳୀ ଆମ୍ଭମାନଙ୍କର ହସ୍ତଗତ ହୋଇଥାଏ । ଭଲ ମତ ବିନା ଚେଷ୍ଟାରେ ଆସେ ନାହିଁ, ‘ଛପର ଫାଡ଼୍‌କେ’ ଆବିର୍ଭୂତ ହୁଏ ନାହିଁ-। ମନ୍ଦମତ–ମନ୍ଦମତର ବିଚାର-ନିର୍ଣ୍ଣୟର, ପ୍ରୟୋଗ-ପରୀକ୍ଷାରୁ ଭଲମତ ଉଦ୍ଭୂତ ହୁଏ ।

Image

 

ଗଣତନ୍ତ୍ରର ପରୀକ୍ଷା

 

ଗଣତନ୍ତ୍ର ଶାସନ କି ଜାତୀୟ, କେଉଁ କେଉଁ ଦ୍ରବ୍ୟ ଏଥିରେ ଅବୟବ-ଭୂତ, ଏହା ମୂର୍ତ୍ତି କିପରି, ଏ ସମ୍ବନ୍ଧରେ ମାନବ-ଜଗତ ଏକମତ ନୁହେଁ । କେତେକଙ୍କ ମତରେ କେବଳ ଜନମତ ପ୍ରତିଷ୍ଠିତ ଶାସନ ଗଣତନ୍ତ୍ର ଆଖ୍ୟା ପାଇବାର ଯୋଗ୍ୟ ଅଟେ । ଅନ୍ୟ କେହି କେହି କହିଥାଆନ୍ତି, ପ୍ରକୃତ ଜନମତର ଯାହାଯ୍ୟ ସହଯୋଗ ନ ଥାଇ ମଧ୍ୟ ଗଣତନ୍ତ୍ର ଶାସନ ଥାଇପାରେ । ତେବେ ଏ ଶାସନ ଏପରି ଶାସନ ହୋଇଥିବ, ଯଦ୍ଦ୍ୱାରା ଦେଶରେ ମାନବିକ ଉତ୍କର୍ଷ ସାଧିତ ହେଉଥିବ । ଶେଷୋକ୍ତ ଅର୍ଥରେ ଖ୍ରୀଷ୍ଟପୂର୍ବ ୪୬୭ ରୁ ୪୨୯ *ପର୍ଯ୍ୟନ୍ତ ଗ୍ରୀସ ଦେଶରେ ପ୍ରବର୍ତ୍ତିତ ଆଥେନ୍‌ସର ଶାସନ ଗଣତନ୍ତ୍ର ଶାସନ, ଯଦିଚ ସେଥିରେ ସମଗ୍ର ଦେଶବାସୀଙ୍କର ବ୍ୟକ୍ତିଗତ ସ୍ୱାଧୀନତା, କି ଭୋଟ କ୍ଷମତା ନ ଥିଲା । ଆଧୁନିକ ଶିକ୍ଷିତ ସମାଜ ଦୃଷ୍ଟିରେ ସେହି ଶାସନ ଗଣତନ୍ତ୍ର ଅଟେ, ଯହିଁରେ ଦିଓଟି ଲକ୍ଷଣ ବିଦ୍ୟମାନ । ପ୍ରଥମଟି ଲୋକ-ପ୍ରତିନିଧି ନିର୍ବାଚନ, ଦ୍ୱିତୀୟଟି ଜନହିତ ସମ୍ପାଦନ । ଇଂଲଣ୍ଡ ଓ ଆମେରିକାରେ ପ୍ରତିଷ୍ଠିତ ଶାସନ ଏହି ଜାତୀୟ । ପ୍ରକୃତରେ କହିଲେ ଏ ଦୁଇଟି ଲକ୍ଷଣ ମଧ୍ୟରୁ ଗୋଟିଏ ଉପାୟ, ଅନ୍ୟଟି ଉପେୟ । ସବୁଶ୍ରେଣୀର ସବୁ ଲୋକଙ୍କର ସ୍ୱାଧୀନ ଭୋଟ ସାହାଯ୍ୟରେ ଲୋକପ୍ରତିନିଧି ବାଛିବା, ସ୍ୱାଧୀନ ଭାବରେ ମତଦେବା, ମତାମତକୁ ସମାଲୋଚନା କରିବା ଗଣତନ୍ତ୍ରର ଧର୍ମ, ପୁଣି ସମୂହ ହିତ କାହିଁରେ ଅଛି ତାହା ନିର୍ଣ୍ଣୟ କରିବା, ଏପରି ହିତ ସାଧିବା, ତତ୍‌ସାଧନାକଳ୍ପେ ନିଯୁକ୍ତ ରହିବା ଗଣତନ୍ତ୍ରର କର୍ମ । ଗଣତନ୍ତ୍ରର ଯଥାର୍ଥ ପରୀକ୍ଷା ଏହି ଉଭୟବିଧ କାର୍ଯ୍ୟର ବିଦ୍ୟମାନତାରେ–ଲୋକାୟତ୍ତ ଶାସନରେ, ଲୋକହିତ ସାଧନରେ ହୋଇଥାଏ ।

 

* This is called Periclean age when there existed slaves by the side of free citizens. The slaves outnumbered freemen. And yet the work of Government rested with the latter class and the standard of government was one of the best could be conceived.

 

ଗଣତନ୍ତ୍ର ଶାସନରେ ସମଗ୍ର ଦେଶବାସୀ ଦେଶ-ଶାସନ ସହିତ ସଂପୃକ୍ତ । ଏ ସମ୍ପର୍କ ଶିଷ୍ୟ ବା ଶିକ୍ଷକଙ୍କର, ନିର୍ବାଚକ ବା ନିର୍ବାଚିତଙ୍କର, ଶାସକ ବା ସମାଲୋଚକଙ୍କର ସମ୍ପର୍କ ଅଟେ । କେହି ଶାସନ ତଥା ନାଗରିକ ଦାବୀର ଉପଯୁକ୍ତ ବ୍ୟବହାରପାଇଁ, ଉପଯୁକ୍ତ ଶିକ୍ଷା ପାଇବାରେ, କେହି ଏପରି ଶିକ୍ଷାଦେବାରେ, କେହି ଶାସକ ବାଛିବାରେ, କେହି ପୁଣି ଶାସନକାର୍ଯ୍ୟ ଚଳାଇବାରେ, ଅନ୍ୟ କେହି ସେଥିପାଇଁ ଭାବନା ଯୋଗାଇବାରେ ନିଯୁକ୍ତ । ସମୂହ ଲୋକ ସହିତ ସମୂହ-ସମ୍ପର୍କ ରହିଥିବାର କାରଣ ଏହି କି, ଏ ଶାସନ ଗୋଷ୍ଠୀଗତ ଶାସନ ନୁହେଁ, ଦେଶ-ଜାତି-ଗତ ଶାସନ ଅଟେ; ଲୋକବିଶେଷଙ୍କର ବା ଗୋଷ୍ଠୀବିଶେଷଙ୍କର ହିତପାଇଁ ନୁହେଁ, ଲୋକସମୂହଙ୍କ ହିତପାଇଁ ଅଟେ । ଗଣତନ୍ତ୍ର ଶାସନ ଜନମତ ଉପରେ ପ୍ରତିଷ୍ଠିତ । ଯଦ୍ୟପି ଜନମତକୁ ପ୍ରତ୍ୟେକ ଦେଶବାସୀଙ୍କର ମତରୂପେ ଗ୍ରହଣ କରାଯାଇ ନ ପାରେ, ଯଦ୍ୟପି ଦେଶର କେତେକ ଲୋକ ଏହି ମତର ବିରୋଧୀ, ଆହୁରି କେତେକ ଏହା ପ୍ରତି ଉଦାସୀନ ଥିବାର ସ୍ୱୀକାର କରାଯାଇ ପାରେ, ତଥାପି ସେହି ମତ ପ୍ରତି ଶୁଦ୍ଧ ଯୁକ୍ତିଯୁକ୍ତ ଚିନ୍ତା-ପନ୍ଥା ଦେବାର ଅଧିକାର, ପ୍ରତ୍ୟେକ ଦେଶବାସୀଙ୍କଠାରେ ଅଛି । ଗଣତନ୍ତ୍ର ଏ ଅଧିକାର ଦେଇଅଛି । କେବଳ ଅଧିକାର ନୁହେଁ, ଏହା ଯେ ଦେଶବାସୀଙ୍କର ପ୍ରଧାନ କର୍ତ୍ତବ୍ୟ, ଗଣତନ୍ତ୍ର ତାହା ମଧ୍ୟ ମାନି ନେଇଅଛି । ପୁଣି ଗଣତନ୍ତ୍ର ଶାସନ-ନିୟମ-ପଦ୍ଧତିକୁ ଦେଶର ତାବତୀୟ ଲୋକେ ଯେବେ ଅବା ପସନ୍ଦ ନ କରି ଥାଆନ୍ତି, ଅଧିକ-ସଂଖ୍ୟକ ଲୋକ ଏହାକୁ ପସନ୍ଦ କରି ଥାଆନ୍ତି । କେହି କେହି କହି ପାରନ୍ତି, ଯେଉଁ କେତେକ ଲୋକ ଏହାକୁ ପସନ୍ଦ ନ କରନ୍ତି; ସେମାନଙ୍କ ସହିତ ଏ ପ୍ରକାର ଶାସନର ସମ୍ବନ୍ଧ ରହେ କିପରି ? ରହିବ ବା କିପରି ? ଯେଉଁମାନେ ଏହି ମତର ବିରୋଧୀ, ସେମାନେ ଏ ମତଚାଳିତ ଶାସନକୁ ସ୍ୱାୟତ୍ତଶାସନ ବୋଲି ଗ୍ରହଣ କରିବେ ଅବା କିପରି ?

 

ଏ ପ୍ରଶ୍ନର ଉତ୍ତରପାଇଁ ଗଣତନ୍ତ୍ରର ଭୋଟନୀତି, ଭୋଟ-ପ୍ରଣାଳୀକୁ ପରୀକ୍ଷା କର । ଦେଖିବ, ଯାହା ଜନମତ ତାହା ବହୁ-ଲୋକ-ଶ୍ରେଣୀର ମତ ହେଲେହେଁ ତହିଁରେ ଅଳ୍ପ ଲୋକ-ଶ୍ରେଣୀର ତଥା ବିରୁଦ୍ଧ ଶ୍ରେଣୀର ଆଲୋଚନା, ସମାଲୋଚନା ମଧ୍ୟ ନିହିତ ଥାଏ । ଦେଶର ମତ ଗଢ଼ିବାରେ ଗଣତନ୍ତ୍ର ପ୍ରତ୍ୟେକ ଦେଶବାସୀଙ୍କୁ ଆହ୍ୱାନ କରିଥାଏ; ଏହାର ସପକ୍ଷ ବିପକ୍ଷରେ ଯେତେ ଯୁକ୍ତି ନିଦର୍ଶନ ଅଛି, ସେ ସମସ୍ତ ଅବାଧରେ, ପୂର୍ଣ୍ଣ ଭାବରେ ସମସ୍ତଙ୍କ ନିକଟରେ ଉପସ୍ଥାପିତ କରିବାର କ୍ଷମତା ଏମାନଙ୍କୁ ଦେଇଥାଏ । ଅର୍ଥାତ୍ ଦେଶମତ ସଂଗଠନ-ସଂସ୍ଥାପନରେ ସମସ୍ତ ଦେଶବାସୀଙ୍କର ନିର୍ମଳ ସହଯୋଗ ଦେଶ ବରାବର ଖୋଜିଥାଏ ଓ ଏପରି ସହଯୋଗ ମଧ୍ୟ ରହିଥାଏ । ଜନସାଧାରଣଙ୍କର ପ୍ରତ୍ୟକ୍ଷ ଅନୁଭୂତିରେ ଯେଉଁ ମତର ଯଥାର୍ଥତା ପ୍ରତିପାଦିତ ହୋଇଥାଏ, ଲୋକମାନଙ୍କର ସମ୍ମୁଖରେ ମତ ମତ ଘେନି ଉତ୍ତମତାର ନିର୍ମଳ ପରୀକ୍ଷାରେ ଯେଉଁ ମତ ଅନ୍ୟମତକୁ ପରାସ୍ତ କରି ପାରିଥାଏ, ସେହିମତ ଏକା ଜନମତର ଆସନ ପାଇଥାଏ । କୌଣସି ଲୋକଙ୍କର ବା ଲୋକଶ୍ରେଣୀଙ୍କର ମତକୁ ଉପେକ୍ଷା କରି, ଚୋରାଇ ଲୁଚାଇ ବା ଭୟ ଧମକ ଦେଖାଇ ଅଥବା ଲାଞ୍ଚମିଛର ଆଶ୍ରୟ ନେଇ ଗାଣତାନ୍ତ୍ରିକ ମତ ପ୍ରସ୍ତୁତ କରିବାରେ ଦେଶ କଦାପି ପ୍ରଶ୍ରୟ ଦିଏ ନାହିଁ । ଯେବେ କୁହାଯାଏ ଯେ, ଏପରି ମତ ଏପରି ଭାବରେ ସ୍ଥାନେ ସ୍ଥାନେ ପ୍ରସ୍ତୁତ ହୋଇପାରେ ଓ ହୋଇଥାଏ, ତେବେ ସେଥିପାଇଁ ଗଣତନ୍ତ୍ର ନୁହେଁ ଲୋକମାନେ ଦାୟୀ । ଯେଉଁଠାରେ ଶୁଦ୍ଧ ଲୋକହିତ ପାଇଁ ଶୁଦ୍ଧ ଲୋକମତ ଲୋଡ଼ା ଯାଇଥାଏ, କିନ୍ତୁ ଲୋକମାନେ ଅଶୁଦ୍ଧ ରୂପେ ଆଚରଣ କରି ଥାଆନ୍ତି, ସେଠାରେ ଗଣତନ୍ତ୍ର-ଶାସନ-ଶୃଙ୍ଖଳାର ବିଭ୍ରାଟ ଘଟିପାରେ–ଘଟିଥାଏ । ଏପରି ଘଟନା ଘଟିଲେ, ବୁଝିବାକୁ ହେବ, ଦୋଷ ଶାସନ-ତନ୍ତ୍ରର ନୁହେଁ, ସେହି ସେହି ଲୋକମାନଙ୍କର ଅଟେ । ଯେଉଁ ଦେଶର ଲୋକମାନେ ଯୋଗ୍ୟ-କ୍ଷମତାର ଅଯୋଗ୍ୟ ବ୍ୟବହାର କରି ଥାଆନ୍ତି, ସେ ଦେଶରେ ଗଣତନ୍ତ୍ର କିଆଁ, କୌଣସି ଶାସନତନ୍ତ୍ର ଫଳପ୍ରଦ ହୋଇ ନ ପାରେ ।

 

ଅନ୍ୟ କେହି ଆପତ୍ତି କରିପାରନ୍ତି, ଗଣତନ୍ତ୍ର ଶାସନ କାର୍ଯ୍ୟତଃ ଲୋକସମୂହ ସହିତ ସମ୍ବନ୍ଧଯୁକ୍ତ ନୁହେଁ । ଏମାନେ କହି ଥାଆନ୍ତି ଯେ, ଗଣତନ୍ତ୍ରରେ ନିୟମ ପ୍ରଣୟନର, ଶାସନ-ସାଧନର ଦାୟିତ୍ୱ ସବୁ ଲୋକଙ୍କ ଉପରେ ନ୍ୟସ୍ତ ଥାଏ ନାହିଁ । ଯେଉଁ କେତେଜଣ ଲୋକମାନଙ୍କର ପ୍ରତିନିଧି, ସେହିମାନେହିଁ ଏ କାର୍ଯ୍ୟର ଭାର ନେଇ ଥାଆନ୍ତି; ଏବଂ ନିୟମ ପ୍ରସ୍ତୁତ କଲାବେଳେ ଏମାନେ ଗୋଟି ଗୋଟି କରି ପ୍ରତ୍ୟେକ ବିଷୟ ପାଇଁ ଜନସାଧାରଣଙ୍କଠାରୁ ମତ ନ ନେଇ ନିଜ ନିଜ ବିଚାରରେ ଯାହା ଉତ୍ତମ ବୋଲି ସ୍ଥିର କରନ୍ତି, ସେହି ନିୟମକୁ ଦେଶ ଉପରେ ଜାରି କରିଥାଆନ୍ତି । ପୁଣି ଏମାନେ କହି ପାରନ୍ତି, ଗଣତନ୍ତ୍ରର ଶାସକ-ପରିଷଦ (cabinet) ଗୋଟିଏ କ୍ଷୁଦ୍ର ସଂଗଠନ । ଏହି ସଂଗଠନର ସଭ୍ୟମାନେ ଲୋକ-ପ୍ରତିନିଧି-ମଣ୍ଡଳରୁ ମନୋନୀତ ହେଲେ ମଧ୍ୟ ଶାସନ-କାର୍ଯ୍ୟ ଗ୍ରହଣ କରି, ଏମାନେ ନିଜ ନିଜର ବୁଦ୍ଧି ବିବେକ ଅନୁକ୍ରମେ ସେହି କାର୍ଯ୍ୟ ଚଳାଇ ଥାଆନ୍ତି । ଏଥିପାଇଁ, ଅର୍ଥାତ୍ କାର୍ଯ୍ୟକ୍ଷେତ୍ରରେ ବିଶେଷ ବିଶେଷ ଅବସ୍ଥାର ସମ୍ମୁଖୀନ ହୋଇ, ଯେଉଁ ପ୍ରକାରେ ଦେଶକୁ ଶାସନ କରିବାକୁ ହେବ ସେଥିପାଇଁ ପ୍ରତିନିଧିମାନଙ୍କର ବା ନିର୍ବାଚକ ଲୋକଙ୍କର ସବୁ ବିଷୟ ପ୍ରତି ମତ ନିଅନ୍ତି ନାହିଁ, ମଧ୍ୟ ନେବାର ଆବଶ୍ୟକତା ବୋଧ କରନ୍ତି ନାହିଁ । ଏପରି କି, ଅନେକ ଗୁରୁତର କାର୍ଯ୍ୟ ଦେଶବାସୀଙ୍କୁ ନ ପଚାରି ଏମାନଙ୍କର ସ୍ୱୀକୃତି ଥିବା ଧରି ନେଇ, ଲୋକ ପ୍ରତିନିଧି ତଥା ଶାସକଗଣ ନିଜ ଦାୟିତ୍ୱରେ ସମାଧାନ କରିଥାଆନ୍ତି ।

 

ଅର୍ଥାତ୍ ଗଣତନ୍ତ୍ରରେ ଶାସନ ସହିତ ପ୍ରକୃତରେ ସମ୍ବନ୍ଧୀ-ଲୋକ-ଜନ-ସାଧାରଣ ନୁହନ୍ତି, ଯେଉଁ କେତେକ ଅଳ୍ପସଂଖ୍ୟକ ପ୍ରତିନିଧି ଓ ସ୍ୱଳ୍ପସଂଖ୍ୟକ ଶାସକ, ସେହିମାନେ ମାତ୍ର ଅଟନ୍ତି । ନିର୍ବାଚନବେଳେ ଏହି ଦୁଇ ଶ୍ରେଣୀର ବ୍ୟକ୍ତି, କେତୋଟି ସାଧାରଣ ଶାସନ-ସମସ୍ୟା ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରି, ସେ ସଂପର୍କରେ ଜନମତ ଲୋଡ଼ି ଥାଆନ୍ତି ଓ ତଦନୁଯାୟୀ କାର୍ଯ୍ୟ କରି ଥାଆନ୍ତି । କିନ୍ତୁ ଶାସନପାଇଁ ଏବଂବିଧ ସୀମା-ନିର୍ଦ୍ଦିଷ୍ଟ ସାଧାରଣ ନିର୍ଦ୍ଦେଶ ଯଥେଷ୍ଟ ନୁହେ । ଶାସନ କରିବାକୁ ଯାଇ ଅନେକ ସମୟରେ ଅନେକ କାର୍ଯ୍ୟ କରିବାକୁ ପଡ଼ିଥାଏ, ଯାହା ଯାହା ପ୍ରତି ଏ ପ୍ରକାର ନିର୍ଦ୍ଦେଶରେ ସର୍ବବିଧ ସୂଚନା ନ ଥାଏ । ପୁଣି ଯେଉଁ ଯେଉଁ ବିଷୟରେ ନିର୍ଦ୍ଦେଶ ରହିଥାଏ, ସେହି ସେହି ବିଷୟର ବିଶେଷ ବିଶେଷ ପ୍ରୟୋଗ ପ୍ରତି ବିଶେଷ ବିଶେଷ ଅବସ୍ଥା ପାଇଁ, ବିଶେଷ ବିଶେଷ ପରିବର୍ତ୍ତନ ପ୍ରତି, ସଙ୍କେତ ନ ଥାଇ ପାରେ-ଥାଏ ନାହିଁ । ମନେ କରନ୍ତୁ-ମୋ ଦେଶ ସହିତ ଅନ୍ୟ ଦେଶର ଅବାଧ ବାଣିଜ୍ୟ ରହିବ ? କି ସେଥିପ୍ରତି କିଛି କଟକଣା ରଖାଯିବ ? ଏ ବିଷୟ ନେଇ ଲୋକମତ ଲୋଡ଼ା ହୋଇପାରେ–ହୋଇଥାଏ । କିନ୍ତୁ ଦେଶରେ ଯେତେ ପଣ୍ୟ ସାମଗ୍ରୀ ଅଛି, ସେ ସମସ୍ତକୁ ଗୋଟି ଗୋଟି ପରୀକ୍ଷା କରି କାହା ପକ୍ଷରେ କିପରି ପନ୍ଥା ଅନୁସୃତ ହେବ, ସେଥିପାଇଁ ଲୋକମତ ନିଆହୁଏ ନାହିଁ । କେହି କେହି ଗଣତନ୍ତ୍ର-ଉପାସକ ଶାସନଗତ ବହୁତ ବିଷୟ ଘେନି ଘନ ଘନ ଲୋକମତ ନିର୍ଣ୍ଣୟର ଆବଶ୍ୟକତା ଏବେ ପ୍ରଚାର କରୁଥିଲେ ମଧ୍ୟ ସାଧାରଣତଃ ଗଣତନ୍ତ୍ର ଶାସନରେ ଅନେକ କାର୍ଯ୍ୟର ପନ୍ଥା ନିର୍ଦ୍ଧାରଣ, ଅନେକ ବିଷୟର ମୀମାଂସାକରଣ ଲୋକ-ପ୍ରତିନିଧି ବା ଶାସକ-ସଂପ୍ରଦାୟଙ୍କ ହାତରେ ରହିଥାଏ-*

 

*ଲୋକମାନଙ୍କୁ ଥରକୁ ଥର ପଚାରି ଲୋକ ଶାସନ କରିବା (Technically called Referendum) କେତେକ ଉଗ୍ରପନ୍ଥୀ ରାଜନୀତିକଙ୍କର କଳ୍ପନା ।

 

ଯେବେ ଗଣତନ୍ତ୍ର ଶାସନ ଏହି ଜାତୀୟ–ବାସ୍ତବରେ ତାହା ସେହି ଜାତୀୟ ଅଟେ,–ତେବେ ଏ ଶାସନ ଯେ ଲୋକାୟତ୍ତ ଶାସନ, ବହୁତ ହିତର ଶାସନ, ତାହା ସ୍ୱୀକାର କରିବୁଁ କିପରି-? ଶ୍ରେଣୀ ଶାସନରେ ଗୋଟିଏ ସଂପ୍ରଦାୟ ଯେପରି ନିୟମ ପ୍ରସ୍ତୁତ କରି ଶାସନ କରି ଥାଆନ୍ତି, ଏଥିରେ ମଧ୍ୟ ଶାସନ-ଦାୟିତ୍ୱ ସେହିପରି ନିର୍ଦ୍ଦିଷ୍ଟ ଲୋକ ସଂଖ୍ୟାରେ, ଦେଶର ଏହି ଏହି ସ୍ଥାନରୁ ଗୃହୀତ ଲୋକ-ପ୍ରତିନିଧି ସୀମାରେ ଆବଦ୍ଧ । ପୁଣି ଶାସକ ବା ପ୍ରତିନିଧିମାନେ ଯେତେବେଳେ ଅନେକ ସ୍ଥଳରେ ଦେଶବାସୀଙ୍କୁ ନ ପଚାରି ଆଇନକାନୁନ ଜାରି କରି ଥାଆନ୍ତି, ଦେଶ ଶାସନ ଚଳାଇ ଥାଆନ୍ତି, ସେତେବେଳେ ଏମାନେ ଯେ ସମୂହ-ହିତ ଅବଗତ ଥିବେ, ଆଂଶିକ ହିତରେ ଆବଦ୍ଧ ନ ରହି ସମୂହ ହିତ-ଦୃଷ୍ଟିରୁ ଶାସନ କରିବେ, ଏହା ବିଶ୍ୱାସ କରିବୁଁ କିପରି-? ପୁନଶ୍ଚ ଗଣତନ୍ତ୍ର ଶାସନର ଲୋକ ପ୍ରତିନିଧି ଦେଶସ୍ଥ ଏକ ଏକ ଭାଗର ଲୋକ ହୋଇଥିବା ସ୍ଥଳେ, ସେହି ସେହି ବ୍ୟକ୍ତି ସେହି ସେହି ଭାଗର ସ୍ୱାର୍ଥ ପାଇଁ ଚେଷ୍ଟା ନ କରି ଦେଶର ସ୍ୱାର୍ଥ ପାଇଁ ଚେଷ୍ଟା କରିବେ, ଏଥିର ବା ପ୍ରମାଣ ପାଇବୁଁ କିପରି ? ଗଣତନ୍ତ୍ର ପ୍ରଣାଳୀରେ ନିର୍ବାଚିତ କଟକର ଲୋକ କଟକର ସ୍ୱାର୍ଥରେ, ବେପାରୀ ଲୋକ ବେପାରୀଙ୍କ ସ୍ୱାର୍ଥରେ ଜଡ଼ିତ ହୋଇ ନ ପଡ଼ିବେ, ଏପରି କୌଣସି ନିଦାନ ଗଣତନ୍ତ୍ରର ଭୋଟଗ୍ରନ୍ଥରେ ଅଛି କି ?

 

ଅଛି । ନିର୍ବାଚିତ ଲୋକପ୍ରତିନିଧି ଦେଶର ଯେଉଁ ଭାଗର ଲୋକ ହୁଅନ୍ତୁ ପଛକେ, ଯେଉଁ ମଣ୍ଡଳୀରୁ ନିର୍ବାଚିତ ହୋଇଥାନ୍ତୁ ପଛକେ, ସେ ଲୋକ ସେ ଭାଗ ପାଇଁ, ସେ ମଣ୍ଡଳୀ ପାଇଁ ନିର୍ବାଚିତ ହୁଅନ୍ତି; ଦେଶପାଇଁ ନିର୍ବାଚିତ । ଏ ବିଧି ଗଣତନ୍ତ୍ରର ମୂଳତତ୍ତ୍ୱ । ଗଣତନ୍ତ୍ର ଶାସନର ପ୍ରତିନିଧି ଏକ ସ୍ଥାନର କି ଏକ ପକ୍ଷ ମାତ୍ରର ପ୍ରତିନିଧି ନୁହନ୍ତି, କି ତାଙ୍କ କର୍ତ୍ତବ୍ୟ ତେତିକି ପରିସରରେ ଆବଦ୍ଧ ରହେ ନାହିଁ–ରହିପାରେ ନାହିଁ । ବେପାରୀ ଗୋଷ୍ଠୀରୁ ଭୋଟ ପାଇ ନିର୍ବାଚିତ ହୋଇଥିଲେ ମଧ୍ୟ, କେବଳ ବେପାରୀ-ଗୋଷ୍ଠୀଙ୍କର ରକ୍ଷା-କରଣ, ବୃଦ୍ଧି-କରଣ, ଗଣତନ୍ତ୍ର ବିଧିରେ ନିର୍ବାଚିତ ବ୍ୟକ୍ତିଙ୍କର କାର୍ଯ୍ୟ ନୁହେଁ । ନିର୍ବାଚନ-ପ୍ରଦେଶର ମଧ୍ୟଦେଇ, ଏ ପ୍ରଦେଶର ସାହାଯ୍ୟ ନେଇ ସେ ବ୍ୟକ୍ତି ସମଗ୍ର ଦେଶ ପାଇଁ ନିଯୁକ୍ତ । ନିର୍ବାଚିତ ବ୍ୟକ୍ତିଙ୍କର କର୍ତ୍ତବ୍ୟ ସ୍ୱକୀୟ ନିର୍ବାଚନ-ମଣ୍ଡଳୀ ଅର୍ଥାତ୍ ପାକ୍ଷିକ ଦେଶ ପ୍ରତି; ପୁଣି ସମଗ୍ର ଦେଶ ପ୍ରତି । ଏବଂ ଯେଉଁଠାରେ ଅବା ଦେଶର ଅଂଶଗତ ସେବାରେ ସେ ନିଯୁକ୍ତ, ଏପରି ସେବା ସେହି ଅଂଶ ପାଇଁ ନୁହେଁ, ତାହା ଦେଶପାଇଁ ନିର୍ଦ୍ଦିଷ୍ଟ; ଏ ବ୍ୟକ୍ତିଙ୍କର ଅନ୍ତିମ ଲକ୍ଷ୍ୟ ସମୂହ ଦେଶବାସୀଙ୍କଠାରେ ।

 

ଗଣତନ୍ତ୍ର-ଦେଶର ଏକ ଏକ ଦେଶବାସୀ ନିଜେ ନିଜର ବା ଅପରର ଶାସକ ନୁହନ୍ତି, ଏହା ସତ୍ୟ । ତଥାପି ସେ ଶାସନ ସହିତ ଜଡ଼ିତ; କାରଣ ଯେଉଁମାନେ ଶାସକ, ସେମାନେ ସମଗ୍ର ବେଶବାସୀଙ୍କର ନିର୍ଯାସ । ନିର୍ବାଚକ-ମଣ୍ଡଳୀର ସମୂହଭୂତ-ପଦାର୍ଥରୁ ନିର୍ବାଚିତ-ମଣ୍ଡଳୀର ସୃଷ୍ଟି । ନିର୍ବାଚକ ନିର୍ବାଚିତ ସମ୍ବନ୍ଧ କ୍ଷଣସ୍ଥାୟୀ ସମ୍ପର୍କ ନୁହେଁ । ନିର୍ବାଚନ-ଘଟଣା ଶେଷ ହେବା ପରେ ମଧ୍ୟ ଏ ସମ୍ପର୍କ ଲାଗି ରହିଥାଏ । ନିର୍ବାଚିତ ବ୍ୟକ୍ତିଙ୍କୁ ନିର୍ବାଚକମାନଙ୍କର ମତିର ଗତି-ସ୍ଥିତି-ପରିବର୍ତ୍ତନ ସହିତ ଉତ୍ତମରୂପେ ପରିଚିତ ରହିବାକୁ ହୋଇଥାଏ ଓ ତଦନୁକ୍ରମରେ ନିଜର ପ୍ରତିନିଧି-ଦାୟିତ୍ୱ ତୁଲେଇବାକୁ ପଡ଼ିଥାଏ । ଅନ୍ୟ ପକ୍ଷରେ ଯେବେ ଶାସକ ବା ପ୍ରତିନିଧିମାନେ ନିର୍ବାଚିତ ହୋଇ ମନ୍ଦ ନିୟମର, ମନ୍ଦ ପ୍ରବୃତ୍ତିର ଅନୁଧାବନ କରି ମନ୍ଦ ଭାବରେ ଶାସନ କରନ୍ତି, ତେବେ ଏମାନଙ୍କୁ ନିର୍ବାଚିତ ମଣ୍ଡଳୀରୁ ବାହାର କରି ଦେବାର କ୍ଷମତା ନିର୍ବାଚକମାନଙ୍କଠାରେ ରହିଥାଏ । ଏ କ୍ଷମତାର ତାତ୍କାଳିକ ପ୍ରୟୋଗ ଘଟୁ ନ ଥିଲେହେଁ ପରବର୍ତ୍ତୀ ନିର୍ବାଚନରେ ସେହି ସେହି ମନ୍ଦ-ପ୍ରତିନିଧିମାନଙ୍କୁ ଭୋଟ ନ ଦେଇ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ବାଛିବାର କ୍ଷମତା ଲୋକମାନଙ୍କର ଅଛି । ଗଣତନ୍ତ୍ରହିଁ ଗଣତନ୍ତ୍ର-ଶାସନ-ବ୍ୟାଧିର ମହୌଷଧ ଅଟେ ।

 

ଗଣତନ୍ତ୍ରରେ ଶାସକ ଓ ଶାସିତ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଅସ୍ୱୀକାର କଲେ ସୁଦ୍ଧା ପରୋକ୍ଷ ସମ୍ପର୍କ ସ୍ୱୀକାର କରିବାକୁ ହେବ, କାରଣ ଶାସକ-ପରିଷଦ ପ୍ରତିନିଧି-ପରିଷଦରୁ ଉଦ୍ଭୂତ ଏବଂ ଯାହା ପ୍ରତିନିଧି-ପରିଷଦ ତାହା ଲୋକସମୂହ ଦ୍ୱାରା ନିର୍ବାଚିତ । ଏମାନେ ଜନକ-ଜନ୍ୟ ସମ୍ପର୍କରେ ଗ୍ରଥିତ, ତେଣୁ ତିନି ଶ୍ରେଣୀର ଲୋକ, ଅର୍ଥାତ୍ ସମଗ୍ର-ଦେଶବାସୀ ପାରସ୍ପରିକ ସମ୍ବନ୍ଧାନ୍ୱିତ । ଏତଦ୍‌ବ୍ୟତୀତ ଏ ଶାସନରେ ପ୍ରତିନିଧିର ଆସନ ସବୁ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ ମୁକ୍ତ । ଶ୍ରେଣୀତନ୍ତ୍ର ସମ୍ପର୍କରେ ଏପରି କଥା କୁହାଯାଇ ନ ପାରେ । ଶ୍ରେଣୀତନ୍ତ୍ରରେ ଶାସନ-କ୍ଷମତା ସୀମାବଦ୍ଧ ଗୋଷ୍ଠୀରେ (ଯଥା ମାଲିକ ବା ଶ୍ରମିକ ଗୋଷ୍ଠୀରେ) ଆବଦ୍ଧ । ଗଣତନ୍ତ୍ରରେ ପ୍ରତିନିଧି ବାଛିବାର ଅଧିକାର ସମଗ୍ର ଲୋକଶ୍ରେଣୀଙ୍କର ଥାଏ; ଶ୍ରେଣୀ-ତନ୍ତ୍ରରେ ଏ ଅଧିକାରରୁ କେହି କେହି ଲୋକ ବା ଲୋକଗୋଷ୍ଠୀ ବଞ୍ଚିତ ହୋଇଥାଆନ୍ତି । ଗଣତନ୍ତ୍ର ପ୍ରଦେଶସ୍ଥ ନିର୍ବାଚକ-ନିର୍ବାଚିତ, ଶାସକ-ଶାସିତ ବ୍ୟକ୍ତିମାନେ ପରସ୍ପରଠାରୁ ଦୃଶ୍ୟତଃ ଭିନ୍ନ, ବସ୍ତୁତଃ ଏମାନେ ଏକ ସମୂହର ଅନ୍ତର୍ଭୁକ୍ତ । ଯେଣୁ ଏମାନେ ଏକ ସମୂହର ପଦାର୍ଥ, ଶାସକପକ୍ଷ ଶାସିତ-ପକ୍ଷର ହିତ ସହିତ ପରିଚିତ, ମଧ୍ୟ ସମ୍ବନ୍ଧାନ୍ୱିତ । କିଣିଖିଆ ଲୋକଙ୍କର ହିତ କଅଣ, ଏ ହିତ କାହିଁରେ ଅଛି, ଏହା କେବଳ କିଣିଖିଆମାନଙ୍କୁ ଗୋଚର, ଅନ୍ୟମାନଙ୍କୁ ଆଗୋଚର, ତାହା ନୁହେଁ । ଯାହା ଏକ ପ୍ରଦେଶସ୍ଥ ଲୋକମାନଙ୍କର ହିତ ଘଟାଇଥାଏ, ତାହା ଯେ କେବଳ ସେହି ସେହି ସମ୍ପର୍କୀୟ ଲୋକଙ୍କର ଭାବନା-ବସ୍ତୁ, ସେହି ସେହି ନିର୍ଦ୍ଦିଷ୍ଟ ଲୋକ ଯେ କେବଳ ଏହା ସାଧିପାରି ଥାଆନ୍ତି, ଯେଉଁ ବ୍ୟକ୍ତି ତଦ୍‌ଭିନ୍ନ ସ୍ଥାନରୁ ଆସି ପ୍ରତିନିଧି ଆସନରେ ପ୍ରତିଷ୍ଠିତ, ସେ ବ୍ୟକ୍ତି ଯେ ଏପରି ହିତକୁ ଜାଣିବାରେ–ସାଧିବାରେ ଅକ୍ଷମ, ଏପରି ନୁହେଁ ।

 

ତଥାପି କେହି କେହି ଶାସକ-ଶାସିତ ମଧ୍ୟରେ ପ୍ରତ୍ୟକ୍ଷ ସମ୍ବନ୍ଧ ନିୟତ ରଖିବାପାଇଁ ଜିଦକରି ପାରନ୍ତି । କିନ୍ତୁ ଶାସନର ସମସ୍ତ କାର୍ଯ୍ୟରେ ଶାସିତମାନଙ୍କର ଅଗ୍ରିମ ପରାମର୍ଶ ନେଇ, ପାଇ, ଶାସନକାର୍ଯ୍ୟ ଚଳାଇବା ସମ୍ବବପର ହେଲେ ଶାସନତନ୍ତ୍ର ସେହିପରି ଗଢ଼ିବାର କେହି ଅବା ଚେଷ୍ଟା କରି ଥାଆନ୍ତେ । ମାତ୍ର ଏ ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇ ନ ପାରେ, ଶାସନ କାର୍ଯ୍ୟରେ ଲଗାଯାଇ ନ ପାରେ । ଶାସନଗତ ବିଷୟ-ବିଷୟ ଘେନି ଅନେକ କ୍ଷେତ୍ରରେ ଉଚିତ ପୁଣି ତୁରନ୍ତ ମୀମାଂସା ଲୋଡ଼ା ହୋଇଥାଏ । ଏପରି ଅବସ୍ଥାରେ ନିର୍ବାଚକମାନଙ୍କ ଆଦେଶ ପ୍ରତି ଅପେକ୍ଷା ରଖିଲେ, ଶାସନ କାର୍ଯ୍ୟ ଅଚଳ ହୋଇପଡ଼େ । ବାଟୋଇ ଲୋକକୁ ଯେପରି ପ୍ରତି ପାଦବିକ୍ଷେପ ପୂର୍ବରୁ ଆଗକୁ ପଛକୁ, ଏଆଡ଼କୁ ସେଆଡ଼କୁ ଅନାଇବାକୁ ହୁଏ ନାହିଁ, ପ୍ରତିନିଧି ତଥା ଶାସକ-ମଣ୍ଡଳୀ ପକ୍ଷରେ ସେହିପରି । ଆଇନକାନୁନର ବା ଶାସନ ମାର୍ଗର ସାଧାରଣ ନିର୍ଦ୍ଦେଶ ପାଇ ଯେଉଁ ବ୍ୟକ୍ତି ଦେଶ ନିମିତ୍ତ, ଦେଶର ଆଇନ ଗଢ଼ିବାରେ, ଦେଶ ଶାସନ କରିବାରେ ଅସମର୍ଥ, ସେ ଲୋକ ଲୋକ-ପ୍ରତିନିଧି, ଲୋକଶାସକପଦବୀ ପାଇବାର ଅଯୋଗ୍ୟ । ଗଣତନ୍ତ୍ରର ବିଶେଷତ୍ୱ ରହିଛି, ସମଗ୍ର ଲୋକଶ୍ରେଣୀ ପ୍ରତିନିଧି ବାଛିବାର କ୍ଷମତା ପାଇବାରେ । ଏହାର ମହତ୍ତ୍ୱ ରହିଛି, ଉପଯୁକ୍ତ ପ୍ରତିନିଧି ବାଛି ଏମାନଙ୍କୁ ଉପଯୁକ୍ତ କ୍ଷମତା ଦେବାରେ । ଲୋକପ୍ରତିନିଧିଙ୍କ କାର୍ଯ୍ୟ ଦେଶ ଶାସନପାଇଁ ଉଚିତ ଆଇନକାନୁନ ପ୍ରଣୟନ କରିବା, କରି ତଦନୁଯାୟୀ ଶାସନ କାର୍ଯ୍ୟ ଚଳାଇବା ନିମିତ୍ତ ନେତୃଚାଳିତ ଶାସକ ସଂପ୍ରଦାୟଠାରେ (Ministerial Government) ଦାୟିତ୍ୱ ଅର୍ପିବା ।

 

ଅତଏବ ଉତ୍ତମରୂପେ ବିଚାର କରି କୁହା ଯାଇପାରେ ଯେ, ଗଣତନ୍ତ୍ର ଶାସନ ସେହି ଶାସନ, ଯହିଁରେ ଲୋକ ସାଧାରଣଙ୍କର ଓ ଲୋକପ୍ରତିନିଧି ବର୍ଗଙ୍କର, ଏହି ଉଭୟ ସ୍ତରର ଲୋକଙ୍କର ସ୍ଥାନ ଅଛି–କିଛି କିଛି କୃତିତ୍ୱ ମଧ୍ୟ ଅଛି । କିନ୍ତୁ ଏତିକି କହିଲେ ବିଷୟଟିର ଶେଷ ମୀମାଂସା ହେଲା ନାହିଁ । ପ୍ରଶ୍ନ ଉଠିପାରେ, ଶାସନ କୃତିତ୍ୱ କେଉଁ ସ୍ତରରେ ବେଶୀ ? ଏ ପ୍ରଶ୍ନର ଉତ୍ତର ପାଇଁ ଗଣତନ୍ତ୍ରର ମଜ୍ଜା ପରୀକ୍ଷା ଆବଶ୍ୟକ । ଗଣତନ୍ତ୍ରର ମଜ୍ଜା ପ୍ରତିନିଧିପରିଷଦ୍ । ଯେବେ ଦେଶର ସମୂହ-ମଙ୍ଗଳ ଗଣତନ୍ତ୍ରର ଉପେୟ ବସ୍ତୁ ଥାଇ, ତତ୍‌ ସାଧନା କଲେ, ପ୍ରତିନିଧି ସଂପ୍ରଦାୟର ସୃଷ୍ଟିକୁ ଉପାୟ ଭାବରେ ଗ୍ରହଣ କରାଯାଏ, ତେବେ ତହିଁ ସଙ୍ଗେ ନିର୍ବାଚିତ ବ୍ୟକ୍ତିଙ୍କ ହାତରେ ନିର୍ବାଚକଙ୍କ ଅପେକ୍ଷା ଅଧିକ ରାଜନୀତିକ କ୍ଷମତା ରହିବ, ଏ ନୀତି ଗ୍ରହଣ କରିବାକୁ ଆମ୍ଭେମାନେ ବାଧ୍ୟ । ନିର୍ବାଚକ-ନିର୍ବାଚିତ ସମ୍ପର୍କ ଏପରି ସମ୍ପର୍କ ଯେ, ନିର୍ବାଚକଙ୍କ କ୍ଷମତା ଥାଏ । ନୀତି ନିୟମ ପ୍ରସ୍ତୁତ କରିବାପାଇଁ ତଦନୁକ୍ରମେ ଦେଶ ଶାସନ ଚଳାଇବା ପାଇଁ, ଲୋକପ୍ରତିନିଧିମାନଙ୍କୁ ବାଛି, ଉଚିତ ଆସନରେ ବସାଇ, ସେମାନଙ୍କଠାରୁ ଉଚିତ କ୍ଷମତା କାଢ଼ିନେବାଦ୍ୱାରା ବା ଉକ୍ତ କ୍ଷମତା ପ୍ରୟୋଗରେ ବାଧାଦେବାଦ୍ୱାରା ପ୍ରତିନିଧିମୂଳକ-ଗଣତନ୍ତ୍ର-ଶାସନ (Represent-active Democracy) ପ୍ରତ୍ୟକ୍ଷ ଲୋକ-ଶାସନ (Direct Democracy or Mobocracy) ରେ ପରିଣତ ହୁଏ ।

 

ଗଣତନ୍ତ୍ରର ପରୀକ୍ଷାରେ ନିଯୁକ୍ତ ହେଲେ ଗୋଟିଏ ବିଷୟର ସବିଶେଷ ଆଲୋଚନା ଆବଶ୍ୟକ । ବିଷୟଟି ଗଣତନ୍ତ୍ରର ଲକ୍ଷ୍ୟ ସହିତ ସଂପୃକ୍ତ । ଗଣତନ୍ତ୍ରର ଲକ୍ଷ୍ୟ କଅଣ ବହୁତ ଲୋକଙ୍କର ମଙ୍ଗଳ-ସାଧନ ? ନାଁ ଲୋକମାନଙ୍କର ସମୂହ ମଙ୍ଗଳ-ସାଧନ ? ଏ ଦୁଇ ଲକ୍ଷ୍ୟ ମଧ୍ୟରେ ପ୍ରଭେଦ ଏହି କି, ପ୍ରଥମଟିରେ ଜନସଂଖ୍ୟା ଦେଶର ଏକମାତ୍ର ମୂଲ୍ୟବାନ୍ ବସ୍ତୁରୂପେ ପରିଣତ ହୁଏ । ଦ୍ୱିତୀୟଟିରେ ଲୋକସଂଖ୍ୟା ସହିତ ଶ୍ରେଣୀ-ଧର୍ମ-ରକ୍ଷଣ-ପାଳନ ଦେଶ ହିତରେ ସନ୍ନିବିଷ୍ଟ ରହିଥାଏ । ପ୍ରଥମ ଲକ୍ଷ୍ୟ ଅନୁସୃତ ହେଲେ ସଂଖ୍ୟାଗୁରୁ ଶ୍ରେଣୀର ଲୋକମାନେ ଶାସନ କ୍ଷମତା ନିଜ ହାତରେ ରଖି, ନିୟମ-ପଦ୍ଧତି ବାନ୍ଧି, ସଂଖ୍ୟାଲଘୁ ଶ୍ରେଣୀପ୍ରତି ଅବହେଳା କରିବା କିଛି ବିଚିତ୍ର ବିଷୟ ନୁହେ । କିନ୍ତୁ ଏପରି ଲକ୍ଷ୍ୟ, ଅର୍ଥାତ୍ ଯଦ୍ଦ୍ୱାରା ଏକଶ୍ରେଣୀର ଲୋକ ଅନ୍ୟ ଶ୍ରେଣୀଦ୍ୱାରା ପୀଡ଼ିତ ହୋଇପାରନ୍ତି, ସେପରି ଲକ୍ଷ୍ୟ, କୌଣସି ଶାସନ-ତନ୍ତ୍ରର କାମ୍ୟବସ୍ତୁ ହୋଇ ନ ପାରେ । ବାସ୍ତବରେ ଅଳ୍ପସଂଖ୍ୟକ-ଲୋକ ଶ୍ରେଣୀର ସ୍ୱାର୍ଥ କି ପ୍ରକାରରେ ସୁରକ୍ଷିତ ହେବ, ଗଣତନ୍ତ୍ରର ଏହା ଗୋଟିଏ ଜଟିଳ ସମସ୍ୟା । ଏଥିପାଇଁ କେହି କେହି ଦିଓଟି ପ୍ରତିନିଧି-ପରିଷଦ୍ ଗଢ଼ି ଅଳ୍ପ ଲୋକଶ୍ରେଣୀପାଇଁ ଏଥିମଧ୍ୟରୁ ଗୋଟିଏ ପରିଷଦ୍‌ରେ ଅନେକଗୁଡ଼ିଏ ଆସନ ପାଇବାର ବ୍ୟବସ୍ଥା କରି ଥାଆନ୍ତି, ଶାସନ କାର୍ଯ୍ୟରେ ଉଭୟ ପରିଷଦର ସହଯୋଗ ରହିବା ଭଳି ଯୋଜନା ମଧ୍ୟ ଦେଇ ଥାଆନ୍ତି । ଅନ୍ୟ କେହି କେହି ଏହି ଅଳ୍ପସଂଖ୍ୟକ ଲୋକଙ୍କର ରକ୍ଷଣାବେକ୍ଷଣ ନିମିତ୍ତ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି, ତାହାକୁ ଶାସନ ଖସଡ଼ାର ଅଙ୍ଗଭୂତ କରିଥାଆନ୍ତି । ପୁଣି ଅନ୍ୟ କେହି କେହି ଏ ଦାୟିତ୍ୱ ଦେଶ ଉପରେ ନ ଥୋଇ ଆନ୍ତର୍ଜାତିକ ସମୂହ ଉପରେ ଥୋଇ ଥାଆନ୍ତି । ଏଥିରୁ ସହଜରେ ବୁଝାଯାଏ ଯେ, ଗୁରୁ-ଲଘୁ-ଶ୍ରେଣୀ ପ୍ରତି ଦେଶର ସବୁ ଅଙ୍ଗ ପ୍ରତି ଲକ୍ଷ୍ୟ ରଖିବା, ଏ ପ୍ରକାର ଲକ୍ଷ୍ୟର ଅନୁବର୍ତ୍ତୀ ହୋଇ କାର୍ଯ୍ୟରେ ନିଯୁକ୍ତ ରହିବା ଗଣତନ୍ତ୍ରର ପ୍ରଧାନ କର୍ତ୍ତବ୍ୟ ।

 

ବହୁତ ଲୋକଙ୍କର ସ୍ୱାର୍ଥ ଯହିଁରେ ଅଛି, ସେପରି କାର୍ଯ୍ୟ ସାଧିବା ଗାଣତାନ୍ତ୍ରିକର ଗୁରୁବସ୍ତୁ ହେଲେ ମଧ୍ୟ, ଗଣତନ୍ତ୍ର-ଶାସନ ଅଳ୍ପସଂଖ୍ୟକ ତଥା ବହୁସଂଖ୍ୟକ, ଏବଂବିଧ ବିବିଧ ଶ୍ରେଣୀର ରକ୍ଷଣ ପାଳନ ଦାୟିତ୍ୱ ନେଇଥାଏ । ନେବାର କାରଣ ଏହି ଯେ, ଏ ଶାସନ ଅଂଶ-ମୂଳକ କି ଅଂଶ ନିର୍ଦ୍ଦିଷ୍ଟ ନୁହେଁ, ସମୂହ-ମୂଳକ, ସମୂହ-ନିଯୁକ୍ତ ଅଟେ । ଗଣତନ୍ତ୍ରର ଶାସକ ଆଦର୍ଶବାଦୀ, ମଧ୍ୟ ଆଦର୍ଶ ପ୍ରଥା ସମଗ୍ର ଦେଶବାସୀଙ୍କର ସର୍ବାଙ୍ଗୀନ ଜୀବନରେ ସଂସ୍ଥିତି ଆଣିବା, ଅଗ୍ରଗତି ଘଟାଇବା, ସବୁଶ୍ରେଣୀ ପ୍ରତି ଉପଯୁକ୍ତ ସେବା ଧର୍ମ ଆଚରିବା ଗଣତନ୍ତ୍ରର ଆଦର୍ଶ, ମଧ୍ୟ କାର୍ଯ୍ୟ । ଗଣତନ୍ତ୍ର-ଶାସନରେ ଏ ଜାତୀୟ ସେବାଧର୍ମ ଉପରେ କାହିଁ କାହିଁ ବିଭ୍ରାଟ ଆସିଥାଏ, ଏ ଶ୍ରେଣୀ ବା ସେ ଶ୍ରେଣୀ ପ୍ରତି ଅନୁଚିତ ବ୍ୟବହାର ହୋଇଥାଏ; କିନ୍ତୁ ସେଥିପାଇଁ ଦୋଷ ଶାସନର ନୁହେ, କି ଶାସନଗତ ଆଦର୍ଶର ନୁହେ । ଦୋଷ ଆମ୍ଭମାନଙ୍କର । ଦେଶବାସୀଙ୍କର, ଶାସକ ତଥା ଶାସିତଙ୍କର ଦୃଷ୍ଟିଗତ କ୍ଷୀଣତା, ମାନସିକ କ୍ଷୁଦ୍ରତା, ନୈତିକ ଦୁର୍ବଳତା ହେତୁରୁ ଏ ତ୍ରୁଟି ଘଟିଥାଏ । ଗଣତନ୍ତ୍ରର ଶାସନ ନିର୍ଦ୍ଦେଶ ଯେପରି ମହତ୍, ତହିଁର ଆଦର୍ଶ ମଧ୍ୟ ସେହିପରି ବୃହତ୍; କିନ୍ତୁ ଯେଉଁମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ, ସେମାନଙ୍କର ଉପଯୁକ୍ତ ଭାବନା-ବେଦନା-ସାଧନା ଥିବା ଆବଶ୍ୟକ । ଯେଉଁଠାରେ ସାମଗ୍ରୀ ଅଭାବ, ସେଠାରେ ଆଦର୍ଶର ବିକାଶ ଅସମ୍ଭବ ।

 

ଆଶାନୁରୂପ ଫଳପାଇବା ନିମିତ୍ତ ଗଣତନ୍ତ୍ର ଶାସନ ଗଢ଼ି, ତହିଁର ନିୟମ ପ୍ରଣାଳୀରେ ଆବଶ୍ୟକ ପରିବର୍ତ୍ତନ ଆମ୍ଭେମାନେ କରିଥାଉଁ, କ୍ରମଶଃ କରି ଆସୁଅଛୁଁ । କିନ୍ତୁ ଏତଦ୍ଦ୍ୱାରା ସେ ଆଶା ପୂର୍ଣ୍ଣକାମ ହୁଏ ନାହିଁ । ଗଣତନ୍ତ୍ରର କର୍ତ୍ତବ୍ୟ ଶାସନ-ଖସଡ଼ା ବଳରେ ସମାହିତ ହୁଏ ନାହିଁ, କି ଏ କର୍ତ୍ତବ୍ୟର ଯଥାଯଥ ସମ୍ପାଦନ ନିମିତ୍ତ ଶାସନର ବିଧିପଦ୍ଧତି ମାତ୍ର ଯଥେଷ୍ଟ ନୁହେ । ଶାସନଖସଡ଼ା ଯେତେ ଉନ୍ନତ, ମାର୍ଜିତ ହେଉ ପଛକେ–କରାଯାଉ ପଛକେ, ତହିଁ ସଙ୍ଗେ ଆମ୍ଭମାନଙ୍କର ଜାଣି ରଖିବା ଉଚିତ ଯେ, କୌଣସି ଶାସନତନ୍ତ୍ରକୁ ପରିପୂର୍ଣ୍ଣ ସର୍ବାଙ୍ଗସୁନ୍ଦର ବସ୍ତୁରୂପେ ଗ୍ରହଣ କରାଯାଇ ନ ପାରେ । ଦେଶର ବହୁତ ଲୋକ ଯେବେ ଅଯୋଗ୍ୟ ହୋଇଥାନ୍ତି, ହୋଇରହନ୍ତି, ଦେଶ ଭାଇମାନଙ୍କ ପ୍ରତି ଅଯୋଗ୍ୟ ବ୍ୟବହାର କରନ୍ତି, କରିବା ପାଇଁ ଫନ୍ଦି ଖୋଜି ବୁଲନ୍ତି, ତେବେ ଶାସନ-ତନ୍ତ୍ର ଏ ଦୁର୍ବ୍ୟବହାରରୁ ସେମାନଙ୍କୁ ରକ୍ଷା କରିବ କିପରି ? ରକ୍ଷା କରିବ ବା କେତେ ? ଶାସନ-ଖସଡ଼ା ଗୋଟିଏ ଯନ୍ତ୍ର । ଯନ୍ତ୍ର ମାନବର ସ୍ଥାନ, ବ୍ୟବହରଣୀୟ ବସ୍ତୁ ବ୍ୟବହର୍ତ୍ତାର ସ୍ଥାନ ନେଇ ନ ପାରେ, ତତ୍ତୁଲ୍ୟ କାର୍ଯ୍ୟ କରି ନ ପାରେ । ଗଣତନ୍ତ୍ରର କାର୍ଯ୍ୟପାଇଁ ଗାଣତନ୍ତ୍ରିକ ଲୋଡ଼ା । ଏ କାର୍ଯ୍ୟ ଦେଶବାସୀଙ୍କର ପ୍ରଶସ୍ତ ଲକ୍ଷ୍ୟ, ତଦୁପଯୋଗୀ ଶିକ୍ଷା-ନିଷ୍ଠା-ତ୍ୟାଗ-ସଂଯମର ଅବଲମ୍ୱନରେ କେବଳ ସମାହିତ ହୋଇଥାଏ, ହୋଇପାରେ ।

 

ଅଳ୍ପସଂଖ୍ୟକ ଗୋଷ୍ଠୀ ସହିତ ଅଳ୍ପ-ସଂଖ୍ୟକ ଗୋଷ୍ଠୀର ମତ ରକ୍ଷା ଜଡ଼ିତ । ଏ ମତର ଯଥୋଚିତ ବିଚାର ବିବେଚନା ଗଣତନ୍ତ୍ରର କାର୍ଯ୍ୟ । ଗଣତନ୍ତ୍ର ଶାସନ ଅନେକାଂଶରେ ପ୍ରବଳ-ମତ-ଚାଳିତ । ଉଦାହରଣ ସ୍ୱରୂପ, ଡିହଜମି ଉପରେ ପ୍ରଜାର ସ୍ୱତ୍ତ୍ୱ ରହିବ, କି ଜମିଦାରର ସ୍ୱତ୍ୱ ରହିବ, ଏହି ଦୁଇପକ୍ଷ ପାଇଁ ମତ ଲୋଡ଼ିବାରେ ଯେବେ ପ୍ରଥମ ପକ୍ଷରେ ବେଶୀ ଲୋକ ମତ ଦେଇଥାଆନ୍ତି, ତେବେ ଶାସନକାର୍ଯ୍ୟ ତଦନୁକ୍ରମେ ସମ୍ପାଦିତ ହୁଏ; ଶାସନ କ୍ଷମତା ମଧ୍ୟ ଏହି ମତାବଲମ୍ବୀ ବ୍ୟକ୍ତିଙ୍କ ହାତରେ ବେଶୀ ପରିମାଣରେ ରହିଯାଏ । ହେଲେ ମଧ୍ୟ, ରହିଲେ ମଧ୍ୟ, ଏହି ମତବାଦୀମାନେ, ଏହି ଶ୍ରେଣୀର ଲୋକମାନେ, ଅନ୍ୟ ମତବାଦୀଙ୍କୁ, ଅନ୍ୟଶ୍ରେଣୀର ଲୋକମାନଙ୍କୁ ଦେଶର ଶାସନ ପରିଧିରେ ସ୍ଥାନ ଦେଇଥାଆନ୍ତି, ସେହି ଲୋକମାନେ ସ୍ଥାନ ପାଇଥାଆନ୍ତି । ପ୍ରବଳମତ ପ୍ରବଳ ଥିବାଯାଏ, ଦୁର୍ବଳମତବାଦୀମାନେ ତତ୍‌ପ୍ରତି ସଂଗତ ସମାଲୋଚନା ଯୋଗାଇ, ତାହାକୁ ସଂଯତ, ସୀମାନିର୍ଦ୍ଦିଷ୍ଟ ରଖିବା ଚେଷ୍ଟା କରିଥାନ୍ତି । ଏ ଅଧିକାର ଗଣତନ୍ତ୍ରରୁ ପ୍ରାପ୍ତ । ଏତିକି ନୁହେଁ । ବଳିଷ୍ଠ ମତର ବିପକ୍ଷରେ ରହି, ତାହାର ଦୋଷ ତ୍ରୁଟି ଚିହ୍ନାଇଦେବା, ସୀମାଲଙ୍ଘନରେ ଯୁକ୍ତିଯୁକ୍ତ ବାଧା ଦେବା ଅଧିକାର, ତହିଁ ସଙ୍ଗେ ଦୁର୍ବଳ ମତକୁ ବଳିଷ୍ଠ କରିବାର, ତତ୍‌କଳ୍ପେ ସମସ୍ତ ନ୍ୟାଯ୍ୟ ସୁବିଧା ପାଇବାର ଅଧିକାର ମଧ୍ୟ ଦୁର୍ବଳ ମତବାଦୀଙ୍କର ଅଛି ।

 

ଯଦ୍ୟପି ଗଣତନ୍ତ୍ର ଶାସନ ପ୍ରବଳ ମତର ପୃଷ୍ଠପୋଷକ, ତଥାପି ତାହା ପ୍ରବଳ ଦୁର୍ବଳ ଉଭୟର ରକ୍ଷକ, ଉଭୟ ପକ୍ଷ ଦୃଷ୍ଟି-ସାପେକ୍ଷ । ଶାସକ ପକ୍ଷରେ ମଧ୍ୟ ଏହା ଏକମାତ୍ର ଯୋଗ୍ୟ ପନ୍ଥା । ଶାସକମାନେ ମାଲିକ ବା ମୂଲିଆ ଗୋଷ୍ଠୀର ବ୍ୟକ୍ତି ହୋଇପାରନ୍ତି । କିନ୍ତୁ ବେଶୀ ଭୋଟ ପାଇ ଯେଉଁ ଗୋଷ୍ଠୀରୁ ଆସନ୍ତୁ ନା କାହିଁକି, ଶାସନ କ୍ଷମତା ପାଇବା ମାତ୍ରକେ ରାଜୀତିକମାନେ ଗୋଷ୍ଠୀଗତ ଭାବନା-ମାଲିକଗତ ବା ମୂଲିଆଗତ ଭାବନା ବିସର୍ଜନ କରି ଦେଶଗତ ପ୍ରେରଣା-ସାଧନାରେ ନିଯୁକ୍ତ ରହନ୍ତି । ଶାସନ-କାର୍ଯ୍ୟ ଯେଉଁ ମତବାଦୀଙ୍କର ଆୟତ୍ତ ବସ୍ତୁ ହେଉ ନା କାହିଁକି, ଶାସନ-ନିଯୁକ୍ତି ତଥା ଶାସନ-ଶୁଦ୍ଧି ନିମିତ୍ତ ଏ ମତବାଦୀଙ୍କୁ ତଦ୍‌ଭିନ୍ନ ମତବାଦୀଙ୍କର ସହଯୋଗ ଖୋଜିବାକୁ–ନେବାକୁ ହୋଇଥାଏ । ଯେଉଁମାନେ ଶାସକ ପଦରେ ଅବସ୍ଥିତ, ସେମାନେ ଶାସନର ମୂର୍ତ୍ତି, କାର୍ଯ୍ୟ-ନିର୍ଘଣ୍ଟ ପ୍ରସ୍ତୁତ କରିଥାଆନ୍ତି । କିନ୍ତୁ ଶାସନପାଇଁ, ଉତ୍ତମ ଶାସନପାଇଁ, ଏତିକିମାତ୍ର ଯଥେଷ୍ଟ ନୁହେଁ । ଶାସକ-ଦତ୍ତ ଯୋଜନା ଓ ଶାସକ-ବିରୁଦ୍ଧ ସମାଲୋଚନା, ଏକମତର ପ୍ରେରଣା ଓ ତଦ୍‌ଭିନ୍ନ ମତର ତାଡ଼ନା, ଏକର ନୀତିନିର୍ଦ୍ଧାରଣ ଓ ଅନ୍ୟର ଦିକ୍-ନିରୂପଣ, ଏକର ଅଗ୍ରଗମନ, ଅନ୍ୟର ବେଗ-ସଂଯମନ, ଏହି ଉଭୟ ବସ୍ତୁର ଅବଲମ୍ବନରେ ଗଣତନ୍ତ୍ରର ପନ୍ଥା ନିର୍ଣ୍ଣୀତ ହୁଏ, ତତ୍‌ ତତ୍ ବସ୍ତୁ ସାହାଯ୍ୟରେ ଗଣତନ୍ତ୍ରର କାର୍ଯ୍ୟ ସାଧିତ ହୋଇଥାଏ । ଗଣତନ୍ତ୍ରଶାସନର ଆକୃତି ପ୍ରକୃତିରେ ପ୍ରବଳ ପକ୍ଷ, ଦୁର୍ବଳ ପକ୍ଷ ଉଭୟ ବସ୍ତୁ ବସ୍ତୁଭୂତ ।

 

ଗଣତନ୍ତ୍ରରେ ଶାସକ ପରିଷଦର ସ୍ୱରୂପ କିପରି ? ଏହା ଏକରଙ୍ଗ ବିଶିଷ୍ଟ କି ? ଏଥିରେ କଅଣ କେବଳ ସଂଖ୍ୟାଗୁରୁ ଶ୍ରେଣୀ ଅଙ୍ଗୀଭୂତ ? ଉତ୍ତରରେ କୁହାଯାଇପାରେ ଯେ, ଯେବେ ଗଣତନ୍ତ୍ରରେ ଶାସନକର୍ତ୍ତବ୍ୟ ପ୍ରବଳ ତଥା ଦୁର୍ବଳ ମତ ପ୍ରତି ଦୃଷ୍ଟି ରଖିଥାଏ, ଉଭୟ ଦିଗରୁ ଅଳ୍ପ ବହୁତ ସାହାଯ୍ୟ ପାଇଥାଏ, ତେବେ ଶାସକ-ସମ୍ପ୍ରଦାୟରେ ଦୁର୍ବଳ ମତବାଦୀଙ୍କୁ ସ୍ଥାନ ନ ଦେବାର କାରଣ କଅଣ ହୋଇପାରେ ? କାରଣ ଏହି ଯେ, ଅନେକଙ୍କର ଆଶଙ୍କା, ପ୍ରବଳ ଦୁର୍ବଳ ଏକତ୍ର ରହିବାରେ କଳହ ଘଟିପାରେ; ଘଟିଲେ ଶାସନ-ଯନ୍ତ୍ର ଅଚଳ ହୋଇପାରେ । ଦୁର୍ବଳ ପକ୍ଷର ଲୋକମାନେ ନିଜ ନିଜର ମତକୁ ପୂର୍ଣ୍ଣ ଭାବରେ ଶାସନ-କ୍ଷେତ୍ରରେ ପ୍ରଯୁକ୍ତ ରଖିବାର ଚେଷ୍ଟା ଫଳରେ ପ୍ରବଳ ଲୋକଙ୍କଠାରୁ, ପୁଣି ପ୍ରବଳପକ୍ଷର ଲୋକମାନେ ଦୁର୍ବଳଙ୍କର ଅସ୍ତିତ୍ୱ ଅସ୍ୱୀକାର କରି ଏବଂ ଏମାନଙ୍କର ମତକୁ ଏକାବେଳକେ ଉପେକ୍ଷା କରି ସ୍ୱ ଗୋଷ୍ଠୀ ମାତ୍ରର ନିର୍ଦ୍ଦେଶ ନେଇ ଶାସନ କାର୍ଯ୍ୟ ଚଳାଇବା ଫଳରେ ଦୁର୍ବଳଙ୍କଠାରୁ ବାଧା ପାଇଥାଆନ୍ତି । ଏହି ପ୍ରକାରରେ ପାରସ୍ପରିକ ବାଦବିବାଦ ଜନ୍ମି, ଦେଶଗତ ଶାନ୍ତିଶୃଙ୍ଖଳା, ରାଜନୀତିକ ଏକତ୍ୱ, ଶାସନ-କର୍ତ୍ତୃତ୍ୱ ବିନଷ୍ଟ ହୋଇଯାଏ । କିନ୍ତୁ ଏପରି ହେବାର ସମ୍ଭାବନା ଥିଲେହେଁ, ଏହା ଯେ ନିଶ୍ଚୟ ଘଟିବ, ତାହା ନୁହେଁ । ମାନବଗଣ କୁକୁର ମାଙ୍କଡ଼ ଜାତୀୟ ପ୍ରାଣୀ ନୁହନ୍ତି ଯେ, ଏମାନେ ଏକତ୍ର ହେବାମାତ୍ରେ ପରସ୍ପର କାମୁଡ଼ା କାମୁଡ଼ି ହୋଇ, ଏକ ଅନ୍ୟକୁ ଆକ୍ରମଣ କରିବାରେ ଲାଗିଯିବେ । ବିଭିନ୍ନ ମତାବଲମ୍ବୀ ହୋଇ ମଧ୍ୟ ମାନବମାନବ ଏକତ୍ର ରହିପାରନ୍ତି, ପରସ୍ପର ପରସ୍ପରକୁ ଭାବନା ଯୋଗାଇ, ସହଯୋଗ ଦେଇ, ଶାସନ କରିପାରନ୍ତି । ଯାହା କୁକୁର-ମାଙ୍କଡ଼ ପକ୍ଷରେ ଅସମ୍ଭବ, ତାହା ମନୁଷ୍ୟ ପକ୍ଷରେ ସମ୍ଭବ ।

 

ଅତଏବ ଆମ୍ଭେମାନେ କହିପାରୁଁ ଯେ, ଯଦ୍ୟପି ପ୍ରଚଳିତ ଗଣତନ୍ତ୍ରରେ ଦୁର୍ବଳ ମତବାଦୀ ଶାସକଙ୍କ ଆସନରେ ସାଧାରଣତଃ ସ୍ଥାନ ପାଇ ନଥାନ୍ତି, ଏ ପ୍ରକାର ସ୍ଥାନ ଦେବା-ନେବାଦ୍ୱାରା ଗଣତନ୍ତ୍ର ପଣ୍ଡ ହୁଏ ନାହିଁ । ବରଂ କ୍ଷୁଦ୍ରମତକୁ, ବୃହତ୍‍ମତକୁ, ଉଭୟ ଶ୍ରେଣୀର ଲୋକଙ୍କୁ ନେଇ, ପ୍ରଶସ୍ତ ଭିତ୍ତି ଉପରେ, ଉଦାରପନ୍ଥାର ଅବଲମ୍ୱନରେ ଉତ୍କୃଷ୍ଟ ଗଣତନ୍ତ୍ର ଶାସନ ଗଢ଼ା ଯାଇପାରେ । ଉଭୟଙ୍କର ଦେଶ ପ୍ରତି ଅର୍ପିତ ବିଶିଷ୍ଟ ଦ୍ରବ୍ୟଦ୍ୱାରା ଏ ଶାସନ ପରିପୁଷ୍ଟ ହୋଇପାରେ । ଏକାଧିକ ଶ୍ରେଣୀକୁ ଶାସକ-ଆସନରେ ବସାଇବାଦ୍ୱାରା ଶ୍ରେଣୀ-ଶ୍ରେଣୀର ଉଗ୍ରପନ୍ଥାକୁ ଖର୍ବ କରାଯାଇପାରେ । କିନ୍ତୁ ଏପରି ଶାସନ କାର୍ଯ୍ୟକାରୀ ହେବାକୁ, ରହିବାକୁ ହେଲେ, ଦୁଇପନ୍ଥୀଙ୍କର ସମୂହ ଦେଶଯୋଗ୍ୟ ଆଦର୍ଶର ଯଥାଯଥ ଜ୍ଞାନ ଥିବା ଆବଶ୍ୟକ, ପ୍ରତ୍ୟେକଙ୍କର ଐକଦେଶିକ ମତର ପ୍ରୟୋଜନୀୟ ଶୋଧନମାର୍ଜନ ସଂଘଟିତ ହେବା, ପରସ୍ପର ସହଯୋଗରେ ବିଶ୍ୱାସ ରହିବା ଆବଶ୍ୟକ । ଯେବେ ତାହା ନ ହୋଇ, ନ ଥାଇ, ଦୁଇ ଶ୍ରେଣୀଙ୍କ ମଧ୍ୟରେ ସଂଘର୍ଷ ମାତ୍ର ସାର ହୋଇଥାଏ, ଯେବେ ବୃହତ୍ କ୍ଷୁଦ୍ରକୁ ପାର୍ଶ୍ୱରେ ସ୍ଥାନ ଦେଇ ତତ୍‌ପ୍ରତି ଅବିଚାର କରୁଥାଏ, କ୍ଷୁଦ୍ର ଶ୍ରେଣୀ ବୃହତ୍‍ ଶ୍ରେଣୀର କାର୍ଯ୍ୟକୁ, ସମୂହ-ଲକ୍ଷ୍ୟ-ସାଧନ କଳ୍ପେ ନିୟନ୍ତ୍ରିତ ନ ରଖି ସେ କାର୍ଯ୍ୟକୁ ଅକାର୍ଯ୍ୟ କରିବାରେ ଲାଗି ରହିଥାଏ, ତେବେ ଶାସକ କାର୍ଯ୍ୟ ଅସମ୍ଭବ ହୋଇପଡ଼େ । ଗଣତନ୍ତ୍ର ଶାସନ ଶ୍ରେଣୀ ଶ୍ରେଣୀଙ୍କର ସମ୍ମିଳିତ–ସମନ୍ୱିତ ଶାସନ, ପୁଣି ତାହା କେବଳ ଜାତୀୟ ଭାବାପନ୍ନ ଶ୍ରେଣୀମାନଙ୍କର ଶାସନ ଅଟେ ।

Image

 

Unknown

ଗଣତନ୍ତ୍ରର ପରୀକ୍ଷା (୨)*

 

ଆମ୍ଭେମାନେ ଗଣତନ୍ତ୍ରର ଭକ୍ତ; କିନ୍ତୁ ଏହାର ଭୁକ୍ତ ନୋହୁଁ, ଯେହେତୁ ଗଣତନ୍ତ୍ରରେ ଶାସନ କାର୍ଯ୍ୟ ଗୋଟିଏ ସହଜ ପଦ୍ଧତି । ଗଣତନ୍ତ୍ର ଶାସନ ଭୀଷଣ ଶାସନ; ଗଣତନ୍ତ୍ରର କର୍ତ୍ତବ୍ୟ ଭୀଷଣ କର୍ତ୍ତବ୍ୟ; କାରଣ ଲୋକ-ଲୋକ, ଗୋଷ୍ଠୀ-ଗୋଷ୍ଠୀ, ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସାମଞ୍ଜସ୍ୟ ରଖିବା, ଲୋକସମୂହଙ୍କର ସମୂହ-ଉନ୍ନତି ବୁଝି ପାରିବା, ତାହାକୁ ବୁଝି ସେହି ପ୍ରକାରରେ ନିଜନିଜକୁ ନିଯୁକ୍ତ ରଖିବା ଅନନ୍ୟସାଧାରଣ ଶକ୍ତି-ସାପେକ୍ଷ । ସମାଜସ୍ଥ ପରସ୍ପରାଭିମୁଖୀ ଦାବୀଦାର ପ୍ରତିଦାବୀଦାର, ଏ ଶ୍ରେଣୀ ସେ ଶ୍ରେଣୀ ପ୍ରତି ନିରପେକ୍ଷ ରହି ଉଭୟଙ୍କ ନିମିତ୍ତ ପଦାର୍ଥ ଯୋଗାଇବା ବିଜ୍ଞ, ଅଭିଜ୍ଞ ଓ ବଳିଷ୍ଠ ବ୍ୟକ୍ତିଙ୍କର କାର୍ଯ୍ୟ । ଗଣତନ୍ତ୍ରରେ ଏପରି ବ୍ୟକ୍ତି ସବୁ ସ୍ଥାନରେ ସବୁ ସମୟରେ ଶାସକର ଆସନ ପାଇ ପାରି ନଥାନ୍ତି । ପୁନଶ୍ଚ ଏପରି ବ୍ୟକ୍ତି ଏପରି ସ୍ଥାନ ପାଇ ଉଚିତ କାର୍ଯ୍ୟ କରିବାର ଇଚ୍ଛୁକ ଥିଲେ ମଧ୍ୟ ଅନ୍ଧ ଲୋକମତ ଭୟରେ ଅନେକ କ୍ଷେତ୍ରରେ କର୍ତ୍ତବ୍ୟ ପଥରୁ ଢଳି ପଡ଼ି ଥାଆନ୍ତି । ଗଣତନ୍ତ୍ର ଶାସନ ଯେଉଁ ସମୂହ ସୁଖଶାନ୍ତି ସୃଷ୍ଟି କରିଥାଏ, ସୃଷ୍ଟି କଳ୍ପେ ଯେଉଁ ପନ୍ଥାର ଆଶ୍ରୟ ନେଇଥାଏ; ସେ ଲକ୍ଷ୍ୟ, ସେ ପନ୍ଥାର ସାଧନ ଅନୁଧାବନ ନିମିତ୍ତ ଦେଶସ୍ଥ ବିଭିନ୍ନ ଲୋକଶ୍ରେଣୀଙ୍କଠାରୁ–ସମଗ୍ର ଦେଶବାସୀଙ୍କଠାରୁ ତ୍ୟାଗ ସାମଗ୍ରୀ ଲୋଡ଼ା ହୋଇଥାଏ । ଏ ତ୍ୟାଗ ଜ୍ଞାନତଃ ସ୍ୱତଃପ୍ରବୃତ୍ତ ହେବା ଉଚିତ । ଏଥିପାଇଁ ଗଣତନ୍ତ୍ରକୁ କ୍ଷତି ସହିବା ଭଳି ଦମ୍ଭ ସାମର୍ଥ୍ୟ ଦେଶମଣ୍ଡଳରେ ଉତ୍ପାଦନ କରିବାକୁ ବେଶୀ ଥିବା ପାଉଥିବା ଲୋକଙ୍କ ପ୍ରତି ଦାନ ଧର୍ମ ଦୀକ୍ଷା, ଅଳ୍ପ ଥିବା ପାଉଥିବା ଲୋକଙ୍କ ପ୍ରତି ସଂଯମ ଶିକ୍ଷା ଦେବାକୁ ପଡ଼ିଥାଏ । ଜାତି-ହିତର ଟେକ ସାରା ଦେଶରେ ସାରା ଜୀବନ ଯେପରି ଅକ୍ଷୁଣ୍ଣ ରହେ, ଗୋଷ୍ଠୀ-ହିତଦ୍ୱାରା ଯେପରି ଏବଂବିଧ ହିତ ଆସନଚ୍ୟୁତ ନ ହୁଏ, ସେଥିପ୍ରତି ଗଣତନ୍ତ୍ର ସର୍ବଦା ଜାଗ୍ରତ ରହିଥାଏ ।

 

*ପୂର୍ବବର୍ତ୍ତୀ ପ୍ରବନ୍ଧରେ ଗଣତନ୍ତ୍ର ଶାସନର ଗୋଟିଏ କଙ୍କାଳ ଦିଆ ହୋଇଅଛି । ଏହି ପ୍ରବନ୍ଧରେ ସେଥିପ୍ରତି ରୂପରେଖ ଦେବାର ଚେଷ୍ଟା କରାଯାଇଅଛି ।

 

କିମ୍ବା ଗଣତନ୍ତ୍ରରେ ସାମାଜିକ କର୍ତ୍ତବ୍ୟ ଅଳ୍ପ ସମୟରେ ସାଧିତ ହୋଇଯିବ, ସେଥିପାଇଁ ଆମ୍ଭେମାନେ ଗଣତନ୍ତ୍ରର ଭକ୍ତ, ଏପରି ନୁହେଁ । ସବୁ ଶ୍ରେଣୀପ୍ରତି ସମାନ ତଥା ଉଚିତ ବ୍ୟବହାର ଗଣତନ୍ତ୍ରର ମୁଖ୍ୟ କାର୍ଯ୍ୟ । ମାତ୍ର କେଉଁ ପନ୍ଥା ଅନୁସୃତ ହେଲେ, କେଉଁ ନିୟମର ଆଶ୍ରୟ ନେଲେ ଏ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଯିବ, ତାହା ଆମ୍ଭମାନଙ୍କର ଆଗୋଚର । ଏତାବତ୍‌କାଳ ମାନବର ବୁଦ୍ଧି କ୍ଷମତା, ଏ ପନ୍ଥା, ଏ ନିୟମ ଆବିଷ୍କାର କରିବାରେ ସମର୍ଥ ହୋଇପାରି ନାହିଁ । ଏଣୁକରି ଏହି ମାର୍ଗରେ ଗତିକଲେ, ସେହି ନିୟମ ଖଟାଇ ଦେଲେ, ଶାସନର ମନସ୍କାମନା ଏହି ମୁହୂର୍ତ୍ତରେ ସିଦ୍ଧ ହୋଇଯିବ, ଆମ୍ଭେମାନେ ଏହା କହି ନ ପାରୁଁ । ବସ୍ତୁତଃ ଗଣତନ୍ତ୍ରର ସୌଷ୍ଠବ ସମ୍ପାଦନ ଗୋଟିଏ କ୍ରମିକ ଘଟଣା । ଗଣତନ୍ତ୍ର-ସାଧନା ଜୀବନବ୍ୟାପୀ ସାଧନା । ଗଣତନ୍ତ୍ର ଶାସନ-ବିଧାନର ସମୟୋପଯୋଗୀ ପରିବର୍ତ୍ତନ ଦେଶ ପରିସ୍ଥିତିର ଯଥାର୍ଥ ଅନୁଭୂତି ସାହାଯ୍ୟରେ ସାଧିତ ହୁଏ । ରାଜନୀତିକ ଦାବୀ କ୍ଷମତା ପାଇଯିବାରେ ଗଣତନ୍ତ୍ରର କାର୍ଯ୍ୟ ଶେଷ ହୁଏ ନାହିଁ । ସାମାଜିକ ରାଜନୀତିକ ଦ୍ରବ୍ୟ ଘେନ ଗୋଷ୍ଠୀ ଗୋଷ୍ଠୀ ଶ୍ରେଣୀ ଶ୍ରେଣୀ ମଧ୍ୟରେ ସାମଞ୍ଜସ୍ୟ ରଖିବା ଗଣତନ୍ତ୍ରର ଚିରନ୍ତନ କାର୍ଯ୍ୟ । ଦେଶବାସୀଙ୍କର ଶିକ୍ଷାସଂସ୍କୃତି-ଦାବୀ-କର୍ତ୍ତବ୍ୟ-ଜ୍ଞାନ ଆସିବା ସଙ୍ଗେ, ଏମାନଙ୍କଠାରେ ନାଗରିକ ଜୀବନର ଉନ୍ମେଷଣ ସଂପ୍ରସାରଣ ଘଟିବା ଅନୁକ୍ରମେ ରାଜନୀତିର କ୍ଷମତାର ବିସ୍ତୃତି ଆସିଥାଏ । ଏକ ଏକ ସ୍ତରର ମଧ୍ୟ ଦେଇ ସ୍ତର ପରେ ସ୍ତର ଅତିକ୍ରମ କରି ଗଣତନ୍ତ୍ର କ୍ରମଶଃ ବିକଶିତ ହୋଇଥାଏ; ଏକ ସ୍ତରରେ ଆରୋହଣ କରି, ସେ ସ୍ତରର ଯଥାଯଥ କର୍ତ୍ତବ୍ୟ ଯଥାଯଥରୂପେ ସାଧିପାରି, ଉନ୍ନତସ୍ତର ପ୍ରତି ଯୋଗ୍ୟତା ଅର୍ଜି ପାରିଥାଏ । ଅନ୍ୟ ଜାଗତିକ ବିଷୟ ଯେପରି, ଗଣତନ୍ତ୍ର ସେହିପରି ବିବର୍ତ୍ତନ ନୀତିର ଅଧୀନ । ଗଣତନ୍ତ୍ର ମାନବ ଜୀବନରେ ହଠାତ୍ ଆସି ପଡ଼େ ନାହିଁ, କି ଏକ ସମୟରେ ତାହା ପରିପକ୍ୱତା ପାଇ ଯାଏ ନାହିଁ । ଗଣତନ୍ତ୍ର ଗୋଟିଏ ଐତିହାସିକ ଘଟନା; ଏହାର କ୍ରମିକ ପ୍ରସାର ମଧ୍ୟ ଇତିହାସର ବସ୍ତୁ । ସମ୍ଭବତଃ ଗଣତନ୍ତ୍ରର ପ୍ରଥମ ସ୍ତର ଶ୍ରେଣୀ-ଶାସନରେ ଆବଦ୍ଧ ଥିଲା । ଆଦିମ ଅବସ୍ଥାରେ ଲୋକମାନଙ୍କୁ ଶାସନ କରିବା ନିମିତ୍ତ ପ୍ରଥମତଃ ସୈନିକ ଶ୍ରେଣୀର ସାହାଯ୍ୟ ନେବାକୁ ହୋଇଥାଏ । ତତ୍ପରେ ଆବଶ୍ୟକ ଜ୍ଞାନ ଅଭିଜ୍ଞତା ଅର୍ଜନ କରି ପାରି ବଂଶଗୁଣ ଭୂଷିତ ଲୋକଶ୍ରେଣୀ ରାଜନୀତିକ କ୍ଷମତା ନିଜ ହାତକୁ ନେଇ ଥାଆନ୍ତି । ଏପରି କ୍ଷମତା ଏହି ସୀମାରେ କିଛିଦିନ ରହିବା ସଙ୍ଗେ ଧନିକ ଶ୍ରେଣୀ ସେ ଅଧିକାର ଅର୍ଜିପାରି ଥାଆନ୍ତି । ଶେଷରେ ଜନସାଧାରଣଙ୍କ ମଧ୍ୟରେ ଉପଯୁକ୍ତ ଶିକ୍ଷାର ବିସ୍ତୃତି ଘଟି ରାଜନୀତିକ କ୍ଷମତା ପରିଧିର ବିସ୍ତୃତି ଘଟିଥାଏ । ଭୋଟଗତ ଶାସନଗତ ଅଧିକାର ସବୁଲୋକ ଶ୍ରେଣୀଙ୍କ ପାଇଁ ମୁକ୍ତ ହୋଇଥାଏ । ଗଣତନ୍ତ୍ର ନୀତିର ବିକାଶ ମାର୍ଗ ସମ୍ପର୍କରେ ଗ୍ରେଟ୍ ବ୍ରିଟେନର ଶାସନ ସଂସ୍କରଣ ଗୋଟିଏ ଜୀବନ୍ତ ଉଦାହରଣ । ଗ୍ରେଟବ୍ରିଟେନ ଗଣତନ୍ତ୍ରର ପଥ-ପ୍ରଦର୍ଶକ, ମଧ୍ୟ ପ୍ରଥମ ପ୍ରବର୍ତ୍ତକ । ଏବଂ ସେହି ଲୋକମାନ୍ୟ ବ୍ରିଟିଶ ଜାତିର ବହୁଶତବର୍ଷବ୍ୟାପୀ ଅବିରତ ଅକ୍ଳାନ୍ତ ଶ୍ରମ-ନିଯୁକ୍ତି-ଶିକ୍ଷା-ପ୍ରଶସ୍ତି ଫଳରେ ଗାଣତନ୍ତ୍ରିକ କ୍ଷମତା ସେ ଦେଶରେ ଅଳ୍ପଦିନ ହେବ ସମଗ୍ର ଦେଶବାସୀଙ୍କର ପଦାର୍ଥ ହୋଇ ପାରିଅଛି ।*

 

*First Parliament was formed by Simon in 1265, but Great Britain secured adult franchise in 1918.

 

ଅଥବା ଏହା ସତ୍ୟ ନୁହେ ଯେ, ଗଣତନ୍ତ୍ର ଲୋକହିତକର ଶାସନ, ତେଣୁ ତାହା ଆମ୍ଭମାନଙ୍କର ଆଦରର ବସ୍ତୁ । ଗଣତନ୍ତ୍ରଦ୍ୱାରା ଲୋକହିତ ସାଧିତ ହୋଇଥାଏ ସତ୍ୟ; ପୁଣି ଏହା ସତ୍ୟ ଯେ, ସେହି ଜାତୀୟ ହିତ ଅନ୍ୟ ପ୍ରକାର ଶାସନଦ୍ୱାରା ସାଧିତ ହୋଇପାରେ । ପୌରାଣିକ ଯୁଗର ଜନକଙ୍କ ଶାସନ, ଐତିହାସିକ ଯୁଗର ଅଶୋକଙ୍କ ଶାସନ ବିଶୁଦ୍ଧ ଗଣତନ୍ତ୍ର ଶ୍ରେଣୀର ନୁହେ; ନ ହୋଇ ସୁଦ୍ଧା ଏ ଦୁଇ ଶାସନରେ ଜନହିତ ସଂଗଠନର ଆଦର୍ଶ ଚିତ୍ର ଆମ୍ଭମାନଙ୍କ ସମ୍ମୁଖରେ ଜୀବନ୍ତ ପଦାର୍ଥ ରୂପେ ବର୍ତ୍ତମାନ ରହିଅଛି । ଶାସନ କାର୍ଯ୍ୟ ଲୋକଚାଳିତ ନ ହୋଇ ଏକ ବ୍ୟକ୍ତିଙ୍କ ବା ଶ୍ରେଣୀର ହାତରେ ରହି, ସେହି ବ୍ୟକ୍ତିଙ୍କ ବା ଶ୍ରେଣୀର ଶାସନ-ପଟୁତା, ମାନବିକ-ଉତ୍ତମତା, ସାଧନା-ଦୃଢ଼ତା ହେତୁରୁ ଉତ୍ତମ ଶାସନର ସ୍ଥାନ ନେଇପାରେ । ସବୁ ଲୋକଙ୍କୁ ଭୋଟ ଦେବାର କ୍ଷମତା ନ ଦେଇ, ଶାସନ କ୍ଷମତାକୁ ଉତ୍ତମ ମତାନୁକ୍ରମରେ ନିୟନ୍ତ୍ରିତ କରା ଯାଇପାରେ, ଶାସନକାର୍ଯ୍ୟକୁ ଉତ୍ତମ ସ୍ତରରେ ରଖାଯାଇ ପାରେ । ଊନବିଂଶ ଶତାବ୍ଦୀର ଶେଷଭାଗ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଗ୍ରେଟବ୍ରିଟେନନର ଶାସନ କର୍ତ୍ତୃତ୍ୱ ଏହିପରି ସୀମାବଦ୍ଧ ଲୋକଙ୍କର ଆୟତ୍ତବସ୍ତୁ ଥିଲା । ଏପରି ଥାଇ ମଧ୍ୟ, ଅନେକ ବ୍ରିଟିଶ ଲୋକଙ୍କୁ ଭୋଟ ଦେବା ଅଧିକାରରୁ ବଞ୍ଚିତ କରି ମଧ୍ୟ, ଉକ୍ତ ଶାସନ ପୂରାପୂରି ଗଣତନ୍ତ୍ର ଶାସନ ନ ହୋଇ ମଧ୍ୟ, ଉତ୍ତମ ଶାସନର ନାମ ଅର୍ଜି ପାରିଥିଲେ ।

 

ଆମ୍ଭମାନଙ୍କର ଗଣତନ୍ତ୍ର-ଭକ୍ତି ଗଣତନ୍ତ୍ରର ଆପଦଶୂନ୍ୟତା ପାଇଁ ମଧ୍ୟ ନୁହେଁ । ଗଣତନ୍ତ୍ର ଶାସନରେ ସ୍ଖଳନ ପଦେ ପଦେ ଘଟିବାର ସମ୍ଭାବନା ଅଛି,–ବିପଦର ଆଶଙ୍କା ରହିଅଛି । ବିପଦ ବିଭିନ୍ନ ଦିଗରୁ ଆସିଥାଏ; ପ୍ରଥମତଃ ଗଣତନ୍ତ୍ର ଶାସନ ସମ୍ପର୍କରେ ଲୋକମାନଙ୍କର ଉତ୍ତମ ଜ୍ଞାନର ଅଭାବ ହେତୁରୁ । ଗଣତନ୍ତ୍ର କର୍ତ୍ତବ୍ୟ, ଉକ୍ତ ଶାସନର କାର୍ଯ୍ୟକାରୀ କ୍ଷମତା ଯଥାର୍ଥରୂପେ ବୁଝି ନ ପାରି, ଏକ ଏକ ଲୋକ ବା ଗୋଷ୍ଠୀ ଅନେକ ସମୟରେ ଶାସକ ଓ ପ୍ରତିନିଧିମାନଙ୍କ ନିକଟରେ ଅସଙ୍ଗତ, ଅପରିମିତ ଦାବୀ ଉପସ୍ଥାପିତ କରିଥାଆନ୍ତି; ଏବଂ ଏପରି ଦାବୀ ଗୃହୀତ ଓ କାର୍ଯ୍ୟରେ ପରିଣତ ନ ହେଲେ, ଶାସନର ଶତ୍ରୁ ହୋଇ ପଡ଼ି ଥାଆନ୍ତି । କେହି କେହି ଆଳ ଧରିଥାନ୍ତି, ଏ ଶାସନ ଆମର ଶାସନ; ଆମର ସୁଖପାଇଁ । ସେମାନେ ପାସୋରି ଯାଇ ଥାଆନ୍ତି, ଏ ଶାସନ ସମଷ୍ଟି-ସୁଖ ପାଇଁ । ଅନ୍ୟ କେହି କେହି ମାତ୍ରାବୋଧ ଏଡ଼ିଦେଇ ଖୋଜି ଥାଆନ୍ତି ଘରେ ଘରେ ସ୍ୱର୍ଗସୁଖ; ତାହା ସଙ୍ଗେ ଦାବୀ କରିଥାନ୍ତି ଏପରି ସୁଖକୁ ଘରର ଏରୁଣ୍ଡି ପାଖେ ପହଞ୍ଚାଇ ଦେବା ପାଇଁ । ଆମ୍ଭମାନଙ୍କର ଅବଗତ ରହିବା ଉଚିତ ଯେ, କି କି ବସ୍ତୁ ଦେଇପାରେ, କେତେ ପରିମାଣରେ ଦେଇପାରେ, ତାହା ଘେନି ଗଣତନ୍ତ୍ର ଶାସନର କ୍ଷମତା ସୀମାବଦ୍ଧ । ଆହୁରି ମଧ୍ୟ ଅବଗତ ରହିବା ଉଚିତ ଯେ, ଦେଶ ଦେଶର ଶକ୍ତି ସାମର୍ଥ୍ୟ ଘେନି ଏ କ୍ଷମତାରେ ପରିମାଣଗତ ପାର୍ଥକ୍ୟ ବିଦ୍ୟମାନ । ଯେଉଁ ଦେଶ ପ୍ରତି ଯାହା ଉଚିତ ଓ ସମ୍ଭବ ତାହାକୁ ବାସ୍ତବ କରିବା, ସେଥିପ୍ରତି ଲାଗି ରହିବା ଗଣତନ୍ତ୍ରର ଧର୍ମ । ଏହା ମଧ୍ୟ ଧର୍ମ ଯେ, ଦାବୀଦାର, ପ୍ରତି-ଦାବୀଦାର, କିଣି-ଖାଇବା, ବିକି ପୋଷିହେବା ଲୋକ, ଏହିପରି ଦୁଇଶ୍ରେଣୀର ଲୋକଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରିବା । ଏ କାର୍ଯ୍ୟ ସାଧିବାକୁ ଯାଇ, ପ୍ରତ୍ୟେକ ଶ୍ରେଣୀର ବିଛିନ୍ନ ସ୍ୱାର୍ଥ ଅକ୍ଷୁଣ୍ଣ ରଖିବା ଶାସନ-କ୍ଷମତାର ଅସାଧ୍ୟ । ଗଣତନ୍ତ୍ର ଶାସନ ଦେଶପାଇଁ–ଦେଶର ସମଗ୍ର ଲୋକଙ୍କ ପାଇଁ ପଦାର୍ଥ ସୃଷ୍ଟି କରିଥାଏ,–କରୁଥାଏ ସତ୍ୟ, କିନ୍ତୁ ଏ ପ୍ରକାର ସୃଷ୍ଟିଗତ କ୍ଷମତା ଅସମ୍ଭବକୁ ସମ୍ଭବ କରି ନ ପାରେ, ସମଷ୍ଟିରେ ସୁଖ ସମ୍ପଦ ଘଟାଇବାକୁ ଯାଇ, ବ୍ୟଷ୍ଟିକୁ ପୂରାମାତ୍ରାରେ ତୃପ୍ତି ଦେଇ ନ ପାରେ-

 

ଦ୍ୱିତୀୟତଃ ପ୍ରତିନିଧି ନିର୍ବାଚନମଣ୍ଡଳୀର ଅଯୋଗ୍ୟତା ହେତୁରୁ ସମୁଦ୍ର ମନ୍ଥନରୁ ସାରପଦାର୍ଥ ପାଇବାର ଆଶାରଖି ଦେଶମୟ ଅବାଧ ନିର୍ବାଚନ କ୍ଷେତ୍ର ଗଣତନ୍ତ୍ର ସୃଷ୍ଟି କରିଥାଏ । କିନ୍ତୁ ନାନା ଅପ୍ରତ୍ୟାଶିତ କାରଣର ଏକଯୋଗ ଘଟିବାରୁ ବିପରୀତ ଫଳ ପାଇଥାଏ । ଗଣତନ୍ତ୍ର ଶାସନ ଭୋଟନୀତି ଉପରେ ଅବସ୍ଥିତ । ଏ ଶାସନଗତ ଉତ୍ତମତା-ଅଧମତା ଉପାର୍ଜିତ ଭୋଟ-କ୍ଷମତାର ଯୋଗ୍ୟାଯୋଗ୍ୟ ବ୍ୟବହାର ଉପରେ ନିର୍ଭର କରେ । ଯେବେ ଭୋଟଦ୍ୱାରା ଉପଯୁକ୍ତ ପ୍ରତିନିଧି ଆମ୍ଭେମାନେ ବାଛି ପାରିଥାଉଁ, ତେବେ ଶାସନ କାର୍ଯ୍ୟ ଉତ୍ତମ ସ୍ତରରେ ରହିଥାଏ, ଅନ୍ୟଥା ଏହାର ଅଧୋଗତି ଘଟିଥାଏ । ଯଦ୍ୟପି ଭୋଟଦ୍ୱାରା ପ୍ରତିନିଧି ବାଛିବା କ୍ଷମତା ଲୋକମାନଙ୍କୁ ଦିଆ ହୋଇଥାଏ, ଉକ୍ତ କ୍ଷମତାର ସଦ୍‌ବ୍ୟବହାର ସର୍ବତ୍ର ଦେଖିବାକୁ ମିଳେ ନାହିଁ । କେତେକ ଲୋକ ଏହି କ୍ଷମତା ବ୍ୟବହାର କରନ୍ତି ନାହିଁ, କେତେକ ପୁଣି ଉପଯୁକ୍ତ ପ୍ରତିନିଧି ଚିହ୍ନି ପାରନ୍ତି ନାହିଁ । ଆହୁରି କେତେକ ଜାଣିଶୁଣି ନିଜ ନିଜ ଭୋଟକୁ ଅସତ୍ ପ୍ରକାରରେ ଅପାତ୍ରରେ ଅର୍ପଣ କରିଥାଆନ୍ତି । ନିର୍ବାଚନ ଯୁଦ୍ଧରେ ସବୁବେଳେ ଯେ ଯୋଗ୍ୟବ୍ୟକ୍ତି ନିର୍ବାଚିତ ହୁଅନ୍ତି, ଏହା ନୁହେ । ଅନେକ ସମୟରେ ଲୋକମାନଙ୍କୁ କୌଣସି ପ୍ରକାରରେ ଭଣ୍ଡାଇ ଦେଇ ଅଯୋଗ୍ୟ, ଅଳ୍ପଯୋଗ୍ୟ ଲୋକେ–ସ୍ଥାନେ ସ୍ଥାନେ ଯୋଗ୍ୟ, ଅପେକ୍ଷାକୃତ ଯୋଗ୍ୟବ୍ୟକ୍ତିଙ୍କୁ ପରାସ୍ତ କରିଥାଆନ୍ତି-। ଯେଉଁ ସୁପୁରୁଷଙ୍କର ଜୟନ୍ତୀ ଉତ୍ସବ ଏ ସ୍ଥାନରେ ଏବେ ଏତେ ସମାରୋହରେ ଆମ୍ଭେମାନେ ପାଳନ କରିଥାଇଁ, ସେ ସ୍ଥାନର ସେ ଦିନର ନିର୍ବାଚନ ଦ୍ୱନ୍ଦ୍ୱରେ ସେହି ମାନବ-ଦେବତାଙ୍କର ଭୂତଳ ଧରିବା ଗୋଟିଏ ସାକ୍ଷାତ୍ ଘଟନା । (ଏଠାରେ ଜଣେ ସାମ୍ୟବାଦୀ ଯୁବକଦ୍ୱାରା ଆଚାର୍ଯ୍ୟ ହରିହର ଦାସ ପରାସ୍ତ ହେବା ଘଟନା ପ୍ରତି ଲକ୍ଷ୍ୟ କରାହୋଇଅଛି । ଏ ଘଟନା ପୁରୀଜିଲାରୁ ପ୍ରାଦେଶିକ କଂଗ୍ରେସ ପ୍ରତିନିଧି ନିର୍ବାଚନ ଘେନି ନିକଟରେ ଘଟିଅଛି । ଆଚାର୍ଯ୍ୟ ମହାଶୟଙ୍କର ଜୟନ୍ତୀ ଉତ୍ସବ ପାଳନ କରି, ଦେଶବାସୀମାନେ ସ୍ୱତଃ ପ୍ରବୃତ୍ତ ହୋଇ ତାହାଙ୍କୁ ଯେଉଁ ଟଙ୍କା ଥଳି ଉପହାର ଦେଇଥିଲେ, ତାହା ତାହାଙ୍କର ଅପେକ୍ଷାକୃତ ଅଧିକ ପ୍ରତିନିଧି ଯୋଗ୍ୟତାର ପରିଚୟ ଅଟେ-।)

 

ନିର୍ବାଚକମାନଙ୍କର ଉତ୍ତମ ବିଚାର ବିବେଚନା ଉପରେ ନିର୍ଭରତା ରଖି ନ ପାରି, ବିସ୍ତୃତ ନିର୍ବାଚନ-ମଣ୍ଡଳୀଠାରେ ବିଶ୍ୱାସ ସ୍ଥାପନ କରି ନ ପାରି, ଏତଦ୍‌ଜାତୀୟ ଜୟପରାଜୟର ବାସ୍ତବ ଉଦାହରଣ ସମ୍ମୁଖରେ ଦେଖି, ଅନେକ ଉପଯୁକ୍ତ ବ୍ୟକ୍ତି ମୁକ୍ତ-ନିର୍ବାଚନ-ପ୍ରଥା ପ୍ରତି ବୀତସ୍ପୃହ ହୋଇ ପଡ଼ିଛନ୍ତି । ପ୍ରତିନିଧି ହେବାର ଯୋଗ୍ୟତା ଥିଲେ, ଗାଣତାନ୍ତ୍ରିକ ବୁଦ୍ଧିବୃତ୍ତିର ଅଧିକାରୀ ଥାଇ ନୀତିଶାସ୍ତ୍ର-ଶାସନ-ବିଦ୍ୟାରେ ପଣ୍ଡିତ ହୋଇଥିଲେ, ଦେଶର ସ୍ଥିତିବାନ ମଙ୍ଗଳ ସାଧନାରେ ନିଜକୁ ନିଯୁକ୍ତ ରଖିଥିଲେ ଯେ ଗାଣତାନ୍ତ୍ରିକ ନିର୍ବାଚନରେ ଯଶସ୍ୱୀ ହେବ, ଏପରି ନୁହେ । ସେଥିପାଇଁ ଅନ୍ୟ ବିଷୟ, ଅନ୍ୟକ୍ଷମତା ଆବଶ୍ୟକ–ଯଥା ବାକ୍‌ପଟୁତା, ବହିର୍ଚିକଣତା, ସମୟସେବିତା, ସୁବିଧାବାଦିତା । ଯେଉଁ ଲୋକ କଥାର ଢଙ୍ଗରେ, ତର୍କର ଚହକରେ ଲୋକମାନଙ୍କୁ ମନେଇ ପାରେ, ଶ୍ରୁତି-ମଧୁର ବାକ୍ୟ ପ୍ରୟୋଗ କରିପାରେ, ନିଜର ଭାଷା, ଭାବଭଙ୍ଗିଦ୍ୱାରା ଲୋକମାନଙ୍କ ହୃଦୟରେ ଉନ୍ମାଦନା-ତରଙ୍ଗ ଉଠାଇ ପାରେ, କାଳ-ସ୍ରୋତରେ ଭାସିଯାଇ ପାରେ, ସମୟର ଗତିକ୍ରମେ ନିଜକୁ ସଜାଇ ପାରେ, ଭୋଟଦାତାଙ୍କର ମାନସିକ ଅବସ୍ଥା ଜାଣି ତାତ୍‌କାଳିକ ବ୍ୟବସ୍ଥା ଦେଇପାରେ, ନିର୍ବାଚନ ଭୂମିରେ ସେହି ଲୋକର କରାମତି ବେଶୀ । ନିର୍ବାଚନ ଯୁଦ୍ଧରେ ଅଯୋଗ୍ୟର ଜୟ, ଯୋଗ୍ୟର ପରାଜୟଦ୍ୱାରା ଗଣତନ୍ତ୍ର-କ୍ଷେତ୍ର ଅନେକ ସ୍ଥାନରେ କଳଙ୍କିତ ।

 

ଗଣତନ୍ତ୍ରର ତୃତୀୟ ବିପଦ, ଆମ୍ଭମାନଙ୍କର ମନୋବୃତ୍ତି ଉପରେ ଗୋଷ୍ଠୀଗତ ଭାବନାର ଅସଙ୍ଗତ ଅସଂଯତ ପ୍ରଭାବ ହେତୁରୁ । ଲୋକମତ ଗଢ଼ିବା ଓ ଲୋକମତକୁ ଆୟତ୍ତ କରିବାପାଇଁ ଗଣତନ୍ତ୍ର ଭୂମିରେ ଭିନ୍ନ ଭିନ୍ନ ରାଜନୀତିକ ସଂଘର ଉତ୍ପତ୍ତି ଘଟି ତଦନୁକ୍ରମେ ଏକ ଏକ ସଂଘ ନିଜ ନିଜର ବକ୍ତୃତା ମଞ୍ଚ, ସମ୍ବାଦପତ୍ର ସ୍ଥାପନ କରିଥାଆନ୍ତି । ତତ୍‌ତତ୍‌ ସାହାଯ୍ୟରେ ନିଜ ନିଜ ମତର ପୋଷକତା ଘଟାଇ ଥାଆନ୍ତି । ସେହି ମଞ୍ଚରେ, ସେହି ପତ୍ରରେ ଯାହା ପ୍ରକାଶ ପାଇଥାଏ, ଲୋକ-ଲୋକର, କାର୍ଯ୍ୟ-କାର୍ଯ୍ୟର, ନୀତି-ନୀତିର ଯେଉଁ ଯେଉଁ ଆଲୋଚନା-ସମାଲୋଚନା ହୋଇଥାଏ, ସେ ସମସ୍ତ ଅନେକ ସ୍ଥାନରେ ଯଥାର୍ଥତା-ନିର୍ଣ୍ଣୟ-ଦୃଷ୍ଟିରୁ ନୁହେଁ, ଦଳ-ପୋଷକତା ଦିଗରୁ । ଏକ ରାଜନୀତିକ ଗୋଷ୍ଠୀ ଅନ୍ୟ ରାଜନୀତିକ ଗୋଷ୍ଠୀର କର୍ମପନ୍ଥାକୁ ସମୂହ ଦୃଷ୍ଟିରୁ ବିଚାର ନ କରି ପକ୍ଷଦୃଷ୍ଟିରୁ ବିଚାର କରିଥାଆନ୍ତି । ପୁଣି ସମ୍ବାଦପତ୍ରରେ ଏହି ଏହି ବିଷୟ ପ୍ରକାଶ ପାଇବ, ସେହି ସେହି ବିଷୟମାନ ଅପ୍ରକାଶିତ ରହିବ, ବିଷୟ-ବିଷୟ ଏହି ପ୍ରକାରରେ ଆଲୋଚିତ ହେବ, ସେହି ସୀମାକୁ ଲଙ୍ଘନ ନ କରିବ, ଏସବୁର ଇଙ୍ଗିତ ସମ୍ବାଦ-ପତ୍ର ଆଗରୁ ପାଇଥାଆନ୍ତି । ଶାସକ ବା ଶାସକ-ବିରୋଧୀ ଗୋଷ୍ଠୀଙ୍କଠାରୁ ଏପରି ଇଙ୍ଗିତ ପାଇ ପତ୍ରଚାଳକମାନେ ତଦନୁସାରେ ଲେଖନୀ ଚଳାଇ ଥାଆନ୍ତି । ଗଣତନ୍ତ୍ର ପ୍ରଦେଶରେ ଦଳଗତଭାବନାର ପ୍ରାଦୁର୍ଭାବ ଦେଶ-ପକ୍ଷରେ ଅହିତକର ଘଟନା । ଦଳଗତ ଭାବନା ଫଳରେ ସମ୍ବାଦପତ୍ର ଦଳର କ୍ରୋଡ଼ପତ୍ରରେ ପରିଣତ ହୁଏ । ଏହି ଏହି ପତ୍ରିକା ଏହି ଏହି ଦଳର–ସେହି ସେହି ପତ୍ରିକା, ସେହି ସେହି ଦଳର କାର୍ଯ୍ୟ କରିବାରେ ଲାଗି ରହେ ।

 

ଅତୀତ ଘଟନା ସହିତ ଉତ୍ତମରୂପେ ପରିଚିତ ରହି, ବର୍ତ୍ତମାନ ଘଟନାର ଯଥାର୍ଥ ସମ୍ବାଦଦେବା, ସମସାମୟିକ ମତାମତକୁ ଉତ୍ତମ ବିଚାରରେ ଆଣିବା ସମ୍ବାଦପତ୍ରର ତଥା ସାହିତ୍ୟ-ପତ୍ରିକାର କାର୍ଯ୍ୟ । ଦେଶରେ ଏମାନେ ଶିକ୍ଷକସ୍ଥାନୀୟ । ଦେଶବାସୀଙ୍କୁ ଉଚିତ ଶିକ୍ଷା ଦେବା, ସତ୍ୟ ଘଟନା ଏମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବା, ଦେଶବାସୀ-ଦେଶବାସୀ ମଧ୍ୟରେ ନ୍ୟାୟଧର୍ମର ଟେକ ଅକ୍ଷୁଣ୍ଣ ରଖି ଉପଯୁକ୍ତ ଜନମତ ଗଢ଼ିବା, ଏ ସମସ୍ତର ଦାୟିତ୍ୱ ଏମାନଙ୍କ ଉପରେ । ଆହୁରି ମଧ୍ୟ ଏମାନଙ୍କର କାର୍ଯ୍ୟ ଯେ, ଦେଶର, ରାଜନୀତିକ ଜଗତର ଭବିଷ୍ୟତ ପନ୍ଥା ଘେନି ଆବଶ୍ୟକ ସୂଚନା ଦେବା । ଏପରି ସୂଚନା ଦେବାକୁ ହେଲେ, ଯାହା ଆସୁଛି, ସେପରି ଘଟନାର ଠିକ୍ ଅନୁମାନ କରିବାକୁ ହେଲେ, ସମ୍ବାଦ-ପତ୍ରର ଦୃଷ୍ଟି ବିଶୁଦ୍ଧ ଓ ଦେଶବ୍ୟାପୀ ରହିବା ଆବଶ୍ୟକ । ପୁଣି ଦେଶର ସମୂହ-ଜୀବନ-ସଂଗଠନ-ସଂବର୍ଦ୍ଧନ ସମ୍ବାଦପତ୍ରର ପ୍ରଧାନ କର୍ତ୍ତବ୍ୟ । ଏଥିପାଇଁ ସମ୍ବାଦପତ୍ର ପକ୍ଷରେ ଜାତୀୟବାଦ ଆଦର୍ଶର ଅନୁଧ୍ୟାନ ଅନୁଧାବନ ଏକାନ୍ତ ପ୍ରୟୋଜନ । କିନ୍ତୁ ଗଣତନ୍ତ୍ର ପ୍ରଦେଶରେ ଅନେକ ସମ୍ବାଦପତ୍ର ନାମତଃ ଜାତୀୟବାଦୀ, କାର୍ଯ୍ୟତଃ ପକ୍ଷବାଦୀ । ଆମ୍ଭେମାନେ ଦେଖୁଥାଇଁ, ସମ୍ବାଦ ପ୍ରକାଶ କରିବାକୁ ଯାଇ, ମତମତର ପରୀକ୍ଷାରେ ନିଯୁକ୍ତ ହୋଇ, ସମ୍ବାଦକୁ ଏକପ୍ରକାରରେ ପ୍ରକାଶ କରି, କାହିଁ ବା ଗୋପନକରି ସମ୍ବାଦ-ସମ୍ବାଦର ଯୋଜନ-ବ୍ୟାଖ୍ୟାନ ପାକ୍ଷିକ ଭାବରେ ଘଟାଇ ସମ୍ବାଦପତ୍ର ଏଆଡ଼କୁ ବା ସେଆଡ଼କୁ ଢଳି ପଡ଼ିଥାଏ । ଗୋଷ୍ଠୀ-ନିର୍ଦ୍ଦିଷ୍ଟ, ଗୋଷ୍ଠୀ-ପ୍ରକାଶିତ, ଗୋଷ୍ଠୀ-ବ୍ୟାଖ୍ୟାତ ବିଷୟ ସମ୍ମୁଖରେ ରହିବାଦ୍ୱାରା ସତ୍ୟର ମୁକ୍ତପଥ ଆବିଳତାରେ ଆଚ୍ଛନ୍ନ ହୋଇପଡ଼େ । ଯେଉଁ ଗଣତନ୍ତ୍ର ଶାସନ ଲୋକସ୍ୱାଧୀନତାର ଜନ୍ମଦାତା, ସ୍ୱାଧୀନ ମତ-ବିକାଶର ଆଲୋଚନା-ସମାଲୋଚନାର ରକ୍ଷାକର୍ତ୍ତା, ସେହି ଶାସନରେ ଲୋକମାନେ ଏକ ବା ଅନ୍ୟଗୋଷ୍ଠୀର ଅଧୀନ ହୋଇ ପଡ଼ିଥାଆନ୍ତି–ଆଂଶିକ ସତ୍ୟକୁ ପୂର୍ଣ୍ଣ ସତ୍ୟରୂପେ ଗ୍ରହଣ କରି ନେଇ ଥାଆନ୍ତି । ସ୍ୱାଧୀନ ମତ, ସ୍ୱାଧୀନ ଯୁକ୍ତିର ଅବାଧ କ୍ଷେତ୍ର ଗଣତନ୍ତ୍ର ଆମ୍ଭମାନଙ୍କୁ ଦେଇଥିଲେ ମଧ୍ୟ ନିର୍ମଳ ମତ ପ୍ରକାଶ, ନିର୍ମଳ ମତ ପରୀକ୍ଷା ଗଣତନ୍ତ୍ର ଭୂମିରେ ଅଳ୍ପମାତ୍ର ପ୍ରକଟିତ ହୋଇଥାଏ ।

 

ଚତୁର୍ଥବିପଦ ଗଣତନ୍ତ୍ରରେ ଗୋଷ୍ଠୀ-ଶାସନର ପ୍ରଭୁତ୍ୱ ହେତୁରୁ । ଗୋଷ୍ଠୀଗତ ଶାସନରେ ପ୍ରମାଦ ଅନେକ । ପ୍ରଥମତଃ ଗୋଷ୍ଠୀଗତ ଶାସନ ଦୃଷ୍ଟିରେ ଗୋଷ୍ଠୀ ଭିତରର ଲୋକ ଆଦରଣୀୟ, ଗୋଷ୍ଠୀ ବାହାରର ଲୋକ ଆଦରଶୂନ୍ୟ । ଦ୍ୱିତୀୟତଃ ଏ ପ୍ରକାର ଶାସନ ଏକଗୋଷ୍ଠୀର ଲୋକସଂଖ୍ୟା ବଢ଼ାଇବାରେ ନିଯୁକ୍ତ ରହିପାରେ । ତୃତୀୟତଃ ଗୋଷ୍ଠୀର କଳେବର ବୃଦ୍ଧି ପାଇଁ ନାନା ଉପାୟ, ସବୁ ଉପାୟ ଅକୁଣ୍ଠିତ ଭାବରେ ପ୍ରୟୋଗ କରିପାରେ । ଏପରିକି ଗୋଷ୍ଠୀ ବହିର୍ଭୁତ ଲୋକଙ୍କୁ ଏଠି ସେଠି ସ୍ଥାନ ଆସନ ଦେବାର ପ୍ରଲୋଭନ ଦେଖାଇ, କାହିଁ ଅବା କିଛି ସାମାନ୍ୟ ଉପକାର କରି ଗୋଷ୍ଠୀ ଭିତରକୁ ଆକର୍ଷଣ କରିପାରେ, ଆଣିପାରେ । ଚତୁର୍ଥତଃ ଗୋଷ୍ଠୀ ଶାସନ-ପନ୍ଥୀମାନଙ୍କର ଗୋଷ୍ଠୀରେ ଦେଶର ଭ୍ରମ ଘଟିପାରେ । ଯାହା ଗୋଷ୍ଠୀଗତ ଶାସନ, ତାହା ଦୃଶ୍ୟତଃ ଦେଶଗତ ହୋଇ କାର୍ଯ୍ୟତଃ ଏକ ଗୋଷ୍ଠୀରେ ନିବଦ୍ଧ ହୋଇପଡ଼େ । ଦେଶରେ ସ୍ଥାନ ପାଇବା ପାଇଁ ଗଣତନ୍ତ୍ର ପ୍ରଦେଶର ଲୋକକୁ ଏକ ବା ଅନ୍ୟ ଗୋଷ୍ଠୀର ଅଙ୍ଗୀଭୂତ ହେବାକୁ ହୋଇଥାଏ ଏବଂ ଏବେ ବେଶୀ ଲୋକଙ୍କୁ ନିଜ ଗୋଷ୍ଠୀ ମଧ୍ୟକୁ ଆଣି ପାରିଥାଏ, ତେବେ ଏତଦ୍ଦ୍ୱାରା ସେ ଲୋକର ବ୍ୟକ୍ତିଗତ କ୍ଷମତା ଯାହା ଥାଉ, ରାଜନୀତିକ କ୍ଷମତା ବୃଦ୍ଧି ପାଇଥାଏ ।

 

ଗୋଷ୍ଠୀଭୂତ ଲୋକର ଯେପରି ଗୋଷ୍ଠୀର ସେହିପରି ଅନ୍ତର୍ଭୁକ୍ତ ସଂଖ୍ୟାନୁକ୍ରମେ ରାଜନୀତିକ କ୍ଷମତାର ଆଧିକ୍ୟ ଘଟିଥାଏ । ଗଣତନ୍ତ୍ରରେ ପ୍ରବଳ ମତ-ପକ୍ଷ-ଲୋକଙ୍କର ରାଜନୀତିକ କ୍ଷମତା ବେଶୀ । ଏତେ କ୍ଷମତାର ମାଲିକ ହୋଇ ଯେବେ ଏମାନେ ସେହି କ୍ଷମତାକୁ ନିଜ ସମ୍ପ୍ରଦାୟ ମଧ୍ୟରେ ପୁଞ୍ଜୀଭୂତ କରନ୍ତି–ସେହିତକ ସ୍ୱାର୍ଥ ପାଇଁ ଲଗାଇ ରଖନ୍ତି, ଯେବେ କିଣିଖିଆ ଲୋକେ ବହୁତ ଭୋଟ ପାଇ ସଂଖାବହୁଳ ପ୍ରତିନିଧି ହୋଇ, ଶାସନକାର୍ଯ୍ୟ ହାତକୁ ନେଇ, କେବଳ କିଣିଖିଆ ଲୋକଙ୍କ ସ୍ୱାର୍ଥରେ ଜଡ଼ିତ ହୋଇ ପଡ଼ନ୍ତି, ତେବେ ମତ-ଲଘିଷ୍ଠ-ଶ୍ରେଣୀ–ଯଥା ବେପାରୀ ଗୋଷ୍ଠୀ–ଦେଶ ମଧ୍ୟରେ ହାହାକାର କରି ଥାଆନ୍ତି । ଏହା ଯେପରି ନ ଘଟେ ସେଥିପାଇଁ ଗଣତନ୍ତ୍ର ଶାସନ ସ୍ୱରୂପରେ କଟକଣା ରହିଥାଏ । ଏତତ୍ ସତ୍ତ୍ୱେ ରାଜନୀତିକ କ୍ଷମତାର ଅପବ୍ୟବହାର ସ୍ଥାନେ ସ୍ଥାନେ ଘଟିଥାଏ । ପ୍ରବଳ ପକ୍ଷର ଶାସକମାନେ ଗୋଷ୍ଠୀ-ସ୍ୱାର୍ଥରେ ପଡ଼ି ଦୁର୍ବଳ ପ୍ରତି ଅସୁନ୍ଦର ବ୍ୟବହାର କଲେ, ତହିଁ ଫଳରେ ଦେଶର ସ୍ୱାର୍ଥ ସମାଜବକ୍ଷରୁ ବିତାଡ଼ିତ ହୋଇ, ଏକ ଗୋଷ୍ଠୀର ସ୍ୱାର୍ଥ ସାରାଦେଶରେ ବଳବତ୍ତର ହୋଇପଡ଼େ । ପୁଣି, ଗଣତନ୍ତ୍ର-ଶାସନ ନୀତି-ମାର୍ଜିତ ଶାସନରୁ ସ୍ଖଳିତ ହୋଇ ଜୋରଜୁଲମ ହାକିମରେ ପରିଣତ ହୋଇଯାଏ । ମନେରଖିବା ଉଚିତ ଯେ, ଦୁର୍ବଳ ଉପରେ ମାଡ଼ି ଚକଟି ଯିବା, ରାଜଶକ୍ତିର ଅସତ୍ ପ୍ରୟୋଗ ବଳରେ ଦୁର୍ବଳ ପକ୍ଷକୁ ନିଜ ପରିଧିକୁ ଓଟାରି ଆଣିବା ଗଣତନ୍ତ୍ରର ଧର୍ମ ନୁହେଁ କି କୌଣସି ଗାଣତାନ୍ତ୍ରିକଠାରେ ଏ ପ୍ରକାର ଆଚରଣ ମାର୍ଜନୀୟ ନୁହେଁ । ଗଣତନ୍ତ୍ରରେ ଦୈହିକ ପାଶବିକ ଶକ୍ତିର ସ୍ଥାନ ନାହିଁ । ସମୂହ ହିତକୁ ସମ୍ମୁଖରେ ଥୋଇ, ନିର୍ମଳ ଯୁକ୍ତିର ଆଶ୍ରୟ ନେଇ ଲୋକମାନଙ୍କୁ ବୁଝାଇ ସମୁଜାଇ ଏ ଶାସନ ଶାସନକାର୍ଯ୍ୟରେ ନିଯୁକ୍ତ ରହିଥାଏ ।

 

ବିଦ୍ୟମାନ ଗଣତନ୍ତ୍ର ଶାସନରେ ଏ ପ୍ରକାର ଦୋଷ ତ୍ରୁଟି ଘଟୁଥିବା ଆମ୍ଭେମାନେ ଦେଖୁଥାଇଁ । ତେବେ କି କାରଣରୁ ଆମ୍ଭେମାନେ ଗଣତନ୍ତ୍ର ପ୍ରତି ଆକୃଷ୍ଟ ? ଆକର୍ଷଣର କାରଣ ପ୍ରଧାନତଃ ଚାରୋଟି । ପ୍ରଥମତଃ ଗଣତନ୍ତ୍ରରେ ଦେଶ-ଦେଶବାସୀ-ଦେଶଶାସନ ଏକସୂତ୍ରରେ ଗ୍ରଥିତ । ଶାସନ କାର୍ଯ୍ୟ ଯେଉଁ ଲୋକମାନଙ୍କ ହାତରେ ଥାଉ ପଛକେ, ଏମାନେ ସମଗ୍ର ଦେଶବାସୀଙ୍କର ସହଯୋଗ ଗ୍ରହଣ କରିବାକୁ ବାଧ୍ୟ । ଶାସନ ପାଇଁ ଏ ସହଯୋଗ ଆବଶ୍ୟକ ହୋଇଥାଏ ଏବଂ ସେହି ସହଯୋଗ ରହିଥିଲେ, ରହିଥିବା ପର୍ଯ୍ୟନ୍ତ ଏ ଶାସନ କାର୍ଯ୍ୟକାରୀ ରହିଥାଏ । ଗଣତନ୍ତ୍ର-ଶାସନରେ ଶାସକ ଓ ଶାସିତ ଏକ ଶରୀରଭୂତ ; ଏମାନେ ଯଥାର୍ଥତଃ ଏକଦେଶ ଗଢ଼ିବାରେ ସମର୍ଥ । ଶାସକ ଶାସିତଠାରୁ ବିଚ୍ଛିନ୍ନ ରହି ନ ପାରେ, ଶାସିତକୁ ଉପେକ୍ଷା କରି ନ ପାରେ । ଶାସିତଙ୍କ ସୁଖରେ ଶାସକଙ୍କ ସୁଖ । ଦ୍ୱିତୀୟତଃ ଗଣତନ୍ତ୍ର ସମଗ୍ର ଦେଶର ବିଭବ ଅଟେ । ଭୋଟଗତଦାବୀ, ରାଜନୀତିକ ଅଧିକାର ସମୂହ-ଦେଶଗତ-ଜୀବନର ସମୂହଗତ ଉପାର୍ଜନ; ତେଣୁ ଏ ଦାବୀ ଏ ଅଧିକାର ଅଳ୍ପ ଲୋକଙ୍କଠାରେ, ଦିଓଟି ଗୋଟିଏ ଶ୍ରେଣୀରେ, ମାଲିକ ବା ଶ୍ରମିକ ଶ୍ରେଣୀରେ ଆବଦ୍ଧ ରହି ନ ପାରେ । କେତେକ ଲୋକମାତ୍ର ଦେଶରେ ପ୍ରଭୁ ବୋଲାଉଥିବେ, ଅନ୍ୟମାନେ ଏମାନଙ୍କର ପାଣିଆପଟ ହୋଇ ରହିଥିବେ, ଏ ଅବସ୍ଥା ମାନବ-ଲୋକ ପକ୍ଷରେ ଅସ୍ୱାଭାବିକ । ଏପରି ଅବସ୍ଥା ସବୁ ସମୟର ଅବସ୍ଥା ହୋଇ ନ ପାରେ, ବେଶୀ ସମୟ ମଧ୍ୟ ରହି ନ ପାରେ । ରହିଲେ, ଏହାର ପ୍ରତିକ୍ରିୟା ଘଟିଥାଏ । ସମାଜ-ଗର୍ଭରୁ ପ୍ରତିରୋଧକ ଶକ୍ତି ଉତ୍‌ଥିତ ହୋଇ, ଏ ଅବସ୍ଥାର ସମାଧାନ ଆଣିଥାଏ । ମାନବ-ପ୍ରକୃତି ହସ୍ତକ୍ଷେପ କରି ଅସଡ଼ ଅବସ୍ଥାକୁ ସସଡ଼ କରିଥାଏ ।

 

ତୃତୀୟତଃ ଗଣତନ୍ତ୍ର ଶାସନ ସ୍ୱାୟତ୍ତଶାସନ, ଏବଂ ସ୍ୱାୟତ୍ତଶାସନ ମାନବର ଜୀବନଗତ-ଧର୍ମ । ମାନବ-ଶାସନରେ ମାନବର ସହଯୋଗ ମାନବିକ ଅଧିକାର ବସ୍ତୁ । ଯାହା ତାହାର ଅଧିକାର, ତାହାକୁ ପ୍ରୟୋଗ କରିବା ମାନବର କର୍ତ୍ତବ୍ୟ । ମାନବ ହିତାହିତ-ଜ୍ଞାନ-ବୁଦ୍ଧି-ବିବେକ-ସମ୍ପନ୍ନ-ପ୍ରାଣୀ; ଏଣୁ ଦେଶର ଶାସନ-ସଂଘଟନ-ଶୋଧନ-ମାର୍ଜନ ପ୍ରତି ନିଜ ନିଜର ବ୍ୟକ୍ତିଗତ ଭାବନା ଦେବା ନିମିତ୍ତ ମାନବ ସମର୍ଥ । ଆପଣା ଆପଣାକୁ ଶାସନ କରିବାର କ୍ଷମତା ମାନବଠାରେ ଅଛି । ଚତୁର୍ଥତଃ ଗଣତନ୍ତ୍ରରେ ଶାସନକାର୍ଯ୍ୟ ଭୋଟନୀତି ସହିତ ଜଡ଼ିତ । ଭୋଟନୀତି ଅବଲମ୍ବନ ଫଳରେ ମନୁଷ୍ୟ ଇତର ପ୍ରାଣୀ ଉପରେ ସ୍ଥାନ ପାଇଥାଏ । ପୁଣି ଅନେକ ମନୁଷ୍ୟ ଏକଦେଶରେ ଏକତ୍ର ରହି, ଏକ ଶାସନର ଅନ୍ତୁର୍ଭୁକ୍ତ ହୋଇ ପରସ୍ପର ପରସ୍ପରକୁ ଶାସନ କରିବାରେ ଯେ ସମର୍ଥ ଅଟନ୍ତି, ଏ ପ୍ରକାର ଶାସନ ନିମିତ୍ତ ସମସ୍ତେ ଯେ ସହଯୋଗ ଦେଇ ପାରନ୍ତି, ଭୋଟନୀତିଦ୍ୱାରା ଏହା ମଧ୍ୟ ପ୍ରମାଣିତ ହୋଇଥାଏ । ଏକ ଏକ ଲୋକକୁ ଏକ ଏକ ଭୋଟ-ଅଧିକାର ଦେବାର ଅର୍ଥ ପ୍ରତ୍ୟେକ ଲୋକଠାରେ ମାନବିକ ପଦାର୍ଥ ଥିବା ସ୍ୱୀକାର କରିବା । ଗଣତନ୍ତ୍ର ଶାସନ ଦେଶବାସୀମାନଙ୍କୁ ଗୋଟିଏ ଗୋଟିଏ ପଦାର୍ଥ ବିଶେଷରୂପେ ଗ୍ରହଣ କରେ; ତହିଁ ସଙ୍ଗେ ଗ୍ରହଣ କରେ ଯେ, ଏମାନଙ୍କର ଭବିଷ୍ୟତ ଅଛି, ନିଜର ଭବିଷ୍ୟତ୍ ନିଜ ପାଇଁ, ଦେଶପାଇଁ ତଥା ବିଶାଳ-ମାନବ-ଜାତି ପାଇଁ, ନିଜେ ନିଜେ ଗଢ଼ିବାର କ୍ଷମତା ଅଛି । ଯଥାର୍ଥ ଗଣତନ୍ତ୍ର ଶାସନରେ କୌଣସି ଲୋକର ଜୀବନ ପ୍ରାଣୀମାତ୍ରରେ ରହି ନ ପାରେ କି ଏକ ଲୋକ ବା ଲୋକଶ୍ରେଣୀ ଅନ୍ୟକୁ ଆପଣାର ଭୋଗ୍ୟବସ୍ତୁ ରୂପେ ବ୍ୟବହାର କରି ନ ପାରେ ।

 

ଗାଣତାନ୍ତ୍ରିକ ରାଜତ୍ୱର ପ୍ରତିବନ୍ଧକ ଅନେକ । ଗଣତନ୍ତ୍ର କଷଣ ନିମିତ୍ତ ମାନବିକ ମୃତ୍ତିକା ଲୋଡ଼ା । ଏପରି ମୃତ୍ତିକାର ଅଭାବ ଘଟିଲେ ଯେଉଁ ଫଳର, ଯେତେ ଫଳର ଆଶା କରାଯାଇଥାଏ, ତାହା ହସ୍ତଗତ ହୁଏ ନାହିଁ; କର୍ଷଣମାତ୍ର ସାର ରହିଯାଏ, ଅଥବା ଅଳ୍ପ କିଛି ପ୍ରାପ୍ତି ଘଟିଥାଏ । ଗଣତନ୍ତ୍ର କ୍ଷେତ୍ରରେ କେତେକଙ୍କର ମାତ୍ର ଯୋଗ୍ୟତା ଥିଲେ, ଗଣତନ୍ତ୍ର କାର୍ଯ୍ୟକାରୀ ରହିପାରେ ନାହିଁ । ଗଣତନ୍ତ୍ର ଲୋକସମୂହଙ୍କର ଯୋଗ୍ୟତା ଆବଶ୍ୟକ କରେ; ଯଦି ବା ଏ ଯୋଗ୍ୟତାରେ ଲୋକ ଲୋକ ଘେନି ମାତ୍ରା ଭେଦ ଥାଇପାରେ,–ଥାଏ । ଗାଣତାନ୍ତ୍ରିକ ଯୋଗ୍ୟତାର ଅର୍ଥ ଦେଶବାସୀଙ୍କର ଦେଶବାସୀମାନଙ୍କ ପ୍ରତି ବିସ୍ତୃତ-ପ୍ରଶସ୍ତ-କର୍ତ୍ତବ୍ୟ-ଜ୍ଞାନଥିବା, ଉତ୍ତମ-ଶାସନ କଳ୍ପେ ଉତ୍ତମ ସାହାଯ୍ୟ ଦେବା, ଦେଶର ବୃହତ୍ ହିତ ସହିତ ପରିଚିତ ରହିବା, ତଦ୍ରୂପ କାର୍ଯ୍ୟ ସାଧିବା ନିମିତ୍ତ ଏକନିଷ୍ଠ ହେବା । ଗଣତନ୍ତ୍ରର ସ୍ଥିତି ଉନ୍ନତି, ଶାସକ-ଶାସିତ, ଚାଳକ-ଚାଳିତ, ନିର୍ବାଚକ-ନିର୍ବାଚିତ ତାବତୀୟ ଲୋକ ଶ୍ରେଣୀର, ସମୂହ ଦେଶବାସୀଙ୍କର ସମୂହ ମାନବିକ ଦାନ-ନିୟୋଜନରେ ଅଛି, ଜନସଂଖ୍ୟାମାତ୍ରାରେ କି ଅଳ୍ପ ସାମଗ୍ରୀରେ ନାହିଁ ।

 

ପ୍ରତିବନ୍ଧକ ସତ୍ତ୍ୱେ ଗଣତନ୍ତ୍ର ମାନବ ପକ୍ଷରେ ଅମୂଲ୍ୟ ପଦାର୍ଥ । ଗଣତନ୍ତ୍ରର ମୂଲ୍ୟ ଗଣତନ୍ତ୍ରରେ । ଗଣତନ୍ତ୍ର ପ୍ରତି ଆଦର ମାନବ-ଜୀବନ ପ୍ରତି ଆଦର । ଗଣତନ୍ତ୍ର ଏପରି ମୂଲ୍ୟବାନ ପଦାର୍ଥ ଯେ, ଏହାର ଅନୁଧାବନରେ ମଧ୍ୟ, ଅନୁଧାବନ କରି ସ୍ଥାନେ ସ୍ଥାନେ ବିଫଳ କାମ ହୋଇ ମଧ୍ୟ, ମାନବର ଆତ୍ମା ଶାନ୍ତ ରହିଥାଏ । ଗଣତନ୍ତ୍ର ଶାସନ ରାମରାଜ୍ୟର ଶାସନ ଅଟେ, କାରଣ ଏ ଶାସନ ନୀତିନିୟମାନୁଗତ; ଲୋକ ବା ଗୋଷ୍ଠୀ-ବିଶେଷର ଇଚ୍ଛାକୃତ ନୁହେ; ଏବଂ ଏହାର ଉପଯୁକ୍ତ ସେବା ସମଗ୍ର ଦେଶବାସୀ ପ୍ରତି–ଏ ଲୋକ ସେ ଲୋକ ବା ଏ ଶ୍ରେଣୀ ସେ ଶ୍ରେଣୀ ପ୍ରତି ନୁହେଁ । ଏପରି ଶାସନର ସର୍ବବିଧ ଲକ୍ଷଣ, ପୂର୍ଣ୍ଣ-କାର୍ଯ୍ୟକାରିତା ସମ୍ମୁଖ ଜଗତରେ ବିସ୍ତୃତ ରହି ନ ଥିଲେହେଁ, ଗଣତନ୍ତ୍ରର ଗତି ସେହି ଦିଗରେ, ଏହାର ନିୟତ ଚେଷ୍ଟା ସେହି ଲକ୍ଷ୍ୟ ସାଧିବାରେ । ଏକତନ୍ତ୍ର ବା ଶ୍ରେଣୀତନ୍ତ୍ର ଅଳ୍ପ ଦିନର ବିଷୟ । ଗଣତନ୍ତ୍ର ଚିରନ୍ତନ ବସ୍ତୁ, କାରଣ ତାହା ସମଗ୍ର ମାନବର ଆତ୍ମାକୁ ପରିତୃପ୍ତ ରଖିପାରେ । ଲୋକବିଶେଷ ବା ଶ୍ରେଣୀବିଶେଷର ଶାସନରେ ରାଜନୀତିକ ଦାବୀ-କ୍ଷମତା କ୍ଷୁଦ୍ର ସୀମା-ନିବଦ୍ଧ । କେତେକ ଲୋକମାତ୍ର କ୍ଷମତାପନ୍ନ; ଅନ୍ୟମାନେ କ୍ଷମତାଶୂନ୍ୟ । ଗଣତନ୍ତ୍ରରେ ଏ ଦାବୀକ୍ଷମତା ଦେଶବ୍ୟାପୀ; ଏବଂ ତାହା ସମୂହ ଦେଶର ସମୂହ ଉନ୍ନତି ନିମିତ୍ତ ନିର୍ଦ୍ଦିଷ୍ଟ ଓ ନିୟୋଜିତ । ଗଣତନ୍ତ୍ରରେ ଦେଶବାସୀ ସ୍ୱକୀୟ କ୍ଷମତା ବିକାଶର ସୁଯୋଗ ପାଇ, ତହିଁର ଯଥାଯଥ ପ୍ରୟୋଗରେ ନିଯୁକ୍ତ ରହି, ମାନବ-ଦୁଃଖ ଅତିକ୍ରମ କରିଥାଏ; ତଦ୍‌ଭିନ୍ନ ଶାସନରେ ସେ ହଡ଼ାଲାଙ୍ଗୁଡ଼ ଧରି ପାରି ହୋଇଥାଏ । ଗଣତନ୍ତ୍ରରେ ଶାସନ କ୍ଷମତା ଅନୁପଯୁକ୍ତ ଲୋକଙ୍କ ହାତରେ ବେଳେବେଳେ ପଡ଼ି ଯାଇଥାଏ ସତ୍ୟ; କିନ୍ତୁ ଗଣତନ୍ତ୍ରର କାମନା-ସାଧନା ଲୋକଙ୍କୁ ଉପଯୁକ୍ତ କରାଇବାରେ; ଅନୁପଯୁକ୍ତ ରଖି ଭୋଟ କ୍ଷମତା ବା ଶାସନ-କର୍ତ୍ତୃତ୍ୱ ଦେଇ ଦେବାରେ ନୁହେଁ । ଗାଣତାନ୍ତ୍ରିକ ଶାସନଗରିଷ୍ଠ ରାଜନୀତିକ ଗୋଷ୍ଠୀ-ହାତରେ ରହିଯାଇପାରେ ସତ୍ୟ; କିନ୍ତୁ ଏ ଗୋଷ୍ଠୀ ଶାସନବ୍ରତର ମୁଖ୍ୟ ନୁହେ, ଅବଲମ୍ବନ ମାତ୍ର ।

 

ଆମ୍ଭମାନଙ୍କର ଗଣତନ୍ତ୍ରଭକ୍ତି ଦେଶର ସମୂହ ସର୍ବାଙ୍ଗୀନଜୀବନର ସଂଗଠନ-ପରିପୂରଣ ସକାଶେ । ଏପରି ଜୀବନର ଅଧିକାରୀ ହେବାକୁ ହେଲେ, ସେଥିପ୍ରତି ଯଥୋଚିତ ଶକ୍ତି ଦେବାକୁ ହେଲେ, ଗଣତନ୍ତ୍ର ଶାସନ ଏକାନ୍ତ ଲୋଡ଼ା । କେବଳ ଯେ ଦେଶଗତ ଶାନ୍ତିସ୍ଥାପନ, ନିୟମ-ନିୟନ୍ତ୍ରିତ ଶାସନ, ସ୍ୱାଧୀନତା-ରକ୍ଷଣ, ଧନ-ଧାନ୍ୟବୃଦ୍ଧିକରଣ, ଦେଶବାସୀଙ୍କର ସ୍ୱାସ୍ଥ୍ୟଶିକ୍ଷା-ସମ୍ବର୍ଦ୍ଧନ, ଲୋକମାନଙ୍କ ଦାବୀ-ଦାବୀର ମୀମାଂସାକରଣ ପକ୍ଷରେ ଗଣତନ୍ତ୍ର କାର୍ଯ୍ୟକାରୀ ହୋଇଥାଏ, ତାହା ନୁହେ । ଏତଦ୍‌ବ୍ୟତୀତ ଦେଶ ମଧ୍ୟରେ ଗଣତନ୍ତ୍ର ଶାସନ ଏପରି ଭୌତିକ ତଥା ମାନବିକ ପଦାର୍ଥ ସୃଷ୍ଟି କରିଥାଏ, କରୁଥାଏ–ସୃଷ୍ଟି ନିମିତ୍ତ ଏପରି ପରିସ୍ଥିତି-ସଂସ୍ଥିତିର ପତ୍ତନ ଦେଇଥାଏ, ଯାହା ଯାହା ସମ୍ପର୍କରେ ଆସି ଦେଶବାସୀମାନେ ଅନୁଭବ କରିପାରି ଥାଆନ୍ତି ଯେ, ଦେଶର ସ୍ୱତ୍ୱ ଓ ଦେଶବାସୀର ସ୍ୱତ୍ୱ ଉଭୟେ ପରସ୍ପର ଜଡ଼ିତ । ଏ ପତ୍ତନ ଉପରେ ଏପରି ସୌଧ ଗଢ଼ିହୋଇ ଉଠିଥାଏ, ଉଠୁଥାଏ, ଯଦ୍ଦ୍ୱାରା ଦେଶବାସୀଙ୍କର, ସମଗ୍ର ଦେଶର ଅନ୍ତର୍ନିହିତ ପଦାର୍ଥ ଉଦ୍‌ବୁଦ୍ଧ ହେଉଥାଏ । ଏକ ଗୋଷ୍ଠୀ ସହିତ ଅନ୍ୟ ଗୋଷ୍ଠୀର, ଦେଶବାସୀ ସହିତ ଦେଶବାସୀର, ଦେଶବାସୀ ସହିତ ଦେଶର, ଦେଶ ସହିତ ଅନ୍ୟ ଦେଶର ଏପରି ସମ୍ବନ୍ଧ ରଖିଥାଏ, ଯାହାର ଫଳରେ ଏମାନଙ୍କଠାରୁ ପ୍ରୀତି, ସହାନୁଭୂତି ବରାବର ପାଉଥାଏ, ଦେଶରେ ଶାନ୍ତିମୟ ମଙ୍ଗଳମୟ ଜୀବନ ଫୁଟି ଉଠୁଥାଏ । ଦେଶବାସୀଙ୍କର ଶାରୀରିକ-ମାନସିକ-ଆଧ୍ୟାତ୍ମିକ-ଶିକ୍ଷା-ସଂସ୍କୃତି ଉନ୍ନତି କଳ୍ପେ ଏପରି ଅନୁଷ୍ଠାନ-ପ୍ରତିଷ୍ଠାନ ବସାଇଥାଏ–ବସାଉଥାଏ, ଯତ୍ ଯତ୍ ସାହାଯ୍ୟରେ ଆମ୍ଭେମାନେ ନିଜ ନିଜର ବ୍ୟକ୍ତିଗତ ପୁଣି ସମୂହଗତ ଉତ୍କର୍ଷ ସମ୍ପାଦନରେ କ୍ରମଶଃ ପାରଙ୍ଗମ ହେଉଥାଉଁ, ହୋଇଥାଉଁ । କେବଳ ଆର୍ଥନୀତିକ, ରାଜନୀତିକ ଜୀବନ ନୁହେଁ, ନୀତି-ମାର୍ଜିତ-ଜୀବନ; କେବଳ ନାଗରିକ ଜୀବନ ନୁହେ, ଉତ୍ତମ ମାନବିକ ଜୀବନ ଗଢ଼ିବା ଗଣତନ୍ତ୍ରର ଲକ୍ଷ୍ୟ । ସେଥିପ୍ରତି ଭାବନା ଯୋଜନା ଦେବା-ପାଇବା ନିମିତ୍ତ; ଏବଂବିଧ ଜୀବନର ବାସ୍ତବତା ଘଟାଇବା ନିମିତ୍ତ ଗଣତନ୍ତ୍ର ଏକା ସମର୍ଥ ।

Image

 

ସମାଜର ଭବିଷ୍ୟତ

 

ବିଦ୍ୟମାନ ମାନବ-ଜଗତରେ ଅଧିକାଂଶ ଲୋକ ଅସୁବିଧା-ଦୁଃଖ ଦୁର୍ବିପାକରେ ଜଡ଼ିତ-। ଶ୍ରେଣୀ ଶ୍ରେଣୀ-ଗତ ଅଭାବ, ଦେଶ ଦେଶଗତ କଳହ ଅଶାନ୍ତିରେ; ଭୟ-ଆତଙ୍କର ବିଷାଦ-କାଳିମାରେ ସମାଜ ଆଚ୍ଛନ୍ନ । ଏପରି ସମାଜ ଏପରି ଅବସ୍ଥାରେ ଥାଇ ବେଶୀ ଦିନ ରହି ନ ପାରେ-। ଏ ସମାଜର ପୁନର୍ଗଠନ ମାନବର ଧର୍ମତଃ କର୍ତ୍ତବ୍ୟ । କି ପ୍ରକାରରେ ଏ ସଂଗଠନ-କାର୍ଯ୍ୟ ସମାହିତ ହୋଇପାରେ, ଏହା ଘେନି ମତଭେଦ ବିଦ୍ୟମାନ । ଲୋକ-ଲୋକ ମଧ୍ୟରେ, ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ, ଦେଶ-ଦେଶ ମଧ୍ୟରେ ଜୀବନଗତ ଅନୀତିର ତିକ୍ତତା ଓ ବିଷମତା ଉପଲବ୍‌ଧି କରି, ଜୀବନ ଜୀବନ ମଧ୍ୟରେ ଧନସମ୍ପଦ ଦାବୀ ଅଧିକାର ଘେନି ଅହେତୁକ ମାତ୍ରା ତାରତମ୍ୟର ପରିଚୟ ପାଇ, କେହି କେହି ସମାଜ-ସଂସ୍କାରକ ଏ ପ୍ରକାର ସଂସାରର ସଂସ୍କୃତି ଆଶାରେ, କେବଳ ସ୍ୱାର୍ଥଘଟିତ-ଜୀବନ ପ୍ରତି ଦୁଃଖୀ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଅଛନ୍ତି-। ଧନିକ ଲୋକ ଏତେ ଧନ ଆୟତ୍ତ କରୁଥିବା, ଅଧିକାରୀ ଲୋକ ଏତେ ଅଧିକାରର ମାଲିକ ରହିଥିବା ଜାଣିପାରି, ଏମାନେ ଦରିଦ୍ରମାନଙ୍କୁ ଅଣଅଧିକାରୀ ଲୋକଙ୍କୁ ଏକଜୁଟ ହେବା ପାଇଁ ଆହ୍ୱାନ କରୁଅଛନ୍ତି; ଏହି ଏହି ଶ୍ରେଣୀର ଲୋକମାନଙ୍କର ସ୍ୱାର୍ଥକୁ ମିଳିତ ରଖି, ଏ ପ୍ରକାର ମିଳିତ ସ୍ୱାର୍ଥକୁ ଧନିକ ମାଲିକ ଲୋକଙ୍କର ସ୍ୱାର୍ଥବିରୋଧରେ ଲଗାଇବାର ଇଙ୍ଗିତ ଦେଉଅଛନ୍ତି । ନଗ୍ନ-ସ୍ୱାର୍ଥର ଅନୁସରଣ କରି ଲୋକମାନେ ଧନିକ-ମାଲିକ ଶ୍ରେଣୀରେ ସ୍ଥାନ ପାଇଅଛନ୍ତି, ଏବଂ ସେହି ସ୍ୱାର୍ଥରେ ଜଡ଼ିତ ରହି ସେ ସ୍ଥାନକୁ ବଜାୟ ରଖିଅଛନ୍ତି । ନ ଥିବା ଲୋକ, ନ ପାଉଥିବା ଲୋକ ନିଜର ହକ୍ ପାଇବାକୁ ହେଲେ; ସାମାଜିକ ଅଧିକାରର ଅଧିକାରୀ ହେବାକୁ ହେଲେ, ଏମାନଙ୍କୁ ସେହିପରି ନିରାଟ ସ୍ୱାର୍ଥର ଅନୁଧାବନ କରିବାକୁ ହେବ । ଏପରି ମାର୍ଗ ଅନୁସରଣ କଲେ, ସାମାଜିକ ଧନସମ୍ପଦ ଦାବୀଅଧିକାର ସମାଜସ୍ଥ ସବୁ ଲୋକଙ୍କ ଭାଗରେ ସମପରିମାଣରେ ପଡ଼ି ପାରିବ-

 

ଅନ୍ୟ ପକ୍ଷରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଧର୍ମର ଦ୍ୱାହି ଦେଇ ଲୋକମାନଙ୍କ ମତିଗତିକୁ ପରମାର୍ଥ ଚିନ୍ତା ପ୍ରତି ଆକର୍ଷଣ କରୁଅଛନ୍ତି । ଧର୍ମଯାଜକର ସ୍ଥାନରେ ରହି ଅଥବା ଧର୍ମଯାଜକର ନାମ ବହି, କେହି କେହି ଆମ୍ଭମାନଙ୍କୁ ଯୋଗ୍ୟ ଶିଷ୍ୟ ହେବା ପାଇଁ ଡାକ ଦେଇଅଛନ୍ତି । ଡାକର ଅର୍ଥ ଏହି ଯେ, ପାର୍ଥିବ ଦୁଃଖ ଏଡ଼ିବା ନିମିତ୍ତ ଅପାର୍ଥିବ ଦ୍ରବ୍ୟ ଲୋଡ଼ା । ଆର୍ଥନୀତିକ-ରାଜନୀତିକ ସମ୍ପଦ ତୁଚ୍ଛ ପଦାର୍ଥ, ଏ ସମସ୍ତରେ ମନ ନିବିଷ୍ଟ ରଖିବା ଅବିଧେୟ । ସେହିପରି ଶରୀର-ପୋଷଣ, ବ୍ୟାବହାରିକ ଜୀବନ ମାନବର ଗୌଣ ବିଷୟ । ଏସବୁ ନ ରହିଲେ; ନ ପାଇଲେ ମଧ୍ୟ ଦୁଃଖିତ ବା ଚିନ୍ତିତ ହୁଅ ନାହିଁ । ଅପରା-ବସ୍ତୁରୁ ମନକୁ କାଢ଼ିନେଇ ପରାବସ୍ତୁରେ ନିମଗ୍ନ ରଖ, କାରଣ ଆଧ୍ୟାତ୍ମିକତା ମାନବର ବାଞ୍ଛିତ ପଦାର୍ଥ । ଆର୍ଥନୀତିକ କି ରାଜନୀତିକ ଜୀବନ ନୁହେ ପାରମାର୍ଥିକ ଜୀବନ, ଇହକାଳର ଜୀବନ ନୁହେଁ, ପରକାଳର ଜୀବନ, ଆମ୍ଭମାନଙ୍କର ଆରାଧ୍ୟ ବସ୍ତୁ । ମାନବର ଧର୍ମଗତ ଜୀବନ ଐହିକ ବିଭବ କି ଶାରୀରିକ ସୁଷ୍ଟିରେ ନାହିଁ, ତତ୍‌ସମ୍ବନ୍ଧୀୟ ଦୁଃଖ ଅଭାବ ସହିଯିବାରେ ଅଛି ।

 

କିନ୍ତୁ ଏ ଉଭୟମାର୍ଗ ଦୋଷଯୁକ୍ତ । ଧର୍ମପନ୍ଥୀର ଡାକ ମନ ଭୁଲାଇବା ପାଇଁ, ମାନବ ସଂସାର ସଜାଡ଼ିବା ପାଇଁ ନୁହେଁ । ମାନବ ସମାଜରେ ଆର୍ଥନୀତିକ ବସ୍ତୁ ଓ ପାରମାର୍ଥିକ ଦ୍ରବ୍ୟ, ଶରୀରଗତ ଜୀବନ ଓ ଆତ୍ମାଗତ ଜୀବନ, ଉଭୟେ ପ୍ରୟୋଜନୀୟ ପଦାର୍ଥ; ପୁଣି ଏକ ଅନ୍ୟଠାରୁ ଅବିଚ୍ଛିନ୍ନ । ଇହକାଳରେ ରହି ମାନବ କେବଳ ପରକାଳର ଚିନ୍ତା କରୁଥିବ, ପାରତ୍ରିକ ସୁଖରେ ମନ ପୂରାଇ ଐହିକ ଦୁଃଖକୁ ପାଶୋରିଯିବ, ଏପରି ଆଶା କରିବା ଦୁରାଶା ମାତ୍ର । ଯେଉଁମାନେ ବର୍ତ୍ତମାନର ଭୌତିକ ଜୀବନରୁ ଲୋକଘଟିତ ଅନୀତି କୁନୀତି ଦୂର କରିବାରେ ଅସମର୍ଥ ବା ଅନିଚ୍ଛୁକ, ସେହିମାନେ ଏପରି ପନ୍ଥାର ଅବତାରଣା କରିଥାନ୍ତି । ଏ ଗୋଷ୍ଠୀର ଲୋକମାନେ ପାର୍ଥିବ ଅଶାନ୍ତିର ଶାନ୍ତି ନିମିତ୍ତ ପାର୍ଥିବ ଦ୍ରବ୍ୟ ଯୋଗାଇ ନ ପାରି କେତେବେଳେ ବା ଧର୍ମଗୁରୁଙ୍କୁ ସମ୍ମୁଖରେ ଥୋଇ ଯାହା ଚଳି ଆସୁଛି ତାହାକୁ ତଦ୍ରୂପ ରଖିବାର, ସମାଜବ୍ୟାଧି ଘୋଡ଼ାଇ ପକାଇବାର ଚେଷ୍ଟା କରିଥାଆନ୍ତି । ମାତ୍ର ଏପରି ଚେଷ୍ଟା ବୃଥା । ମାନବ ସଂସାରରେ ଭୌତିକ ବସ୍ତୁର ପ୍ରୟୋଜନ ଅଛି । ଭୌତିକ ଅଭାବ ପାଇଁ ଭୌତିକ ଦ୍ରବ୍ୟ, ମାନବକୁ ବଞ୍ଚାଇ ରଖିବା ପାଇଁ ଭୌତିକ ସମ୍ପଦ ଏକାନ୍ତ ଆବଶ୍ୟକ । ଅର୍ଥଗତ ସମ୍ପଦର ଅବଲମ୍ବନରେ ମାନବ ବ୍ୟାବହାରିକ ଜୀବନ ଗଢ଼ିଥାଏ । ବ୍ୟାବହାରିକ ଜୀବନର ସଂସ୍ଥିତି ଥିଲେ ତେବେ ଯାଇଁ ପାରମାର୍ଥିକ ଜୀବନ ସମ୍ଭବଯୋଗ୍ୟ ହୋଇଥାଏ ।

 

ସ୍ୱାର୍ଥପନ୍ଥୀର ଡାକ ଲୋକ-ଲୋକ ମଧ୍ୟରେ ହିଂସା-ପ୍ରବୃତ୍ତି ଲଗାଇ ରଖିବାପାଇଁ, ହିଂସା ସ୍ଥାନରେ ଅହିଂସାର ପ୍ରତିଷ୍ଠା ପାଇଁ ନୁହେଁ । ହିଂସାର କ୍ଷୟ ପ୍ରତିହିଂସାରେ ନାହିଁ, ଅହିଂସାରେ ଅଛି । ଏକ ସ୍ୱାର୍ଥପର ଗୋଷ୍ଠୀ ଅର୍ଥାତ୍ ଧନିକ-ଗୋଷ୍ଠୀର ବିପକ୍ଷରେ ଅନ୍ୟ ସ୍ୱାର୍ଥପର ଗୋଷ୍ଠୀ ଅର୍ଥାତ୍ ଦରିଦ୍ର ଗୋଷ୍ଠୀକୁ ମତାଇ ଦେବା ବା ଏକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଠାରୁ ଆର୍ଥନୀତିକ ସମ୍ପଦ, ରାଜନୀତିକ ଅଧିକାର ବଳପୂର୍ବକ ଛଡ଼ାଇ ନେବା ମାନବଜାତିର ଧର୍ମ ନୁହେଁ । ଧନୀ ଓ ଦରିଦ୍ର ପ୍ରତ୍ୟେକେ ସ୍ୱାର୍ଥମୟ ହେବାରେ କି ଅଧର୍ମ ପନ୍ଥା ଅନୁସରଣ କରିବାରେ ଲୋକଙ୍କର ମଙ୍ଗଳ ଥାଏ ନାହିଁ; ମଙ୍ଗଳ ଥାଏ ଲୋକମାନଙ୍କର ସ୍ୱାର୍ଥଘଟିତ ପ୍ରାଣରେ ପରାର୍ଥ-ଭାବ ଜାଗ୍ରତ ରଖିବାରେ, ଧନୀ ଓ ଦରିଦ୍ର ଉଭୟଙ୍କ ପ୍ରତି ଜାତିଧର୍ମର ନିର୍ଦ୍ଦେଶ ଦେବାରେ । ଶ୍ରେଣୀ-ଶ୍ରେଣୀର ଅବାଧ ସ୍ୱାର୍ଥ-ଘଟିତ ସଂଘର୍ଷରେ ପ୍ରତ୍ୟେକ ଶ୍ରେଣୀର କ୍ଷତି ଘଟିଥାଏ ।

 

ମାନବ-ପ୍ରକୃତି ଦିଓଟି ପ୍ରବୃତ୍ତି ନେଇ ଗଢ଼ା–ସ୍ୱାର୍ଥ ଓ ପରାର୍ଥ । ଏ ଦୁଇ ପ୍ରବୃତ୍ତି ମଧ୍ୟରେ ଯଥାଯଥ ସାମଞ୍ଜସ୍ୟ ରଖିବା, ଧନୀ ଓ ଦରିଦ୍ର ତଦନୁଯାୟୀ କାର୍ଯ୍ୟରେ ନିଯୁକ୍ତ ରହିବା ମାନବର ଧର୍ମ । ସେହି କର୍ମ ମୋର ଧର୍ମ, ଯାହା ମୁଁ ସମ୍ପାଦନ କରୁଛି, ଏବଂ ଅନ୍ୟ କେହି ମୋ ସ୍ଥାନରେ ଥିଲେ ସେ ସମ୍ପାଦନ କରିବ । ସେହି କର୍ମ ତୁମ୍ଭର ଧର୍ମ, ଯାହା ତୁମ୍ଭେ ସମ୍ପାଦନ କରୁଛ, ଏବଂ ତୁମ୍ଭ ସ୍ଥାନରେ ଥିଲେ ମୁଁ ମଧ୍ୟ ସମ୍ପାଦନ କରିବି । ଏ କର୍ମ କିପରି କର୍ମ ହୋଇପାରେ ? ସେହିପରି କର୍ମ ଯଦ୍ଦ୍ୱାରା ମୋର ଉତ୍ତମତା ଘଟୁଛି ଅନ୍ୟମାନଙ୍କ ଉତ୍ତମତା ଘଟିବାରେ ସହଯୋଗ ରହିଛି । ଧନିକ ଓ ଦରିଦ୍ରର କର୍ମ ଏହି ଜାତୀୟ । ଏପରି କର୍ମ ଧନିକର ଧର୍ମ ନୁହେଁ ଯାହା ଧନିକଠାରେ ବୃଦ୍ଧି ଘଟାଇ ଦରିଦ୍ରର କ୍ଷୟ ଘଟାଇ ଥାଏ । ଏପରି କର୍ମ ଧନିକର ଧର୍ମ ହୋଇ ନ ପାରେ, ଯାହା ଧନିକ ପ୍ରତି ତୃପ୍ତି ସୁଯୋଗ ଦେଇ ଦରିଦ୍ର ପାଇଁ ତୃପ୍ତି ସୁଯୋଗଦ୍ୱାର ରୁଦ୍ଧ କରି ଦେଇଥାଏ । ମାନବର ଧର୍ମ ମାନବର ବ୍ୟକ୍ତିଗତ ମଧ୍ୟ ଜାତିଗତ ପଦାର୍ଥ । ଏପରି ପଦାର୍ଥ ଯେ ପ୍ରତ୍ୟେକ ଶ୍ରେଣୀ, ପ୍ରତ୍ୟେକ ମାନବ ସ୍ୱଧର୍ମ ପାଳନ କରିବାରେ ମାନବର ଜାତିଧର୍ମ ପାଳିତ ହୋଇଥାଏ । ଏକ ଏକ ମାନବ ସ୍ୱରାଟ ରହି, ସେ ସମାଜରାଟ୍‍ ଗଢ଼ି ତୋଳୁଥାଏ ।

 

ଯେଉଁମାନେ ଧନିକ ବା ମାଲିକ ଶ୍ରେଣୀର ଅନ୍ତର୍ଗତ ସେମାନେ ନିଜ ସମ୍ପଦ ନିଜ କର୍ତ୍ତୃତ୍ୱରେ ରଖି ତାହାକୁ ନିଜ ପ୍ରୟୋଜନ ଉପଭୋଗ ପାଇଁ ଦାବୀ କରିଥାନ୍ତି । ଏମାନେ ଯୁକ୍ତି କରିଥାନ୍ତି, ଏ ସମ୍ପଦ କେବଳ ସେମାନଙ୍କର ଅଟେ; କାରଣ ତାହା ସ୍ୱକୀୟ କ୍ଷମତାରୁ ବା ପୁରୁଷାନୁଗତ କ୍ଷମତାରୁ ସେମାନଙ୍କର ଉପାର୍ଜ୍ଜନ । କେବଳ କ୍ଷମତା ପ୍ରୟୋଜନରୁ ନୁହେଁ; କ୍ଷମତାର ଆପେକ୍ଷିକ ଅଧିକତାରୁ ଏ ଉପାର୍ଜନ କରିବାରେ ସେମାନେ କ୍ଷମ ହୋଇଅଛନ୍ତି । ମୁକ୍ତ ସଂସାରରେ ଅନ୍ୟମାନଙ୍କ ସହିତ ଧନ ଉପାର୍ଜ୍ଜନରେ ନିଯୁକ୍ତ ରହି ସଂସାର-ପ୍ରତିଦ୍ୱନ୍ଦିତାରେ ଅନ୍ୟମାନଙ୍କୁ ପରାସ୍ତ କରି, ଏ ଧନ, ଏତେ ଧନ ଏମାନେ ଅର୍ଜ୍ଜିପାରି ଅଛନ୍ତି । ଧନିକ ଲୋକ ଯେଉଁ ଧନର ଅଧିକାରୀ, ସେ ଧନ ପାଇବା ରଖିବାରେ ସେ ହକ୍‌ଦାର, କାରଣ ପ୍ରତିଯୋଗୀ ସଂସାରରେ ସେ ଲୋକର ସାମର୍ଥ୍ୟ ବେଶୀ ।

 

କିନ୍ତୁ ଏ ପ୍ରକାର ଯୁକ୍ତି ଗ୍ରହଣୀୟ ନୁହେଁ । ମୋର କ୍ଷମତା ବଳରେ ଏ ଧନ ସମ୍ପଦ ମୁଁ ଉପାର୍ଜ୍ଜନ କରିଛି, କରିଛି, ଏଣୁ ସେ ସମ୍ପଦ ମୋର, ଏପରି ଯୁକ୍ତି ବାଢ଼ିବା ଅଧିକାର ମୋର ନାହିଁ । ବ୍ୟକ୍ତିଗତ, ଗୋଷ୍ଠୀଗତ କ୍ଷମତା ଉପାର୍ଜ୍ଜନରେ ଦେଶର ଭାଗ ଅଛି । ଜନ୍ମହୋଇ ମୁଁ କ୍ଷମତାର ଅଧିକାରୀ ହୋଇ ନାହିଁ । ଦେଶ-ପରିସ୍ଥିତିରେ ବଢ଼ି, ମୁଁ କ୍ଷମତାକୁ ଉପାର୍ଜ୍ଜନ କରିଛି, କରୁଛି । ଯାହା କ୍ଷମତା, ଯେତେ କ୍ଷମତାର ମୁଁ ଅଧିକାରୀ ହୋଇଅଛି, ହେଉଅଛି, ସେ ସମସ୍ତର ପଛରେ ଦେଶର ଶକ୍ତି ରହିଅଛି । ଦେଶଗତ ଅନୁଷ୍ଠାନ ମୋର ସମୃଦ୍ଧିରେ ପ୍ରଧାନ ସହାୟକ, ଦେଶବାସୀ କ୍ଷମତାବାନ୍ ସମ୍ପଦବାନ୍ ହେବାରେ ଦେଶର ସହଯୋଗ ଏକାନ୍ତ ଆବଶ୍ୟକ । ମୋର ଜନ୍ମଗତ ଶକ୍ତି ଯାହା ଥାଉ ନା କାହିଁକି, ଦେଶସ୍ଥିତ ଶିକ୍ଷାଗତ ସୃଷ୍ଟିମୂଳକ ଅନୁଷ୍ଠାନଗୁଡ଼ିକର ସାହାଯ୍ୟରୁ ବଞ୍ଚିତ ହେଲେ, ସେ ଶକ୍ତିରେ କି କ୍ଷମତା ବିକାଶ ଘଟିପାରେ ? ଏବଂ ଏ କ୍ଷମତାର ପ୍ରୟୋଗ ଦେଶର ସଂସ୍ଥିତିରେ । ଦେଶବାସୀଙ୍କୁ ସଙ୍ଗରେ ନ ନେଲେ କେହି ଧନ ଉପାର୍ଜ୍ଜନ କରି ପାରିବ କି ? କଲେ, କରିବ ବା କେତେ ? ପୁଣି ଦେଶବାସୀଙ୍କର, ଦେଶର ସାହାଯ୍ୟ ନ ଥିଲେ ଧନ ସଞ୍ଚିବ ବା କିପରି ? ଏକା ରହି କେହି ଧନ ଉପାର୍ଜ୍ଜନ କରି ନ ପାରେ । ଉପାର୍ଜ୍ଜିତ ଧନ ଥିଲେ ମଧ୍ୟ ଏକା ହୋଇ ତାକୁ ରକ୍ଷା କରି ନ ପାରେ ।

 

ପୁଣି ପୁଞ୍ଜିବାଦ ବିପକ୍ଷରେ ଅନ୍ୟ କାରଣ ରହିଅଛି । ଯେବେ ଧନିକର ଯୁକ୍ତି ହୁଏ ଯେ, ଯାହାର କ୍ଷମତା ଅଧିକ, ସେହି କେବଳ ଧନ ପାଇବ, ଅନ୍ୟମାନେ ନିର୍ଦ୍ଧନ ରହିବେ, ତେବେ ମାନବ-ସଂସାର କ୍ଷୁଦ୍ର ହୋଇଯିବ, ତାହା କେବଳ ଧନିକ-ଲୋକର ସଂସାରରେ ରହିଯିବ । ପ୍ରଥମରେ କ୍ଷମ-ଅକ୍ଷମ ଭିତରେ ସଂଘର୍ଷ ଜନ୍ମି, ଅକ୍ଷମ ଲୋକ ନିର୍ଦ୍ଧନ ହୋଇ ପଡ଼ିବ, ନିର୍ଦ୍ଧନତାର ରୁଗ୍‍ଣତା-ଅସୁସ୍ଥତା-ଦୁର୍ବଳତାରେ ପରିଣତି ଘଟିବ, ଅକ୍ଷମ ଲୋକଙ୍କର ବିନାଶ ଅଳ୍ପ ସମୟ ମଧ୍ୟରେ ଅନିବାର୍ଯ୍ୟ ହେବ । ଶେଷକୁ କ୍ଷମ-କ୍ଷମ ମଧ୍ୟରେ ଏହିପରି ସଂଗ୍ରାମଲାଗି ଅଳ୍ପ-କ୍ଷମ ଲୋକଙ୍କର କ୍ଷୟ ଘଟିବ, ମାନବଜଗତ ଅତି-କ୍ଷମ ଲୋକଙ୍କର ପରିସ୍ଥିତିରେ ପର୍ଯ୍ୟବସିତ ହେବ । କିନ୍ତୁ ମାନବ-ସଂସାର ଅଳ୍ପ ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ନୁହେଁ । ମାନବସଂସାର କେବଳ କ୍ଷମତାବାନ ଲୋକଙ୍କର ସଂସାର ହୋଇ ରହି ନ ପାରେ । ସେଥିରେ କ୍ଷମ, ଅଳ୍ପ-କ୍ଷମ ଓ ଅକ୍ଷମ ଲୋକଙ୍କର ସ୍ଥାନ ଅଛି; ଏବଂ ଅକ୍ଷମ ଲୋକ ଅଳ୍ପ-କ୍ଷମ ହେବାର, ଅଳ୍ପ-କ୍ଷମ ଲୋକ ଅଧିକ-କ୍ଷମ ହେବାର, ପୁଣି କ୍ଷମ ଓ ବେଶୀ-କ୍ଷମ ଲୋକଙ୍କଠାରୁ ସାହାଯ୍ୟ ପାଇବାର ଅଧିକାର ସେହି ସେହି ଲୋକଙ୍କଠାରେ ଅଛି ।

 

ତେବେ କେଉଁ ଆଦର୍ଶ ଛାଞ୍ଚରେ, କେଉଁ ନୀତିର ଅବଲମ୍ବନରେ, ମାଲିକ-ମୂଲିଆ ସଂସାରରେ ଧନି-ଦରିଦ୍ର-ପ୍ରାଣରେ ମାର୍ଜନା ଆଣିବାକୁ ହେବ ? କେହି କେହି ପ୍ରଚାର କରୁଛନ୍ତି ଯେ, ଦେଶ ଭିତରେ ଥିବା ଗୋଷ୍ଠୀଗତ ଶ୍ରେଣୀଗତ ଭେଦ ସମୂଳେ ବିନାଶ କରିଦେଲେ ଅର୍ଥାତ୍ ଗୋଷ୍ଠୀ-ଗୋଷ୍ଠୀ, ଶ୍ରେଣୀ-ଶ୍ରେଣୀ ସମାନ ସମ୍ପଦର ଅଧିକାରୀ ହୋଇଗଲେ, ମାନବ-ସମୂହର ସମୂହ ଉନ୍ନତି ଏହି ମୁହୂର୍ତ୍ତରେ ସାଧିତ ହୋଇଯିବ । କେବଳ ଗୋଷ୍ଠୀଗତ ନୁହେଁ, ଲୋକ-ଲୋକସ୍ଥିତ ଜୀବନ-ଗତ ପ୍ରଭେଦ ମଧ୍ୟ ଉଠାଇ ଦେବାକୁ ହେବ । ଏହା କରିବାକୁ ହେଲେ ପ୍ରତ୍ୟେକ ଦେଶବାସୀ, ଗୋଷ୍ଠୀ ବା ଶ୍ରେଣୀ ଯାହା ସମ୍ପଦ, ଯେତେ ସମ୍ପଦ ଅର୍ଜନ କରିବ, ସେ ସମସ୍ତ ସମ୍ପଦ ଊଣା ହେଉ ବା ଅଧିକ ହେଉ, ଦେଶ ନିକଟରେ ଅର୍ପିତ ହେବ । ଏ ସମ୍ପଦ ପାଇ ଦେଶ ଏକ ଏକ ଲୋକ ଓ ଲୋକସଙ୍ଘ ମଧ୍ୟରେ ତାହାକୁ ପ୍ରୟୋଜନାନୁକ୍ରମେ ବଣ୍ଟନ କରିଦେବ । ଏ ପ୍ରକାର ସମାଧାନ ସାଧାରଣତଃ ଆର୍ଥନୀତିକ-ରାଜନୀତିକ କ୍ଷେତ୍ରରେ ଲଗାଇବା ପାଇଁ ଏମାନେ ଚେଷ୍ଟା କରିଥାଆନ୍ତି । ଏମାନଙ୍କ ନିକଟରେ ଆର୍ଥନୀତିକ ରାଜନୀତିକ ଜୀବନ ମାନବର ଇପ୍‌ସିତ ବସ୍ତୁ । ଯଦି ବା କେହି ଏହା ଅପେକ୍ଷା ବୃହତର ଜୀବନର ଅସ୍ତିତ୍ୱ ସ୍ୱୀକାର କରିଥାନ୍ତି, ତେବେ ସେମାନେ ଆର୍ଥନୀତିକ-ରାଜନୀତିକ ଜୀବନର ପ୍ରାଧାନ୍ୟ ସ୍ୱୀକାର କରି, ଶିକ୍ଷା-ସଂସ୍କୃତି-ମୂଳକ ଆତ୍ମାଗତ ଜୀବନକୁ ତହିଁର ଅଙ୍ଗୀଭୂତ ରଖିଥାନ୍ତି ।

 

କେହି କେହି ବିଚାରୁଛନ୍ତି ଯେ, ଥିବା ଲୋକଙ୍କଠାରୁ ଧନ କାଢ଼ିନେଇ ନଥିବା ଲୋକଙ୍କ ମଧ୍ୟରେ ବିତରଣ କରିଦେଲେ, ଥିବା ନ ଥିବା ଦୁଇ ଶ୍ରେଣୀକୁ ଭାଙ୍ଗିଦେଇ ସେ ସ୍ଥାନରେ ଗୋଟିଏ ଶ୍ରେଣୀ–ନୁହେଁ ଥିବା କି ନୁହେଁ ନଥିବା–ଗଢ଼ିଦେଲେ, ଖାଲି ଢିପ ସମାଜ ସଳଖ ହୋଇଯିବ । ଥରେ ସଳଖ କରିଦେଇ, ଏହିକ୍ଷଣି ସଳଖ କରି ଦେଇ, ପରବର୍ତ୍ତୀକାଳ ପାଇଁ ରାଜନିୟମ ପ୍ରସ୍ତୁତ କରିବାକୁହେବ, ଜାରୀ ରଖିବାକୁ ହେବ, ଯଦ୍ଦ୍ୱାରା ସମ୍ପଦ-ସୃଷ୍ଟି ଦେଶ ହାତରେ ରହିବ, ବ୍ୟକ୍ତିଗତ ସମ୍ପଦ-ସୃଷ୍ଟି ବେଆଇନ ଘୋଷିତ ହେବ । ଏତକ କରିଦେଲେ, ନଥିବା ଥିବା-ଭେଦ ଲୋପ ପାଇଯିବ, ରୁଗ୍‌ଣ-ମାନବ-ସମାଜ ଚିରଦିନ ପାଇଁ ରୋଗମୁକ୍ତ ରହିଯିବ ।

 

ଏ ଶ୍ରେଣୀର ଲୋକମାନେ ରାଜନୀତି କ୍ଷେତ୍ରପାଇଁ ମଧ୍ୟ ଗୋଟାଏ ସହଜ ବାଟ ନିର୍ଦ୍ଦେଶ କରିଥାନ୍ତି । ସେ ବାଟ ଏହି : - ସବୁ ଲୋକଙ୍କୁ, ସ୍ତ୍ରୀ-ପୁରୁଷଙ୍କୁ, ଭୋଟଗତ ଅଧିକାର ଦେଇଦିଅ, ସମାନ ଅଧିକାର ଦେଇଦିଅ, ସ୍ତ୍ରୀ-ସ୍ତ୍ରୀ ମଧ୍ୟରେ ପୁରୁଷ-ପୁରୁଷ ମଧ୍ୟରେ, ସ୍ତ୍ରୀ-ପୁରୁଷ ମଧ୍ୟରେ ଯଦି ବା କିଛି ତାରତମ୍ୟ ଅଛି, ତାକୁ ଅସ୍ୱୀକାର କର, ଅଥବା ପାଶୋରି ପକାଅ; ଦେଖିବ କେଡ଼େ ସୁନ୍ଦର ରାଜନୀତିକ-ସଂଗଠନ ଆପେ ଆପେ ଗଢ଼ି ଉଠିବ, ସାଙ୍ଗେ ସାଙ୍ଗେ ସଂଖ୍ୟା-ଉପାଦାନରେ ସମାଜ ପୂର୍ଣ୍ଣାବୟବ ପାଇଯିବ । ପୂର୍ଣ୍ଣାଙ୍ଗ ହୋଇ ସବୁକାଳ ପାଇଁ ଯେପରି ଅଙ୍ଗ ଅଙ୍ଗ ମଧ୍ୟରେ ଅଙ୍ଗାଙ୍ଗୀସମ୍ପର୍କ ରହିଥିବ, ସେଥିପାଇଁ ଏଗୁଡ଼ିକୁ ଛନ୍ଦି ରଖିବାକୁ ହେବ । ଭୋଟଦେବା ଲୋକ ଓ ଭୋଟ ପାଇବା ବ୍ୟକ୍ତିଙ୍କୁ, ଶାସିତ ଲୋକ ଓ ଶାସକ ପୁରୁଷଙ୍କୁ ଏକା ଗୋଠରେ ରଖି, ଏକ ଡୋରିରେ ବାନ୍ଧି, ଯାହା ପଛରେ ବେଶୀ ସଂଖ୍ୟା ରହିଯିବ, ତା ହାତକୁ ଶାସନ-ଡୋରିରେ ଗ୍ରନ୍ଥି ବଢ଼ାଇଦେବ । ଦେଶଶାସନ ଥରେ ଏ ପ୍ରକାର ମୃତ୍ତିକାରେ ମୂର୍ତ୍ତିମନ୍ତ ହେଲେ, ସେ ମୂର୍ତ୍ତି ‘ଅଭଙ୍ଗା କଣ୍ଢେଇ’ ପରି ବରାବର ରହିଥିବ ।

 

ଏ ପ୍ରକାର ସରଳ ନୀତି, ଚଞ୍ଚଳ ଗତି, ବଖାଣିବା ଯେତେ ସହଜ, ଲଗାଇବା ତେତେ ସହଜ ନୁହେଁ । ଯେଉଁମାନେ ଭାଳୁଛନ୍ତି ଏ ପାଖରୁ ବସ୍ତୁ ନେଇ ସେ ପାଖରେ ଥୋଇଦେଲେ ସମାଜର ସାଜସଜ୍ଜା ପରିପୂର୍ଣ୍ଣ ହୋଇଯିବ, ଏକ ମୁହୂର୍ତ୍ତରେ ସମାଜ ପରିପୂର୍ଣ୍ଣତା ପାଇଯିବ, ସେମାନେ ସହଜପନ୍ଥୀ । ଯେ ସହଜ ବାଟରେ ଅବତାରଣା କରେ, ସେ କଥକ, ସାଧକ ନୁହେଁ । ଏମାନେ ଆର୍ଥନୀତିକ-ରାଜନୀତିକ ଅଭାବ ପରିପୂରଣ ନିମିତ୍ତ ବାସ୍ତବତା-ବିଚ୍ଛିନ୍ନ କଳ୍ପନା-ମାର୍ଗର ଆଶ୍ରୟ ନେବାରେ ସମାଜ-ପ୍ରଗତିର ଅନ୍ତରାୟ ହୋଇଥାନ୍ତି । ନିଜେ ପଥଭ୍ରଷ୍ଟ ହୋଇ ଅନ୍ୟମାନେ ପଥଭ୍ରଷ୍ଟ ହେବାର କାରଣ ହୋଇପଡ଼ନ୍ତି । ଗୋଟାଏ କାଳ୍ପନିକ ପରିପୂର୍ଣ୍ଣତାର ଅନୁଧାବନ କରିବାରେ ନୁହେଁ, ବାସ୍ତବ ମନୁଷ୍ୟର ବାସ୍ତବତା ସହିତ ପରିଚିତ ରହି ସେହି ବାସ୍ତବତା ଉପରେ ପରିପୂର୍ଣ୍ଣତା ଗଢ଼ିବା ମାନବର ବିଧେୟ । ଲୋକ-ଲୋକଗତ ବିଭେଦ ଦମନ ରଖିବାରେ, ଏ ବିଭେଦ ଲୋପ ପାଇଯିବାରେ ଆଶା ରଖି ସମାଜ ଗଢ଼ିବାରେ ନିଯୁକ୍ତ ହେଲେ, ଶେଷକୁ ଦେଖିବ, ସେ ବିଭେଦ ଏଠି ସେଠି ଫୁଟି ଉଠୁଥିବ । ପୁଣି ଅର୍ଥଗତ, ଶାସନଗତ ଅଭାବ ଏକାଦିନକେ ଦୂରୀଭୂତ ହୋଇଯିବ, ସମାଜର ପରିପୂର୍ଣ୍ଣତା ଏହିକ୍ଷଣି ଆସିଯିବ, ଏ ପ୍ରକାର କଳ୍ପନା ଜଳ୍ପନା ମାତ୍ର-। ସାମାଜିକ ବିଭବର ସୃଷ୍ଟି ଓ ନିଯୁକ୍ତି ନିମିତ୍ତ ସୁଚିନ୍ତିତ କଳ୍ପନା-ଯୋଜନା-ସାଧନା ଲୋଡ଼ା-। ଲୋକ ଲୋକ ଘେନି ଏ ସମସ୍ତର ଯଥାଯଥ ନିୟୋଜନ ସମୟ ସାପେକ୍ଷ । ସମାଜର ବିଭବ ଏକ କାଳରେ, ଏକ ପ୍ରକାରରେ, ସବୁ ଲୋକଙ୍କର ଆୟତ୍ତ ବସ୍ତୁ ହୋଇ ନ ଥାଏ, ବୋଧହୁଏ ହୋଇ ନ ପାରେ ।

ମାନବ-ସମାଜ ବ୍ୟକ୍ତିତ୍ୱ ବିଭେଦ ଉପରେ ପ୍ରତିଷ୍ଠିତ । ବ୍ୟକ୍ତିତ୍ୱର ମୁକ୍ତଦ୍ୱାର ରୁଦ୍ଧ ହୋଇଗଲେ, ସମାଜରେ ବିକାଶମାର୍ଗ ରୁଦ୍ଧ ହୋଇଯାଏ । ବ୍ୟକ୍ତିତ୍ୱ ସ୍ୱୀକାର କରିବାକୁ ହେଲେ, ଲୋକ ଲୋକ ମଧ୍ୟରେ, ସଂଘ ସଂଘ ମଧ୍ୟରେ କ୍ଷମତାଗତ ପ୍ରଭେଦ ସ୍ୱୀକାର କରିବାକୁ ହେବ । ଯେଉଁଠାରେ କ୍ଷମତାଗତ ପ୍ରଭେଦ ସ୍ୱୀକାର୍ଯ୍ୟ, ସେଠାରେ ଉପାର୍ଜ୍ଜନଗତ ସମ୍ପଦ ଓ ତଦନୁକ୍ରମେ ସମ୍ପଦରେ ଭାଗମାତ୍ରାର ତାରତମ୍ୟ ସ୍ୱୀକାର୍ଯ୍ୟ । ଯେବେ ସମସ୍ତ ଦେଶବାସୀଙ୍କ ଯୋଗ୍ୟ ଅଯୋଗ୍ୟ ଅଳ୍ପଯୋଗ୍ୟ ଲୋକଙ୍କର ଉପାର୍ଜ୍ଜନ ସମ୍ପଦ ଏକତ୍ର କରାଯାଏ, ଏକତ୍ର ରଖି ଏ ସମ୍ପଦ ଦେଶବାସୀଙ୍କ ମଧ୍ୟରେ ସଂଖ୍ୟାଦୃଷ୍ଟିରୁ ବିଭାଗୀକୃତ ହୁଏ, ଯେବେ ବ୍ୟକ୍ତିଗତ ସଙ୍ଘଗତ କ୍ଷମତା ପ୍ରତି ଉପେକ୍ଷା କରାଯାଏ, ତେବେ ଦେଶଗତ ବିସ୍ତୃତ-କ୍ଷମତା-ସୃଷ୍ଟିରେ ବାଧା ଆସିଥାଏ । ଯୋଗ୍ୟତାର ଅଳ୍ପତା ଅଧିକତା ଘେନି ବ୍ୟକ୍ତିଗତ ସମ୍ପଦରେ ଅଳ୍ପତା-ଅଧିକତା-ଘଟିତ-ନିୟମ ଅସ୍ୱୀକାର କଲେ, ଜାତୀୟ ଜୀବନରେ ଅଳ୍ପ ଯୋଗ୍ୟତା ମାତ୍ର ପ୍ରଶ୍ରୟ ପାଇଥାଏ । ପୁଣି ଆର୍ଥନୀତିକ-ରାଜନୀତିକ ଜୀବନ ମାନବର ଏକମାତ୍ର ଜୀବନ କି ମୁଖ୍ୟ ଜୀବନ ନୁହେଁ । ଆର୍ଥନୀତିକ ଉପାଦାନ ମାନବ ଜୀବନର ଧର୍ମଗତ ସାମଗ୍ରୀ ନୁହେଁ କି ଆର୍ଥନୀତିକ ଭିତ୍ତି ଉପରେ ମାନବିକ ଉଚ୍ଚତା ଗଢ଼ାଯାଇ ନ ପାରେ । ଶିକ୍ଷା ସଂସ୍କୃତି ମାନବର ମାନବିକ ପଦାର୍ଥ, ମାନବିକ ଉଚ୍ଚତା-ନୀଚତାର ପରିଚାୟକ । ମାନବ-ମାନବଗତ ଭେଦ ମୂଳତଃ ଶିକ୍ଷା-ସଂସ୍କୃତିଗତ । ଏ ଜାତୀୟ ଭେଦରୁ ଆର୍ଥନୀତିକ ରାଜନୀତିକ ଭେଦର ଉତ୍ପତ୍ତି । ଶିକ୍ଷା ସଂସ୍କୃତି ଅଜବାରେ ସମର୍ଥ ହୋଇ, ଏ ପଦାର୍ଥର ମୂଲ୍ୟ ପାଇ, ଆମ୍ଭେମାନେ ଆର୍ଥନୀତିକ ରାଜନୀତିକ ଅଧିକାର ଦାବୀ କରିଥାଉଁ, ଅର୍ଜ୍ଜିପାରି ଥାଉଁ । ଯେଉଁ ବ୍ୟକ୍ତି ଯେତେ ପରିମାଣରେ, ଉପଯୁକ୍ତ ପ୍ରକାରର ଶିକ୍ଷିତ, ଯେପରି ଭାବରେ ଜାତିକୃଷ୍ଟି ଗଢ଼ିବାରେ ନିଯୁକ୍ତ, ସେ ବ୍ୟକ୍ତି ସେହି ପରିମାଣରେ, ତଦନୁକ୍ରମରେ ଅର୍ଥନୀତିକ ଅଧିକାର, ରାଜନୀତିକ ସମ୍ମାନ ପାଇବାରେ ଉପଯୁକ୍ତ । ମୂଲ୍ୟ ଜଗତରେ ଶିକ୍ଷା-ସଂସ୍କୃତି-ଗତ ବିଭବ ଆର୍ଥନୀତିକ-ରାଜନୀତିକ ସମ୍ପଦର ପରିମାପକ ଅଟେ ।

 

ଏ ପ୍ରସଙ୍ଗରେ କହିବା ଉଚିତ ଯେ, ସମ୍ମୁଖ ସଂସାରରେ ଅର୍ଥଗତ ସମସ୍ୟା ପ୍ରବଳ ସମସ୍ୟା ହୋଇ ପଡ଼ିଅଛି । ଅର୍ଥଗତ ସମ୍ପଦ ଅଳ୍ପ ସୀମାରେ ପୁଞ୍ଜୀଭୂତ ରହିବାରେ, ବହୁତ ଲୋକଙ୍କ ଜୀବନ ଉପରେ ଦରିଦ୍ରତା ମାଡ଼ି ବସିଅଛି; ଦରିଦ୍ରତା ସଙ୍ଗେ ଦରିଦ୍ରତା ଘଟିତ ଦୁଃଖ-କ୍ଳେଶ ସାରା ସଂସାର ଘୋଟି ରହିଛି । କେବଳ ଶରୀରିକ ପୀଡ଼ା ନୁହେଁ, ପଇସାର ଅଭାବ ଲୋକଙ୍କଠାରେ ମାନସିକ ଦୁର୍ବଳତା, ନୈତିକହୀନତା ଘଟାଇଅଛି । ପଇସା ଲୋଭରେ ଲୋକ ସତକଥା କହିବାରେ ଥଙ୍ଗମଙ୍ଗ ହେଉଛି, କାହିଁ ଅବା ଅବାଟ-କୁବାଟ, ଅକାର୍ଯ୍ୟ କୁକାର୍ଯ୍ୟ, ମିଥ୍ୟା-ପ୍ରବଞ୍ଚନା, ଜାଲ-ଜୁଆଚୋରିର ଆଶ୍ରୟ ନେଉଛି । ଯେଉଁ ପଇସା ନର-ନାରୀ କ୍ଷମତାରୁ ସୃଷ୍ଟ, ସେହି ପଇସା ନରନାରୀ ଉପରେ କ୍ଷମତା ବିସ୍ତାର କରିଛି, ନରନାରୀର କ୍ଷମତା-ଯୋଗ୍ୟତା ପଇସା ହାରରେ ନିର୍ଣ୍ଣିତ ହେଉଛି । ଧନିକ ଲୋକ ସଂସାରରେ ଆଦର ପାଉଛି ଓ ଯେତେ ପରିମାଣରେ ଧନ ଗଚ୍ଛିତ ରଖିପାରୁଛି, ତେତେ ପରିମାଣରେ ସେ ଲୋକଙ୍କ ନିକଟରେ ଆଦରବାନ୍‌ ହେଉଛି । ଧନବଳରେ, ଧନର ଧମକରେ ଲୋକଙ୍କୁ ସେ ଦମନ କରିପାରୁଛି; ଧନ ଦେଇ ସେମାନଙ୍କୁ ନିଜ ପ୍ରୟୋଜନରେ ଲଗାଇ ଦେଉଛି । ପଇସାର ମୋହ ଲୋକମାନଙ୍କଠାରେ ଧୂମାଳ ବୁଦ୍ଧି ଉପୁଜାଇଅଛି । ପଇସା ମୋହରେ ପଡ଼ି ଲୋକ ଏ ପାଖରେ ରହି ସେ ପାଖକୁ ପୁଣି ଆଉଜି ଯାଉଛି, କେତେବେଳେ ବା ଦିଗ ନ ପାଇ ବାଟ ଅଣ୍ଡାଳି ହେଉଛି ।

 

ଲୋକର ଧ୍ୟାନ ରହିଛି ପଇସା ଉପରେ, ଚତୁର୍ବଗ ଫଳ ଆଶାରେ ସେ ଧାଇଁଛି ପଇସା ପଛରେ । ଟଙ୍କା ପଇସା ମୂଲ୍ୟବାନ ବସ୍ତୁ ମାତ୍ର ହୋଇ ରହି ନାହିଁ; ଟଙ୍କା ପଇସାର ନ୍ୟାଯ୍ୟ ମୂଲ୍ୟରେ ଅଧିକତା ଘଟିଅଛି । ସମାଜରେ ମୁଦ୍ରାର ଆଦର ବହୁତ ବଢ଼ିଯାଇଛି । ଧନ-କ୍ଷମତା ତୁଳନାରେ ସଦାଚାର, ଭଦ୍ର ବ୍ୟବହାର, ସତ୍ୟାସତ୍ୟ ବିଚାର, ଭଲମନ୍ଦ ବିବେକର କାରବାର ଅଳ୍ପ ମୂଲ୍ୟ ପାଉଛି । ପଇସା ଯେ କେବଳ ଆହାର, ପରିଧାନ, ନିତ୍ୟପ୍ରୟୋଜନ, ଅଳ୍ପ ପ୍ରୟୋଜନ ଯୋଗାଉଛି ତାହା ନୁହେଁ, ପଇସା ବିନିମୟରେ ରାଜନୀତିକ ସ୍ଥାନ, ସାମାଜିକ ଆସନ ଲୋକ ପାଇପାରୁଛି । ପୁଣି ପଇସା ରୋଜଗାର ନିମିତ୍ତ ଏ ସ୍ଥାନ ଆସନକୁ ସେ ବ୍ୟବହାର କରୁଛି, କେତେବେଳେ ବା ପଇସା ନେଇ ଏ ସ୍ଥାନ ଆସନ ଅନ୍ୟ ଲୋକ ହାତକୁ ବଢ଼ାଇ ଦେଉଛି । ପଇସା ଥିଲେ ଲୋକ ବନ୍ଧୁତା (?) ଅର୍ଜ୍ଜି ପାରୁଛି, ପଇସା ଥିବାତକ ବନ୍ଧୁତା ଲାଗିରହିଛି, ପଇସା ସରିଲେ ବନ୍ଧୁତା ଛିଣ୍ଡିଯାଉଛି । ପଇସା ଦେଇ ଲୋକ ବୈବାହିକ ଜୀବନ କିଣି ପାରୁଛି । ପଇସା ବଦଳରେ ଧର୍ମ ଅର୍ଜ୍ଜିବା ମଧ୍ୟ ସ୍ଥାନେ ସ୍ଥାନେ ଦେଖାଯାଉଛି । ପଇସା ପ୍ରତି ଅତିପ୍ରୀତି ଲୋକଙ୍କଠାରେ ଉନ୍ମାଦରୋଗ ଘଟାଉଛି । ପେଡ଼ି ପଇସାକୁ ଅନାଇ ଲୋକ ଆହାରନିଦ୍ରା ଭୁଲି ଯାଉଛି; ପଇସା ଊଣା ହୋଇଗଲେ ଲୋକର ରକ୍ତ ଶୁଖିଯାଉଛି । ବେଶୀ ପଇସା ରଖି ଅଳ୍ପ ପଇସା ଖରଚ କରିବାରେ ସେ ଆନନ୍ଦିତ ହେଉଛି; ଏହାର ଅନ୍ୟଥା ଘଟିଲେ, ସେ ପ୍ରାଣରେ ଆଘାତ ପାଉଛି । ରଖି ଯାଇଥିବା ଏତେ ଧନର ଅପବ୍ୟୟ ସମ୍ମୁଖ ସଂସାରରେ ନିତ୍ୟ ଘଟୁଥିବାର ସେ ଅନୁଭବ କରୁଛି, ତଥାପି ଅନୁପଯୁକ୍ତ ଧନ ସଞ୍ଚୟରେ ସେ ଲାଗିପଡ଼ିଛି ।

 

ଏ କଅଣ ମାନବ-ସଂସାର ନା ଶିଶୁ ସଂସାର ? ଏ କଅଣ ଭ୍ରାନ୍ତି ନା ମୋହ ? ପଇସାର ପ୍ରୟୋଜନ ପଇସା ପାଇଁ ନୁହେଁ, ଜୀବନ-ଧର୍ମ ପ୍ରତି ନିଯୁକ୍ତି ପାଇଁ । ପଇସା-ପ୍ରୀତି ଗୋଟାଏ ମାନସିକ ରୋଗ । ଏ ରୋଗ ଥରେ ଧରିଲେ, ସେଥିରୁ ମୁକ୍ତ ହେବା କଠିନ । ପଇସା ମାତ୍ର ଅର୍ଜିବା, ପଇସା ସଞ୍ଚିବା, ମାନବର କାମ୍ୟବସ୍ତୁ ନୁହେଁ; ବିଦ୍ୟା-ବୁଦ୍ଧି-ଶିକ୍ଷା-ସଂସ୍କୃତି-ନୀତି-ପ୍ରଶସ୍ତି ମାନବର କାମ୍ୟବସ୍ତୁ । ମାନବର ଯଥାର୍ଥ ସଂସାର ଧର୍ମ କର୍ମର, ଯୋଗ୍ୟତା ଉପାର୍ଜ୍ଜନର, ମାନମହତ୍ତ୍ୱର ସଂସାର, ପଇସାର ସଂସାର ନୁହେଁ । ଯେତେ ଧନ ଥାଉ ନା କାହିଁକି, ଆସୁ ନା କାହିଁକି, ଭୌତିକ ସମ୍ପଦ କି କେବେ ଅତିଭୌତିକ ବିଭବର ସମତୁଲ୍ୟ ହୋଇ ପାରେ ? ଧନିକ ଲୋକ କି କେବେ ମହତ୍‌ ଲୋକର ଆସନ ପାଇପାରେ ? ପଇସା କି କେବେ ମାନବ ମାନଇଜ୍ଜତ୍‌ ପ୍ରତ୍ୟାଖ୍ୟାନ କରିପାରେ ? ବନ୍ଧୁତା ମିତ୍ରତାର ସମ୍ପର୍କ ପଇସାର ସମ୍ପର୍କ ସହିତ ଜଡ଼ିତ ରହିପାରେ ? ନରନାରୀର ନରତ୍ୱ ନାରୀତ୍ୱ ପଇସା ଲୋଭରେ କି କେବେ ନୀତିଭ୍ରଷ୍ଟ ହୋଇପାରେ ? ଧନପ୍ରତି ମନନିବିଷ୍ଟ ହେବାରେ ମାନବର ନିୟତ, ନୀତିଗତ, ସୃଷ୍ଟିଗତ ସମ୍ପଦ ଆପଦଗ୍ରସ୍ତ ହୋଇପଡ଼େ ।

Image

 

ସମାଜ ସଂଗଠନ

 

ବର୍ତ୍ତମାନ ସଂସାରରେ ମାନବର ବୈବାହିକ ଜୀବନ ଅନେକ ସ୍ଥାନରେ ଇତର ପ୍ରାଣୀର ଯୁଗ୍ମ ଜୀବନରେ ପରିଣତ । ମାନବ ସମାଜର ଭବିଷ୍ୟତ୍‌ ଗଢ଼ିବା ନିମିତ୍ତ ପାରିବାରିକ ଜୀବନରେ ସଂସ୍କାର ଆବଶ୍ୟକ । ଯାହା ପାରିବାରିକ ଜୀବନ ତାହା ଯଥାର୍ଥରେ ସଂଯତ ନିୟନ୍ତ୍ରିତ ଜୀବନ । ନୀତିଗତ ସଂଯମ, ତଥା ନିୟନ୍ତ୍ରଣର ଅଭାବ ରହିଲେ ମାନବ ପରିବାର ପ୍ରାଣୀ ସଂଗମ ମାତ୍ରରେ ପର୍ଯ୍ୟବସିତ ହୁଏ । ଏହାର ଫଳରେ ମାନବ ସୃଷ୍ଟି ଲୋପପାଇ, ପ୍ରାଣୀ ସଂଖ୍ୟାର ବୃଦ୍ଧି ଘଟିଥାଏ ଏବଂ ତାହା ସାମାଜିକ ଦୁଃଖ ଅଭାବର କାରଣ ହୋଇ ପଡ଼ିଥାଏ । ସ୍ମରଣ ରଖିବା ଉଚିତ ଯେ, ସଂଖ୍ୟା ବୃଦ୍ଧିରେ ପାରିବାରିକ ଜୀବନ ଥାଏ ନାହିଁ, ମାନବସୃଷ୍ଟିରେ ରହିଥାଏ । ‘‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’’ ଏହି ନୀତି ଅନୁସୃତ ହେଲେ ଜନସଂଖ୍ୟାର ସୀମା ନିର୍ଦ୍ଦିଷ୍ଟ ରହିପାରେ; କିନ୍ତୁ ଏହି ନୀତି ସେହିମାନେ ଅନୁସରଣ କରି ପାରନ୍ତି ଯେଉଁମାନେ ସଂଯମ ବଳରେ ଆତ୍ମନିୟନ୍ତ୍ରଣ ସାଧିପାରନ୍ତି । ଯେବେ ଏପରି ସଂଯତ ଜୀବନ ଗଢ଼ିବାରେ ଆମ୍ଭେମାନେ ଅକ୍ଷମ ହେଉଁ ତେବେ ସଂଖ୍ୟା ବୃଦ୍ଧି ଘଟିତ ପରିବାରର ଦାୟିତ୍ୱ ନେବା ସମସ୍ତଙ୍କ ପକ୍ଷରେ ସମ୍ଭବ ଯୋଗ୍ୟ ହୁଏ ନାହିଁ । ଏପରି କ୍ଷେତ୍ରରେ ଏକ ପରିବାରର କର୍ତ୍ତବ୍ୟ ସାଧିବା ପାଇଁ ଏକାଧିକ ବ୍ୟକ୍ତିର ଶକ୍ତି ସାମର୍ଥ୍ୟ ଓ ସହଯୋଗ ଆବଶ୍ୟକ ହୋଇଥାଏ । ଏକ ଏକ ଲୋକ ଏକ ଏକ ପରିବାର ସୃଷ୍ଟିପ୍ରତି ଉଦ୍ଦିଷ୍ଟ, ପ୍ରତ୍ୟେକ ଲୋକ ପରିବାର ଗଢ଼ିବାରେ ସମର୍ଥ ଏ ପ୍ରକାର ଧାରଣା ଭ୍ରାନ୍ତ । ପାରିବାରିକ ଜୀବନ କେବଳ ସାମର୍ଥ୍ୟବାନ୍‌ ବ୍ୟକ୍ତିଙ୍କପାଇଁ ନିର୍ଦ୍ଦିଷ୍ଟ ଏବଂ ଯେଉଁଠାରେ ବିବାହିତ ଭାଇଭଉଣୀ ପରିବାରର ପୂର୍ଣ୍ଣ କର୍ତ୍ତବ୍ୟ ସାଧିବାରେ ଅସମର୍ଥ, ସେଠାରେ ଅନ୍ୟ ଭାଇଭଉଣୀ ଏକା ରହି ଉକ୍ତ ବିବାହିତ ଭାଇ ଭଉଣୀର ପାରିବାରିକ ଦାୟିତ୍ୱରେ ଭାଗନେବା ଉଚିତ ।

 

ପାରିବାରିକ ଜୀବନ ଗୋଟିଏ ଆଶ୍ରମଗତ ଜୀବନ । ମାନବଜୀବନର କର୍ମାରମ୍ଭ ଗୃହସ୍ଥାଶ୍ରମରେ, ସମାପ୍ତି ବାନପ୍ରସ୍ଥରେ, ଏହାର ଅର୍ଥ ଏହି ଯେ, ପ୍ରଥମରେ ଉପଯୁକ୍ତ ପରିବାର ଗଢ଼ିବାରେ ମାନବ ନିଯୁକ୍ତ ରହି ଶେଷରେ ଉପଯୁକ୍ତ ସମାଜ ଗଢ଼ିବାରେ ସେ ନିଯୁକ୍ତ ରହେ । ଗୃହସ୍ଥ-ସଂସାର ପଶୁର ଜୀବନ ନୁହେଁ କି ବାନପ୍ରସ୍ଥ ଭିକ୍ଷୁକର ଜୀବନ ନୁହେଁ । ଉଭୟ ଜୀବନ ସଂଗଠନମୂଳକ । ସମାଜ ପକ୍ଷେ ଜନସୃଜନ ଗୃହସ୍ଥର ଲକ୍ଷ୍ୟ; ସମାଜ-ଧର୍ମପ୍ରତି ଜନ ଜନଙ୍କର ନିୟୋଜନ ବାନପ୍ରସ୍ଥର ଲକ୍ଷ୍ୟ; ଯେଉଁ ବ୍ୟକ୍ତି ବାନପ୍ରସ୍ଥ, ସେ ଅରଣ୍ୟବାସୀ ନୁହେଁ । ଏ ବ୍ୟକ୍ତି ପରିବାର ବିଯୁକ୍ତ; କିନ୍ତୁ ଏକ ପରିବାରରୁ ପୃଥକ୍‌ ରହି ସେ ସଂସାର ପରିବାର ଗଢ଼ିବାରେ ନିଯୁକ୍ତ । ବାନପ୍ରସ୍ଥର ଏହାହିଁ ଧର୍ମ ।

 

ପାରିବାରିକ ଜୀବନ ସଙ୍ଗେ ଅର୍ଥଗତ ଜୀବନର ମଧ୍ୟ ସଂଶୋଧନ ଆବଶ୍ୟକ । ଆର୍ଥନୀତିକ ସମସ୍ୟାର ନିଷ୍ପତ୍ତି ପୁଞ୍ଜିବାଦରେ ନାହିଁ କି ସମାନ ସ୍ୱତ୍ୱବାଦ (Communism)ରେ ନାହିଁ, ସହସ୍ୱତ୍ୱ ବାଦରେ * ଅଛି । ପୁଞ୍ଜିବାଦୀ ସମାଜ ବିରୋଧୀ; ସମାନ-ସ୍ୱତ୍ୱବାଦୀ ବ୍ୟକ୍ତିତ୍ୱ ବିରୋଧୀ । ପୁଞ୍ଜିବାଦୀ ପୁଞ୍ଜିବାଦୀର ଉପାସକ; କିନ୍ତୁ କେବଳ ପୁଞ୍ଜିବାଦୀ ଥାଇ ସମାନ ଥାଇ ନ ପାରେ । ସମାନ-ସ୍ୱତ୍ୱବାଦୀ ସୁପ୍ରସ୍ତୁତ ଦର୍ପଣରେ ଅନ୍ୟମାନଙ୍କୁ ଦେଖେ; କିନ୍ତୁ ଟିକିଏ ହେଲେ ଭାବେ ନାହିଁ ଯେ, ସେ ଯେଉଁ ବାଦର ଅବତାରଣା କରୁଛି ସେ ବାଦର ସୃଷ୍ଟି କାହିଁରୁ ? ସମାନତାବାଦ କହ, ପୁଞ୍ଜିବାଦ କହ, ସମସ୍ତ ବାଦର ଉତ୍ପତ୍ତି ବ୍ୟକ୍ତିତ୍ୱ ବିକାଶ ସ୍ୱୀକାର କରିବା ହେତୁରୁ । ବ୍ୟକ୍ତିତ୍ୱର ବିଭିନ୍ନତା, ବିଭିନ୍ନତାରୁ ନାନା ମତବାଦର ତଥା ଉତ୍ତମ ଅଧମର ଉତ୍ପତ୍ତି । ଯେବେ ସମାନ ସ୍ୱତ୍ୱବାଦୀ ଲୋକ ଲୋକ ମଧ୍ୟରେ ଭିନ୍ନତା ଅସ୍ୱୀକାର କରେ, ତେବେ ସମାନ ସ୍ୱତ୍ୱବାଦ ନାମକ ଭିନ୍ନମତ ଆସିପାରେ କି ? କିମ୍ୱା ଏ ମତକୁ ଆମ୍ଭେମାନେ ଗ୍ରହଣ କରିବୁ, ଆମ୍ଭମାନଙ୍କ ମତ ସେ ଅଗ୍ରାହ୍ୟ କରିବ, ଏ ପ୍ରକାର ଅଧିକାର ସମାନ ସ୍ୱତ୍ୱବାଦୀ ପାଇପାରେ କି ? ସମାନ୍ତର କ୍ଷେତ୍ର ନୁହେଁ, ସହଯୋଗ କ୍ଷେତ୍ର, ସମାନଭାଗିତା ନୁହେଁ, ସହଭାଗିତା, ଅର୍ଥନୀତିକ ମୀମାଂସା ପ୍ରତି ପ୍ରକୃଷ୍ଟ ପନ୍ଥା । ସହସ୍ୱତ୍ୱବାଦରେ ବ୍ୟକ୍ତିର ସଂପଦ-ସୃଷ୍ଟି ବ୍ୟକ୍ତି ଓ ସମାଜ ମଧ୍ୟରେ ନ୍ୟାୟତଃ, ଧର୍ମତଃ ବିଭାଗୀକୃତ ।

 

*ସହସ୍ୱତ୍ୱବାଦ ଅର୍ଥାତ୍‌ Socialism as co-partnership.

 

ଧନ ସୃଷ୍ଟି କରିବା ଅଧିକାର ଲୋକଙ୍କୁ ଦେବାକୁ ହେବ । ଏ ଅଧିକାର କାଢ଼ିନେଲେ, ବ୍ୟକ୍ତିର ଗୋଟିଏ ବ୍ୟକ୍ତିଗତ କ୍ଷମତା ଅପ୍ରକାଶିତ ରହିଯିବ । ଯେ ଧନ ସୃଷ୍ଟି କରେ ସେ ଏକ ବିଶେଷ ଗୁଣର ଅଧିକାରୀ । କିନ୍ତୁ ପୁଞ୍ଜିବାଦୀ ପୁଞ୍ଜିବାଦୀ ରହି ଧନ ସୃଷ୍ଟି କରି ନ ପାରେ । ନିଜ ପାଇଁ, ନିଜ ପରିବାର ମାତ୍ରର ତୃଷ୍ଟି ପାଇଁ ସମସ୍ତ ସୃଷ୍ଟ ଧନ ପାଇ ନ ପାରେ, ଦାବୀ କରି ନ ପାରେ-। ପୁଞ୍ଜିବାଦୀର ଜୀବନ ପ୍ରେରଣାରେ ବିବର୍ତ୍ତନ ଘଟାଇ ସେ ସ୍ଥାନରେ ସମାଜବାଦୀର ପ୍ରେରଣା ଉତ୍ପାଦନ କରିବାକୁ ହେବ । ବ୍ୟକ୍ତି ଯାହା ଧନ ସମ୍ପଦ ସୃଷ୍ଟି କରିବ ସେଥିର ଗୋଟିଏ ଅଶଂରେ ସେ ହକ୍‌ଦାର ହେବ; ଅନ୍ୟ ଅଂଶଟି ସ୍ୱଇଚ୍ଛାରେ ନିର୍ମଳ ଚିତ୍ତରେ ସେ ସମାଜ ପ୍ରତି ଅର୍ପଣ କରିବ-। ଅଂଶର ହାର କେତେ ରହିବ, ସମାଜ ତାହା ସ୍ଥିର କରିଦେବ । ତେବେ ଅନୁପା ତର ପରିମାଣ ଏପରି ହେବା ଉଚିତ ଯେ, ଯଦ୍ଦ୍ୱାରା ସୃଷ୍ଟ ଧନରୁ ଭାଗ ପାଇ ଧନୀ ଲୋକ ଅଶକ୍ତ ହୋଇ ନ ପଡ଼ିବ, ଧନ ସୃଷ୍ଟିରେ ନିଜକୁ ନିଯୁକ୍ତ ରଖିପାରିବ । ସମାନ-ସ୍ୱତ୍ୱବାଦ ସମାଜିକ ଜୀବନ ପକ୍ଷରେ ଉପଯୁକ୍ତ ପନ୍ଥା ନୁହେଁ; କାରଣ ସୃଷ୍ଟି କରୁଥିବା ବ୍ୟକ୍ତିଠାରେ ବିଶେଷତ୍ୱ ଅସ୍ୱୀକାର କରିବା, ଅଥବା ସ୍ୱୀକାର କରି ସେଥିପାଇଁ ବିଶେଷ ମୂଲ୍ୟ ନ ଦେବା, ସୃଷ୍ଟି କରୁଥିବା, କରୁ ନଥିବା ଉଭୟଙ୍କୁ ନ-କରୁଥିବା ସ୍ତରରେ ରଖିବା ସମାନ ସ୍ୱତ୍ୱବାଦର ନୀତି ।

 

ସମ୍ପଦ ସୃଷ୍ଟିରେ ବ୍ୟକ୍ତିତ୍ୱରେ ମୂଲ୍ୟ ଗ୍ରହଣ କରିବା ପାଇଁ ଆମ୍ଭେମାନେ ପ୍ରସ୍ତୁତ, କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସମ୍ପଦ ମାତ୍ର ଥୋଇ, ଦେଇ ନେଇ, ଲୋକ ଜୀବନନିର୍ବାହ କରିବ । ସମ୍ପଦ ସ୍ୱୋପାର୍ଜିତ ହେଉ ବା ଉତ୍ତରାଧିକାରୀ ସୂତ୍ରେ ଆସିଥାଉ, ସମ୍ପଦକୁ ରଖି, ବସି ଖାଇବାର ଅଧିକାର କୌଣସି ପୁରୁଷ ପକ୍ଷରେ ଗୃହୀତ ହୋଇ ନ ପାରେ । ପ୍ରତ୍ୟେକ ଲୋକ ଆଶକ୍ତ ହୋଇ ପଡ଼ିବା ଯାଏଁ ଉପାର୍ଜନଗତ ଜୀବିକା ଅବଲମ୍ୱନ କରିବାକୁ ବାଧ୍ୟ । କିମ୍ୱା ଆର୍ଥନୀତିକ ବ୍ୟକ୍ତିତ୍ୱବାଦର ଏପରି ଅର୍ଥ କରାଯାଇ ନ ପାରେ ଯଦ୍ଦ୍ୱାରା ସମ୍ପଦ ସୃଷ୍ଟି ଗୋଟିଏ ଗୋଟିଏ ଲୋକର କାର୍ଯ୍ୟ ହୋଇ ରହିଥିବ । ବରଂ ବ୍ୟକ୍ତି ବ୍ୟକ୍ତିର ଉଦ୍ୟମକୁ ଯଥାଯୋଗ୍ୟ ସମ୍ମିଳିତ-ସମନ୍ୱିତ କରିବା-ରଖିବାରେ, ଐକିକ ଉଦ୍ୟମ ସ୍ଥାନରେ ସହଯୋଗମୂଳକ ସଂସ୍ଥାନ ଗଢ଼ିବାରେ ଆମ୍ଭେମାନେ ପକ୍ଷପାତୀ । ବ୍ୟକ୍ତିଗତ ଉଦ୍ୟମ ଅପେକ୍ଷା ସମବେତ ଉଦ୍ୟମର କ୍ଷମତା ବେଶୀ; ପୁଣି ଏକ ଏକ ଲୋକ ଏକ ଏକ ହୋଇ ଧନ ସୃଷ୍ଟି କରିବାରେ ସେ ଲୋକ ସୃଷ୍ଟ-ଧନରୁ ସମସ୍ତ ଅଂଶ ଦାବୀ କରିପାରେ, ଲୋକଠାରେ ଅହଙ୍କାର ମାତ୍ର ଆସିପାରେ, ଅନ୍ୟ ଲୋକଙ୍କଠାରେ ହିଂସା ପ୍ରବୃତ୍ତି ଜାଗ୍ରତ ହୋଇପାରେ ।

 

ଆମ୍ଭମାନଙ୍କ ବିବେଚନାରେ ବ୍ୟକ୍ତି ବ୍ୟକ୍ତିର ସୃଷ୍ଟିଗତ ବ୍ୟାବହାରିକ କ୍ଷମତା ପ୍ରୟୋଗରୁ ଯେତେ ନୂତନ ଧନ ଉତ୍ପନ୍ନ ହେବ ସେଥିରୁ ବାର୍ଷିକ ଶତକଡ଼ା ୫।୬ ଟଙ୍କା ଅନୁପାତରେ ବ୍ୟକ୍ତିର ଭାଗ ପଡ଼ିବ । ଅବଶିଷ୍ଟ ପରିମାଣ ଦେଶବାସୀଙ୍କ ପ୍ରୟୋଜନ ପାଇଁ ବ୍ୟବହୃତ ହେବ । ଏ ନିୟମ କଳକାରଖାନାର ମାଲିକମାନଙ୍କ ପ୍ରତି, ଋଣଦାତା ଶ୍ରେଣୀ ପ୍ରତି ପ୍ରଯୁଜ୍ୟ ହେବ, ଏବଂ ଏ ସମସ୍ତ ବ୍ୟବସାୟ ଯୌଥ କାରବାରରେ ପରିଣହତ କରାହୋଇ ଉକ୍ତ କାରବାରରେ ତିନି ଶ୍ରେଣୀର ଭାଗଦାରଙ୍କ ପାଇଁ ସ୍ଥାନ ରଖିବାକୁ ହେବ । ପ୍ରଥମତଃ ଶକ୍ତିମାନ ବ୍ୟକ୍ତି କାରବାର ସୃଷ୍ଟିରେ ନେତୃତ୍ୱ ନେବ; ଦ୍ୱିତୀୟତଃ ଏ ସୃଷ୍ଟି କାର୍ଯ୍ୟରେ ଦେଶ ଅଂଶ କିଣି ଆଂଶିକ କର୍ତ୍ତୃତ୍ୱ ରଖିବ; ତୃତୀୟତଃ ଦେଶବାସୀ ଅଂଶୀଦାର ହେବାରେ ସୁଯୋଗ ପାଇବ ।

 

ଶିଳ୍ପ ସଂଗଠନ ପାଇଁ ମୂଳଧନର ଲୋଡ଼ା । ସବୁ କ୍ଷେତ୍ରରେ ଦେଶ ଏହି ମୂଳଧନର ଅଂଶ କିଣିବାକୁ ବାଧ୍ୟ, ଏପରି କୁହାଯାଇ ନ ପାରେ । ଯେଉଁ ଯେଉଁ ଶିଳ୍ପ ଜୀବନଗତ ମୁଖ୍ୟବସ୍ତୁ ରୂପେ ସ୍ୱୀକୃତ ବା ଯାହା ଲୋକମାନେ ଉତ୍ତମରୂପେ ସୃଷ୍ଟି କରିବାରେ ଅସମର୍ଥ, ସେହି ସେହି ଅନୁଷ୍ଠାନ ଗଢ଼ିବାର ଦାୟିତ୍ୱ ଦେଶ ନେଇଥାଏ, ଆଂଶିକ ଭାବରେ ହେଉ ବା ପୁରାମାତ୍ରାରେ ହେଉ; ଏତଦ୍‌ବ୍ୟତୀତ ଅନ୍ୟ ସଂଗଠନ ପାଇଁ ଦେଶବାସୀଙ୍କ ସୃଷ୍ଟିଗତ କ୍ଷମତା ଉପରେ ନିର୍ଭର କରିଥାଏ । ଅଂଶ ନ କିଣିଲେ ମଧ୍ୟ ଦେଶଗତ ଶିଳ୍ପସଂସ୍ଥା ଉପରେ ଶାସନଗତ ଦୃଷ୍ଟି ସର୍ବଦା ରହିଥାଏ । ଶିଳ୍ପ ସଂଗଠନରେ ଏକଚାଟିଆ ବ୍ୟବସାୟ ପ୍ରତି ବାଧା ଦେବା, ନିର୍ମଳ ପ୍ରତିଯୋଗର ଦ୍ୱାର ମୁକ୍ତ ରଖିବା, ଦୁର୍ବଳ ମୂଲିଆଶ୍ରେଣୀକୁ ପ୍ରବଳ ମାଲିକଶ୍ରେଣୀଙ୍କ ଅନୁଚିତ ବ୍ୟବହାରରୁ ରକ୍ଷା କରିବା–ଏ ସମସ୍ତର ଦାୟିତ୍ୱ ଶାସକ ସମ୍ପ୍ରଦାୟ ଉପରେ । ଶିଳ୍ପ ପ୍ରସାରଣ ପାଇଁ ସୃଷ୍ଟିଗତ କ୍ଷମତା ମାତ୍ର ଯଥେଷ୍ଟ ନୁହେଁ । ଉତ୍ତମ ଅଧମର ପରୀକ୍ଷା ପାଇଁ ଦେଶବାସୀ-ଦେଶବାସୀ ମଧ୍ୟରେ କ୍ଷମତା ଘେନି ପ୍ରତିଯୋଗ ରହିଥିବା ଏକାନ୍ତ ଆବଶ୍ୟକ । ପ୍ରତିଯୋଗିତା କ୍ଷେତ୍ର ଉନ୍ମୁକ୍ତ ରହିଥିଲେ, ଯେଉଁ ସୃଷ୍ଟଦ୍ରବ୍ୟ ଅପେକ୍ଷାକୃତ ଉତ୍ତମ ଓ ଅଳ୍ପ ମୁଦ୍ରାରେ ପ୍ରାପ୍ୟ, ସେହି ଦ୍ରବ୍ୟ ଅଧମତାର ଲୋପ ଘଟାଇ ବାଣିଜ୍ୟ-ଜଗତରେ ନିଜର ପ୍ରସାର ରଖି ପାରିଥାଏ ।

 

ଲୋକମାନଙ୍କର ଆର୍ଥନୀତିକ ଦୁଃଖ ମୋଚନ ପାଇଁ ଯେଉଁ ଯେଉଁ ବ୍ୟବସାୟ କ୍ଷେତ୍ରରେ ଉନ୍ମୋଚନ-ପ୍ରସାରଣ ଆବଶ୍ୟକ ହେବ, ସେ ସମସ୍ତ ଦେଶ କେବଳ ଗଢ଼ି ପାରିବ ବା ସେ ସମସ୍ତରେ ଦେଶ ଏକା ମାଲିକ ହୋଇ ପାରିବ, ଅଥବା ଗଢ଼ିବା ଟେକିବା କାର୍ଯ୍ୟରେ ଦେଶ ଶାସନ କୌଣସି ଭାଗ ନ ନେଇ ଏ ଦାୟିତ୍ୱ ଲୋକମାନଙ୍କ ଉପରେ ପୂର୍ଣ୍ଣ ମାତ୍ରାରେ ଲଦି ଦେବ, ଏଥିମଧ୍ୟରୁ କୌଣସି ପନ୍ଥା ଅନୁସରଣ କରିବା ଦେଶ ପକ୍ଷରେ ଅସୁନ୍ଦର । ସେହିପରି ଋଣଦାତା ଅଧିକ ହାରରେ ଋଣ ଦେଇ ନ ପାରିବ, କାରଖାନାର ମାଲିକ ଅଧିକ ପରିମାଣରେ ଲାଭ ରଖି ନ ପାରିବ, ଏଇତକ ନିୟମ ଜାରୀ କରିଦେବା ଶାସକ ପକ୍ଷରେ ଅପୂର୍ଣ୍ଣ କାର୍ଯ୍ୟ । ଯାହା ବା ଯେପରି ନ କରିବାର କଥା ତାହାର ନିର୍ଦ୍ଦେଶ ଦେଇ ତାହା ସହିତ ଯାହା କରିବା ଓ ଯେପରି କରିବା ଆବଶ୍ୟକ ତାହା ପୂରଣ କରିଦେବା ଶାସକର ବିଧିବଦ୍ଧ କାର୍ଯ୍ୟ । ଥିବାଲୋକଙ୍କୁ ଓ ସମର୍ଥ ଲୋକଙ୍କୁ ଏକତ୍ର କରି ଦେଶଗତ ଶକ୍ତିରୁ ସାହାଯ୍ୟ ଦେଇ, ଦେଶଗତ ଭାଗଧାନ ଯୋଗାଇ ସହଯୋଗ-ସମବାୟ-ଭିତ୍ତି ଉପରେ ଋଣ ବ୍ୟବସାୟ, କଳକାରଖାନା ବସାଇବା ଦେଶର କର୍ତ୍ତବ୍ୟ-

 

କଳକାରଖାନା ସମ୍ପର୍କରେ ଆଉ କିଛି ମଧ୍ୟ କହିବା ଉଚିତ । କଳକାରଖାନାଗୁଡ଼ିକ ଏପରି ନିୟମରେ ଚଳି ଆସୁଛି ଯେ, ସେମାନଙ୍କ ଉପରେ ଦେଶ ଶାସନର ଉପଯୁକ୍ତ କର୍ତ୍ତୃତ୍ୱ ଥିଲାପରି ବୋଧହେଉ ନାହିଁ । ଏ ସମସ୍ତର ବ୍ୟବସାୟ ଏପରି ଭାବରେ ଖେଳୁଛି, ଯହିଁରେ ଲବ୍‌ଧ ଧନ ଅଳ୍ପ ଲୋକଙ୍କ ହାତରେ ରହି ଅନେକ ଲୋକଙ୍କୁ ଅଭାବଗ୍ରସ୍ତ କରୁଛି; କଳକାରଖାନାର ନିୟମ ପଦ୍ଧତି ଲୋକମାନଙ୍କୁ ମାଲିକ ମୂଲିଆ ଦୁଇ ଶ୍ରେଣୀରେ ବିଭକ୍ତ କରୁଛି; ମାଲିକମାନଙ୍କଠାରେ ଧନାଧିକ୍ୟ ଘଟାଇ ମୂଲିଆଙ୍କୁ ଦରିଦ୍ର କରି ଦେଉଛି । କଳକାରଖାନା ନୀତି ମାଲିକ ମୂଲିଆ ମଧ୍ୟରେ ଅର୍ଥଗତ ପ୍ରଭେଦ ମାତ୍ର ଘଟାଇ ନାହିଁ; ଏହା ଅପେକ୍ଷା ଅଧିକ ଭେଦ, ଗୁରୁତର ମାନସଗତ ତଥା ମାନବିକ ଭେଦ ଘଟାଇଛି । ଉତ୍ତାପମାତ୍ର ଯୋଗାଇବା, ତେଲ ଲଗାଇବା, ଚକ ବୁଲାଇବା, ମୂଲିଆ ଶ୍ରେଣୀର କର୍ମଭୂତ ହୋଇ, କଳକାରଖାନା ପ୍ରତି ଭାବନା–ଯୋଜନ ଯୋଗାଇବା ମାଲିକ ଶ୍ରେଣୀର କର୍ମଭୂତ ହୋଇଛି । ଏତଦ୍ଦ୍ୱାରା ମୂଲିଆଶ୍ରେଣୀ ସୃଷ୍ଟିଗତ କ୍ଷମତାରୁ, ଏବଂବିଧ କର୍ମ କର୍ତ୍ତବ୍ୟରୁ ବଞ୍ଚିତ ହୋଇଛି । କଳକାରଖାନା ଯୁଗ ବଢ଼େଇ କମାର ତନ୍ତୀ କାରିଗରଙ୍କୁ କୁଲି ଶ୍ରେଣୀରେ ପରିଣତ କରି, ଏମାନଙ୍କଠାରେ ଥିବା ମାନବୀୟ ସୃଷ୍ଟିମୂଳକ କ୍ଷମତାର ଲୋପ ଘଟାଇ ତହିଁ ସଙ୍ଗେ ସୃଷ୍ଟିଗତ ନୈସର୍ଗିକ ଆନନ୍ଦମାତ୍ରାର କ୍ଷୟ ଘଟାଇଛି । ଯେତେବେଳେ ତନ୍ତୀ ନିଜ ତନ୍ତରେ ଲୁଗା ବୁଣୁଥାଏ, ଯେତେବେଳେ କମାର ଲେହିରେ ଲୁହାକୁ ଆକାର ଦେଉଥାଏ, ତେତେବେଳେ ଉଭୟଙ୍କଠାରେ ସୃଷ୍ଟିମୂଳକ–ମାନସଘଟିତ କ୍ରିୟା ସଂଗଠିତ ହେବା ସଙ୍ଗେ ତନ୍ନିବନ୍ଧ ଉଲ୍ଲସିତ ମୁଖ ବିସ୍ଫୋରିତ ହେଉଥାଏ ।

 

ଏଥିପାଇଁ କେହି କେହି କଳକାରଖାନାର ମୂଳପୋଛ କରି ସେ ସ୍ଥାନରେ କୁଟୀର ଶିଳ୍ପ ବସାଇବାର ଇଙ୍ଗିତ ଦେଇଥାନ୍ତି; କିନ୍ତୁ ଯନ୍ତ୍ରଯୁଗରେ, କଳକାରଖାନା ମାର୍ଗରେ ଏତେଦୂର ଅଗ୍ରସର ହୋଇ ତତ୍‌ପୂର୍ବ ଅବସ୍ଥାକୁ ଫେରିଯିବା ସମ୍ଭବଯୋଗ୍ୟ ନୁହେଁ । ଦେଶରେ କଳକାରଖାନା ରଖି, ତହିଁର ସ୍ଥାପନ ସୃଜନ ପ୍ରଣାଳୀରେ ବିଶୁଦ୍ଧ ପରିବର୍ତ୍ତନ ଆଣିପାରିଲେ, କଳକାରଖାନା ଘଟିତ ଦୋଷ ଯଥାସମ୍ଭବ ଦୂର ହୋଇ ପାରିବ । କଳକାରଖାନାଗୁଡ଼ିକ ସୃଷ୍ଟି କରିଥିବା, କରୁଥିବା ବ୍ୟକ୍ତିମାନଙ୍କ ସମ୍ପଦ ନ ହୋଇ ସମ୍ପଦ ସୃଷ୍ଟିରେ, ସୃଷ୍ଟ ଧନରେ ଦେଶ ତଥା ଦେଶ ଭାଇଙ୍କର ଭାଗ ପରିମାଣ, ସହ-ସମ୍ପାଦନ କାୟମ ରଖିବାକୁ ହେବ । କଳକାରଖାନାର ନୀତି ପଦ୍ଧତି ଏପରି ଭାବରେ ଗଢ଼ିଦେବାକୁ ହେବ ଯଦ୍ଦ୍ୱାରା କଥିତ ମାଲିକ-ମୂଲିଆ ଶ୍ରେଣୀ ମଧ୍ୟରେ ମାନବିକ ସମ୍ୱନ୍ଧ ଥାଇ ଅର୍ଥଗତ ପୁଣି ମାନସଗତ ସାମଞ୍ଜସ୍ୟ ରହିଥିବ । ଉଭୟ ଶ୍ରେଣୀ ଭବନାଗତ ସୃଷ୍ଟିଗତ ପଦାର୍ଥ ଯୋଗାଇ ପାରିବ; ପ୍ରତ୍ୟେକ ଶ୍ରେଣୀ ଏକ ସମୂହର ଅନ୍ତର୍ଗତ ହୋଇ ଯଥାଯଥ ରୂପେ ସମ୍ପଦବାନ୍‌ ହୋଇ ପାରୁଥିବ ।

 

ଏହିପରି ଶିକ୍ଷା-ସୃଷ୍ଟି-ସଂସ୍କୃତିର ଆଦର୍ଶ ଅବଲମ୍ୱନରେ ରାଜନୀତିକ ଜୀବନର ପୁନର୍ଗଠନ ଆବଶ୍ୟକ । ଆର୍ଥନୀତିକ-ରାଜନୀତିକ-ସଂସ୍କୃତିମୂଳକ ଜୀବନରେ ବିରାଟ ସମନ୍ୱୟ ସଂସ୍ଥାପନ ଆମ୍ଭମାନଙ୍କର ଲକ୍ଷ୍ୟ । ପ୍ରଚଳିତ ରଣତନ୍ତ୍ରରେ ଆମ୍ଭମାନଙ୍କ ଦୃଷ୍ଟି ଅନେକ ପରିମାଣରେ ଅର୍ଥଗତ ଜୀବନ ପକ୍ଷରେ ନିବିଷ୍ଟ, ଏବଂ ରାଜନୀତିକ ଶାସନ ଗୋଷ୍ଠୀଗତ ଶାସନରେ ପର୍ଯ୍ୟବସିତ-। ଶାସନଗତ କ୍ଷମତା ନିଜ ହାତକୁ ନେବାପାଇଁ ଏକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ସହିତ ନିତ୍ୟ ସଂଗ୍ରାମରେ ଏକ ଅନ୍ୟକୁ ପଙ୍ଗୁ କରିଦେବାରେ ନିଯୁକ୍ତ । ଗଣତନ୍ତ୍ରକୁ କାର୍ଯ୍ୟୋପଯୋଗୀ କରିବାକୁ ହେଲେ ପ୍ରତିନିଧି ମଣ୍ଡଳୀରେ ଗୋଷ୍ଠୀ ଗୋଷ୍ଠୀ ଶକ୍ତିକୁ ପୁଞ୍ଜିଭୂତ ରଖି, ଗୋଷ୍ଠୀଗତ ଶାସନ ସ୍ଥାନରେ ଏକତ୍ୱକୃତ ଶାସନ ବସାଇ, ବିରାଟ ଦେଶଶକ୍ତି ସୃଷ୍ଟି କରିବାକୁ ହେବ । ଦେଶର ନେତୃପଦ ଯୋଗ୍ୟ ବ୍ୟକ୍ତିଙ୍କୁ ନେଇ ଶାସନ ପରିଷଦ ଏପରି ଭାବରେ ଗଢ଼ିବାକୁ ହେବ ଯଦ୍ଦ୍ୱାରା ଶାସକଙ୍କ ଭାବନା ଗୋଷ୍ଠୀମୟ ନ ହୋଇ ଦେଶମୟ ହୋଇ ପାରିବ । ଶାସନ କାର୍ଯ୍ୟ ଏ ପ୍ରକାରରେ ଚଳାଇବାକୁ ହେବ ଯଦ୍ଦ୍ୱାରା ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ନ୍ୟାୟ ଧର୍ମର ପ୍ରତିଷ୍ଠା ଅକ୍ଷୁଣ୍ଣ ରହି ଦେଶବାସୀଙ୍କ ପ୍ରାଣରେ ଆତ୍ମାଗତ ସଂସ୍କୃତିର ପ୍ରସାର ଘଟୁଥିବ; ଶାସନ ଖସଡ଼ାରେ ଏପରି ନିୟମ ଖଞ୍ଜି ରଖିବାକୁ ହେବ ଯଦ୍ଦ୍ୱାରା ଗୋଷ୍ଠୀ ସ୍ୱତ୍ୱର ବିଚାର ଗୋଷ୍ଠୀଭୁକ୍ତ ଲୋକଙ୍କ ହାତରେ ନ ରହି ନେତୃମଣ୍ଡଳୀଙ୍କ ହାତରେ ରହିଥିବ । ଗଣତନ୍ତ୍ରର ପରୀକ୍ଷା ଭୋଟ ଦେବା, ପାଇବାରେ ନାହିଁ, ଯଥାର୍ଥ ନେତୃତ୍ୱ ସୃଷ୍ଟି କରିବାରେ ଅଛି । ଗଣତନ୍ତ୍ରର ସାଧନା ଗୋଷ୍ଠୀ ତନ୍ତ୍ରରେ ନାହିଁ; ସମୂହ ତନ୍ତ୍ରରେ ଅଛି । ଗଣତନ୍ତ୍ରର କାମନା ଦେଶବାସୀଙ୍କଠାରେ ପ୍ରାଣୀ ଜୀବନ ମାତ୍ର ବଞ୍ଚାଇ ରଖିବାରେ ନାହିଁ, ମାନବିକ ଦ୍ରବ୍ୟର ସୃଜନ ପ୍ରସାରଣରେ ଅଛି ।

 

ଆମ୍ଭମାନଙ୍କ ମତରେ ଗଣତନ୍ତ୍ର ଶାସନରେ ଭୋଟ ଦେବା କ୍ଷମତା ପାଇବା ପୂର୍ବରୁ ଲୋକମାନେ ସଂଘବଦ୍ଧ ହୋଇଥିବା ଆବଶ୍ୟକ । ଦେଶର ଲୋକ ଲୋକବିଚ୍ଛିନ୍ନ ରହିଲେ ସ୍ୱାର୍ଥ କବିଳିତ ହୋଇପଡ଼େ, ଏବଂ ଯେଉଁ ଲୋକ ପରାର୍ଥଜ୍ଞାନ ବିବର୍ଜ୍ଜିତ ସେ ଲୋକ ନିଜ ଭୋଟକୁ ଉପଯୁକ୍ତ ପ୍ରକାରରେ ବ୍ୟବହାର କରି ନ ପାରେ । ସଂଘବଦ୍ଧ ହୋଇ ଲୋକ ନିଜସ୍ଥାନ ସହିତ ପରିଚିତ ହୋଇଥାଏ, ପୁଣି ସଂଘବଦ୍ଧ ହେବାରେ ଲୋକଠାରେ ସ୍ୱାର୍ଥ ଓ ପରାର୍ଥ ଏ ଦୁଇ ଚେତନା ଜାଗ୍ରତ ହୋଇଉଠେ । ଲୋକ ସଂଘରେ ରହି ବେପାରୀ ଲୋକ ବୁଝେ ଯେ, ଦେଶବାସୀ ହେବାକୁ ହେଲେ ତାହାକୁ ନିଜପ୍ରତି ମଧ୍ୟ ଅନ୍ୟମାନଙ୍କ ପ୍ରତି ନିଯୁକ୍ତ ରହିବାକୁ ହେବ । ସେ ମଧ୍ୟ ବୁଝେ ଯେ, ସେ ଯେଉଁ ସଂଗଠନର ସଭ୍ୟ ସେ ସଂଗଠନ କ୍ଷୁଦ୍ର; ଦେଶଗତ ସଂଗଠନ ବୃହତ୍‌, ଏବଂ ଏକ ଅନ୍ୟର ଅନ୍ତର୍ଗତ । ଆହୁରି ମଧ୍ୟ ବୁଝେ ଯେ, ନିଜର ସ୍ୱାର୍ଥ, ନିଜ ଗୋଷ୍ଠୀର ସ୍ୱାର୍ଥ ଓ ଦେଶର ସ୍ୱାର୍ଥ, ଏମାନେ ପରସ୍ପର ଜଡ଼ିତ । ସଂଘଭୁକ୍ତ ଲୋକର ସଂଘଗତ ଜ୍ଞାନ ଜନ୍ମିଲେ ଏବଂ ସଂଘ ସହିତ ଦେଶର ସମ୍ୱନ୍ଧ ହୃଦବୋଧ ହେଲେ, ସେ ଲୋକ ଭୋଟଗତ କ୍ଷମତାକୁ ଦେଶର ସ୍ୱାର୍ଥପ୍ରତି ନିଯୁକ୍ତ ରଖିପାରେ । ଦେଶ ସ୍ୱାର୍ଥରେ ଗୋଷ୍ଠୀର ସ୍ୱାର୍ଥ, ଗୋଷ୍ଠୀ ସ୍ୱାର୍ଥରେ ଆପଣାର ସ୍ୱାର୍ଥ ପାଇପାରେ ।

 

ଦେଶ ଶାସନର ଆଭ୍ୟନ୍ତରିକ ସମସ୍ୟା ପ୍ରଧାନତଃ ଦୁଇଟି, ଆର୍ଥନୀତିକ ଓ ସଂସ୍କୃତିମୂଳକ ।

 

ଆମ୍ଭମାନଙ୍କର ବିଶ୍ୱାସ, କେବଳ ଅର୍ଥଗତ ସମ୍ପର୍କ ନେଇ ଦେଶବାସୀର ଜୀବନ ଗଢ଼ାଯାଇ ନ ପାରେ । ଦେଶବାସୀ-ଦେଶବାସୀର ସମ୍ପର୍କ ଦୃଶ୍ୟତଃ ଭୌତିକ, ବସ୍ତୁତଃ ଆତ୍ମାଗତ । ଦେଶବାସୀଙ୍କର ଆର୍ଥନୀତିକ ଅଭାବ ପୂରଣ ନିମିତ୍ତ ମଧ୍ୟ ଅର୍ଥନୀତି ଅପେକ୍ଷା ପ୍ରଶସ୍ତ ନୀତିପ୍ରେରଣା ଆବଶ୍ୟକ । ଆର୍ଥନୀତିକ ଆର୍ଥନୀତିକ ସ୍ତରରେ ରହି ଅର୍ଥଗତ ପ୍ରଶ୍ନର ଉପଯୁକ୍ତ ମୀମାଂସା ସାଧି ନ ପାରେ । ଯେତେବେଳେ ଜମି ଜମିର ବିଭାଗ-କରଣ ଘେନି ଭାଇ ଭାଇଙ୍କ ମଧ୍ୟରେ, ପ୍ରାପ୍ୟ ପାଉଣା ଘେନି ମାଲିକ ମୂଲିଆଙ୍କ ମଧ୍ୟରେ ବିବାଦ ଘଟେ, ଆମ୍ଭେମାନେ ନିରପେକ୍ଷ ବ୍ୟକ୍ତିଙ୍କ ସାହାଯ୍ୟରେ ତହିଁର ମୀମାଂସାର ଚେଷ୍ଟା କରିଥାଉଁ । ଏ ବ୍ୟକ୍ତି ମୀମାଂସାରେ ନିଯୁକ୍ତ ହୋଇ ଅନୁଭବ କରି ଥାଆନ୍ତି ଯେ, ସମ୍ପଦର ଦାବୀ ମାତ୍ରା ସମାନ କଛରେ ବଣ୍ଟନ କରି ଦେବା, ଉଭୟ ପକ୍ଷଙ୍କୁ ପୂର୍ଣ୍ଣ ସନ୍ତୋଷ ଦେବା ଅସମ୍ଭବ । ଏପରି ଅବସ୍ଥାରେ ସେ ବ୍ୟକ୍ତି ନିଜର ନିଷ୍ପତ୍ତି ଜଣାଇ ଦେଇ ଉଦାରଭାବରେ ତାହାକୁ ଗ୍ରହଣ କରିବା ନିମିତ୍ତ ଉଭୟ ପକ୍ଷଙ୍କୁ ନିବେଦନ କରିଥାଆନ୍ତି । ଉଦାରନୀତିର ଅବଲମ୍ୱନରେ ଉଭୟପକ୍ଷ ଏ ମୀମାଂସା ଗ୍ରହଣ କରିଥାଆନ୍ତି । କାରଣ ଏମାନେ ବୁଝନ୍ତି ଯେ, ଅର୍ଥଗତ ଭେଦ ସତ୍ତ୍ୱେ ସେମାନଙ୍କର ଦେଶଗତ ଜୀବନ ଅଭେଦ୍ୟ । ‘ସେ ଜଣେ ଦେଶ ଭାଇ, ସେ ଟିକିଏ ବେଶୀ ପାଇଗଲା, ଏଥିରେ ଦୁଃଖିତ ହେବା ଅନୁଚିତ’ ଏହି ନୀତିଗତ ଭାବନା ଦେଶବାସୀ-ଦେଶବାସୀଙ୍କୁ ଏକ ସଂସାରଭୁକ୍ତ କରି ରଖି ପାରିଛି, ରଖିଛି ।

 

ତେଣୁ ନିର୍ବାଚନ ପ୍ରଣାଳୀରେ ଏପରି ସଂଶୋଧନ ଆଣିବାକୁ ହେବ ଯଦ୍ଦ୍ୱାରା ପ୍ରତିନିଧି ପରିଷଦରେ ବିଭିନ୍ନ ଗୋଷ୍ଠୀ, ବିଭିନ୍ନ ଅନୁଷ୍ଠାନ ପକ୍ଷର ଲୋକ, ନିର୍ବାଚିତ ଓ ମନୋନୀତ ଉଭୟ ଶ୍ରେଣୀର ଲୋକ ସ୍ଥାନ ପାଇପାରିବେ; ଚାଷୀକୁଳ ସଙ୍ଗେ ରଇତ କୁଳ, ଆର୍ଥନୀତିକ ଗୋଷ୍ଠୀ ସଙ୍ଗେ ଶିକ୍ଷା ସଂସ୍କୃତିଗତ ଅନୁଷ୍ଠାନ, ଏ ସମସ୍ତର ପ୍ରତିନିଧି ଗାଣତନ୍ତ୍ର ବ୍ୟବସ୍ଥା ସଭାରେ ରହିଥିବେ । ଆର୍ଥନୀତିକ ପରିସ୍ଥିତିର ପ୍ରତିନିଧି ଓ ଶିକ୍ଷା-ସଂସ୍କୃତିମୂଳକ ପ୍ରତିନିଧି, ଉଭୟ ଶ୍ରେଣୀ ଏପରି ଭାବରେ କାର୍ଯ୍ୟ କରୁଥିବେ ଯଦ୍ଦ୍ୱାରା ଶିକ୍ଷା-ସଂସ୍କୃତି ଅର୍ଥନୀତିର ଅବଲମ୍ୱନ ମାତ୍ର ନ ହୋଇ ଅର୍ଥନୀତିକ ଜୀବନର ଉନ୍ନତି ସଙ୍ଗେ ଶିକ୍ଷା-ସଂସ୍କୃତିର ଉନ୍ନତି ଘଟୁଥିବ, ଦେଶର ଆର୍ଥନୀତିକ ଜୀବନ ଜାତିକୃଷ୍ଟି ପ୍ରତି ନିୟୋଜିତ ରହିଥିବ । ଗୋଷ୍ଠୀର ପ୍ରତିନିଧିମାନେ ଏପରି ଶପଥ ନେଇଥିବେ ଯଦ୍ଦ୍ୱାରା ନିର୍ବାଚିତ ହୋଇ ଗୋଷ୍ଠୀ ମାତ୍ରର ସ୍ୱାର୍ଥରେ ନିବିଷ୍ଟ ନ ରହି ଏକ ଗୋଷ୍ଠୀ ସହିତ ଅନ୍ୟ ଗୋଷ୍ଠୀର ଉତ୍ତମ ସମ୍ୱନ୍ଧ ରଖିବାରେ, ଗୋଷ୍ଠୀ ସ୍ୱାର୍ଥକୁ ବୃହତ୍ତର ସ୍ୱାର୍ଥ ଦିଗରେ ଘେନିଯିବାରେ ନିଯୁକ୍ତ ରହିବେ । ଗାଣତନ୍ତ୍ର ପ୍ରତିନିଧି ଯେଉଁ ସ୍ତରର ଲୋକ ହେଉନା କାହିଁକି ସେ ପ୍ରତିନିଧି ହୋଇ ସେ ସ୍ତରରେ ରହେ ନାହିଁ; ତଦପେକ୍ଷା ଉଚ୍ଚସ୍ତରରେ ଆରୁଢ଼ ହୋଇ ସେ ପ୍ରଶସ୍ତ ନୀତି-ଆଦର୍ଶରେ ଚାଳିତ ହୋଇଥାଏ, ଏପରି ନୀତିର ଅନୁସରଣ କରିଥାଏ, ଏପରି କର୍ମ ସାଧିଥାଏ ଯଦ୍ଦ୍ୱାରା କିଣିଖାଇବା ଲୋକ ବିକି ପୋଷିହେବା ଲୋକ, ଉଭୟଙ୍କର ମଙ୍ଗଳ ଘଟାଇ ପାରିଥାଏ ।

 

ଦେଶ ମଧ୍ୟରେ ଯେପରି ଅର୍ଥଗତ–କୃଷ୍ଟିଗତ, ଦେଶ ବାହାରେ ସେହିପରି ଦେଶ-ଦେଶଗତ ସହଯୋଗିତାକୁ ପ୍ରାଣବନ୍ତ କରି ରଖିବାକୁ ହେବ, ପାରସ୍ପରିକ ପ୍ରତିଦ୍ୱନ୍ଦିତା ଖର୍ବ କରିବାକୁ ହେବ । ବଡ଼ ଦେଶ ବଡ଼ ଦେଶ ମଧ୍ୟରେ, କ୍ଷୁଦ୍ର କ୍ଷୁଦ୍ର ମଧ୍ୟରେ କି ବଡ଼ ଓ କ୍ଷୁଦ୍ର ମଧ୍ୟରେ ଯେପରି ବିବାଦମୟ ପ୍ରତିଯୋଗିତା ନ ଘଟେ, ସେଥିପାଇଁ ସତର୍କମୂଳକ ବ୍ୟବସ୍ଥା ଖଞ୍ଜି ରଖି, ସବୁବେଳେ ସେଥିପ୍ରତି ସାବଧାନ ରହିବାକୁ ପଡ଼ିବ । ସ୍ୱାର୍ଥ ସ୍ୱାର୍ଥ ଘେନି ଦେଶ ଦେଶ ଏକଜୁଟ ହେବା ନୀତିରେ ଜଳାଞ୍ଜଳି ଦେଇ, ଆନ୍ତର୍ଜାତିକ ପ୍ରତିଷ୍ଠାନ ଦେଶ ଦେଶର ସ୍ୱତନ୍ତ୍ର ସଂସ୍କୃତିମୂଳକ ଉପାଦାନରେ ଗଢ଼ିବାକୁ ହେବ; ଦେଶ ଦେଶଗତ ସ୍ୱାଧୀନ ନିର୍ମଳ ସହଯୋଗ ଉପରେ ତାହାକୁ ପ୍ରତିଷ୍ଠିତ ରଖିବାକୁ ହେବ । ଦେଶ ଦେଶ ନେଇ ଏପରି ମହୀୟାନ ସଂଗଠନ ତୋଳିବାକୁ ହେବ ଯଦ୍ଦ୍ୱାରା ଗୋଟିଏ ଗୋଟିଏ ଦେଶର ବିଭବ ରକ୍ଷା କରିବା ସବୁ ଦେଶରେ ଧର୍ମରୂପେ ଗୃହୀତ ହେବ; ଏକ ଦେଶ ଅନ୍ୟ ଦେଶର ଚରାଭୂଇଁ ନ ହୋଇ, ଦେଶ ଦେଶକୁ ପଦାର୍ଥ ଯୋଗାଇ ପଦାର୍ଥ ପାଇ ପାରିବ; ପ୍ରତ୍ୟେକ ଦେଶ ଦେଶବାସୀଙ୍କର ଆହାର ପରିଧାନ ପାଇଁ ବ୍ୟବସ୍ଥା କରି ପାରିବ; ପ୍ରୟୋଜନୀୟ ଶିଳ୍ପଗତ ଅର୍ଥଗତ ସମ୍ପଦ ଗଢ଼ି ଜାତିକୃଷ୍ଟି ପ୍ରତି ନିଯୁକ୍ତ ରହିଥିବ; ଅତିରିକ୍ତ ଦ୍ରବ୍ୟ ଓ ଶିକ୍ଷା ସଂସ୍କୃତି ଘେନି ଦେଶ ଦେଶ ମଧ୍ୟରେ ଅବାଧ ବାଣିଜ୍ୟ ପ୍ରସାର ପାଉଥିବ ।

 

ଯାହା ମାନବର ଜାତିସଂଘ (League of Nations) ତାହା ମାନବ ସମୂହର ଜାତିଧର୍ମର ସେବକ, ରକ୍ଷକ, ଜାତି ଜାତିର ଜାତୀୟତା ପରିପୋଷକ । ଜାତିସଂଘ ଜାତି ଜାତିଗତସହସ୍ୱତ୍ୱ ନୀତିରେ ନିୟନ୍ତ୍ରିତ; ତାହା କ୍ଷୁଦ୍ର-ବୃହତ୍‌ ଉଭୟ ପ୍ରକାର ଦେଶପ୍ରତି ନିରପେକ୍ଷ । ଅନେକ ସମୟରେ କ୍ଷୁଦ୍ର ଦେଶର କ୍ଷୁଦ୍ରତା ଦେଶ ଦେଶ ମଧ୍ୟରେ ଯୁଦ୍ଧ ଅଶାନ୍ତିର କାରଣ ହୋଇ ପଡ଼ିଥାଏ । ବୃହତ୍‌ ଦେଶ କ୍ଷୁଦ୍ରକୁ ନିଜସ୍ୱ କରିବାର ଉଦ୍ୟମ କଲେ, ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯାଇଥାଏ । ଏହା ଯେପରି ନ ଘଟେ ସେଥିପାଇଁ କ୍ଷୁଦ୍ର କ୍ଷୁଦ୍ର ଦେଶ, ଆବଶ୍ୟକ ହେଲେ କ୍ଷୁଦ୍ର ଓ ବୃହତ୍‌ ଦେଶ ମଧ୍ୟରେ ଗୋଟିଏ ପ୍ରାଥମିକ ଦେଶ-ଦେଶ-ଗତ ସଂଗଠନ ଗଢ଼ି, ଏ ସଂଗଠନ ସହିତ ବୃହତ୍ତମ ଜାତିସଂଘର ସହଯୋଗ ରଖିବାକୁ ହେବ । ଦେଶର ଲାଙ୍ଗୁଳ (Empire) ଥିବାରେ ବା ବଢ଼ିବାରେ କି ଏକ ଦେଶ-ଜାତି (Nation-State) ଅନ୍ୟ ଦେଶ-ଜାତିକୁ ଗ୍ରାସ କରିବାରେ ଅଥବା ଅନ୍ୟ ଦେଶ-ଜାତିକୁ ଗ୍ରାସ କରିବାରେ ଅଥବା ପଣତ କାନିରେ ବାନ୍ଧି ରଖିବାରେ ସେ ଦେଶ-ଜାତିର ସମୃଦ୍ଧି ଥାଏ ନାହିଁ । ଏକ ଏକ ଜାତିର ନିଜତ୍ୱ ବିକାଶରେ, ବିଭିନ୍ନ ଦେଶ-ଜାତି ଏକ ସମୂହଭୂତ ହେବାରେ ପ୍ରତ୍ୟେକର ସମୃଦ୍ଧି ଘନୀଭୂତ ହେଉଥାଏ । ବ୍ୟକ୍ତିତ୍ୱରୁ ଜାତୀୟତା, ଜାତୀୟତାରୁ ମାନବୀୟତାର ସୃଷ୍ଟି ।

Image

 

ସାହିତ୍ୟରେ ଦର୍ଶନ

 

ସାହିତ୍ୟ କହିଲେ ଏକ ବ୍ୟାପକ ଭୂମଣ୍ଡଳ ବୁଝାଯାଏ । ଅନ୍ତର୍ଜଗତ-ବହିର୍ଜଗତ, ଦୃଶ୍ୟମାନ-ଅଦୃଶ୍ୟମାନ, ଚେତନ-ଅଚେତନ ପଦାର୍ଥ, ସଂସାରର ସୁଖ ଦୁଃଖ, ନୀତି ସଂସ୍କୃତି, ଜୀବନର ଗତି ପ୍ରଗତି, ମାନବର ଆଶା ଆକାଂକ୍ଷା–ଏ ସମସ୍ତ ସାହିତ୍ୟର କଥାବସ୍ତୁ । ବିଦ୍ୟମାନ ଜଗତକୁ ସମ୍ମୁଖରେ ପାଇ ତତ୍‌ସମ୍ୱନ୍ଧୀୟ ବ୍ୟକ୍ତିଗତ ଚିନ୍ତା ଅନୁଭୂତି ଉପଯୁକ୍ତ ଭାଷାରେ ପ୍ରକାଶ କରିବା ସାହିତ୍ୟିକର କାର୍ଯ୍ୟ । ଦ୍ରବ୍ୟ ଗ୍ରହଣ ଓ ପ୍ରକାଶ ମାର୍ଗର ଭିନ୍ନତା ହେତୁରୁ ବିଶ୍ୱ ସାହିତ୍ୟରେ ଗଦ୍ୟ, ପଦ୍ୟ, ନାଟକ, ଉପନ୍ୟାସ, କାବ୍ୟ କବିତା ପ୍ରଭୃତି ଅନେକ ବିଭାଗ ଏବଂ ପ୍ରତ୍ୟେକ ବିଭାଗରେ ଉପବିଭାଗ ଘଟିଅଛି । ଉତ୍କଳ ସାହିତ୍ୟରେ ଏଗୁଡ଼ିକର ଅଳ୍ପ ବହୁତ ନିଦର୍ଶନ ଆମ୍ଭେମାନେ ଦେଖିବାକୁ ପାଇଥାଉଁ । ପୁଣି ବିଭିନ୍ନ ବିଭାବ ଘେନି ଉତ୍କଳ ଓ ଅନୁତ୍କଳ ସାହିତ୍ୟ ମଧ୍ୟରେ ସ୍ଥାନଗତ ଭେଦ ଅଛି । ଭେଦ ଥାଇ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି, ରହିବା ଅନିବାର୍ଯ୍ୟ । ସାହିତ୍ୟ ମାନବିକ କଳ୍ପନାର ଗୋଟିଏ ସାର ପଦାର୍ଥ । ଏକ ଏକ ଦେଶର ଲୋକମାନେ ଏପରି ପଦାର୍ଥ ସୃଷ୍ଟରେ ନିଯୁକ୍ତ । କିନ୍ତୁ ଏ ପଦାର୍ଥର ବହୁମୁଖୀ ସୃଷ୍ଟିପାଇଁ ଏକ ପ୍ରଦେଶସ୍ଥ ଲୋକ ବା ଲୋକଗୋଷ୍ଠୀର ଚିନ୍ତା ଯଥେଷ୍ଟ ନୁହେଁ । ସାହିତ୍ୟର ବିକାଶ ଚିନ୍ତା । ଚିନ୍ତାର ବିନିମୟ ପୁଣି ଚିନ୍ତା-କ୍ଷେତ୍ରରେ ଦାନପ୍ରତିଦାନ ଆବଶ୍ୟକ କରେ । ଭାଷା ଘେନି ଦେଶ-ଦେଶଗତ ଭିନ୍ନତା ଥିଲେହେଁ ଜ୍ଞାନ-ରାଜ୍ୟରେ ଏକ ଅନ୍ୟଠାରୁ ଅଭିନ୍ନ । ଏଣୁ ଏକ ଅନ୍ୟଠାରୁ ପଦାର୍ଥ ଗ୍ରହଣ କରିବାରେ ସମର୍ଥ; ଗ୍ରହଣ କରି ପରିପୃଷ୍ଟ । ଏକ ଏକ ଦେଶବାସୀ ଯାହା ଯାହା ନୂତନ ସାହିତ୍ୟ, ଉତ୍ତମ ସାହିତ୍ୟ ସୃଷ୍ଟିକରି ଥାଆନ୍ତି, ସେ ସମସ୍ତ କେବଳ ସେହି ଦେଶର ବିଭବରୁ ଗୃହୀତ ହେବା ଅଯଥାର୍ଥ । ଗୃହୀତ ହେଲେ ସାହିତ୍ୟର ଆଦର୍ଶ ଖର୍ବ ହୁଏ । ଓଡ଼ିଆ ସାହିତ୍ୟ ଓଡ଼ିଶା ଦେଶର ନିଜସ୍ୱ । ତଥାପି ତାହା ନିଜପାଇଁ ମାତ୍ର ନୁହେଁ, ସାରା ମାନବଜଗତ ପାଇଁ । ମାନବ ମାନବଠାରେ ବିଶ୍ୱପ୍ରାଣର ଉଦ୍ଭାବନ, ଅନେକତ୍ୱରେ ଏକତ୍ୱର ସଂସ୍ଥାପନ ସାହିତ୍ୟର ଲକ୍ଷ୍ୟ । ଏହି ଅର୍ଥରେ ଜୟଦେବ, ଦୀନକୃଷ୍ଣ, ଉପେନ୍ଦ୍ରଭଞ୍ଜ, ଭାଷାକୋଷକାର ପ୍ରହରାଜ କେବଳ ଉତ୍କଳର ନୁହେଁ, ମାନବଜାତିର ସମ୍ପଦ । ଏହିସବୁ ଦିଗରୁ ବିଚାର କଲେ, ସାହିତ୍ୟିକ ଓ ଦାର୍ଶନିକ ଏକ ସ୍ତରର ବ୍ୟକ୍ତି-। ଉଭୟେ ସଂସାରରେ ଥାଇ ସଂସାର-ବିଚ୍ଛିନ୍ନ-ସମୂହ ଜଗତର ଉପାସକ–ମାନବ ସମାଜର ପଥପ୍ରଦର୍ଶକ । ଇଂରେଜ କବି ଲେଖି ଯାଇଅଛନ୍ତି, ‘‘All great poets are philosophers.’’

ଶ୍ରେଣୀ ବିଭାଗ କଲାବେଳେ ସାହିତ୍ୟକୁ ଦର୍ଶନଠାରୁ ଆମ୍ଭେମାନେ ପୃଥକ୍‌ ସ୍ଥାନ ଦେଇଥାଉଁ, ସ୍ୱୀକାର କରିଥାଉଁ, ସୌନ୍ଦର୍ଯ୍ୟ ସୃଷ୍ଟି, ଆନନ୍ଦ ଉତ୍ପାଦନ, ରସାସ୍ୱାଦନ ସାହିତ୍ୟର ଧର୍ମ; ସତ୍ୟାନ୍ୱେଷଣ, ସତ୍ୟାନୁଧାବନ, ସତ୍ୟାବିଷ୍କରଣ ଦର୍ଶନର ଧର୍ମ । ମୂର୍ତ୍ତିମନ୍ତ ବସ୍ତୁ ଗଢ଼ିବା ଗୋଟିକର, ଅମୂର୍ତ୍ତ ଚିନ୍ତା ଅନ୍ୟଟିର କର୍ମ । ସାହିତ୍ୟରେ ବିଷୟୀର ପ୍ରଭାବ ବିଷୟ ଉପରେ, ଦର୍ଶନରେ ବିଷୟର ପ୍ରଭାବ ବିଷୟୀ ଉପରେ ବେଶୀ । ଏବଂବିଧ ଦୃଷ୍ଟିଗତ, ମାତ୍ରାଗତ ବିସଦୃଶ ଥାଇ ଉଭୟଙ୍କ ମଧ୍ୟରେ ଯଥେଷ୍ଟ ସାଦୃଶ୍ୟ ରହିଛି, କାରଣ ଯାହା ସତ୍ୟ ତାହା ସୁନ୍ଦର । ଜାଗତିକ ସମୂହ ସାହିତ୍ୟ ତଥା ଦର୍ଶନର ଭାବନା; କଳ୍ପନା-ପରିପାଟୀ ଉଭୟଙ୍କର କାମନା । ବସ୍ତୁତତ୍ତ୍ୱ ସାକ୍ଷାତରେ ଆସିବା ନିମିତ୍ତ ଦାର୍ଶନିକକୁ ଯେପରି ବସ୍ତୁ ସୀମା ଲଂଘନ କରିବାକୁ ଏବଂ ସମୂହ ଦିଗରୁ ବସ୍ତୁବିଚାର ସାଧିବାକୁ ହୋଇଥାଏ, ଇନ୍ଦ୍ରିୟଗ୍ରାହ୍ୟ ବିଷୟରୁ ସୌନ୍ଦର୍ଯ୍ୟ ଘଟାଇବା ନିମିତ୍ତ ସାହିତ୍ୟିକକୁ ସେହିପରି ଇନ୍ଦ୍ରିୟ ପ୍ରଦେଶ ଅତିକ୍ରମ କରିବାକୁ ପଡ଼ିଥାଏ । କବି ଓ ଦାର୍ଶନିକ ଉଭୟେ ଅନ୍ତର୍ଦଶୀ ଓ ଦୂରଦର୍ଶୀ ।

ସାହିତ୍ୟ ପ୍ରଧାନତଃ ଦୁଇ ଶ୍ରେଣୀର, ଉଚ୍ଚ ସାହିତ୍ୟ ଓ ଗଣ ସାହିତ୍ୟ । ଭାଷା ମଧ୍ୟ ତଦନୁକ୍ରମେ ଦୁଇ ଜାତୀୟ, ମାର୍ଜିତ ଭାଷା ଓ ଗାଉଁଲି ଭାଷା । ଗଣ-ସାହିତ୍ୟ ଗଣ-ଆନ୍ଦୋଳନ ସହିତ ସଂପୃକ୍ତ ଓ ଅପେକ୍ଷାକୃତ ନିମ୍ନସ୍ତରର ଲୋକଙ୍କ ହିତ ଓ ଉନ୍ନତି ଘଟାଇବା ପ୍ରତି ନିର୍ଦ୍ଦିଷ୍ଟ । ଗଣଜୀବନଗତ ନିତ୍ୟ ନୈମିତ୍ତିକ ଅଭାବର ଛବି ଦେଇ, ଗାଉଁଲି ଭାଷାର ମାଧ୍ୟମରେ ଉପଯୁକ୍ତ ପରି-ପଚାରର ଆଶ୍ରୟ ନେଇ ସାଧାରଣ ଲୋକଙ୍କୁ ଆହାର-ପରିଧାନ-ସ୍ୱାସ୍ଥ୍ୟ-ସଂରକ୍ଷଣ-ଦାବି-କର୍ତ୍ତବ୍ୟ-ମୂଳକ ଶିକ୍ଷାଦେବା ଗଣ-ସାହିତ୍ୟର ପ୍ରଧାନ କାର୍ଯ୍ୟ । ଗଣ-ସାହିତ୍ୟ ମୁଖ୍ୟତଃ ବିବରଣାତ୍ମକ ସରଳ ସର୍ବଲୋକବୋଧ୍ୟ ଭାଷାରେ ଲିଖିତ ହୋଇଥିବାରୁ, ଏ ସାହିତ୍ୟ ପ୍ରତି ସାଧାରଣ ଲୋକ ନିଜର ପାରିପାର୍ଶ୍ୱିକବେଷ୍ଟନୀ, ଅଭାବ ଓ ଅବସ୍ଥା ବିଷୟରେ ଜାଗ୍ରତ ହୋଇପାରେ; ଜାଗ୍ରତ ରହି ଜୀବନର ପ୍ରାଥମିକ ଉନ୍ନତି ହାସଲ କରିପାରେ । କିନ୍ତୁ ଯେଣୁ ଅଭାବଗ୍ରସ୍ତ, ତେଣୁ ବିପଦସଂକୁଳ ପରିସ୍ଥିତି ସହିତ ସଂପୃକ୍ତ ଥିବାରୁ ଏପରି ଲେଖା ନିମ୍ନଶ୍ରେଣୀ ଲୋକଙ୍କଠାରେ ଯେପରି ଶ୍ରେଣୀଗତ ବିଦ୍ୱେଷ ବା ଉତ୍ତେଜନା ନ ଘଟାଏ, ସେଥିପ୍ରତି ବିଶେଷ ସାବଧାନତା ଆବଶ୍ୟକ । ମାତ୍ରାସୀମାରେ ରହି ସ୍ତର ସ୍ତର ମଧ୍ୟରେ ଉତ୍ତମ ସମ୍ୱନ୍ଧ ରଖି ଲେଖି ପାରିଲେ ବିଭିନ୍ନ-ସ୍ତର-ବିଶିଷ୍ଟ ଲୋକ ବହୁଳ ସମାଜରେ ଏପରି ସାହିତ୍ୟର ଉପଯୋଗିତା ଅଛି । କାଳିନ୍ଦୀ ଚରଣଙ୍କ ‘‘ମୁକ୍ତାଗଡ଼ର କ୍ଷୁଧା’’, କାହ୍ନୁ ଚରଣଙ୍କର ‘‘ହା ଅନ୍ନ’’ ଉପନ୍ୟାସ ଏଇ ଧରଣର ଲେଖା ।

କିନ୍ତୁ ଦେଶର ସାହିତ୍ୟ ଗଣସାହିତ୍ୟ ପରିଧିରେ ଆବଦ୍ଧ ରହିବା ଅବିଧେୟ । କାରଣ ସାରା ସାହିତ୍ୟ କେବଳ ଅଶିକ୍ଷିତ ଅର୍ଦ୍ଧଶିକ୍ଷିତ ଲୋକଙ୍କ ଜୀବନ ଅବଲମ୍ୱନରେ ଲିଖିତ–ଏପରି ନୁହେଁ, ସେଥିରେ ଶିକ୍ଷିତ ଚିନ୍ତାଶୀଳ ବ୍ୟକ୍ତିଙ୍କର ସ୍ଥାନ ଅଛି । ମହତ୍‌ ଭାବଭାବନାପୂର୍ଣ୍ଣ ଉଚ୍ଚକୋଟୀମୂଳକ ସାହିତ୍ୟର ସୃଷ୍ଟି ନ ହେଲେ ସମାଜର ଚିନ୍ତାଧାରା ନିମ୍ନସ୍ତରକୁ ଖସି ଆସିବ । କଳାକାର ଯେପରି ଗୁଡ଼ାଏ ସରଳରେଖା ଟାଣିଲେ କିମ୍ୱା ଘନରଙ୍ଗ ବୋଳିଦେଲେ ଉଚ୍ଚ ଧରଣର ଚିତ୍ର ଅଙ୍କନ କରି ନ ପାରେ, ସାହିତ୍ୟିକ ସେହିପରି ବାହ୍ୟ ଜୀବନ ବା ଶରୀରଗଠନର ବର୍ଣ୍ଣନା ଦେଲେ ସୁସାହିତ୍ୟ ସୃଷ୍ଟି କରି ନ ପାରେ । ସାହିତ୍ୟରେ ଦର୍ଶନସମ୍ଭୂତ ଅନୁଶୀଳନର, ଉଚ୍ଚ ଚିନ୍ତାଧାରାର ଅଭାବ ଘଟିଲେ, ସାହିତ୍ୟ ବିକଳାଙ୍ଗ ମୃଣ୍ମୟ ପ୍ରତିମାରେ ପରିଣତ ହେବ । ଏଣୁ ଗଣ-ସାହିତ୍ୟର ପ୍ରସାର ସଙ୍ଗେ ଉତ୍କୃଷ୍ଟ ସାହିତ୍ୟର ସୃଷ୍ଟି ମଧ୍ୟ ଆବଶ୍ୟକ । ସାହିତ୍ୟର ଉତ୍କର୍ଷ ଅନୁଭୂତିର ବିଶିଷ୍ଟତା ଉପରେ ନିର୍ଭର କରେ । ଅନୁଭୂତି ସାହିତ୍ୟର ପ୍ରାଣ, ଭାଷା ସାହିତ୍ୟର ଶରୀର । ବିଶିଷ୍ଟ ଅନୁଭୂତି ମାର୍ଜିତ ଭାଷାରେ ପ୍ରକାଶ ପାଇଥାଏ ଏବଂ ଭାବଭାବନାର ପ୍ରକାରଭେଦ, ମାତ୍ରଭେଦ ଘେନି ନୂତନ ଅନୁଭୂତି ନୂତନ ପରିଭାଷାର ଆଶ୍ରୟ ନେଇଥାଏ । ଏହି କ୍ଷେତ୍ରରେ ଓଡ଼ିଆ ସାହିତ୍ୟ ସଂସ୍କୃତ-ସାହିତ୍ୟ-ବ୍ୟାକରଣ-ଦର୍ଶନ-ପୁରାଣଠାରୁ ସାହାଯ୍ୟ ନେବାକୁ ବାଧ୍ୟ, ମଧ୍ୟ ତାହାଠାରେ ଋଣୀ ।

ସ୍ୱୀକୃତ ଉଚ୍ଚ ଓଡ଼ିଆ ସାହିତ୍ୟରେ ମଧ୍ୟ ଭାବନାଗତ ସ୍ତର ଭେଦ ରହିଛି । ପଣ୍ଡିତ ଗୋପବନ୍ଧୁଙ୍କ ‘ଧର୍ମପଦ’ ନିର୍ମଳ ଆନନ୍ଦ ଘଟାଇଥାଏ । କାରଣ ଚିନ୍ତା ଚିନ୍ତାର କ୍ରମ ବିକାଶରେ ହୃଦୟ ଅଭିଭୂତ ହୋଇଥାଏ । ସାହିତ୍ୟ ପାଇଁ ଭାଷାର ଅଳଙ୍କାର କି ପ୍ରକୃତିର ଛବିମାତ୍ର ଯଥେଷ୍ଟ ନୁହେଁ । ଅଳଙ୍କାର ମଣ୍ଡିଦେଲେ ଅସୁନ୍ଦରୀ ଯେପରି ସୁନ୍ଦରୀ ପାଲଟିଯାଏ ନାହିଁ, ଭାଷାର ବ୍ୟାବହାରିକ ନିପୁଣତା ଥିଲେ ନିର୍ଜୀବ ସାହିତ୍ୟରେ ସଜୀବତା ଆସେ ନାହିଁ । ‘ନିର୍ଝର-ଝଙ୍କାର-ପୂର୍ଣ୍ଣ-ତୁଙ୍ଗ-ଗିରିମାଳା, ଶ୍ୟାମଚ୍ଛବି-ଅନନ୍ତ-କାନନ-ଶ୍ରେଣୀ’ ‘ସୁଦୂରବାହୀ ନଦୀବୃନ୍ଦ’ ପ୍ରଭୃତିର ପ୍ରୟୋଗଦ୍ୱାରା ପାଠକ ମନରେ ସ୍ଥାନର ଅବିକଳ ପ୍ରତିବିମ୍ୱ ଅଙ୍କିତ ହୋଇଥାଏ ସତ୍ୟ ଏବଂ ଏହି କାରଣରୁ ହୃଦୟରେ ତାତ୍‌କାଳିକ ଆନନ୍ଦ ଘଟିଥାଏ, ଏହା ମଧ୍ୟ ସତ୍ୟ; କିନ୍ତୁ ଯେଉଁ ସାହିତ୍ୟ ପ୍ରକୃତିଚିତ୍ରଣ ମାତ୍ର ଦେଇଥାଏ, ସେ ସାହିତ୍ୟ କେବଳ ରୂପଜ ସୌନ୍ଦର୍ଯ୍ୟ ଘଟାଇଥାଏ । ସ୍ଥାନର ଗରିମା ମାତ୍ର ଦେଇ ମହିମା ଧରି ନ ପାରିଲେ ସାହିତ୍ୟ ଉଚ୍ଚରେ ଗଣ୍ୟ ହୋଇ ନ ପାରେ; ଏବଂ ଯେଉଁ ସାହିତ୍ୟ ବସ୍ତୁ ବିବରଣ ଦେଇ ସେଇତକରେ ରହିଯାଏ, ସେ ସାହିତ୍ୟ, ପୁନରାବୃତ୍ତି କରିଥାଏ-। ଏହି ଅର୍ଥରେ ‘ପ୍ରବନ୍ଧ ପ୍ରକାଶ’ ଓ ‘ଆର୍ଯ୍ୟ ଜୀବନର ସ୍ଥାନ’ ‘ପ୍ରବନ୍ଧମାଳା’ର ଉପରେ ।

ସାହିତ୍ୟ ସୌନ୍ଦର୍ଯ୍ୟ ଭାଷାର ଆଡ଼ମ୍ୱରରେ କି ପ୍ରକୃତିର ରୂପ ଦେବାରେ ଥାଏ ନାହିଁ; ମହତ୍‌ ଭାବ ସୃଷ୍ଟିରେ ରହିଥାଏ । ରୂପର ମନୋହାରିତା ସୌନ୍ଦର୍ଯ୍ୟର ପ୍ରାଥମିକ ଆକର୍ଷଣରୂପେ ଗୃହୀତ ହୋଇପାରେ । କିନ୍ତୁ ଯେଉଁ ସାହିତ୍ୟ ଏହି ପ୍ରକାର ସୌନ୍ଦର୍ଯ୍ୟ କେବଳ ଦେଇଥାଏ, ସେ ସାହିତ୍ୟ ଶିଶୁ-ସାହିତ୍ୟ । ବସ୍ତୁର ଚାକଚକ୍ୟ ପିଲାମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଥାଏ; ମାତ୍ର ପ୍ରାପ୍ତ ବୟସ୍କ ଅଭିଜ୍ଞ ଲୋକଙ୍କ ପାଇଁ ରୂପର ପରିଚ୍ଛନ୍ନତା ଯଥେଷ୍ଟ ନୁହେଁ, ଆଭ୍ୟନ୍ତରିକ ଅନାବିଳତା ଆବଶ୍ୟକ । ଯାହା ଅନ୍ତରର ପରିଷ୍କୃତ ତାହା ବିଷୟ-ବିଷୟଗତ ଅନ୍ତରତମ ବନ୍ଧନ, ଅଦୃଶ୍ୟ ସମ୍ୱନ୍ଧ–କାରଣ ଉପରେ ପ୍ରତିଷ୍ଠିତ । କବି ଓ ଦାର୍ଶନିକ ଏହି ସମ୍ୱନ୍ଧର ଆସ୍ୱାଦନ ପାଇବାରେ, ଆସ୍ୱାଦନ ପାଇ ଆମ୍ଭମାନଙ୍କୁ ବିତରଣ କରିବାରେ ସମର୍ଥ । ଗଙ୍ଗାଧର ମେହେର ଏହି ଶ୍ରେଣୀର କବି । ‘‘ତପସ୍ୱିନୀ’’ର ସୌନ୍ଦର୍ଯ୍ୟ ଅନ୍ତର୍ନିହିତ ଭାବନା ସମୁଚ୍ଚୟରେ, ନିର୍ଜୀବ ବସ୍ତୁରେ ସଜୀବର ସମ୍ପର୍କ ଘଟାଇବାରେ । ସୀତାଙ୍କ ଦୁଃଖରେ ଜଡ଼ ଜଗତ ମଧ୍ୟ ଦୁଃଖିତ :–

‘‘ସତୀଙ୍କ ରୋଦନେ ଗତି ସ୍ତମ୍ଭିଲା ବାତର,

ଜଳ, ସ୍ଥଳ ଘେନି ହେଲା ନିସର୍ଗକାତର ।

ସ୍ତମ୍ଭିଗଲା ଜାହ୍ନବୀର ତରଙ୍ଗ ଆବଳୀ

ବନ୍ଦ ହୋଇଗଲା ବନେ ବିହଙ୍ଗ କାକଳୀ ।’’

 

କବିବର ରାଧାନାଥଙ୍କ ଚିଲିକା କାବ୍ୟ ପଢ଼ିଲେ ହୃଦୟ ସୌନ୍ଦର୍ଯ୍ୟରେ ରସମୟ ହୋଇଯାଏ ଏବଂ ଚିଲିକାର ରସ ମାଧୁର୍ଯ୍ୟ,

 

‘‘ଉତ୍କଳ କମଳା ବିଳାସ ଦୀର୍ଘିକା

ମରାଳ ମାଳିନୀ ନୀଳାମ୍ୱୁ ଚିଲିକା’’

 

–ରେ ଅର୍ଥାତ୍‌ ଚିଲିକାର ରୂପ ବର୍ଣ୍ଣନ ଆକୃତି ଗଠନରେ ନିବଦ୍ଧ ନୁହେଁ । ତାହା ଆନୁଷଙ୍ଗିକ ଭାବନା, ଚିଲିକା ସମ୍ୱନ୍ଧୀୟ ଐତିହାସିକ ଘଟନା, ଭବିଷ୍ୟତ କଳ୍ପନା ସହିତ ଜଡ଼ିତ ।

 

‘‘ଅତୀତର ତୁହି ସାକ୍ଷୀ ପୁରାତନ’

ଦେଖିଲୁ ନରର ଉତ୍‌ଥାନ ପତନ ।

କେତେ ରାଜଧାନୀ ତୋ ତୀରେ ଉତ୍‌ଥିତ

ହୋଇ ତହିଁ ପୁଣି ହେଲେ ଅସ୍ତମିତ ।’’

 

ପଦ୍ମଚରଣଙ୍କ ‘ଧଉଳି ପାହାଡ଼’ ଶୀର୍ଷକ କବିତା ଏହି ସ୍ତରର । ଧଉଳିର ସୌନ୍ଦର୍ଯ୍ୟ ଧଉଳିର ଧବଳତ୍ୱରେ ନାହିଁ; ତାହା ଧଉଳି ପାହାଡ଼ ଘଟିତ ସ୍ମୃତିରାଜ୍ୟ, ଅଶୋକଙ୍କ ଜୀବନ ସଂଶୋଧନ ସହିତ ଅନ୍ୱିତ ।

 

‘‘ଧଉଳି ପାହାଡ଼, ଧଉଳି ପାହାଡ଼,

କି କଥା କହିଲ ରାଜାଙ୍କ କାନେ

କି ଗାଥା ଗାଇଲ, ଘଡ଼ିକେ ରାଜନ,

ବୁଡ଼ିଲେ ଅପୂର୍ବ ସମାଧି ଧ୍ୟାନେ ।’’

 

ଉତ୍ତମ ସାହିତ୍ୟର ସୌନ୍ଦର୍ଯ୍ୟ ଭାବରାଜ୍ୟ ସହିତ ସଂପୃକ୍ତ, ଏହା ଗୋଟିଏ ସୃଷ୍ଟିମୂଳକ ପଦାର୍ଥ । ଏପରି ସାହିତ୍ୟରେ ଲେଖକ ପ୍ରକୃତି-ଜଗତର ଚିତ୍ରଣରେ ପ୍ରବୃତ୍ତ ହୋଇ ପ୍ରତିରୂପ ବା ପ୍ରତିମୂର୍ତ୍ତି ମାତ୍ର ଦିଏ ନାହିଁ । ସେ ମୂର୍ତ୍ତ-ବସ୍ତୁ, ଚିତ୍ରଜଗତ, ପ୍ରକୃତି ପୁରୁଷଗତ ବ୍ୟବଧାନ ଅତିକ୍ରମ କରି ଅନ୍ତର୍ନିହିତ ସମ୍ପର୍କର ପ୍ରକଟନ ଘଟାଇ ନୂତନ ସୌନ୍ଦର୍ଯ୍ୟ, ନୂତନ ଆନନ୍ଦ ସୃଷ୍ଟି କରି ପାରିଥାଏ-। ଏ ଜାତୀୟ ନୂତନତ୍ୱ ବାସ୍ତବ ଜଗତରୁ ବହୁପରିମାଣରେ ଗୃହୀତ ଉପାଦାନରେ ସଂଗଠିତ । ସାହିତ୍ୟିକ ଉଦ୍ଭାବନ ଅବାସ୍ତବତାର ମରୀଚିକା କେବଳ ଘଟାଏ ନାହିଁ କି କଳ୍ପନାର ମାୟାପୁରୀ ସୃଷ୍ଟି କରେ ନାହିଁ । କବି ଲେଖିଛନ୍ତି :–

 

‘‘ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ

ନିଜ ଅନ୍ତରରେ ଦେଖ ଫେଡ଼ିଣ ନୟନ ।’’

 

ପୁନଶ୍ଚ,

 

‘‘ଅତଳ, ଅକୂଳ ମହା ପାରାବାର

ନାଦେ ନାଦେ ନାଦମୟ ହେ

ଅବନୀ ଳକ୍ଷ୍ମୀର ପ୍ରସବିତା ସିନ୍ଧୁ

ନିବିଡ଼ ନୀଳିମାଳୟ ହେ ।

ତରଳ ତରଙ୍ଗେ ଢାଳେ ନାଦ ସୁଧା

ପିଅ ସେହି ତାଳ ଲୟ ହେ ।’’

 

ସୃଷ୍ଟି ଜଗତର ମଧ୍ୟ ଦେଇ ବିଶ୍ୱବିଧାତାଙ୍କ ସହିତ ମାନବିକ ସମ୍ୱନ୍ଧ ସ୍ଥାପନ କରି ସାହିତ୍ୟ ଜୀବନମୟ ଆକାଙ୍‌କ୍ଷାରେ ତୃପ୍ତି ଆଣିଥାଏ । ପ୍ରକୃତି ପୁରୁଷମୟ ଜଗତର ଅନ୍ତରାଳରେ, ସାରା ବିଶ୍ୱସଂସାର ପରିସ୍ଥିତିରେ ଏକ ଅନ୍ତରାତ୍ମାର, ସାକ୍ଷାତ୍‌ ଦର୍ଶନ, ବିଶ୍ୱ-କୋଳାହଳରେ ବିଶ୍ୱ-ସଙ୍ଗୀତର ସ୍ପନ୍ଦନ ଯଥାର୍ଥ କାବ୍ୟ-କବିଙ୍କ ଭାଗ୍ୟରେ ଘଟିଥାଏ ।

 

ମାନବସମାଜ ସମ୍ପର୍କରେ ମଧ୍ୟ ସେହି କଥା କୁହାଯାଇପାରେ । ସମାଜର ବାସ୍ତବ ଚିତ୍ର ଦେବା ସଙ୍ଗେ ସଙ୍ଗେ ବାସ୍ତବର ମୂଲ୍ୟ କଷିବାରେ ପୁଣି ବର୍ତ୍ତମାନ ଅବସ୍ଥା ପ୍ରତି ଉତ୍ତମ ସଙ୍କେତ ଦେବାରେ ସାହିତ୍ୟ ଓ ଦର୍ଶନ ଉଭୟେ ସାହାଯ୍ୟ କରିଥାନ୍ତି । ଯେତେବେଳେ ସମାଜ ଇନ୍ଦ୍ରିୟବିଳାସରେ ବା ବର୍ତ୍ତମାନ ଜୀବନରେ ମତ୍ତ ହୋଇ କାର୍ଯ୍ୟକାର୍ଯ୍ୟର ଦୂର ପରିଣତି ଦେଖିବାକୁ ଅକ୍ଷମ ହୋଇପଡ଼େ, ସେତେବେଳେ ସାହିତ୍ୟିକ ତାହାର ସ୍ୱଭାବସିଦ୍ଧ କଳ୍ପନାବଳରେ ଉତ୍ତମତର ଭବିଷ୍ୟତର ଇଙ୍ଗିତ ପାଇ ସେହି ଜୀବନକୁ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଥାଏ । ସାହିତ୍ୟିକ ସମାଜକୁ ଛାଡ଼ି ଚଳି ନ ପାରେ । କିନ୍ତୁ ସମାଜ ଯେଉଁ ସ୍ତରରେ ଅଛି ତାହାକୁ ସେହିପରି ଥୋଇ ଦେଇ ସାହିତ୍ୟିକ ସନ୍ତୁଷ୍ଟ ରହେ ନାହିଁ–ରହି ପାରେ ନାହିଁ । ବିଦ୍ୟମାନ ସମାଜରେ ଉତ୍ତମତା-ଅଧମତାର ସ୍ଥାନ ନିର୍ଦ୍ଦେଶ କରିଥାଏ । ଯେବେ ବର୍ତ୍ତମାନକୁ ନୂତନ ଛାଞ୍ଚରେ ଗଢ଼ିବାରେ, ବିଦ୍ୟମାନକୁ ଆଦର୍ଶ ଦିଗରେ ଘେନିଯିବାରେ ସାହିତ୍ୟ ସାହାଯ୍ୟ କରିଥାଏ, ତେବେ ସେହି ସାହିତ୍ୟ ଏକା ମୂଲ୍ୟ ଜଗତରେ ସ୍ଥାନ ପାଇଥାଏ ।

 

‘‘ଦ୍ୱାରେ ଦ୍ୱାରେ ବୁଲି ବିକାଏ ଗୋରସ

ସୁରା ବିକାହୁଏ ବସି ।’’

 

ଏ ଉକ୍ତିରେ ସମାଜର ପ୍ରକୃତି ଅଙ୍କିତ ହୋଇ ତହିର ସଂସ୍କୃତି ସେଥିରେ ନିହିତ ଅଛି ।

 

ରଘୁ ଅରକ୍ଷିତ ନାଟକ, ପଇସା-ସର୍ବସ୍ୱ ସଂସାରର ଗୋଟିଏ ଜୀବନ୍ତ ଚିତ୍ର । ଧନଦୌଲତରେ ମତ୍ତ ରହିଲେ ଲୋକର କିପରି ବିଷମମୟ ଫଳ ଘଟେ, ଧନ ମୋହରେ ପଡ଼ିଲେ ଲୋକ କିପରି ଏକ ବିବାହ ଛିଣ୍ଡାଇ ଅନ୍ୟ ବିବାହ ପ୍ରସ୍ତାବ କରିଥାଏ, ଜନ୍ମଗତ ଭାଇର ପ୍ରାଣନାଶରେ ପ୍ରବୃତ୍ତ ହୋଇଥାଏ–ଏ ସମସ୍ତର ବିବରଣ ରହିଛି, ତହିଁ ସଙ୍ଗେ ନୀତିମାର୍ଗର ସୂଚନା ମଧ୍ୟ ସେଥିରେ ରହିଛି । ‘ରଘୁ ଅରକ୍ଷିତ’ ନାଟକରେ ଅଧ୍ୟାପକ ରାମଚନ୍ଦ୍ର ସମାଜର ଇତିହାସ ଓ ପରୀକ୍ଷା, ଚରିତ୍ରଚିତ୍ରଣ ଓ ଚରିତ୍ର ଗଠନ ଯୁଗପତ୍‌ ସାଧି ପାରିଅଛନ୍ତି ।

 

ସାହିତ୍ୟିକଙ୍କ ଲେଖା ଉତ୍ତମରୂପେ ଆଲୋଚନା କଲେ ଜଣାଯାଏ ଯେ, ଏମାନଙ୍କଠାରେ ଦର୍ଶନଗତ ଭେଦ ଅଛି । କେହି ଜଡ଼ବାଦୀ, କେହି ଈଶ୍ୱରବାଦୀ, କେହି ବସ୍ତୁବାଦୀ, କେହି ଆଦର୍ଶବାଦୀ । ଆଧୁନିକ ଲୋଖକଙ୍କ ମଧ୍ୟରୁ ମାୟାଧରଙ୍କୁ ଏକାଧାରରେ ସଂସ୍କାରବାଦୀ ଓ ଈଶ୍ୱରବାଦୀରୂପ ଗ୍ରହଣ କରାଯାଇପାରେ; ତାଙ୍କ ରଚିତ ‘ଦେବପୂଜା’ ଓ ‘ବିଶ୍ୱରୂପ’ କବିତାରେ ଏହି ଆଦର୍ଶ ସ୍ପଷ୍ଟ । ନବକିଶୋର ଆଦର୍ଶବାଦୀ । ଅଧ୍ୟାପକ ନାରାୟଣ ମୋହନ ‘ସାନ୍ତ୍ୱନା’ ଓ ଚିନ୍ମୟୀ’ କବିତାରେ ମାନବ ପକ୍ଷରେ ଉତ୍ତମତର ଜୀବନ ସ୍ୱୀକାର କରିଛନ୍ତି । କାଳିନ୍ଦୀଚରଣ ବସ୍ତୁସ୍ତରର ଉପାସକ । ତାଙ୍କ ମତରେ ‘ମାଟିର ମଣିଷ ଏହି ମିଶିବ ମାଟିରେ’ ଏବଂ ଜଗନ୍ନାଥ ‘କାଷ୍ଠ ପାଷାଣଘଟିତ ନିର୍ଜୀବ ଦେବତା ମୂରତି’ । ବୋଧହୁଏ ନିମ୍ନଶ୍ରେଣୀ ଲୋକଙ୍କ ଦୁଃଖରେ ଅଧୀର ହୋଇ ସେ ଏପରି ଭାବ ପ୍ରକାଶ କରିଛନ୍ତି ।

 

ଏତିକି ନୁହେଁ; କାଳିନ୍ଦୀ ଚରଣ ‘ମାଟିର ମାଣିଷ’ ଲେଖିସାରି ‘ଲୁହାର ମଣିଷ’ ମଧ୍ୟ ଗଢ଼ିଲେଣି । ‘ମାଟିର ମଣିଷ’ରେ କୃଷକ ଜୀବନକୁ ସେ ବଡ଼ କରି ଧରିଛନ୍ତି, ଦେଖାଇଛନ୍ତି ଗରିବ ଚଷାଘରେ ତ୍ୟାଗ ସେବା ଧର୍ମ ରହିପାରେ । ପାରିବାରିକ ଶାନ୍ତିପାଇଁ ବଡ଼ଭାଇ ସାନଭାଇକୁ ନିଜ ଭୂଇଁ ଭାଗତକ ଦାନ କରିପାରେ । ‘ଲୁହାର ମଣିଷ’ ଏବେ ପ୍ରକାଶିତ ହୋଇଅଛି । ସେଥିରେ କାରଖାନାମୂଳକ ଜୀବନ, ସୂତ୍ରଧର-କର୍ମକାର-ଜୀବନର ବିଶେଷତ୍ୱ ଅନୁସୃତ ହୋଇଅଛି ।

 

ଅଳ୍ପଦିନ ତଳେ ‘ଓଡ଼ିଆ ସାହିତ୍ୟ ପରିଷଦ’ର ପୁରୀରେ ଅନୁଷ୍ଠିତ ବୈଠକରେ ସଭାପତି ସୁପଣ୍ଡିତ ହରନାରାୟଣ ସିଂହ ନିଜ ଅଭିଭାଷଣରେ କହିଛନ୍ତି, ସାହିତ୍ୟ ସଙ୍ଗେ ଜୀବନର ଯେଉଁ ସମ୍ୱନ୍ଧ ଅଛି ତାହା ବାହାରର ସମ୍ୱନ୍ଧ ନୁହେ; ସେ ସମ୍ୱନ୍ଧ ଅନ୍ତରତମ ପ୍ରଦେଶର, ଅତି ଗୂଢ଼, ଅତି ମୌଳିକ ।’’ ସେ ପୁଣି କହିଛନ୍ତି, ‘‘ଜୀବନର ସଞ୍ଚାର ଓ ଅନୁଭୂତିର ପରିଧି ବୃଦ୍ଧି କରିବା ଉପରେ ଆମ ସାହିତ୍ୟର ଉନ୍ନତି ନିର୍ଭର କରେ ।’’ ଅର୍ଥାତ୍‌ ସାହିତ୍ୟିକର ଅନୁଭୂତି ଇନ୍ଦ୍ରିୟଲବ୍‌ଧ ବିଷୟର କି ବହିଃପ୍ରଦେଶ ମାତ୍ରର ଅନୁଭୂତି ନୁହେଁ । ବସ୍ତୁ ପ୍ରଦେଶରେ, ମାନବିକ କ୍ରିୟାକଳାପରେ ଦୃଷ୍ଟି ପକାଇ; ସାହିତ୍ୟିକ ଏପରି ବିଭବ ଫୁଟାଇଥାଏ, ଏପରି ସଂସାର ଗଢ଼ିଥାଏ ଯାହା ଚିରନ୍ତନ ବସ୍ତୁରୂରପେ, ଚିରସୁନ୍ଦର, ଚିର ନୂତନ ବସ୍ତୁରୂପେ ସାହିତ୍ୟ-ଜଗତରେ ଆଦର ପାଇଥାଏ । ସାହିତ୍ୟିକ ସୌନ୍ଦର୍ଯ୍ୟ-ପିପାସୁ । ସୌନ୍ଦର୍ଯ୍ୟ ପଦାରେ ପଡ଼ି ନ ଥାଏ, ଯାହାକୁ କି ଆମେ ଗୋଟାଇ ଆଣିପାରୁଁ । ଯଥାର୍ଥ ସୌନ୍ଦର୍ଯ୍ୟ ନିଗୂଢ଼ ପଦାର୍ଥ, ତାହା ବିଶିଷ୍ଟ ଦୃଷ୍ଟି-କଳ୍ପନା-ଶକ୍ତି ସାପେକ୍ଷ । ସାହିତ୍ୟ ଓ ଦର୍ଶନ ଦେଶକାଳଗତ ଆବରଣ ଭେଦ କରିବାକୁ ବାଧ୍ୟ, ଭେଦ କରିବାରେ ସମର୍ଥ । ଏହିଠାରେ ସାହିତ୍ୟିକ ଓ ଦାର୍ଶନିକର ସମ୍ମେଳନ । ଏହିଠାରେ ଏକ ଅନ୍ୟର ସହଯୋଗୀ ।

Image

 

ଗୁରୁ ଓ ଶିଷ୍ୟ

 

କଠ ଉପନିଷଦ୍‌ ଯେଉଁ ଯେଉଁ ଦ୍ରବ୍ୟ, ଯେତା ଯେତେ ଦ୍ରବ୍ୟ ଆମ୍ଭମାନଙ୍କ ନିମିତ୍ତ ବାଢ଼ି ଦେଇଅଛି, ତନ୍ମଧ୍ୟରେ ଯମ-ନଚିକେତାଙ୍କର ଏକତ୍ର ଜୀବନତତ୍ତ୍ୱ-ବିଚାର ପ୍ରଧାନ ବିଷୟ ବସ୍ତୁ । ଯମ ଗୁରୁ, ନଚିକେତା ଶିଷ୍ୟ । ଶିଷ୍ୟ ଜ୍ଞନାନ୍ୱେଷୀ; ଘଟନାଗତ ବା ବିଷୟଗତ ଜ୍ଞାନର ନୁହେ, ଅତୀନ୍ଦ୍ରୟ ପଦାର୍ଥର, ଯାହା ଇନ୍ଦ୍ରିୟ-ଜଗତ-ସୃଷ୍ଟିର କାରଣ । ଗୁରୁ ମହୋଦୟଙ୍କୁ ଶିଷ୍ୟଙ୍କର ପ୍ରଶ୍ନ ହେଉଛି, ‘ମୋତେ ସେହି ବିଦ୍ୟା ସହିତ ସାକ୍ଷାତ୍‌ କରାଇ ଦିଅନ୍ତୁ, ଯାହାର ଅବଲମ୍ୱନରେ ମୁଁ ବିଶ୍ୱବ୍ରହ୍ମାଣ୍ଡକୁ ଚିହ୍ନି ପାରିବି; ଆତ୍ମା-ପରମାତ୍ମା-ସମ୍ୱନ୍ଧ ବୁଝି ପାରିବି; ମୋତେ ସେହି ମାର୍ଗର ସଙ୍କେତ ଦିଅନ୍ତୁ, ଯାହାକୁ ଅନୁସରଣ କରି ମୁଁ ବ୍ରହ୍ମଲୋକରେ ପହଞ୍ଚି ପାରିବି, ମୃତ-ଜୀବନକୁ ଅମୃତ କରି ପାରିବି ।’

 

ବିଦ୍ୟା ମୂଳତଃ ଦୁଇ ଜାତୀୟ; ପରାବିଦ୍ୟା, ଅପରାବିଦ୍ୟା । ସଂସାରର ଏକ ଏକ ବିଷୟକୁ ବିଚ୍ଛିନ୍ନ ପ୍ରକାରରେ ଅନୁଭବ କରିବା, ବିଷୟ ବିଷୟର ବହିଃପ୍ରଦେଶ ସହିତ ଇନ୍ଦ୍ରିୟ ସମ୍ପର୍କ ଘଟାଇବା, ସାଂସାରିକ ସୁଖଦୁଃଖରେ ମଜ୍ଜି ରହିବା, ଅପରା ବିଦ୍ୟା; ସାରା ବିଶ୍ୱଭୁବନକୁ ଏକ ଯୋଗରେ, ସମୂହଭାବରେ ଚିନ୍ତା କରିବା, ତାହାର ଅନ୍ତର ପ୍ରଦେଶରେ ପହଞ୍ଚି ପାରିବା, ଜାଗତିତ ମୂଳ କାରଣ ତଥା ଅନ୍ତିମ ଜୀବନର ସାକ୍ଷାତରେ ଆସିବା, ପରା ବିଦ୍ୟାର କାର୍ଯ୍ୟ । ଉଭୟ ବିଦ୍ୟା ପ୍ରୟୋଜନ-ନିର୍ଦ୍ଦିଷ୍ଟ । ଅପରା ବିଦ୍ୟା ସାହାଯ୍ୟରେ ସଂସାରର ଅନିତ୍ୟ ବସ୍ତୁ, ଅନିତ୍ୟ ସୁଖ (ଯଥା-ଧନଦୌଲତ) କୁ ତଥା ବିଷୟଗତ କର୍ତ୍ତୃତ୍ୱକୁ ଆମ୍ଭେମାନେ ଆୟତ୍ତ କରିପାରି ଥାଉଁ । ପରା-ବିଦ୍ୟା ବଳରେ ଦୃଶ୍ୟମାନ କ୍ଷୟଶୀଳ ଜଗତକୁ ଅତିକ୍ରମ କରି ଅଦୃଷ୍ଟ ଅକ୍ଷୟ ପଦାର୍ଥକୁ ନିଜ ଅଧିକାରରେ ଆଣି ପାରିଥାଉଁ, ଚିରନ୍ତନ ସୁଖର ଉପଭୋଗୀ ହୋଇ ଥାଉଁ । ନଚିକେତା ଏହି ପଦାର୍ଥର ପ୍ରତ୍ୟାଶୀ-

 

ଜଣେ ବ୍ୟକ୍ତିଙ୍କର ପ୍ରଶ୍ନ ପଚାରିବା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କର ସେ ପ୍ରଶ୍ନର ଉତ୍ତର ଦେବାରେ ଆମ୍ଭେମାନେ ସାଧାରଣତଃ ଧରିନେଇଥାଉଁ ଯେ, ପ୍ରଥମଟି ଅଜ୍ଞ, ଦ୍ୱିତୀୟଟି ‘ବିଜ୍ଞ । ପ୍ରଥମଟି ଅଭାବଗ୍ରସ୍ତ; ଦ୍ୱିତୀୟଟି ଅଭାବପୂରକ । ବାସ୍ତବରେ କିନ୍ତୁ ଏ ଦୁହିଙ୍କର ସମ୍ପର୍କ ତଦ୍ରୂପ ନୁହେଁ-। ପ୍ରଶ୍ନ ପଚାରିବାରେ ବିଜ୍ଞତା ଅଛି । ଯେ ଶୂନ୍ୟମସ୍ତିଷ୍କ ସେ ପ୍ରଶ୍ନ କରିବାରେ ଅସମର୍ଥ-। ଯାହାର ଅର୍ଥ-ବୋଧ ଅଛି, ସେହି ବ୍ୟକ୍ତି ପ୍ରଶ୍ନ କରିପାରେ; ପ୍ରଶ୍ନ ପରେ ପ୍ରଶ୍ନ ଉତ୍‌ଥାପନ କରି; ପ୍ରଶ୍ନ-ପ୍ରଶ୍ନର ମାର୍ଗ ଧରି, ସେହି କଥାବସ୍ତୁକୁ ନାନା ଦିଗରେ ଖେଳାଇ ପାରେ, ତନ୍ନତନ୍ନ କରି ବୁଝିପାରେ, ମଧ୍ୟ ବୁଝାଇ ପାରେ । ପୁଣି ପ୍ରଶ୍ନ ପ୍ରଶ୍ନ ଭିତରେ ପ୍ରଭେଦ ବିଦ୍ୟମାନ । ସବୁ ପ୍ରଶ୍ନ ଏକ ଜାତୀୟ ନୁହେଁ-। ଯାହାର କ୍ଷମତା ଯେତେ ଅଧିକ, ସେ ସେହିପରି ଗୂଢ଼ ପ୍ରଶ୍ନ କରିପାରେ । ନଚିକେତାଙ୍କଦ୍ୱାରା ଯେଉଁ ପ୍ରଶ୍ନ ଉତ୍‌ଥାପିତ ହୋଇଅଛି, ସେ ପ୍ରଶ୍ନ ଅନ୍ୟଲୋକ ପକ୍ଷରେ ସମ୍ଭବ ନ ହୋଇପାରେ-। ନଚିକେତାଙ୍କ ପ୍ରଶ୍ନ ନଚିକେତାଙ୍କ ଜ୍ଞାନପ୍ରଶସ୍ତିର ପରିଚାୟକ ।

 

ଯେପରି ସେପରି ଲୋକ ଗୁରୁ କି ଶିଷ୍ୟ ହୋଇ ନ ପାରେ । ସେହି ସ୍ଥାନ ପାଇବାକୁ ହେଲେ, ତଦନୁରୂପ ଯୋଗ୍ୟତା ଥିବା ଆବଶ୍ୟକ । ଶିଷ୍ୟ-ଶିକ୍ଷକତ୍ୱର ମୂଳ ସୋପାନ ହେଉଛି ବିଶ୍ୱାସ,–ବିଶ୍ୱାସ ପରସ୍ପରର ଶକ୍ତିରେ ଓ ବିଶ୍ୱର ସୃଷ୍ଟି ତତ୍ତ୍ୱରେ । ଏହି ତତ୍ତ୍ୱର ବୟାନ କରିବା ଯୋଗ୍ୟତା ଗୁରୁଙ୍କଠାରେ, ଗ୍ରହଣ କରିବାର ଯୋଗ୍ୟତା ଶିଷ୍ୟଠାରେ, ଥିବାର କଥା । ଜ୍ଞାନର ଆରମ୍ଭରେ ବିଶ୍ୱାସ । ବିଶ୍ୱାସ ଜ୍ଞାନର ପୂର୍ବତନ ସ୍ତର । କେତୋଟି ବସ୍ତୁରେ ପ୍ରତ୍ୟୟ ଥାଇ ତତ୍‌ ସାହାଯ୍ୟରେ ଅନ୍ୟ ବସ୍ତୁମାନଙ୍କୁ ଆମ୍ଭେମାନେ ପ୍ରମାଣ କରିଥାଉଁ; ବସ୍ତୁ-ଜ୍ଞାନ-ପ୍ରାପ୍ତିରେ କ୍ଷମ ହୋଇଥାଉଁ । ଛାତ୍ର ନାମଧାରୀ ଯେଉଁ ଲୋକ ଜ୍ଞାତବ୍ୟ ବିଷୟ ପ୍ରତି, ଗୁରୁଙ୍କର ଥିବା କ୍ଷମତା, ପୁଣି ନିଜେ ଅର୍ଜିପାରିବା କ୍ଷମତା ପ୍ରତି ସନ୍ଦେହଯୁକ୍ତ, ସେ ଛତ୍ରର ପଦବୀ ନେଇ ନ ପାରେ, ପଦାର୍ଥ ଜ୍ଞାନ ପାଇ ନ ପାରେ । ଛାତ୍ରର ଦ୍ୱିତୀୟ ଯୋଗ୍ୟତା ସଂଯତ, ନିୟନ୍ତ୍ରିତ ଜୀବନ; ଏପରି ଜୀବନ ଯେ, ତହିଁରେ ଜ୍ଞାନୀ-ବୀଜ ପଡ଼ିବା ମାତ୍ରେ କାର୍ଯ୍ୟକାରୀ ହୋଇଥାଏ । ଏହା ତପସ୍ୟାର ଫଳ । ତପସ୍ୟାର ଫଳ ଦ୍ୱିବିଧ । ତପସ୍ୟା ବଳରେ ଶିଷ୍ୟ ମନ୍ଦ ପ୍ରବୃତ୍ତିଗୁଡ଼ିକକୁ ଦମନ କରି ବିଭିନ୍ନ ଲାଳସା ପିପାସାର ପ୍ରଲୋଭନକୁ ଏଡ଼ିଦେଇ, ନିଜ ଜୀବନରେ ଅନ୍ତର୍ବହିଃ ପ୍ରଦେଶରେ ପରିଶୁଦ୍ଧ ଓ ଏକାଗ୍ରତା ଆଣିଥାଏ; ଏ ବିଷୟ ସେ ବିଷୟ ପ୍ରତି ଧାବମାନ ନ ହୋଇ ଏକ ଲକ୍ଷ୍ୟ ସାଧନାରେ ନିଯୁକ୍ତ ରହି, ଏହାକୁ ଜୀବନର ବ୍ରତ କରିଥାଏ ।

 

ଯେ ଗୁରୁ, ସେ ଜନ୍ମରୁ ଗୁରୁ ନୁହନ୍ତି । ଛାତ୍ରଜୀବନର ମାର୍ଗ ଧରି ଯଥାଯଥ ଜ୍ଞାନର ଅଧିକାରୀ ହୋଇ, ସେ ଗୁରୁ ଆସନରେ ପ୍ରତିଷ୍ଠିତ । ଏକ କାଳରେ ଯେ ଗୁରୁ, ପୂର୍ବବର୍ତ୍ତୀ କାଳରେ ସେ ଛାତ୍ର । ଛାତ୍ରରୁ ଗୁରୁଙ୍କର ସୃଷ୍ଟି, ପୁଣି ଗୁରୁଙ୍କ ହେତୁରୁ ଛାତ୍ରଙ୍କର ପୁଷ୍ଟି । ଅତଏବ ଛାତ୍ରର ଯୋଗ୍ୟତା ଗୁରୁଙ୍କଠାରେ ବିଦ୍ୟମାନ । ଏ ଯୋଗ୍ୟତା ଛଡ଼ା ଗୁରୁଙ୍କଠାରେ ଅଧିକ କ୍ଷମତା ମଧ୍ୟ ବର୍ତ୍ତମାନ । ଏହି କ୍ଷମତା ବଳରେ ଶିଷ୍ୟଙ୍କର ଯୋଗ୍ୟତାମୂଲ୍ୟ କଷିବାରେ, ଏବଂବିଧ ଯୋଗ୍ୟତାକୁ ପୂର୍ଣ୍ଣତା ପ୍ରତି ଘେନି ଯିବାରେ ଗୁରୁ ସମର୍ଥ ।

 

ଗୁରୁଙ୍କର ଦକ୍ଷତା ସ୍ୱକୀୟ ତେଜର ପ୍ରସାର ଘଟାଇବାରେ । ଗୁରୁଗତ କ୍ଷମତା ଯେତେ ଯେତେ ଶିଷ୍ୟ ଜୀବନରେ ପ୍ରତିଫଳିତ ହୁଏ, ଗୁରୁଙ୍କର ଯୋଗ୍ୟତା ତେତେ ତେତେ ପରିମାଣରେ ପରିସ୍ଫୁଟ ହେଉଥାଏ, ହୋଇଥାଏ । ଗୁରୁ ବହୁ ଶାସ୍ତ୍ରରେ ପଣ୍ଡିତ; ତଥାପି ସେ ଶିଷ୍ୟ ସହିତ ଶାସ୍ତ୍ର ଆଲୋଚନା ନିମିତ୍ତ ସର୍ବଦା ପ୍ରସ୍ତୁତ । କେବଳ ପାଣ୍ଡିତ୍ୟ ଅର୍ଜିଥିବା ନୁହେଁ, ତହିଁ ସଙ୍ଗେ ବିନୟମିଶ୍ରିତ ରହିଥିବା ପାଣ୍ଡିତ୍ୟର ଲକ୍ଷଣ । ଗୁରୁ ଯେବେ ଭାବନ୍ତି ଯେ, ସେ ଯାହା ସାଧିପାରି ଅଛନ୍ତି, ତାହା ଅନ୍ୟ ପକ୍ଷରେ ଅସାଧ୍ୟ, ଯେବେ ସେ ଏପରି ଧାରଣା ପୋଷିଥାଆନ୍ତି ଯେ, ସେ ଏକା ସେହିପରି ପଣ୍ଡିତ ହୋଇ ପାରନ୍ତି, ଅନ୍ୟ ସମସ୍ତେ ତାଙ୍କର ନିମ୍ନ ଦେଶରେ ମାତ୍ର ରହି ପାରନ୍ତି, ତେବେ ସେ ଗୁରୁ ପଦବୀର ଅଯୋଗ୍ୟ । ଗୁରୁ ସାଧକ; ନିଜେ ଶିଷ୍ୟ ଥାଇ, କଠୋର ବ୍ରତର ସାଧନାରେ ସେ ଗୁରୁ ଆସନର ଯୋଗ୍ୟ ହୋଇପାରିଛନ୍ତି । ଏଣୁ ଗୁରୁଙ୍କର ବିଶ୍ୱାସ ଏହି ଯେ, ସେ ଯାହା ଅର୍ଜି ପାରିଛନ୍ତି, ଅନ୍ୟମାନେ ସେହିପରି ସାଧନା ସାଧି ତାହାକୁ ଅର୍ଜି ପାରିବେ । ଗୁରୁ ଅତି-ମାନବ; ପୁଣି ଅନେକ ଅତି-ମାନବ ସୃଷ୍ଟ କରିବା ଗୁରୁଙ୍କର କର୍ମ । ଯମ ଏକ ଅତି-ମାନବ; ନଚିକେତାଙ୍କୁ ଶିଷ୍ୟ ପଦରେ ପାଇ, ସେ ଦ୍ୱିତୀୟ ଅତି-ମାନବର ସ୍ରଷ୍ଟା ।

 

ସୃଷ୍ଟି କାର୍ଯ୍ୟ ପ୍ରଧାନତଃ ଗୁରୁଙ୍କର । କିନ୍ତୁ ପୂର୍ଣ୍ଣତଃ ନୁହେଁ । ଯେଉଁମାନଙ୍କର ଶିକ୍ଷା କାର୍ଯ୍ୟରେ ଅଭିଜ୍ଞତା ଅଛି, ସେମାନେ ନିଶ୍ଚୟ ସ୍ୱୀକାର କରିବେ ଯେ, ଯଥାର୍ଥ ବିଦ୍ୟାର୍ଥୀ ଗୁରୁଙ୍କ ଉପରେ ଶିକ୍ଷାର ସମସ୍ତ ଦାୟିତ୍ୱ ଲଦିଦିଏ ନାହିଁ । ସେ ଗୁରୁଙ୍କର ଆଶ୍ରୟରେ, କିନ୍ତୁ ସ୍ୱକୀୟ ଶ୍ରମନିଯୁକ୍ତି ଫଳରେ ବିଦ୍ୟା ହାସଲ କରିବାରେ କ୍ଷମ ହୋଇଥାଏ । ବିଦ୍ୟା ଗୁରୁ-ଶିଷ୍ୟ ଉଭୟଙ୍କର ସୃଷ୍ଟି । ଉଭୟଙ୍କଠାରେ ମାନସଘଟିତ କ୍ରିୟାପ୍ରତିକ୍ରିୟାର ଏକୀଭୂତ ବିକାଶ ।

 

‘‘ଅରଣ୍ୟୋର୍ନିହିତୋ ଜାତବେଦା’’

–କଠୋପନିଷଦ, ଅଧ୍ୟାୟ ୨, ମନ୍ତ୍ର ୮ ।

(ଦୁଇଟି ଅରଣିର ସଂଘର୍ଷରୁ ଅଗ୍ନି)

 

ଗୁରୁ-ଶିଷ୍ୟଙ୍କର ସମ୍ୱନ୍ଧ ବହିର୍ଜଗତର ସମ୍ପର୍କ ନୁହେଁ । ଏ ସମ୍ୱନ୍ଧ ଆତ୍ମାଗତ, ମାନସ-ଘଟିତ ଦାନ-ପ୍ରତିଦାନର ସମ୍ୱନ୍ଧ । ଜଣେ ଦାତା, ଅନ୍ୟଟି ଗ୍ରହୀତା । ଦାନ-ଗ୍ରହଣ-ସମ୍ପର୍କ ଭିକ୍ଷୁକର ସମ୍ପର୍କ ନୁହେ । ଯେ ଭିକ୍ଷା ମାଗେ, ସେ ଶକ୍ତି-ଶୂନ୍ୟତାର ପରିଚୟ ଦିଏ । କିନ୍ତୁ ଦାନ-କାର୍ଯ୍ୟରେ ଦାତା ଶକ୍ତିମାନ୍‌, ଗ୍ରହୀତା ମଧ୍ୟ ଶକ୍ତିମାନ୍‌ । ଶକ୍ତି ନ ଥିଲେ, କେହି ଦାନ ଦେଇ ନ ପାରେ, ପୁଣି ଶକ୍ତି ନ ଥିଲେ ଅନ୍ୟ ବ୍ୟକ୍ତି ଦାନକୁ ଗ୍ରହଣ କରି ନ ପାରେ । ଶିକ୍ଷା-ସମ୍ୱନ୍ଧରେ ଠିକ୍‌ ଏହି କଥା । ଗୁରୁ ଯେ କେବଳ ପଦାର୍ଥବାନ୍‌, ଶିଷ୍ୟ ଯେ ପଦାର୍ଥହୀନ–ଏପରି ନୁହେଁ । ଶିକ୍ଷାକାର୍ଯ୍ୟ ପ୍ରତି ନିରୀକ୍ଷଣ କଲେ, ବିଷୟଟି ସହଜରେ ହୃଦୟଙ୍ଗମ କରିହୁଏ । ଶିଷ୍ୟ ଯାହା ଯେତେବେଳେ ଶିକ୍ଷା ପାଏ ତାହା ସଙ୍ଗେ ସଙ୍ଗେ ତାହାର ମସ୍ତିଷ୍କଗତ ହୁଏ ନାହିଁ । ଶିକ୍ଷକଙ୍କଦ୍ୱାରା ବିଷୟଟି ଉତ୍‌ଥାପିତ ହେଲେ, ଶିଷ୍ୟର ମସ୍ତିଷ୍କରେ ଏକ ପ୍ରତିକ୍ରିୟା ସଂଘଟିତ ହୋଇଥାଏ । ବିଷୟଟିର ଅର୍ଥ କଅଣ, ଏହା କେଉଁ ପ୍ରଦେଶର ଅନ୍ତର୍ଭୁକ୍ତ, ଏଥିରୁ ଅନ୍ୟ କେଉଁ ବିଷୟ ଅନୁଶୀଳନ କରାଯାଇପାରେ, ଏହିପରି ଓ ଏତତ୍‌ ସମ୍ପର୍କୀୟ ବିବିଧ ପ୍ରଶ୍ନ ଶିଷ୍ୟଠାରେ ଜାଗ୍ରତ ହୋଇଉଠେ । ଯେବେ ଏପରି ଛାତ୍ର ଥାଆନ୍ତି, ଯେଉଁମାନଙ୍କଠାରେ ଗୁରୁବାକ୍ୟ କିଛିମାତ୍ର ସ୍ପନ୍ଦନ ଘଟାଏ ନାହିଁ, ତେବେ ସେମାନେ ନାମତଃ ଛାତ୍ର । ସେମାନେ ସେହିପରି ଅବସ୍ଥାରେ ରହିଥିବା ପର୍ଯ୍ୟନ୍ତ ଶିଷ୍ୟପଦ ପାଇ ନ ପାରନ୍ତି । ଆଉ କେତେକ ଛାତ୍ର ଥାଇପାରନ୍ତି, ଯାହାଙ୍କଠାରେ ଶିକ୍ଷାଜନିତ ପ୍ରତିକ୍ରିୟା ଘଟିଥାଏ; କିନ୍ତୁ ଉପଯୁକ୍ତ ପ୍ରତିକ୍ରିୟା ଘଟେ ନାହିଁ । ଅର୍ଥାତ୍‌, ଏମାନେ ବିଷୟଟିର ଉଚିତ ଅର୍ଥ ବୁଝିବାରେ ଅଥବା ତତ୍‌ସମ୍ପର୍କୀୟ ଉଚିତ ପ୍ରଶ୍ନ ଧରିବାରେ ଅକ୍ଷମ ହୋଇଥାଆନ୍ତି । ଏ ଶ୍ରେଣୀର ଛାତ୍ର ଛାତ୍ରନାମର ଯୋଗ୍ୟ, ଯଦିଚ ଏମାନଙ୍କର ସ୍ଥାନ ନିମ୍ନସ୍ତରରେ । ଯେଉଁ ଶିଷ୍ୟର ମାନସପ୍ରଦେଶ ଶିକ୍ଷା-ପଦ୍ଧତିଦ୍ୱାରା ଟିକିଏ ହେଲେ ଆଲୋଡ଼ିତ ହୁଏ-ନାହିଁ, ସେ ଗ୍ରହୀତା ସ୍ଥାନର ଅଯୋଗ୍ୟ । ଏ ଲୋକର ବର୍ତ୍ତମାନ ଶୂନ୍ୟ, ଭବିଷ୍ୟତ ମଧ୍ୟ ତଦ୍ରୂପ । କିନ୍ତୁ ଯାହାଠାରେ କୌଣସି ପ୍ରକାର ଏପରିକି ଅଶୁଦ୍ଧ ପ୍ରକାର ଆଲୋଡ଼ନ ଘଟେ, ସେ ଲୋକର ସାମୟିକ ଅଯୋଗ୍ୟତା ଥିଲେହେଁ ଏ ଅଯୋଗ୍ୟତା ଦୂରପନେୟ ନୁହେ । ଦୃଶ୍ୟମାନ ମୂଢ଼ଛାତ୍ରର ଛାତ୍ରତ୍ୱ ରହିଥିଲେ, ସେ ଅଶୁଦ୍ଧମାର୍ଗ ବାଟେ କ୍ରମେ ଶୁଦ୍ଧମାର୍ଗକୁ ଆସିପାରେ । ଶିକ୍ଷକ ତାହାକୁ ଏପରି ମାର୍ଗକୁ ଆଣିପାରନ୍ତି ।

 

ବିଦ୍ୟାଦାନ, ଇତର ବସ୍ତୁର ଦାନଠାରୁ ସଂପୂର୍ଣ୍ଣ ପୃଥକ୍‌ । ଅନ୍ୟ ପାର୍ଥିବ ବସ୍ତୁର ଦାନରେ ଏକପକ୍ଷର ଅଳ୍ପ ବହୁତ କ୍ଷତି ହୋଇଥାଏ; ଅନ୍ୟ ପକ୍ଷରେ ତଦନୁକ୍ରମେ ଲାଭ ଆସିଥାଏ, ଅର୍ଥାତ୍‌ ଦାତା ନିଜର ଅଳ୍ପତା ଘଟାଇ ଗ୍ରହୀତାକୁ ଅଧିକ କରନ୍ତି । ବିଦ୍ୟାଦାନ ଏକାଧାରରେ ଗୁରୁଶିଷ୍ୟ ଉଭୟଙ୍କର ଉପାର୍ଜନ; ଏକ କାର୍ଯ୍ୟରେ ଏକାଧାରରେ ଗୁରୁଶିଷ୍ୟ ଉଭୟଙ୍କର ଉପାର୍ଜନ; ଏକ କାର୍ଯ୍ୟରେ ଏକ କାଳରେ ଉଭୟେ ଲାଭବାନ୍‌ । ଗୁରୁଶିଷ୍ୟଙ୍କ ପରସ୍ପରଠାରେ ଘାତପ୍ରତିଘାତ ଘଟୁଥିବା ହେତୁରୁ ଏ ଦ୍ୱିବିଧ ଲାଭ ସମ୍ଭବ ହୁଏ । ଗୁରୁ ଯେ କେବଳ ଦାତା, ଶିଷ୍ୟ ଯେ କେବଳ ଗ୍ରହୀତା, ଦାନ ଯେ ଏକ ପ୍ରଦେଶରେ, ଗ୍ରହଣ ଅନ୍ୟ ପ୍ରଦେଶରେ ନିବଦ୍ଧ, ଏପରି ନୁହେ । ବିଦ୍ୟାଦାନରେ ଦାତା ମଧ୍ୟ ଗ୍ରହୀତା, ଗ୍ରହୀତା ମଧ୍ୟ ଦାତା ଅଟେ ।

 

ଶିକ୍ଷାକାର୍ଯ୍ୟରେ କେବଳ ଶିଷ୍ୟର ଉନ୍ନତି ଘଟିଥାଏ ଏହା ଯଥାର୍ଥ ସତ୍ୟ ନୁହେଁ । ଗୁରୁଶିଷ୍ୟ ପରସ୍ପର ସଂବନ୍ଧାନ୍ୱିତ ହେବାରେ ଉଭୟଙ୍କ ଜୀବନରେ ବିକାଶ ଘଟେ । ଶିଷ୍ୟ ଯାହା ଥାଏ, ଗୁରୁଙ୍କୁ ପାଇ ତେତିକି ମାତ୍ର ରହେ ନାହିଁ; କିମ୍ୱା ଗୁରୁ, ଶିଷ୍ୟକୁ ଯେଉଁ ଅବସ୍ଥାରେ ପାଆନ୍ତି, ସେହି ଅବସ୍ଥାରେ ତାହାକୁ ରଖି ଦିଅନ୍ତି ନାହିଁ । ପୁଣି ଶିଷ୍ୟକୁ ଶିକ୍ଷା ଦେବାକୁ ଯାଇ, ଶିଷ୍ୟଜୀବନର ସଂଗଠନରେ ନିଯୁକ୍ତ ରହି, ଗୁରୁ, ଶିଷ୍ୟର ଅଭିବୃଦ୍ଧି ସଙ୍ଗେ ନିଜର ଅଭିବୃଦ୍ଧି ମଧ୍ୟ ସାଧିପାରି ଥାଆନ୍ତି । ଦାନପ୍ରତିଦାନ ଫଳରେ ଶିଷ୍ୟର ଅନ୍ତର୍ନିହିତ ପଦାର୍ଥ ଯେପରି ଉଦ୍‌ବୁଦ୍ଧ ହୁଏ, ଗୁରୁଙ୍କର ତାହା ସେହିପରି ମାର୍ଜନା ପାଏ । ଶିକ୍ଷାର ଆରମ୍ଭରେ ଗୁରୁ ଓ ଶିଷ୍ୟ ଯେଉଁ ଯେଉଁ ସ୍ତରରେ ଥାଆନ୍ତି, ଶିକ୍ଷାର ଅବସାନରେ ସେମାନେ ସେହି ସେହି ସ୍ତରରେ ରହନ୍ତି ନାହିଁ । ଶିକ୍ଷା ପାଇ ଶିଷ୍ୟ ଗୁରୁଙ୍କୁ ଅତିକ୍ରମ କରିଥାଏ ବା ତାହାଙ୍କର ସମକକ୍ଷ ହୋଇଥାଏ, ଅଥବା ତନ୍ନିମ୍ନ ସ୍ଥାନରେ ରହି ଯାଇଥାଏ । କିନ୍ତୁ ଉଭୟେ ସ୍ୱକୀୟ ସ୍ତର ଅପେକ୍ଷା ଉଚ୍ଚସ୍ତରରେ ଉପସ୍ଥିତ ହୋଇ ପାରି ଥାଆନ୍ତି, ଓ ସ୍ତର ସ୍ତର ମଧ୍ୟରେ ସମନ୍ୱୟ ଆଣିପାରି ଥାଆନ୍ତି । ଶିକ୍ଷା ଗୁରୁଶିଷ୍ୟ ଉଭୟଙ୍କୁ ଯେଉଁ ପ୍ରଦେଶକୁ ଘେନି ଯାଇଥାଏ, ସେହି ପ୍ରଦେଶ ଗୁରୁଶିଷ୍ୟ-ପ୍ରଦେଶର ସଂଯୋଗ ମାତ୍ର ନୁହେଁ; ତାହା ଏକ ବୃହତ୍ତମ ମହତ୍ତର ଭୂମଣ୍ଡଳ, ଯହିଁରେ ଗୁରୁକ୍ଷେତ୍ର ଓ ଶିଷ୍ୟକ୍ଷେତ୍ର ଉଭୟେ ଅଙ୍ଗୀଭୂତ; ପୁଣି ତାହାର ଆଶ୍ରିତ ।

 

ପୁଣି ଗୁରୁ-ଶିଷ୍ୟ-ଗତ ଦାନ-ପ୍ରତିଦାନକୁ ଭୌତିକ ବସ୍ତୁ ଘେନି ବେପାର ସହିତ ତୁଳନା କରାଯାଇ ନ ପାରେ । ଶିକ୍ଷାଦେବା ପୂର୍ବରୁ ଯମ ନଚିକେତାଙ୍କଠାରୁ ଶିକ୍ଷା ପାଇଁ ଉଚିତ ମୂଲ୍ୟ ଦାବୀ କରି ନ ଥିଲେ, ପାଇ ନ ଥିଲେ । ଶିକ୍ଷା-ଘଟିତ ଦ୍ରବ୍ୟ କିଣାବିକା ସାମଗ୍ରୀ ନୁହେ; ତାହା ବଜାରସଉଦାଠାରୁ ସଂପୂର୍ଣ୍ଣ ଭିନ୍ନ । ବଜାର ସଉଦା ମୂଲ୍ୟ ନେଇ ବିକିବା ପାଇ ବଢ଼ା ରହିଥାଏ; ଏହି ଏହି ସାମଗ୍ରୀ ଏତକ ମୂଲ୍ୟରେ ବିକା ହୋଇଥାଏ, କିଣା ହୋଇଥାଏ । ଶିକ୍ଷା ଅମୂଲ୍ୟ ପଦାର୍ଥ-। ଶିକ୍ଷାର ସ୍ଥାନ ପାର୍ଥିବ ମୂଲ୍ୟ-ଜଗତର ବାହାରରେ, ଏପରି ଜଗତର ଉପରରେ ମଧ୍ୟ । ଏତଦ୍‌ ବ୍ୟତୀତ ପାର୍ଥିବବସ୍ତୁ କିଣିବା ସମୟରେ ଭଲମନ୍ଦ ପରୀକ୍ଷା କରି, ତେବେ ଯାଇ ମମ୍ଭେମାନେ ଗ୍ରହଣ କରିଥାଉଁ, ଗ୍ରହଣ କଲା ଉତ୍ତାରୁ ମଧ୍ୟ ସାମଗ୍ରୀ ମନ୍ଦ ଥିବାର ଜାଣିପାରି ତାହାକୁ ଫେରସ୍ତ ଦେଇଥାଉଁ । କିନ୍ତୁ ଶିକ୍ଷାଗତ ପଦାର୍ଥ ପ୍ରତି ଏ ପ୍ରକାର ପରୀକ୍ଷା ପ୍ରୟୋଗ କରାଯାଇ ନ ପାରେ-। ଶିକ୍ଷା ଦେବା-ପାଇବାରେ ଗୁରୁଦତ୍ତ ପଦାର୍ଥ ଶିଷ୍ୟର ମାନସ-ରାଜ୍ୟ ଉପରେ କ୍ରିୟା ଘଟାଇ ସଙ୍ଗେ ସଙ୍ଗେ ତାହା ସେହି ମାନସ-ରାଜ୍ୟର ବସ୍ତୁଭୂତ ହୋଇଯାଏ । ଏପରି ଅଭୌତିକ ପଦାର୍ଥର ଯଥା, ଗୁରୁ ଶିଷ୍ୟଗତ ଶିକ୍ଷା ବିଧାନର ଔଚିତ୍ୟାନୌଚିତ୍ୟ-ପରୀକ୍ଷା ଆମ୍ଭମାନଙ୍କ ଶିକ୍ଷାରେ କଷ୍ଟସାଧ୍ୟ-। ତେବେ ଶିକ୍ଷାକାର୍ଯ୍ୟ ଯଥାର୍ଥ ରୂପେ ସମାହିତ ହେଉଅଛି, ଯମ ଯେ ନଚିକେତାଙ୍କୁ ଉପଯୁକ୍ତ ଶିକ୍ଷା ଦେଉଅଛନ୍ତି–ତାହାର ପ୍ରମାଣ କଣ ? ପ୍ରମାଣ ସ୍ୱୟଂ ଭଗବାନ୍‌ । ଭଗବାନଙ୍କୁ ସମ୍ମୁଖରେ ରଖି ଶିକ୍ଷାକାର୍ଯ୍ୟ ଆମ୍ଭେମାନେ ସମାଧା କରିଥାଉଁ । ଯାହା ମାନବ ପରୀକ୍ଷାର ସମ୍ଭବଯୋଗ୍ୟ ନୁହେଁ, ତାହା ଭଗବାନଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ।

 

ଯମ ମୃତ ପ୍ରଦେଶର କର୍ତ୍ତା । ସେ ଅମୃତଲୋକର ବ୍ୟାଖ୍ୟା ଦେଇ ପାରନ୍ତି କି ? ଦେଲେ ବା କିପରି ? ବୋଧହୁଏ ଶିଷ୍ୟଙ୍କଠାରୁ ପରିପୂର୍ଣ୍ଣ ସହଯୋଗ ପାଇ । ମୃତପୁର ରାଜାଙ୍କର ଅମୃତ ଭୁବନ ସମ୍ୱନ୍ଧରେ ସଦ୍‌ଜ୍ଞାନ ଥିବାର ସ୍ୱୀକାର କରାଯାଇପାରେ; କାରଣ ଅମୃତର ପରିଚୟ ନ ପାଇ, ମୃତ ସହିତ ଉତ୍ତମରୂପେ ପରିଚିତ ହେବା ସମ୍ଭବଯୋଗ୍ୟ ନୁହେଁ । ଏପରି ପରିଚୟ ଥିଲେ ମଧ୍ୟ, ଉକ୍ତ ଭୁବନର ସମୁଚିତ ବ୍ୟାଖ୍ୟାନ ଉପଯୁକ୍ତ ଶିଷ୍ୟର ଉପଯୁକ୍ତ ଆଲୋଚନା ଆବଶ୍ୟକ କରେ । ଶିଷ୍ୟର କୃତିତ୍ୱ-ମହତ୍ୱ ଗୁରୁ ନିବଦ୍ଧ ପଦାର୍ଥକୁ କେବଳ ଉନ୍ମୁକ୍ତ କରେ ନାହିଁ; ସେ ପଦାର୍ଥକୁ ମହୀୟାନ୍‌ କରିବାରେ ସାହାଯ୍ୟ କରିଥାଏ ।

 

ନଚିକେତା ପାଇଲେ, ଯାହା ସେ ଖୋଜୁଥିଲେ । ପାଇଲେ, ନିଜ ଅନୁଧ୍ୟାନରୁ ନୁହେଁ; ତଥାପି ନିଜର ଅନୁଧ୍ୟାନ-ନିୟୋଜନ ହେତୁରୁ । ପାଇଲେ ଗୁରୁଙ୍କର ଶିକ୍ଷାଦାନରୁ ନୁହେ; ତଥାପି ଗୁରୁଙ୍କର ମନ୍ତ୍ରଦୀକ୍ଷା କାରଣରୁ । ଶିକ୍ଷା ଏକ ଏକ ଲୋକର ଐକିକ ସଂସ୍କରଣ ନୁହେ; ତାହା ଗୁରୁ-ଶିଷ୍ୟଙ୍କର ମିଳିତ ଚେଷ୍ଟାର ସମୂହ ଉପାର୍ଜନ । ଏହି ଅର୍ଥରେ ଶିଷ୍ୟ ଗୁରୁଙ୍କର ସନ୍ନିକୃଷ୍ଟ ବ୍ୟକ୍ତି । ଏମାନଙ୍କ ମଧ୍ୟରେ ପ୍ରଭେଦ ପଦାର୍ଥଗତ ନୁହେଁ; ମାତ୍ରାଗତ । ଜଣେ ଅଗ୍ରରେ, ଅନ୍ୟ ଜଣଙ୍କ ପଶ୍ଚାଦ୍‌ଭାଗରେ । ଗୁରୁ ଓ ଶିଷ୍ୟକୁ ପୃଥକ୍‌ ପୃଥକ୍‌ ଶ୍ରେଣୀରେ ଆମ୍ଭେମାନେ ବିଭାଗ କରି ନ ପାରୁଁ-। ଏପରି ପାର୍ଥକ୍ୟ ଥିଲେ, ସ୍ୱୀକୃତ ହେଲେ, ଏକର ଆକର୍ଷଣ ଅନ୍ୟଠାରେ ପ୍ରତ୍ୟାକର୍ଷଣ ଘଟାଇ ନ ପାରେ । ଯଦି ବା ଘଟାଏ, ଆକର୍ଷଣ ପ୍ରତ୍ୟାକର୍ଷଣ ପ୍ରଣିଧାନର ବିଷୟଭୂତ ହୋଇ ନ ପାରେ-। ଆମ୍ଭମାନଙ୍କ ଦେଶରେ ଶିଷ୍ୟଙ୍କୁ ଗୁରୁଙ୍କ ଗୃହରେ ରହିବାକୁ ହେଉଥିଲା, ଏମାନଙ୍କ ମଧ୍ୟରେ ସ୍ଥାନଗତ ବା କାଳଗତ ସମ୍ପର୍କ ଆଣିବା ପାଇ ନୁହେ, ଏମାନଙ୍କୁ ଏକାତ୍ମା କରିବା ପାଇଁ । ଗୁରୁ ଶିଷ୍ୟ ଏକଜାତୀୟ ପଦାର୍ଥ, ଏମାନେ ଏକ ଆଦର୍ଶ ପ୍ରତି ନିଯୁକ୍ତ, ଏକ ସମୂହଭୂତ । ଯେଣୁ ଏମାନେ ଏକ ସମୂହ ଅନ୍ତର୍ଗତ, ଶିଷ୍ୟର ସୁଖରେ ଗୁରୁ ସୁଖୀ, ଶିଷ୍ୟର ଦୁଃଖରେ ଗୁରୁ ଦୁଃଖୀ । ଶିକ୍ଷାରେ ଶିକ୍ଷକଙ୍କର ଦୃଷ୍ଟି ନିଜଠାରେ ନ ଥାଏ, ସେ ଦୃଷ୍ଟି ଶିଷ୍ୟ ଉପରେ । ଶିଷ୍ୟ ଯେତେବେଳେ ଜ୍ଞାନ ପରେ ଜ୍ଞାନ ଆହରଣ କରୁଥାଏ, ପ୍ରଗତି ପଥରେ ଅଗ୍ରସର ହେଉଥାଏ, ଶିଷ୍ୟର ଯେତେବେଳେ କ୍ରମବିକାଶ ଘଟୁଥାଏ, ଗୁରୁଙ୍କ ମନ ଆନନ୍ଦରେ ଭରି ଯାଉଥାଏ । ପକ୍ଷାନ୍ତରରେ ଶିଷ୍ୟର ସ୍ଖଳନ ଘଟିଲେ, ଗୁରୁ ଜୀବନରେ ବାଧା ପଡ଼ିଥାଏ ।

 

କ୍ରୋଧାନ୍ଧ ହୋଇ ଉଦାଳକ *ପୁତ୍ରକୁ ମୃତ୍ୟୁମୁଖରେ ଠେଲିଦେଲେ ମଧ୍ୟ ନଚିକେତା ନିଜର ଯୋଗ୍ୟତା ବଳରେ ମୃତରୁ ଅମୃତ ରସ ବାହାର କରି ପାରିଥିଲେ । ଏକ ପ୍ରଶ୍ନରେ ଅମରତ୍ୱମାର୍ଗର ସଙ୍କେତ ପାଇ, ଅନ୍ୟ ପ୍ରଶ୍ନରେ ଯମଙ୍କଠାରୁ ନଚିକେତା ଅମରତ୍ୱ ପ୍ରତିଷ୍ଠାନର ବିଶଦ ବିବରଣ ମାଗିଥିଲେ । ପ୍ରଶ୍ନ ପାଇ ଯମ ବିଚଳିତ ହୋଇପଡ଼ିଲେ । ପ୍ରଶ୍ନଘଟିତ ସମସ୍ୟାରୁ ଅବ୍ୟାହତି ଲୋଡ଼ିଲେ । ପ୍ରଶ୍ନର ଯଥାର୍ଥ ଉତ୍ତର ଦେବା ଯମଙ୍କର କ୍ଷମତାତୀତ, ଏହା ମଧ୍ୟ ସ୍ୱୀକାର କଲେ । ଯେ ବିଜ୍ଞ, ସେ କେବେ ନିଜକୁ ସର୍ବଜ୍ଞ ବୋଲି ଧରି ନିଅନ୍ତି ନାହିଁ । କିନ୍ତୁ ନଚିକେତାଙ୍କର ଦୃଢ଼ତା, ନିଷ୍ଠାବତ୍ତାରେ ବିସ୍ମିତ ହୋଇ ପୁଣି ଉତ୍ତର ନେବାର ଯୋଗ୍ୟତା ତାହାଙ୍କଠାରେ ଥିବାର ଯଥେଷ୍ଟ ନିଦର୍ଶନ ପାଇ, ଯମ ମୁକ୍ତ ଆତ୍ମାର ସ୍ୱରୂପ ନିର୍ଣ୍ଣୟରେ ନିଯୁକ୍ତ ହେଲେ । ପ୍ରଶ୍ନୋତ୍ତରରେ କେବଳ ନଚିକେତା ଯେ ବ୍ରହ୍ମଜ୍ଞାନ ପାଇଥିଲେ, ତାହା ନୁହେଁ; ଯମଙ୍କଠାରେ ବ୍ରହ୍ମଜ୍ଞାନର ନିର୍ମଳତା ମଧ୍ୟ ଘଟିଥିଲା ।

 

*ନଚିକେତାଙ୍କ ପିତା ଉଦ୍ଦାଳକ ପୁତ୍ରକୁ ଶାସ୍ତିଦେବା ଅଭିଳାଷରେ ଯମଙ୍କ ନିକଟ ପଠାଇଥିଲେ । ନଚିକେତା ଯମଙ୍କ ନିକଟରୁ ଶିକ୍ଷା ପାଇବା ଲାଗି ଯମଙ୍କ ଗୃହରେ ଅନଶନ କରିଥିଲେ, ଯମ ତିନୋଟି ପ୍ରଶ୍ନର ଉତ୍ତର ଦେବାକୁ ସ୍ୱୀକୃତ ହେବାରୁ ଅନଶନ ଭାଙ୍ଗିଥିଲେ ।

ଶିକ୍ଷା ବୈଷୟିକ କାରବାର ନୁହେଁ, ଆଧ୍ୟାତ୍ମିକ ବେଭାର । ଶିକ୍ଷାରେ ଯେଉଁ ପଦାର୍ଥବିନିମୟ ଗଟେ, ଯାହା ଆମ୍ଭମାନଙ୍କର ଅଧିକାରରେ ଆସେ, ତାହା ପାର୍ଥିବ ସମ୍ପଦ ନୁହେଁ, ସ୍ୱର୍ଗୀୟ ବିଭବ । ଏ ବିଭବ ମାନବ ତଥା ଦେବଲୋକଙ୍କର ବିଭବ । ମାନବଠାରେ ମାନବିକ ଜାଗରଣ, ମାନବିକତାର ଶ୍ରୀବୃଦ୍ଧିକରଣ ଶିକ୍ଷାର ଧର୍ମ । ହାତୀ, ଘୋଡ଼ା, ଧନ, ସମ୍ପଦ, ରାଜକୀୟ ଭୋଗ ଉପଭୋଗ ଯମ ନଚିକେତାଙ୍କୁ ଯାଚିଥିଲେ; ମାତ୍ର ଏପରି ବିଷୟକୁ, ଏ ପ୍ରକାର ସମସ୍ତ ବିଷୟକୁ ଶିଷ୍ୟ ନାସ୍ତି କରିଥିଲେ । ଏହି ଏହି ବିଷୟ କ୍ଷୟଶୀଳ ବିଷୟ, ଯେ ଶିକ୍ଷାର ଉପଯୁକ୍ତ ଦାନ ହୋଇ ନ ପାରେ, ଯମ ତାହା ଉତ୍ତମ ରୂପେ ଅବଗତ ଥିଲେ । ତଥାପି ଶିଷ୍ୟର ଶିଷ୍ୟତ୍ୱ-ପରୀକ୍ଷା ନିମିତ୍ତ କ୍ଷୁଦ୍ର ବସ୍ତୁର ପ୍ରଲୋଭନ ସେ ଦେଖାଇଥିଲେ । କିନ୍ତୁ ନଚିକେତା ଅଟଳ ରହିଲେ । ଯଥାର୍ଥ ବିଦ୍ୟାର୍ଥୀ ଅଳ୍ପ-ପ୍ରୟୋଜନ ମେଣ୍ଟାଇବାରେ କେବେ ଶାନ୍ତ ହୁଏ ନାହିଁ । ଯଥାର୍ଥ ଗୁରୁ ଯଥାର୍ଥ ଶିଷ୍ୟକୁ କେବଳ ଅସ୍ଥାୟୀ ବିଷୟଗୁଡ଼ିକର ପରିଚୟ ବା ସାମୟିକ ଉପକାର ମାତ୍ର ଦିଅନ୍ତି ନାହିଁ, କି ଶିଷ୍ୟ ଏପରି ଶିକ୍ଷା ଗୁରୁଙ୍କଠାରୁ ପାଏ ନାହିଁ । ସେ ପାଏ ଆଧ୍ୟାତ୍ମିକ ସମ୍ଭାର । ନଚିକେତା ଏହି ସମ୍ଭାରର ପ୍ରାର୍ଥୀ ।

ଶିକ୍ଷା ଚିନ୍ତା-ଜଗତ୍‌, ଆତ୍ମ-ଜଗତ୍‌ ସହିତ ସମ୍ପୃକ୍ତ । ଏହି ଦୁଇ ଜଗତ୍‌ ଅତି-ଭୌତିକ ପଦାର୍ଥ । ଅତି-ଭୌତିକ ଜଗତ୍‌ ଭୌତିକ ଜଗତ୍‌ର ଉଚ୍ଚରେ, ପୁଣି ସେ ତାର ମଜ୍ଜାରେ । ଅତିଭୌତିକ କ୍ଷମତାରେ କ୍ଷମତାବାନ୍‌ ହୋଇ, ଭୌତିକ ପ୍ରଦେଶକୁ ଆମ୍ଭେମାନେ ନିଜର କର୍ତ୍ତୃତ୍ୱରେ ଆଣି ପାରିଥାଉଁ । ଚିନ୍ତା-ଜଗତ୍‌ର ଶାସନ ବସ୍ତୁଜଗତ ଉପରେ; ଆତ୍ମା-ମଣ୍ଡଳର ଶାସନ ଶରୀର-ଖଣ୍ଡ ଉପରେ । ପୁରୁଷର ପରାକ୍ରମରେ ପ୍ରକୃତି-ଜଗତ ପରାଭୂତ । ମାନବର ଭବିଷ୍ୟତ ଜ୍ଞାନରେ ମାନବର ବର୍ତ୍ତମାନ ଆଲୋକିତ । ଏହି ଏହି ସାମଗ୍ରୀ ଶିକ୍ଷାର ବସ୍ତୁଭୂତ । ଚିନ୍ତାର ଧାରା ସହିତ ସୁବିଦିତ ହୋଇ ଘଟନାଜଗତର କ୍ରମ ସହିତ ଆମ୍ଭେମାନେ ପରିଚିତ ହୋଇଥାଉଁ । ଭାବଭାବନାର ନୀତିମାର୍ଗକୁ ଆୟତ୍ତ କରି ବିଷୟ ଜଗତକୁ ଆମ୍ଭେମାନେ ଆୟତ୍ତ କରିପାରି ଥାଉଁ; ଆତ୍ମା-ତତ୍ତ୍ୱ ବୁଝିପାରି ଶରୀରତତ୍ତ୍ୱ ଆମ୍ଭେମାନେ ବୁଝିପାରିଥାଉଁ । ନିତ୍ୟ-ବସ୍ତୁରେ ନିବିଷ୍ଟ ରହି, ଅନିତ୍ୟର ମୋହ ଏଡ଼ିପାରି ଥାଉଁ ।

ପଦାର୍ଥ-ପଦାର୍ଥ ମୂଲ୍ୟ ନିରୂପଣ, ପଦାର୍ଥ-ପଦାର୍ଥର ସ୍ଥାନନିର୍ଦ୍ଦେଶକରଣ ଶିକ୍ଷାର କାର୍ଯ୍ୟ-। କପା ଚଷିବା, ସୂତା-କାଟିବା, କଣ୍ଢେଇ ଗଢ଼ିବା ପ୍ରଭୃତି ଶିକ୍ଷାର ଅଙ୍ଗ ହୋଇପାରେ; କିନ୍ତୁ ଏଇତକ କାର୍ଯ୍ୟ କରିଦେଲେ ସେହି ସେହି କାର୍ଯ୍ୟରେ ଦକ୍ଷ ହୋଇପଡ଼ିଲେ, ଶିକ୍ଷାର କର୍ମ ଶେଷ ହୁଏ ନାହିଁ-। ଏପରି ବସ୍ତୁର ଉତ୍ପାଦନରେ ନିଯୁକ୍ତ ରହି, ମାନସିକ ଏକାଗ୍ରତ, ଚିତ୍ତର ପବିତ୍ରତା, ମାନବିକ ଉଚ୍ଚତା ସାଧି ପାରିଲେ, ପ୍ରବୃତ୍ତି-ନିବୃତ୍ତି ରିପୁଗୁଡ଼ିକୁ ଦମନ କରିପାରିଲେ, ଶିକ୍ଷାର ଧର୍ମ ପାଳିତ ହୁଏ । ଏହି ଏହି ବୃତ୍ତର ଆଶ୍ରୟ ନେଲେ, ଦୁଇ ଚାରି ପଇସା ଆସିପାରେ, ପ୍ରାଣୀ ଶରୀର ବଞ୍ଚି ରହିପାରେ, କିନ୍ତୁ ଏତଦ୍ଦ୍ୱାରା ମାନବର ଆତ୍ମା ପରିତୃପ୍ତ ହୁଏ ନାହିଁ । ଶିକ୍ଷାକୁ ଆହାର ପରିଧାନ ପ୍ରତି, ଶରୀରିକ ପ୍ରୟୋଜନ ପ୍ରତି ଉପାଦାନ ରୂପେ ଗ୍ରହଣ କରିବାରେ ଶିକ୍ଷାର ପରିସର କ୍ଷୁଦ୍ର ହୋଇଯାଏ । ଶିକ୍ଷାର ମୁଖ୍ୟବସ୍ତୁରେ ବାଧା ଆସିଥାଏ । ଶିକ୍ଷାର ନିୟୋଜନ ଶିକ୍ଷା ପାଇଁ, ମାନବ ଜୀବନର ସଂସ୍କୃତି ପାଇଁ-। ଶିକ୍ଷା ଫଳରେ ଧନାଗମନ, କ୍ଷମତା-ଅର୍ଜନ ଘଟିପାରେ, କିନ୍ତୁ ଏଣୁ ତେଣୁ ବସ୍ତୁ ପାଇଁ, ସାର ପଦାର୍ଥକୁ ହରାଇ, କେହି କେବେ ଯଥାର୍ଥ ସୁଖଶାନ୍ତିର ଅଧିକାରୀ ହୋଇ ନ ପାରେ-। ପରିପୂର୍ଣ୍ଣ ସୁଖଶାନ୍ତି ନ ଆସିବା ପର୍ଯ୍ୟନ୍ତ ଶିକ୍ଷାର କାର୍ଯ୍ୟ ଅପୂର୍ଣ୍ଣ ରହିଯାଏ । ଜୀବନର ସାରତତ୍ତ୍ୱରେ ଭାଗଦାର ହେବା ଶିକ୍ଷାର୍ଥୀର କାମନା । ନଚିକେତା ଏହି ପଦାର୍ଥର ଦାବୀଦାର ।

ଯାହା ଜୀବନମୟ ସାଧନାର ଚୂଡ଼ାନ୍ତ ନିର୍ଯାସ, ତାହା ମାନବର ଅନୁତ୍ତମ ପଦାର୍ଥ । ଏହି ପଦାର୍ଥ ଭୂଇଁରେ ପଡ଼ି ନ ଥାଏ ବା ଏଠି ସେଠି ବିଞ୍ଚି ଦିଆଯାଏ ନାହିଁ । ଏ ପଦାର୍ଥକୁ ଅଳ୍ପ ଲୋକେ ପାଇ ପାରି ଥାଆନ୍ତି, ଦେଇ ନେଇ ପାରିଥାଆନ୍ତି । ଦେଇପାରିବା ପୁରୁଷ ମଧ୍ୟରେ ଯମ, ନେଇପାରିବା ପୁରୁଷ ମଧ୍ୟରେ ନଚିକେତା । ଗୁରୁଙ୍କ ଯୋଗ୍ୟତା, ଶିଷ୍ୟଙ୍କ ଯୋଗ୍ୟତା, ଅନୁଶୀଳନମାର୍ଗର ଯୋଗ୍ୟତା ଏହି ତିନି ବସ୍ତୁର ଯଥାଯଥ ନିଯୁକ୍ତି ଉପରେ ଶିକ୍ଷାକାର୍ଯ୍ୟ ନିର୍ଭର କରେ । ଏଥି ମଧ୍ୟରୁ ପ୍ରଥମ ଦୁଇ ବସ୍ତୁର ପ୍ରୟୋଜନ ଅଧିକ, କାରଣ ଗୁରୁଶିଷ୍ୟ ଉଭୟଙ୍କଠାରେ ଉତ୍ତମତା ଥିଲେ, ଶିକ୍ଷାପ୍ରଣାଳୀ ସ୍ୱତଃ ଉତ୍ତମ ହୋଇଉଠେ । ନଚିକେତା ଉପଯୁକ୍ତ ଶିକ୍ଷା ନିମିତ୍ତ ଉପଯୁକ୍ତ ଶିଷ୍ୟ । ଯମ ଏବଂବିଧ ଶିକ୍ଷା ନିମିତ୍ତ ଉପଯୁକ୍ତ ଗୁରୁ । ଶିକ୍ଷା-ପଦ୍ଧତି ଏପରି ପଦ୍ଧତି ଯେ, ଏତଦ୍ଦ୍ୱାରା ପଦାର୍ଥ ଦାନ କରି ପଦାର୍ଥ ସଂଗ୍ରହ କରାଯାଇଥାଏ, ପଦାର୍ଥକୁ ବିତରଣ କରିବାରେ ପଦାର୍ଥର ବୃଦ୍ଧି ଘଟୁଥାଏ । ଗୁରୁ-ଶିଷ୍ୟଙ୍କ ସମ୍ୱନ୍ଧ ଏପରି ସମ୍ୱନ୍ଧ ଯେ, ଏକ କାଳରେ ଘଟିତ ହେଲେ ମଧ୍ୟ ତାହା ପରବର୍ତ୍ତୀ କାଳରେ ସେହିପରି ରହିଥାଏ । ଗୁରୁଶିଷ୍ୟ ଜୀବନ ଏପରି ଜୀବନ ଯେ, ଜଣେ ଅନ୍ୟକୁ ବଡ଼ କରିବାକୁ ଯାଇ ନିଜେ ମଧ୍ୟ ବଡ଼ ହୋଇଯାଏ । ଯମ–ନଚିକେତାଙ୍କର ପାରସ୍ପରିକ ତତ୍ତ୍ୱାଲୋଚନା ଶିକ୍ଷକତାର ମୂର୍ତ୍ତିମନ୍ତ ନିଦର୍ଶନ । ଶିକ୍ଷା ନିମିତ୍ତ ଏହାହିଁ ଆମ୍ଭମାନଙ୍କର ଏକାନ୍ତ ଅବଲମ୍ୱନ ।

‘‘ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋଽସ୍ୟ ଲବ୍‌ଧାଽଶ୍ଚର୍ଯୋଜ୍ଞାତା କୁଶଳାନୁଶିଷ୍ଟଃ’’

[କଠୋପନିଷଦ୍‌, ମନ୍ତ୍ର ୭, ୧ମ ଅଧ୍ୟାୟ, ୨ୟ ବଲ୍ଲୀ]

Image